Andhra-Odisha Border Issue
କୋରାପୁଟ: ପୁଣି କୋଟିଆରେ ଆନ୍ଧ୍ରର ସରକାରୀ କାର୍ଯ୍ୟକ୍ରମ । ଏହି ପଞ୍ଚାୟତର ଉପର ସେମ୍ବି, ତଳ ସେମ୍ବି, ତଳ ଗଂଜେଇ ପଦର ଓ କୋଟିଆରେ ଆନ୍ଧ୍ରର ଅଧିକାରୀମାନେ ପହଞ୍ଚି ପୌଷ୍ଟିକ ଆହାର ମହୋତ୍ସବ ପାଳନ କରିଛନ୍ତି । ସାଲୁର ମଣ୍ଡଳମର ମାରିପାଲ୍ଲୀ ସେର ଆନୁକୁଲ୍ୟରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କୁ ଶ୍ରୀମନ୍ତମ କରାଇବା ସହିତ ମାଆ ମାନଙ୍କୁ ଶିଶୁର ଆହାର ସଂପର୍କରେ ସଚେତନ କରାଇଛନ୍ତି ।
ଆନ୍ଧ୍ରର ଅଙ୍ଗନଓ୍ୱାଡ଼ି କର୍ମୀମାନେ କୋଟିଆରେ ଓଡ଼ିଶା ନିର୍ମାଣ କରିଥିବା ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଶୋଭାଯାତ୍ରା କରିଥିଲେ। ଏହା ଆଗରୁ ଗତ ବୁଧବାର ଦିନ କୋଟିଆ ପଞ୍ଚାୟତର ବିିଭିନ୍ନ ଗାଁରେ ଆନ୍ଧ୍ର ବିଦ୍ୟାଳୟ ଅଭିଭାବକ ସଂଘର କର୍ମକର୍ତ୍ତା ମଧ୍ୟ ନିର୍ବାଚନ କରାଯାଇଥିଲା। ଓଡ଼ିଶାର ବାରମ୍ବାର ବାରଣ ସତ୍ତ୍ୱେ ଆନ୍ଧ୍ର ଅଧିକାରୀମାନେ କୋଟିଆରେ ଅନଧିକାର ପ୍ରବେଶ କରି ନାନା ସରକାରୀ କାର୍ଯ୍ୟକ୍ରମ କରୁଛନ୍ତି।
ଖାଲି କୋରାପୁଟ ନୁହେଁ ଓଡ଼ିଶାର ସବୁ ସୀମାନ୍ତବର୍ତ୍ତୀ ଗାଁରେ ନିଜ ପତିଆରା ଦେଖାଉଛି ଆନ୍ଧ୍ର।
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ସରକାର ଯାହାକୁ ସିଲ୍ କରାଯାଇଥିଲା। ଏହାର କିଛି ଦିନ ପରେ ଆନ୍ଧ୍ରର କିଛି ଅଧିକାରୀ ପୁଣିଥରେ ଏହି ଅଙ୍ଗନବାଡି କେନ୍ଦ୍ର ଖୋଲି ପିଲାଙ୍କୁ ପାଠ ପଢ଼ାଇବା ସହ ଅଣ୍ଡା ବାଣ୍ଟିଥିଲେ ଏବଂ ଆନ୍ଧ୍ରର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ।
Also Read
ସେତିକି ନୁହେଁ, ଅଙ୍ଗନବାଡି କେନ୍ଦ୍ର ବନ୍ଦ କରାଯିବା ପରେ ଓଡ଼ିଶା ପ୍ରଶାସନକୁ ଖୋଲାଖୋଲି ଧମକ ଦେଇଥିଲା ଆନ୍ଧ୍ର। ଓଡ଼ିଶା ସରକାର ବନ୍ଦ କରିଥିବା ଅଙ୍ଗନଓ୍ବାଡି ସେଣ୍ଟରକୁ ପୁଣି ଥରେ ଖୋଲିବା ସହ ଆନ୍ଧ୍ର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଏସ୍. ଆପୋଲୋ ରାଜୁ ଧମକ ଦେଇ ସେଣ୍ଟରକୁ ପୁଣି ଥରେ ବନ୍ଦ କରିବାକୁ ଚେଷ୍ଟା କଲେ ଓଡିଶା ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିବା ସେଣ୍ଟରକୁ ଉଡାଇଦେବି ବୋଲି କହିଥିଲେ ।
ଓଡ଼ିଶା ଆନ୍ଧ୍ର ସୀମାନ୍ତ ସମସ୍ୟା ଦିନକୁ ଦିନ ବଢୁଥିବାବେଳେ ଏହାର ସମାଧାନ ପାଇଁ ହସ୍ତକ୍ଷେପ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ୪ଟି ପ୍ରସ୍ତାବ ରଖିଛନ୍ତି ଧର୍ମେନ୍ଦ୍ର । ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। ଏଥିସହ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ବିବାଦୀୟ ଗାଁରୁ ସଶସ୍ତ୍ର ସୁରକ୍ଷା ବଳ ପ୍ରତ୍ୟାହାର ସହ ଜନ ପ୍ରତିନିଧି ଓ ଅଧିକାରୀଙ୍କ ବିରୋଧରେ ଥିବା ମାମଲା ଉଠାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି। ନୂତନ ଢାଞ୍ଚାଗତ ନିର୍ମାଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି। ଏଥିସହ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବ୍ୟକ୍ତିଗତ ସ୍ତରରେ ସମର୍ଥନ ଦେବାକୁ ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
