• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

୧୯୬୫ ମସିହା...ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ଯୁଦ୍ଧ । ଯୁଦ୍ଧରେ ଯୋଦ୍ଧା ଭାବରେ ଯୋଗ ଦେଇଥିଲେ ଭଦ୍ରକର ବୀର ଯବାନ ଆନନ୍ଦ ପତ୍ରୀ । ଯୁଦ୍ଧରେ ଯୋଗ ଦେବା ଲାଗି ଘରୁ ଯାଇଥିଲେ ସତ ହେଲେ ଆଉ ସେବେଠୁ ଏଯାଏଁ ଫେରିଲେ ନାହିଁ । ଏହାରି ଭିତରେ ୫୦ ବର୍ଷ ବିତିଗଲାଣି କିନ୍ତୁ ତାଙ୍କର ଖୋଜଖବର ମିଳୁନି । କିନ୍ତୁ ଏବେବି ଆନନ୍ଦଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପରିବାର ।

ଯୁଦ୍ଧ ପରେ ୨୦୦୩ରେ ଖବର କାଗଜରେ ତାଙ୍କର ଫଟୋ ବାହାରିଥିଲା...ତାଙ୍କ ପରିବାର ପକ୍ଷରୁ ତାଙ୍କୁ ଚିହ୍ନଟ ବି କରାଗଲା । ଆଣିବା ଲାଗି ୱାଘା ବର୍ଡର ବି ତାଙ୍କ ପରିବାର ଲୋକେ ଗଲେ । କିନ୍ତୁ ତାଙ୍କୁ ଫେରାଇ ଆଣି ପାରିଲେନି । ଏମିତିକି ଆନନ୍ଦ ଜୀବିତ କି ମୃତ ତାହା ବି କାହାକୁ ଜଣାନାହିଁ । ହେଲେ ତାଙ୍କୁ ପାକିସ୍ତାନରୁ ମୁକୁଳାଇବା ଲାଗି ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ ।

ଭଦ୍ରକ ଧାମନଗର କଲ୍ୟାଣୀ ଗାଁର ଆନନ୍ଦ ପତ୍ରୀ । ୩୧ ବେଙ୍ଗଲ ଇଂଜିନିୟରିଂ ରେଜିମେଣ୍ଟ ଜି କମ୍ପାନୀ, କଂଚରପଡ଼ା, ଉତ୍ତର ୨୪ ପ୍ରଗଣା ତଥା ପଶ୍ଚିମବଙ୍ଗରେ ଭାରତୀୟ ସେନାରେ ଯବାନ ଥିଲେ ଆନନ୍ଦ । ୧୯୬୨ରେ ଇଣ୍ଡୋ ଚାଇନା ଯୁଦ୍ଧ ବି ଲଢିଥିଲେ । ଯୁଦ୍ଧ ଲଢିବା ପରେ ଘରକୁ ଫେରିଥିଲେ ଆନନ୍ଦ । ହେଲେ ପୁଣି ଥରେ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ଲଢିଥିଲେ ଆନନ୍ଦ । ବାସ୍‌ ଯୁଦ୍ଧ ପରେ ଘରକୁ ଚିଠି ଆସିଥିଲା କି ଆନନ୍ଦ ନିଖୋଜ ଅଛନ୍ତି ବୋଲି ।

୨୦୦୩ ମସିହାରେ ହଠାତ୍‌ ଓଡ଼ିଆ ଖବର କାଗଜରେ ନସିମ ଗୋପାଳ ନାମରେ ଆନନ୍ଦ ପତ୍ରୀଙ୍କ ଫଟୋ ପ୍ରକାଶ ପାଇଥିଲା । ଯେଉଁଥିରେ ଲେଖାଥିଲା ଯେ ଏ ହେଉଛନ୍ତି 178 D ନମ୍ବରର ଫଟୋ। ମାନସିକ ବିକୃତି ପାଇଁ ନିଜ ପରିଚୟ ସ୍ପଷ୍ଟ କହି ପାରୁନାହାନ୍ତି । ପାକିସ୍ଥାନ ଜେଲରେ ବନ୍ଦୀ ଅଛନ୍ତି । ତାଙ୍କ ନାମ ନସିମ ଗୋପାଳ । ଖବର କାଗଜରେ ପ୍ରକାଶିତ ଫଟୋ ଦେଖି ଚିହ୍ନଟ କରିଥିଲେ ଆନନ୍ଦଙ୍କ ସ୍ତ୍ରୀ, ଭଉଣୀ ଓ ଗାଁ ଲୋକେ ।

ଆନନ୍ଦଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କଠୁ ପ୍ରଧାନମନ୍ତ୍ରୀ...ଏମିତିକି ରାଷ୍ଟ୍ରପତିଙ୍କୁ ବି ନିବେଦନ କରାଯାଇଛି । ୨୦୦୬ ମସିହା ଡିସେମ୍ବର ୨୨ରେ ପାକିସ୍ତାନ ଜେଲରୁ ଆନନ୍ଦ ମୁକୁଳିବେ ବୋଲି ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ୱାଘା ବର୍ଡରକୁ ପରିବାର ଲୋକେ ଯାଇଥିଲେ । ହେଲେ ଆନନ୍ଦ ଫେରିନଥିଲେ । ତେବେ ଏହାରି ଭିତରେ ୧୭ ବର୍ଷ ବିତିଗଲା ପଛେ ଆନନ୍ଦର କୌଣସି ପତ୍ତା ମିଳିଲା ନାହିଁ । କିନ୍ତୁ ପରିବାର ଲୋକ ବିଶ୍ୱାସ ରଖିଛନ୍ତି ଆନନ୍ଦ ଜୀବିତ ଅଛନ୍ତି । ଘରକୁ ନିଶ୍ଚୟ ଫେରିବେ ବୋଲି..ଏବେ ବି ପରିବାର ଲୋକ ଭଦ୍ରକ ସାଂସଦ ଓ ସ୍ଥାନୀୟ ବିଧାୟକଙ୍କୁ ଆନନ୍ଦଙ୍କ ଉଦ୍ଧାର ପାଇଁ ଗୁହାରି କରିଛନ୍ତି । ତେବେ ସମୟ କହିବ କେବେ ପାକିସ୍ତାନ ଜେଲରୁ ଫେରୁଛନ୍ତି ଆନନ୍ଦ ।

 

  • Reported by:
  • Partha Sarathi nayak