• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

(ରିପୋର୍ଟର- ରବିନ୍ଦ୍ର ହୋତା) ପଶୁ ହେଉ କି ପକ୍ଷୀ ସେମାନଙ୍କ ସହ ସମ୍ପର୍କ ଥରେ ନିବିଡ଼ ହେଲେ, ଛାଡ଼ିବା ଯେ କେତେ କଷ୍ଟ ତାହା ସମ୍ପର୍କ ଯୋଡ଼ିଥିବା ଲୋକଙ୍କୁ ହିଁ ଜଣା । ଯେମିତି କି ସୋନପୁରର ନିରାଶ୍ରୟ ମହିଳା ତରାସ ବାଘ । ସହରର ବୁଲା ଗାଈଙ୍କ ସେବା, ଯତ୍ନ ଓ ଦେଖାଶୁଣା ଭିତରେ ଗୋଟିଏ ଗାଈ ଚିନୁ ସହ ନିବିଡ ସମ୍ପର୍କ ଯୋଡ଼ି ହୋଇଯାଇଥିଲା । ହେଲେ ବୁଲା ଗାଈଙ୍କୁ ପୌର ପ୍ରଶସାନ ନିକଟରେ ଗୋଶ୍ରଦ୍ଧା କେନ୍ଦ୍ରରେ ଛାଡ଼ିଦେବା ପରେ ତରାସଙ୍କ ପ୍ରିୟ ଗାଈର ଆଉ ଖୋଜ ଖୋବର ମିଳୁନି । ଆଜିକୁ ୩ ମାସ ଧରି ଜିଲ୍ଲାପାଳଙ୍କ ଅଫିସ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶେଷରେ ଜିଲ୍ଲାପାଳଙ୍କ କାର ଆଗରେ ଶୋଇ ପ୍ରତିବାଦ ଜଣାଇଛନ୍ତି ।

‘ଗାଈ ମୋ ଜୀବନ, ଗାଈ ନମିଳିଲେ ଜୀବନ ହାରିଦେବି’ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୋହ ସମ୍ଭାଳି ନପାରି କଇଁ କଇଁ କାନ୍ଦି ଉଠୁଥିବା ଜଣେ ବୃଦ୍ଧା ନିଜର ଅଭାବ କି ଅସୁବିଧା ପାଇଁ ଗୁହାରି କରୁନାହାନ୍ତି, ବରଂ ଏକ ବୁଲା ଗାଈ ପାଇଁ ତାଙ୍କର ଏ ଦରଦ ଆଉ ପ୍ରତିବାଦ । ଆଉ ବୁକୁ ଫଟା କାନ୍ଦ ।

ଘଟଣା ଏମିତି କି ତରାସ ବାଘ ନାମ୍ନୀ ଏହି ଅସହାୟ ବୃଦ୍ଧା ପ୍ରାୟ ୨୦ ବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ରହି ଆସୁଛନ୍ତି । ଭିକ୍ଷାବୃତ୍ତି କରି ଚଳୁଥିଲେ ବି ତାଙ୍କର ବୁଲା ଗାଈଙ୍କ ପ୍ରତି ଅହେତୁକ ଦୁର୍ବଳତା । ଦୈନିକ ଭିକ୍ଷାବୃତ୍ତିରୁ ଯାହା ମିଳେ, ଗାଈମାନଙ୍କୁ ଦେଇ ଚରମ ଆନନ୍ଦ ପାଇଥାନ୍ତି । ତେବେ ଏ ଗାଈଙ୍କ ମଧ୍ୟରୁ ତାଙ୍କର ଅତି ପ୍ରିୟ ଥିଲା ଚିନୁ । ଯାହାକୁ ସେ ଅସହାୟ ବାଛୁରୀ ଅବସ୍ଥାରୁ ଉଦ୍ଧାର କରି ବଡ଼ କରିବା ପରେ ୪ଟିର ମାଆ ହେବା ଯାଏଁ ପାଖରେ ରଖିଥିଲେ ।

ହେଲେ ବୁଲା ଗୋରୁଗାଈଙ୍କ ପାଇଁ ଦୁର୍ଘଟଣା ବଢୁଥିବାରୁ ଏଇ କିଛି ମାସ ତଳେ ପୌର କର୍ତ୍ତୃପକ୍ଷ ସବୁ ବୁଲା ଗାଈଗୋରୁଙ୍କୁ ନେଇ ଗୋ ଶ୍ରଦ୍ଧା କେନ୍ଦ୍ରରେ ଛାଡ଼ି ଦେଇଥିଲେ । ସେମାନଙ୍କ ଭିତରେ ଥିଲେ ତରାସଙ୍କ ଅତିପ୍ରିୟ ଚିନୁ ଓ ତା ବାଛୁରୀ । ସେବେଠୁ ନିଜ ପ୍ରିୟ ଚିନୁକୁ ଫେରାଇ ଆଣିବାକୁ ଏଣେତେଣେ ଧାଉଁଥିଲେ ବି ତାକୁ ନେଇ ଏବେ ସେ ପାଗଳି ପ୍ରାୟ ।

ନିଜ ପ୍ରାଣ ପ୍ରିୟ ଗାଈକୁ ଫେରି ପାଇବାକୁ ଆଜିକୁ ପ୍ରାୟ ୩ ମାସ ଧରି ପୌର ପରିଷଦ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ ଅଫିସ ଓ ଗୋଶ୍ରଦ୍ଧା କେନ୍ଦ୍ରରେ ଚକ୍କର କାଟୁଛନ୍ତି ତରାସା ବାଘ । ହେଲେ ତାଙ୍କ ଦୁଃଖ କେହି ବୁଝୁନାହାନ୍ତି, କି ଚିନୁ ସହ ଥିବା ତାଙ୍କର ସ୍ନେହ, ସମ୍ପର୍କର ମୂଲ୍ୟ କେହି ଆକଳନ ମଧ୍ୟ କରିପାରୁ ନାହାନ୍ତି । ଏପଟେ ଗାଈ ପାଇଁ ଦୈନିକ ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ଆସୁଥିବା ତରାସା ଗତକାଲି ଜିଲ୍ଲାପାଳଙ୍କୁ ଦେଖି ନିଜ କୋହ ସମ୍ଭାଳି ନପାରିନଥିଲେ । ଗାଈ ନପାଇଲେ, ଜୀବନ ହାରିଦେବି ବୋଲି କହି ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ରହି ପ୍ରତିବାଦ ଜଣାଇଥିଲେ।