Advertisment

ସେଓ ଚାଷ କରି ସଫଳ ବରଗଡ ଚାଷୀ : ବାର୍ଷିକ ଏକର ପ୍ରତି ୧୨ରୁ ୧୫ ଲକ୍ଷ ରୋଜଗାର ଲକ୍ଷ୍ୟ

ସରକାରୀ ସ୍ତରରେ ଚାଷୀଙ୍କୁ କୌଣସି ସରକାରୀ ସହାୟତା ଦିଆଯାଉ ନଥିବାବେଳେ ନିଜସ୍ୱ ଖର୍ଚ୍ଚରେ ସେ ଏହି ଚାଷ ଆରମ୍ଭ କରିଛନ୍ତି ।

author-image
Prangyan Parimita
Special story

Special story

ସେଓ ପ୍ରାୟତଃ ଥଣ୍ଡା ପରିବେଶରେ ଚାଷ କରାଯାଏ ବୋଲି ସମସ୍ତେ ଜାଣନ୍ତି । ମାତ୍ର ବରଗଡ଼ ପରି ଗ୍ରୀଷ୍ମ ପ୍ରବାହ ଅଞ୍ଚଳରେ ସେଓ ଚାଷ କରି ସଫଳ ହୋଇଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଚାଷୀ କ୍ଷମାନିଧି ବାରିକ । ଅର୍ଗାନିକ ପଦ୍ଧତିରେ ସେଓ ଚାଷ କରି ଆଜି ସେ ସମସ୍ତ ଚାଷୀକୂଳ ପାଇଁ ପ୍ରେରଣା ସାଜିଥିବା ବେଳେ ସେଓ ଚାଷ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ଼ ଜମୁଛି ତାଙ୍କ ବାଡ଼ିରେ ।

Advertisment

ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗୁଳୁଗୁଳି ସାଙ୍ଗକୁ ଗରମ ପବନ ଲୋକଙ୍କୁ ଛଟପଟ କରୁଛି । ତେବେ ଏପରି ସମୟରେ ମଧ୍ୟ ସେଓ ଚାଷ କରି ସଫଳତା ପାଇଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଚାଷୀ କ୍ଷମାନିଧି ବାରିକ । ସେ ନିଜର ୩୦ ଡ଼ିସିମିଲ ଜମିରେ ଗତ ବର୍ଷ ସେଓ ଚାଷ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ଗଛରେ ସେଓ ଫଳିବା ଆରମ୍ଭ ହୋଇଛି ।

ହିମାଚଳ ପ୍ରଦେଶରୁ HRMN-99 ପ୍ରଜାତିର ୧୫୦ଟି ଚାରା ଆଣି ଚାଷ କରିଥିଲେ । ସେଥିମଧ୍ୟରୁ ବର୍ତ୍ତମାନ ୧୩୦ଟି ଗଛ ରହିଛି, ଆଉ ଏହି ଗଛରେ ଫଳ ଆସିବା ପରେ ସୁନ୍ଦର ଦେଖାଯାଉଛି ଏବଂ ବେଶ ସୁସ୍ୱାଦୁ ମଧ୍ୟ ଲାଗୁଛି । ତେବେ ଏହି ଚାଷ ପାଇଁ ସେ କୃଷି ବୈଜ୍ଞାନିକ ସନତ ମେହେରଙ୍କ ସହାୟତା ନେଇଥିବା ବେଳେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

Advertisment

ସରକାରୀ ସ୍ତରରେ ସେଓ ଚାଷ ପାଇଁ ଚାଷୀଙ୍କୁ କୌଣସି ସରକାରୀ ସହାୟତା ଦିଆଯାଉ ନଥିବାବେଳେ ନିଜସ୍ୱ ଖର୍ଚ୍ଚରେ ସେ ଏହି ଚାଷ ଆରମ୍ଭ କରିଛନ୍ତି ଏବଂ ଗୋଟିଏ ଗଛରେ ହାରାହାରି ୫୦ ରୁ ୧୦୦ କେଜି ଫଳ ଫଳିବ ବୋଲି ସେ ଲକ୍ଷ୍ୟ ରଖିଛନ୍ତି । ଯାହା ଏକର ପ୍ରତି ବାର୍ଷିକ ୧୨ରୁ ୧୫ଲକ୍ଷ ଟଙ୍କା ରୋଜଗାର ହେବ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ସେଓ ଚାଷର ଅଧିକ ଉତ୍ପାଦନ ପାଇଁ ତାଙ୍କୁ ବାହାର ରାଜ୍ୟକୁ ପଠାଯିବା ସହ ଅନ୍ୟ ଚାଷୀ ମଧ୍ୟ ସେଓ ଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି କହିଛନ୍ତି ବରଗଡ ସହକାରୀ ଉଦ୍ୟାନ ନିର୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ।

ପୂର୍ବରୁ ସେଓ ଚାଷ କେବଳ ହିମାଚଳ ପ୍ରଦେଶ,ନାସିକ ପରି ଥଣ୍ଡା ଅଂଚଳରେ ଚାଷ ହେଉଥିଲା ମାତ୍ର ବରଗଡ଼ ପରି ଉତ୍ତପ୍ତ ଜିଲ୍ଲାରେ ଏହି ଚାଷ କରି ବେଶ ସଫଳତା ପାଇବା ସହ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି କ୍ଷମାନିଧି ।

ବରଗଡ଼, ଦୀପକ ଶର୍ମା

Apple Farming
Advertisment
Advertisment