• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯେଉଁ କଳିକୁ ନେଇ ସାରା ଫ୍ୟାନଙ୍କ ମଧ୍ୟରେ ଚର୍ଚ୍ଚା, ଯେଉଁ ଝଗଡ଼ାକୁ ନେଇ ସାରା ଓଲିଉଡ୍ ହଲ୍‌ଚଲ, ସେଥିରେ ପଡ଼ିବ ଯବନିକା । ତୁଟିବ ଓଡ଼ିଆ ଷ୍ଟାର ବାବୁସାନ-ତୃପ୍ତି-ପ୍ରକୃତି କଳି, ଫିଟିବ ସମାଧାନର ବାଟ । ଏପରିକି ପ୍ରକୃତିଙ୍କୁ ନେଇ ବାବୁସାନ ଓ ପତ୍ନୀ ତୃପ୍ତି ମଧ୍ୟରେ ଛିଡ଼ା ହୋଇଥିବା ଦାମ୍ପତ୍ୟ ବିବାଦର ପାଚେରୀ ବି ଭାଙ୍ଗିବ ବୋଲି ଚର୍ଚ୍ଚା ହେଉଛି । ଅଭିନେତା ବାବୁସାନ ଓ ତୃପ୍ତିଙ୍କ ପରିବାର ପକ୍ଷରୁ ଆଜି ଏଭଳି ଇସାରା ବି ଦିଆଯାଇଛି । କେବଳ ବାବୁସାନ କି ତୃପ୍ତିଙ୍କ ପରିବାର ନୁହଁନ୍ତି, ଅଭିନେତ୍ରୀ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ବି ବାବୁସାନ ଓ ତୃପ୍ତିଙ୍କ ବିବାଦର ସମାଧାନ ହୋଇଯିବା ଉଚିତ ବୋଲି କହିଛନ୍ତି ।

ଓଡ଼ିଆ ଷ୍ଟାରଙ୍କ ଘର କଳିର ଫିଟିବ କି ସମାଧାନର ବାଟ ? ବାବୁସାନ-ତୃପ୍ତି-ପ୍ରକୃତି କଳିରେ ପଡ଼ିବ କି ଯବନିକା ? ପୁଣି ଥରେ ସ୍ୱାଭାବିକ ହେବ କି ବାବୁସାନ-ତୃପ୍ତିଙ୍କ ଦାମ୍ପତ୍ୟ ଜୀବନ ? ଆଜି ଏଭଳି ଆଶା ଜାଗି ଉଠିଛି, ଏଭଳି ଇସାରା ଦେଖାଦେଇଛି । ବିବାଦର ସମାଧାନ ପାଇଁ ମଧ୍ୟସ୍ଥି ସାଜିଥିବା ଅଭିନେତା ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ଆଜି ଏଭଳି ସୂଚନା ଦେଇଛନ୍ତି । ପୁଅ ସହ ତୃପ୍ତି ରହୁଥିବା ଘରକୁ ଯାଇ ତୃପ୍ତିଙ୍କୁ ବୁଝାସୁଝା କରିଥିଲେ ରବି ମିଶ୍ର । ଆଉ ଘରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରବି ମିଶ୍ର କହିଥିଲେ ସବୁ ଠିକ୍ ହେବ, ବହୁତ ଶୀଘ୍ର ସମାଧାନ ହେବ । 

କେବଳ ରବି ମିଶ୍ର ନୁହଁନ୍ତି, ତୃପ୍ତିଙ୍କ ମାଉସୀ ସଂଗୀତା ପ୍ରହରାଜ ବି ଆଲୋଚନା ବେଳେ ଉପସ୍ଥିତ ଥିଲେ । ତାଙ୍କ କହିବା କଥା, ରବି ମିଶ୍ର ଏବଂ ଆଉ ଜଣେ ଆସିଥିଲେ, କଥାବାର୍ତ୍ତା କରିକି ଗଲେ । ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ତାଙ୍କ ପୁଅର ଭଲମନ୍ଦ ପଚାରିକି ଗଲେ । ତେବେ ତୃପ୍ତି i will wait and watch କହିଥିବା କହିଛନ୍ତି ତୃପ୍ତିଙ୍କ ମାଉସୀ । 

 

ବାପା ଉତ୍ତମ ମହାନ୍ତି ଏବଂ ମା ଅପରାଜିତାଙ୍କ ଜଗନ୍ନାଥ ଘର ସ୍ଥିତ ବାଲକୋନୀରୁ ଅଭିନେତା ବାବୁସାନ ଓ ମା ଅପରାଜିତାଙ୍କ ବାର୍ତ୍ତା ପରେ ଆଜି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦେଖିବାକୁ ମିଳିଥିଲା ତାଙ୍କ ସତ୍ୟନଗର ସ୍ଥିତ ଘର ଛାତ ଉପରେ । ପ୍ରକୃତି କହିଥିଲେ ସମୟ ଆସିଲେ ସବୁ କହିବି । ଏହାର କିଛି ସମୟ ପରେ ପ୍ରକୃତିଙ୍କ ବାପା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ମଧ୍ୟ ନିଜ ଛାତ ଉପରୁ ନିଜ ପ୍ରତିକ୍ରିୟା ଦେଉଥିଲେ ଗଣମାଧ୍ୟମ ପ୍ରତିନିଧିଙ୍କୁ । 

ମନ୍ମଥ କହିଛନ୍ତି ଯେ, ଦୁଇ ପରିବାର ମିଶି ଯାଆନ୍ତୁ । ପୂର୍ବରୁ ଯାହା ମୁଁ କହିଥିଲି ସେଥିରେ ମୁଁ ଷ୍ଟାଣ୍ଡ କରୁଛି । କାରଣ ଏଇଟା ସମାଧାନ ହିଁ ହେଇଯିବା ଦରକାର, ଆଉ ଅଧିକା କିଛି କଥା ନାହିଁ । ବାବୁସାନ ଓ ତୃପ୍ତି ମଧ୍ୟରେ ଆପୋଷ ମିଳାମିଶା ହୋଇଗଲେ ସମାଧାନ ହୋଇଗଲା ବୋଲି ଛାତ ଉପରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ କହୁଥିଲେ ମନ୍ମଥ ।

ଜୁଲାଇ ୨୩, ସମୟ ସକାଳ । ବିଚ୍ ରାସ୍ତାରେ ଘଟିଥିଲା ଷ୍ଟାରଙ୍କ ଘର କଳି । ସ୍ୱାମୀ ବାବୁସାନଙ୍କୁ ଟଣାଓଟରା କରିଥିଲେ ପତ୍ନୀ ତୃପ୍ତି ଶତପଥୀ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଚୁଟି ଟାଣିବା ସହ ଆକ୍ରମଣ ଉଦ୍ୟମ କରିଥିଲେ । ଏହି କଳି ଏବେ ଖାରବେଳନଗର ଥାନାରେ । ପତ୍ନୀ ତୃପ୍ତିଙ୍କ ଏତଲା ଆଧାରରେ ପୋଲିସ ବାବୁସାନଙ୍କ ବିରୋଧରେ ରୁଜୁ କରିଛି ୪୯୮ (କ) । 

ତେବେ ଚେନ୍ନାଇରୁ ବାବୁସାନ ଫେରିବାର ୨ଦିନ ବିତିଥିଲେ ମଧ୍ୟ ପୋଲିସ କିନ୍ତୁ ଏଯାଏଁ ଜେରା କରିନି । ତେବେ କେବେ ଜେରା କରିବ ପୋଲିସ ? ଷ୍ଟାରକଳି ଏବେ ସମାଧାନ ମୁହାଁ ହେଉଥିବାରୁ ରଫାଦଫା ହୋଇଯିବ କି ୪୯୮ (କ) ? ପ୍ରକୃତିଙ୍କ ମା'ଙ୍କ ଏତଲା ଆଧାରରେ ରୁଜୁ ମାମଲାର କଣ ହେବ ଭବିଷ୍ୟତ ? 

ରିପୋର୍ଟର- ଗୌତମ ପଣ୍ଡା, ଆଲୋକ ମହାନ୍ତି