/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653313869.jpg)
Special story
ଓଲିଉଡର ଲୋକପ୍ରିୟ ଦମ୍ପତିଙ୍କ ପାରିବାରିକ କଳି ପାଇଁ ଏବେ ଉଠୁଛି ପଡ଼ୁଛି ସୋସିଆଲ ମିଡିଆ । ସର୍ବସମ୍ମୁଖରେ ବେଡ ରୁମ୍ ସିକ୍ରେଟ୍ । ଗୋପନୀୟ କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଆଉ ଏଥିପାଇଁ ଦୁଇ ଭାଗ ହୋଇ ଯାଇଛନ୍ତି ଉଭୟଙ୍କ ପ୍ରଶଂସକ । ଦିନେ ଯେଉଁ ତାରକାଯୋଡ଼ିଙ୍କୁ ଯୁବଗୋଷ୍ଠୀ ନିଜର ଆଦର୍ଶ ମାନି ଚଳୁଥିଲେ, ଆଜି ସେମାନଙ୍କ ଭିଡିଓ ମର୍ମାହତ କରୁଛି । ବୈବାହିକ ଜୀବନର ଝଡ଼କୁ ଖୋଲାଖୋଲି ଭାବରେ ଫେସବୁକ, ୟୁଟ୍ୟୁବ ମାଧ୍ୟମରେ ଜାହିର କରୁଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ଓ ସ୍ତ୍ରୀ ବର୍ଷା । ସେମାନଙ୍କ ବ୍ୟକ୍ତିଗତ ଜୀବନ ଆଉ ବ୍ୟକ୍ତିଗତ ହୋଇ ରହିନାହିଁ । ଉଭୟେ ପବ୍ଲିକ୍ ଚେହେରା ହୋଇଥିଲେ ସୁଦ୍ଧା ମନରେ କୁହୁଳୁଥିବା ତିକ୍ତତାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରୁଛନ୍ତି । ଜଣେ ଫେସବୁକ୍ରେ ଘଣ୍ଟା ଘଣ୍ଟା ଧରି ନିଜ ସ୍ତ୍ରୀର ମାନମହତ ନିଲାମ କରୁଥିବା ବେଳେ ଆଉ ଜଣେ ଫ୍ୟାନ କ୍ଲବର ସାହାରା ନେଉଛି । ସିଧାସଳଖ ନହେଲେ ସୁଦ୍ଧା ଜୋରଦାର ଚାଲିଛି କୋଲ୍ଡୱାର ।
ନୀରବତାର ଲଢ଼େଇ ବନାମ୍ ଖୋଲାଖୋଲି ଅଭିଯୋଗ । ବର୍ଷା ମିଡିଆ ସାମ୍ନାରେ ନିରବ ରହୁଥିଲେ ସୁଦ୍ଧା ଅନୁଭବ କିନ୍ତୁ ସ୍ତ୍ରୀ ବିରୋଧରେ ବିଷୋଦଗାର କରି ଚାଲିଛନ୍ତି । ତେବେ ଅନେକ ଦିନ ଚୁପ ରହିବା ପରେ ବର୍ଷା ଏବେ ମୁହଁ ଖୋଲିଛନ୍ତି । ଫ୍ୟାନ ପେଜ୍ ମାଧ୍ୟରେ ବର୍ଷା ମଧ୍ୟ ନିଜ ମନ କଥା ଖୋଲି କହିଛନ୍ତି । ଗତ ଦୁଇ, ତିନି ଦିନ ଭିତରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଭିଡିଓ ପୋଷ୍ଟ କରି ନିଜ ବୈବାହିକ ଜୀବନର ଯନ୍ତ୍ରଣାସିକ୍ତ ଅନୁଭୂତି ସମ୍ପର୍କରେ ବଖାଣିଥିଲେ । ଆଉ ଏନେଇ ସ୍ତ୍ରୀ ବର୍ଷା ଗତକାଲି ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଆଉ ତା’ର ଦିନକ ପରେ ନିଜ ଫ୍ୟାନପେଜ ମାଧ୍ୟମରେ ସ୍ୱାମୀଙ୍କ ଭିଡିଓକୁ କାଉଣ୍ଟର କଲାଭଳି ପ୍ରଶ୍ନ କରିଛନ୍ତି ବର୍ଷା ।
Varsha Priyadarshini Fans Love ନାମକ ପେଜରୁ ଅନୁଭବଙ୍କ ପାଇଁ କରାଯାଇଥିବା ପ୍ରଶ୍ନରୁ ସ୍ପଷ୍ଟ ଜଣାପଡ଼ୁଛି, ଫ୍ୟାନଙ୍କ ଆଳରେ ବର୍ଷା ସ୍ୱାମୀକୁ ଅନେକ ପ୍ରଶ୍ନ କରିଛନ୍ତି । କାରଣ ବର୍ଷା ଅନୁଭବଙ୍କ ବିଷୟରେ ଏତେ ସବୁ କିପରି ଜାଣିବେ ପ୍ରଶଂସକ ? ତାଙ୍କ ବ୍ୟକ୍ତିଗତ ଜୀବନରେ ଘଟିଥିବା ଘଟଣାବଳୀକୁ ଏତେ ପାଖରୁ ଫ୍ୟାନ୍ ମାନେ ଜାଣିବା ସଂଭବ କି ?
ତେବେ Varsha Priyadarshini Fans Love ପକ୍ଷରୁ ବାରମ୍ବାର ପ୍ରେମର ଦ୍ୱାହି ଦେଉଥିବା ଅନୁଭବଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରାଯାଇଛି । ଅନୁଭବ ଭିଡିଓରେ ବଖାଣିଥିବା କଷ୍ଟକୁ ସିଧା ସିଧା କାଉଣ୍ଟର କରାଯାଇଛି ।
Varsha Priyadarshini Fans Love ପକ୍ଷରୁ ପ୍ରଶ୍ନ କରାଯାଇଛି, ଭଲପାଇକି ୬ ବର୍ଷର ବାହାଘର ପରେ ୬ ବର୍ଷର ବୈବାହିକ ସଂପର୍କରେ ରହିଲା ପରେ ବି ଜଣେ ସ୍ତ୍ରୀ ତା’ ସ୍ୱାମୀକୁ ଛୁଇଁବାକୁ ବି ଦେଲାନି ?? ଏହା କେତେ ବିଶ୍ୱାସଯୋଗ୍ୟ ? ? ଜଣେ ପୁରୁଷ ଏମିତି ରହିପାରିବ ନା ଜଣେ ନାରୀ ଏମିତି ରହିପାରିବ ?? କୋର୍ଟରେ କେସ୍ ଚାଲିଥିବା ବେଳେ ଏଭଳି ଭିଡିଓ ମାଧ୍ୟମରେ ନିଜର ଇମେଜ୍ ସଜାଡି ତାଙ୍କ ଚରିତ୍ର, ମାନ ସମ୍ନାନ, ନାରୀତ୍ୱରେ କଳଙ୍କ ଲଗାଇବା କ’ଣ ଜଣେ ଜଣେ ଭଲପାଉଥିବା ମଣିଷ କରିପାରିବ ? ଭଲପାଇ ଯାହାର ହାତ ଧରି ବାହା ହେଲେ ସେଇ ସ୍ୱାମୀ ତା ସ୍ତ୍ରୀର ଚରିତ୍ର ଓ ନାରୀତ୍ୱରେ କଳଙ୍କ ଲଗେଇବା କେତେଦୂର ଗ୍ରହଣୀୟ ??
ଏଥିରେ ଆହୁରି କୁହାଯାଇଛି ଯେ, ଜଣେ ବାପା ଛେଉଣ୍ଡ ଝିଅ ଯାହାର ଭାଇ ନାହିଁ, ଯିଏ ତା ବିଧବା ମାଙ୍କୁ ନେଇ ବିବାହ ବିଚ୍ଛେଦର ଲଢେଇ କୋର୍ଟରେ ନୀରବତାର ସହ ଲଢୁଛି ତାକୁ ସମାଜରେ ବଦନାମ କରି ମିଥ୍ୟା ଆରୋପ ଲଗାଇ ବରବାଦ କରିବାର ଷଡଯନ୍ତ୍ର କରାଯାଇଛି । ନିଜକୁ ନିର୍ଦ୍ଦୋଷ କହୁଥିବା ମଣିଷ କୋର୍ଟରେ ନିଜ ବୟାନ ଓ ପ୍ରମାଣ ରଖି ନ୍ୟାୟିକ ଲଢେଇ ନଲଢ଼ି ସୋସିଆଲ ମିଡିଆରେ କ’ଣ କରୁଛନ୍ତି ?
ସ୍ତ୍ରୀ ଯଦି ମାନସିକ ନିର୍ଯାତନା ଦେଉଥିବା କଥା ସତ ହେଲେ ସ୍ୱାମୀ ପ୍ରଡ୍ୟୁସର ହେବା ପରେ ତାଙ୍କୁ କିପରି ସହଯୋଗ କରୁଥିଲେ । ପ୍ରଚାର ମୈଦାନରେ ମଧ୍ୟ ସେ ତାଙ୍କୁ ସହଯୋଗ କରିଛନ୍ତି । ତାଙ୍କ ଗୋଡ ଭାଙ୍ଗିବା ପରେ ରାତି ଦିନ ତାଙ୍କ ସେବା କରି ତାଙ୍କୁ ସୁସ୍ଥ କରି ତାଙ୍କ ହାତ ଧରି ଚାଲିଲେ କେମିତି ??
ଜଣେ ହିନ୍ଦୁ ନାରୀ ବିବାହ ବିଚ୍ଛେଦ ନୁହେଁ ବରଂ ତାଙ୍କୁ ବାଟକୁ ଆଣି ଏକାଠି ରହିବାକୁ ଚାହେଁ । ସୋସିଆଲ ମିଡିଆକୁ ଅପବ୍ୟବହାର କରି ଇର୍ଷାପରାୟଣ ହୋଇ, ନିନ୍ଦା ଅପମାନ କରି ଗୋଟେ ଝିଅ ଓ ତା ପରିବାରକୁ କଳଙ୍କିତ କରିବା ଯୁକ୍ତିଯୁକ୍ତ ନୁହେଁ । ସୋସିଆଲ ମିଡିଆରେ ସ୍ତ୍ରୀକୁ ବଦନାମ କରିବା ପାଇଁ ଯାହା କହୁଛନ୍ତି, ବାସ୍ତବରେ ସେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିନାହାନ୍ତି । ବରଂ ପରିବାର ଲୋକ ମିଶି ତାଙ୍କୁ ଏକା କରି ଘରେ ଛାଡି ସମସ୍ତେ ପଳେଇଛନ୍ତି। ଏପରିକି ସ୍ତ୍ରୀର ମୋବାଇଲ ନମ୍ବରକୁ ବ୍ଲକ କରିଦେଇଛନ୍ତି ବୋଲି ଫ୍ୟାନ୍ କ୍ଲବ୍ ପକ୍ଷରୁ କୁହାଯାଇଛି ।
Varsha Priyadarshini Fans Love ଫ୍ୟାନ୍ ପେଜ୍ ପକ୍ଷରୁ କରାଯାଇଥିବା ଏତେ ଗୁଡ଼ିଏ ପ୍ରଶ୍ନ ସ୍ପଷ୍ଟ କରୁଛି ଯେ, ସିଧାସଳଖ ନହେଲେ ସୁଦ୍ଧା ବର୍ଷା ନିଜ ବିରୋଧରେ ସ୍ୱାମୀ ଛାଡ଼ିଥିବା ଭିଡିଓର କଡ଼ା ଜବାବ ଦେଇଛନ୍ତି । ସେ ବି ମାନସିକ ଯାତନା ସହିପାରୁନଥିବା ସ୍ପଷ୍ଟ ହେଉଛି । ତେବେ ଦେଖିବାକୁ ବାକି ରହିଲା ଉଭୟଙ୍କ କଳିରେ ଏହା ଯବନିକା ଟାଣିବ ନା ସୋସିଆଲ୍ ମିଡିଆର ଏହି ବାକଯୁଦ୍ଧ ସେମାନଙ୍କ ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ଆହୁରି ପଦାକୁ ଆଣିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)