• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଏକ ଧମକ ଭିଡିଓ ଭାଇରାଲ । ବାଣପୁର ଗମ୍ଭାରୀମୁଣ୍ଡା ସ୍ଥିତ ଏକ କ୍ଲବ ଘରକୁ ବିଧାୟକ ପରିଦର୍ଶନରେ ଯାଇଥିବା ସମୟରେ ଏପରି ଘଟଣା ଘଟିଛି । ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ଯାହା କହିଛନ୍ତି, ସେଥିପାଇଁ ସେ ଭୁଲ ନମାଗିବା ଯାଏଁ ଘରକୁ ଛଡାଯିବ ନାହିଁ ବୋଲି ସେ ଧମକ ଦେଇଛନ୍ତି । ଭାଇରାଲ ହୋଇଥିବା ଭିଡିଓରେ ପ୍ରଶାନ୍ତ ଜଗଦେବ କହୁଛନ୍ତି, ବିଧାୟକ ଭାବେ କ୍ଲବ ଘରକୁ ବୁଲି ଆସିଥିଲି । ହେଲେ ଜଣେ ଭଦ୍ରବ୍ୟକ୍ତି ତାଙ୍କର କାଣ୍ଡଜ୍ଞାନ ନାହିଁ ବୋଲି କହିଥିଲେ ।

ସେ ତାଙ୍କ ଜ୍ଞାନର ଉତ୍ତର ଦେବେ, ନହେଲେ ତାଙ୍କୁ ଘରକୁ ଛଡା ଯିବନି ବୋଲି ବିଧାୟକ ଧମକ ଦେବାର ଭିଡିଓରେ ଦେଖାଯାଇଛି । ଭୁଲ ନମାଗିବା ପର୍ଯ୍ୟନ୍ତ ଘରକୁ ଯାଇପାରିବେ ନାହିଁ ବୋଲି ବିଧାୟକ ଧମକାଇବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏଘଟଣା ଅତ୍ୟଧିକ ଆଗେଇବା ପରେ ବାଣପୁର ପୋଲିସ ସେଠାକୁ ଯାଇ ବୁଝାସୁଝା କରିଥିଲେ । ତେବେ ଏସମ୍ପର୍କରେ ପ୍ରଶାନ୍ତ ଜଗଦେବଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାରଧର, ଗାଳି ଫଜିଲ କି ଧମକାଇବା ଭଳି ଅଭିଯୋଗ ନୂଆ ନୁହେଁ । ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଏନଏସି ଅଫିସ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ପଚାରିବାକୁ ଯାଇଥିଲେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଂଜନ ସେଠୀ । ଏହି ସମୟରେ ବିଧାୟକ ପ୍ରଶାନ୍ତ ଜଗଦେବ ପହଞ୍ଚି ରାସ୍ତା ଉପରେ ହିଁ ନିରଞ୍ଜନଙ୍କୁ ଆକ୍ରମଣ କରିଥିଲେ । ନିରଞ୍ଜନଙ୍କୁ ବିଧାୟକ ଧକ୍କା ମାରିଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ବିଧାୟକଙ୍କ ବିରୋଧରେ ଲାଗିଥିଲା ଏସସି-ଏସଟି ଉତ୍ପୀଡ଼ନ କେଶ୍ । ବିଧାୟକଙ୍କ ଦାଦାଗିରି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ।

ପୂର୍ବରୁ ପୁରୀର ତତ୍କାଳୀନ ଏସ୍‌ପିଙ୍କୁ ଠେଲାପେଲା, ବେଗୁନିଆର ତତ୍କାଳୀନ ମହିଳା ବିଡିଓଙ୍କୁ ମାଡ଼ ମାରିବା, ଭୁବନେଶ୍ୱର ବାସଭବନ ନିକଟରେ ଜଣେ ହୋଟେଲ ମାଲିକଙ୍କୁ ଧମକାଇବା ଓ ବୌଦ୍ଧ ମନମୁଣ୍ଡାରେ କଳା ପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ଗୋଇଠା ମାରିବା ଭଳି ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା ପ୍ରଶାନ୍ତ ଜଗଦେବଙ୍ଗ ବିରୋଧରେ ।