• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହାଲ(ବିଶ୍ଵକେତନ ରାୟ) : ସେବା ପାଇଁ ମିଳିଲା ସମ୍ମାନ । ଦେଶର ଶକ୍ତିଶାଳୀ ମହିଳା ତାଲିକାରେ ଓଡିଶାର ଆଶା ଦିଦି । ଦିନେ ସ୍ୱପ୍ନରେ ବି ଭାବିନଥିଲେ ଦେଶର ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇବେ ବୋଲି । ଅବିରତ ଲୋକଙ୍କ ସେବା କରି ଚାଲିଛନ୍ତି । ଦୃଢ଼ ମନୋବଳ ଓ ଇଛା ଶକ୍ତି ସହ କଠିନ ପରିଶ୍ରମ କରୁଥିବା ଏଇ ଆଶା ଦିଦି ସ୍ଥାନ ପାଇଛନ୍ତି ଦେଶର ଶକ୍ତିଶାଳୀ ମହିଳା ତାଲିକାରେ । ତାଙ୍କ ଅଧ୍ୟବସାୟକୁ ମିଳିଛି ସ୍ୱୀକୃତି । ସାରା ଦେଶରେ ଏବେ ତାଙ୍କୁ ନେଇ ଚର୍ଚ୍ଚା । ଜଣେ ଆଶା ଦିଦିଙ୍କ ସଫଳତାର କାହାଣୀ ।

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଗରଗଡ଼ ବାହାଲର ମାତିଲଦା କୁଲୁ । ଜଣେ ଆଶାକର୍ମୀ ଭାବେ ଯୋଗ ଦେଇ ଆଜି ନିଜ ଜିଲ୍ଲାକୁ ଜାତୀୟ ସ୍ତରରେ ପରିଚିତ କରାଇଛନ୍ତି । ମହାମାରୀ କରୋନା ମୁକାବିଲାରେ ତାଙ୍କର ପ୍ରଶଂସନୀୟ ଭୂମିକା ପାଇଁ ସେ ସମ୍ମାନଜନକ ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି । ଆଜିକୁ ପନ୍ଦର ବର୍ଷ ହେଲା ନିଜ ଅଞ୍ଚଳରେ ରୋଗୀଙ୍କ ସେବା କରିଆସୁଛନ୍ତି । ଗର୍ଭବତୀ ମହିଳା ହୁଅନ୍ତୁ ବା ବରିଷ୍ଠ ନାଗରିକ ହୁଅନ୍ତୁ, ସେବା କରି ସମସ୍ତଙ୍କର ହୃଦୟ ଜିଣିଛନ୍ତି ମାତିଲଦା ।

ସକାଳୁ ଉଠି ଘର କାମ ସାରି ନିଜ ଛୁଆ ପିଲାଙ୍କ କଥା ବୁଝନ୍ତି । ସାଇକେଲ ଧରି ବାହାରି ଯାଆନ୍ତି । ଘର କୁ ଘର ବୁଲି ଲୋକଙ୍କ ଦେହ ପା କଥା ବୁଝନ୍ତି । ଝାଡା ହେଉ ବା ଜ୍ୱର ହେଉ ପ୍ରାଥମିକ ଚିକିତ୍ସା ଯୋଗାନ୍ତି ମାତିଲଦା କୁଲୁ । ଏମିତି କି ଅଧିକ ଗୁରୁତର ହେଲେ ଆମ୍ବୁଲାନ୍ସ ଡାକି ରୋଗୀକୁ ନେଇ ମେଡିକାଲକୁ ଯାଆନ୍ତି । ଖରା ବର୍ଷା ଶୀତ କୁ ଖାତିର ନକରି ପ୍ରତିଦିନ ଗାଁ କୁ ଗାଁ ବୁଲନ୍ତି ।

କରୋନା ସମୟରେ ଯେତେବେଳେ ସବୁ କିଛି ବନ୍ଦ ରହିଥିଲା ଘର କୁ ଘର ବୁଲି ଲୋକମାନଙ୍କୁ ସଚେତନ କରିଛନ୍ତି ମାତିଲଦା । ନା.. ତାଙ୍କ ମନରେ ଥିଲା ଭୟ ନା.. ଥିଲା ଘୃଣା, ନିଜ ପିଲା ଛୁଆକୁ ଭୁଲି ଯାଇଛନ୍ତି ସେ ସମୟରେ । ସେହି ସମୟରେ ସେବା କରୁ କରୁ କେତେବେଳେ ନିଜେ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ତାହା ମଧ୍ୟ ସେ ଜାଣିନଥିଲେ । ସଙ୍ଗରୋଧରେ ରହି ଚିକିତ୍ସିତ ହୋଇ ଭଲ ହେଲା ପରେ ପୁଣି ତାଙ୍କ ଚିରାଚରିତ ଢଙ୍ଗରେ ସାଇକେଲ ଧରି ବାହାରି ପଡିଥିଲେ ଲୋକଙ୍କ ସେବା କରିବାକୁ । ସେଠାକାର ବାସିନ୍ଦା ତାଙ୍କୁ ଦେବତା ବୋଲି ମାନନ୍ତି ତାଙ୍କ ସଫଳତାରେ ସେମାନେ ଗର୍ବିତ ବୋଲି କହିଛନ୍ତି ।

ସ୍ୱାମୀ ପୁଅ ଝିଅ ଚାରି ଜଣକୁ ନେଇ ତାଙ୍କ ସଂସାର । ସ୍ୱାମୀ ଚାଷ କରନ୍ତି । ବହୁ କଷ୍ଟରେ ପରିବାର ଚଳେ । ସରକାରୀ ସାହାଯ୍ୟ କହିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡେ ମିଳିଛି । ଆଶାକର୍ମୀ ଭାବେ ମାସକୁ ତାଙ୍କୁ ୨୫୦୦ ଟଙ୍କା ବେତନ ମିଳେ । ପିଲାଙ୍କ ପଠାପଢା ସହିତ ଘର ବି ସେହି ପଇସାରେ ଚଳେ । ତାଙ୍କ ଝିଅ କହିଛନ୍ତି, ମାଆଙ୍କର ଏହି ସଫଳତାରେ ସେ ବହୁତ ଗର୍ବିତ ଓ ମାଆ ମଧ୍ୟ ବହୁ କଷ୍ଟ କରନ୍ତି । ସବୁ କାମ ମଧ୍ୟରେ ବି ସେ ସମୟ ବାହାର କରି ବାଡ଼ିରେ ପନିପରିବା ଲଗେଇ ଆମକୁ ଚଳାନ୍ତି । ତାଙ୍କର ଜଣେ ସହଯୋଗୀ ଆଶାକର୍ମୀ ବି ଏମିତି କୁହନ୍ତି । ମାତିଲଦା କୁଲୁ ସମସ୍ତଙ୍କ ପାଇଁ ପାଲିଟିଛନ୍ତି ଉଦାହରଣ ।