• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଠକ କମ୍ପାନୀର ଲୋଭନୀୟ ସ୍କିମର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇବାକୁ ବିତିଗଲାଣି ୧୦ ବର୍ଷ । ଆଶା ଥିଲା ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ଜମାଟଙ୍କା ଫେରାଇବେ ସରକାର । ହେଲେ ସେ ଆଶାକୁ ଏବେ ଉପହାସ କରୁଛି ଚିଟଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟରେ ଛତୁଫୁଟା ଅବସ୍ଥାରେ ପଡ଼ିରହିଛି ସତ୍ୟପାଠ ।

କଟକ ବକ୍ସିବଜାର ପୁଲିସ ଲାଇନ୍ ସ୍ଥିତ ବିଚାର ବିଭାଗୀୟ ଚିଟଫଣ୍ଡ୍ କମିଶନଙ୍କ କାର୍ଯ୍ୟାଳୟରେ ୨୦୨୦ ପରଠୁ ଏକ ବନ୍ଦ ଘର ଭିତରେ ଛତୁଫୁଟା ଅବସ୍ଥାରେ ପଡ଼ିରହିଛି କ୍ଷତିଗ୍ରସ୍ତ ଜମାକାରୀଙ୍କ ଆଶା ବିଜଡ଼ିତ ଜମା ପ୍ରମାଣପତ୍ର ସମ୍ପର୍କୀତ ସତ୍ୟପାଠ । ହେଲେ ଲକ୍ଷ ଲକ୍ଷ ଜମାକାରୀଙ୍କ ଆପତ୍ତି ଅଭିଯୋଗ ଥିବା ଏସବୁ ସତ୍ୟପାଠ ଦସ୍ତାବିଜର କେଉଁ ଅବସ୍ଥାରେ ଅଛି, ତାକୁ ଦେଖିବାକୁ କେହି ନାହିଁ କି ତଦାରଖର ଆବଶ୍ୟକତା ବି ପଡ଼ିନି । ବରଂ ଏସବୁ ଦସ୍ତାବିଜକୁ ଏମିତି ଉଇଚରା ଆଉ ଛତୁଫୁଟା ଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ଛାଡ଼ି ଦିଆଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ଷତିଗ୍ରସ୍ତ ଜମାକାରୀ ଓ ସେମାନଙ୍କ ମିଳିତ ମଞ୍ଚ ।

ଅଭିଯୋଗ ହୁଏ, ଯେ ରାଜ୍ୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକ ଚିଟ୍‌ଫଣ୍ଡ୍ କମ୍ପାନୀରେ ଟଙ୍କା ବିନିଯୋଗ କରି ଫସିଛନ୍ତି । ଏତେ ଲୋକଙ୍କ ସ୍ୱାର୍ଥ ଜଡ଼ିତ ଥିବାରୁ ରାଜ୍ୟ ସରକାର ୨୦୧୩ରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମେ ଜଷ୍ଟିସ ଆର.କେ. ପାତ୍ରଙ୍କ ଅଧ୍ୟକ୍ଷତାରେ ଚାଲିଥିବା ତଦନ୍ତ ବେଳେ ୮ ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦେଇଥିଲେ ।

ପରବର୍ତ୍ତୀ ଅବସ୍ଥାରେ ତାଙ୍କର ବିୟୋଗ ହେବାରୁ ୨୦୧୫ରେ ଜଷ୍ଟିସ୍ ଏମ୍.ଏମ୍.ଦାସ କମିଶନ ତଦନ୍ତ ଭାର ନେବା ସହ ସତ୍ୟପାଠ ଦାଖଲ କରିନଥିବା ଅନ୍ୟ ଜମାକାରୀଙ୍କୁ ସତ୍ୟପାଠ ଦାଖଲ ପାଇଁ ଆହ୍ୱାନ କରିଥିଲେ। ପରେ ପ୍ରାୟ ଆଉ ୭ ଲକ୍ଷ ଆଫିଡେଭିଟ୍ କମିଶନଙ୍କ କାର୍ଯ୍ୟାଳୟକୁ ଆସିଥିଲା । କୁହାଯାଉଛି, ପ୍ରଥମ ପର୍ଯ୍ୟାୟରେ ଆସିଥିବା ସତ୍ୟପାଠର ଡିଜିଟାଇଜେସନ୍ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସତ୍ୟପାଠ ଆସିବା ଭିତରେ କମିଶନଙ୍କ କାର୍ଯ୍ୟକାଳ ହଠାତ ବନ୍ଦ ହୋଇ ଯିିବାରୁ ଏମିତି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଛି ଲକ୍ଷ ଲକ୍ଷ ସତ୍ୟାପାଠ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।

ଚିଟଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ୨୦୨୦ ଫେବ୍ରୁଆରୀ ୫ ତାରିଖରୁ ଆଉ ବୃଦ୍ଧି ହୋଇନି । ଏପଟେ କମିଶନ୍ କରିଥିବା ସୁପାରିସ ବି କାର୍ଯ୍ୟକାରୀ ହୋଇନଥିବା ବେଳେ ଅନ୍ଧାରରେ ଥିବା ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କ ଭବିଷ୍ୟତ କୁଆଡ଼େ, ତାହା ଏବେ ବଡ଼ ପ୍ରଶ୍ନ ।