ମହଙ୍ଗା ପଡିଲା ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା । ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଓ ଜାତୀୟ ରାଜପଥ ଅବରୋଧ କରିବା ଅଭିଯୋଗରେ ୯ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ମୟୁରଭଂଜ ପୋଲିସ । ମୟୁରଭଂଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ସୌରୀ ଛକରେ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା ର୍ନିମାଣକୁ ବିରୋଧ କରି ରାସ୍ତାରୋକ ହୋଇଥିଲା । ସେହି ସମୟରେ ମୟୁରଭଞ୍ଜ ଜିଲ୍ଲାପାଳ ପରିବାର ସହ କୌଣସି ଏକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ ।
ତେବେ ଜିଲ୍ଲାପାଳଙ୍କୁ ଦେଖି ଲୋକେ ତାଙ୍କ ଗାଡି ଅଟକାଇଥିଲେ । କୌଣସି ଆଲୋଚନା ହେବା ପୂର୍ବରୁ ଉପସ୍ଥିତ ଲୋକମାନେ ସେଠାରେ ଗଣ୍ଡଗୋଳ ଆରମ୍ଭ କରି ଦେଇଥିଲେ । କିଛି ଦୁର୍ବୃତ୍ତଙ୍କ ଢେଲା ମାଡରେ ଜିଲ୍ଲାପାଳଙ୍କ ଗାଡିର କାଚ ଭାଙ୍ଗିଥିଲା । ଏହି ଘଟଣାରେ ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ୯ଜଣ ବ୍ୟକ୍ତିଙ୍କୁ ଉକ୍ତ ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି ।
ରାସ୍ତା ଅବରୋଧ ଏବଂ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଓ ପିଏସଓ ଙ୍କ ଠାରୁ ବନ୍ଧୁକ ଛଡ଼ାଇବା ପରି ସଂଗୀନ ମାମଲାରେ ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି । ମୟୁରଭଂଜ ପୋଲିସ ପକ୍ଷରୁ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ଜାଗାରେ ଛାପାମରା ଜାରି ରଖିଛି । ତେବେ ଗିରଫଦାରୀ ଆଗକୁ ଆହୁରି ବଢିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।