/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637126046.jpg)
alashi flower
କୋରାପୁଟ( ସୂର୍ଯ୍ୟ ନାରାୟଣ) : ଶୀତ ସକାଳରେ ମତୁଆଲା କରୁଛି ଅଳସୀ ଫୁଲ । କ୍ଷେତରେ ଅଳସ ଭାଙ୍ଗୁଛି ଆଉ ମୁରୁକି ମୁରୁକି ହସୁଛି । ଶୀତର ଆଗମନରେ କୋରାପୁଟର ଚିତ୍ର ସମ୍ପୂର୍ଣ୍ଣ ବଳଦି ଯାଇଛି । ବଦଳି ଯାଇଛି ପ୍ରକୃତି । ଅଳସୀ ଫୁଲ ଓ ସୋରିଷ ଫୁଲ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ସୁନାର ଚାଦରରେ ଘୋଡ଼ି ହୋଇ ହସୁଛି ପ୍ରକୃତି ରାଣୀ ।
ଅଳସୀ ଫୁଲର କ୍ଷେତ । ଉପରେ ନିର୍ମଳ ଆକାଶ । ଧୀର ପବନରେ ଦୋହଲି ଦୋହଲି ତରଙ୍ଗାୟିତ କରେ ସମଗ୍ର ପରିବେଶକୁ । ସୂର୍ଯ୍ୟଙ୍କ କିରଣରେ ଆକାଶ ସୁନେଲୀ ଦେଖାଯାଉଥିବା ବେଳେ କୋରାପୁଟ ମାଟିରେ ଫୁଟିଥିବା ଅଳସୀ ଫୁଲର କ୍ଷେତ ପ୍ରକୃତିକୁ ସୁନାର ଚାଦରରେ ଘୋଡ଼େଇ ଦେଇଥିବା ପରି ଭ୍ରମ ସୃଷ୍ଟି କରୁଛି । ଏଣେ ମଧୂ ଶୋଷିବାକୁ ଏ ଫୁଲରୁ ସେ ଫୁଲକୁ ଉଡ଼ି ବୁଲୁଛି ମହୁମାଛି ।
କୋରାପୁଟରେ ଅଳସୀ କ୍ଷେତ ଏବେ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି । ସକାଳର କୁହୁଡି ସାଙ୍ଗକୁ ସବୁଜିମାରେ ଭରା ପାହାଡ଼ ଆଉ ଏହା ସହ ଅଳସୀ ଫୁଲରେ ସୁର୍ଯ୍ୟଙ୍କ ପହିଲି କିରଣ ପର୍ଯ୍ୟଟକଙ୍କୁ ମତୁଆଲା କରୁଛି । ପର୍ଯ୍ୟଟକ ହେଉ କିମ୍ବା ପଥଚାରୀ ଏହି ଅଳସୀ ଫୁଲର ଅପୂର୍ବ ସମ୍ଭାର ଦୃଶ୍ୟକୁ ଦେଖି ଟିକିଏ ଅଟକିଯାଉଥିବା ବେଳେ କବିଙ୍କ ଲେଖନୀକୁ ଶବ୍ଦ ଯୋଗାଉଛି ନୂତନ ସୃଷ୍ଟି ପାଇଁ ।
ଶୀତୁଆ ସକାଲରେ କୁହୁଡ଼ିର ପତଳା ଚାଦରରେ ଘୋଡ଼େଇ ହୋଇ ରହିଛି କୋରାପୁଟ । ଆଉ ଏହାରି ଭିତରେ ଆଖି ଯେଉଁ ଆଡେ ବୁଲାଇଲେ ଦେଖିବାକୁ ମିଳୁଛି ସବୁଜିମାରେ ପରିପୂର୍ଣ୍ଣ ପାହାଡ଼ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର । ଅଳସୀ ଫୁଲ ଉପରେ ପଡ଼ୁଥିବା ସୂର୍ଯ୍ୟଙ୍କ ପହିଲି କିରଣ ପୂରା ପରିବେଶକୁ ମତୁଆଲା କରୁଛି। ଆଉ ଏହି ଅଳସୀ ଫୁଲର ସୌନ୍ଦର୍ଯ୍ୟରେ ବିଭୋର ହେବା ପାଇଁ ଜିଲ୍ଲାରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼। ସମସ୍ତେ ଅଟକି ଯାଉଛନ୍ତି ଅଳସୀ ସହିତ ଫଟୋ ଉଠାଇବା ପାଇଁ ।
କୋରାପୁଟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ବର୍ଷସାରା ଏଠାକୁ ପର୍ଯ୍ୟଟକକୁ ଆକୃଷ୍ଟ ଓ ଆକର୍ଷିତ କରିଥାଏ । କିନ୍ତୁ ଶୀତ ଦିନ କୋରାପୁଟ ହୋଇଥାଏ ଅଧିକ ସୌନ୍ଦର୍ଯ୍ୟମୟ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ କିଛି ଲେଖିବାକୁ କବି ଓ ଲେଖକଙ୍କୁ ପ୍ରେରଣା ଦେଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)