Advertisment

ସଂସଦରେ ସ୍ୱାମୀ ଟେବୁଲ ବାଡେଇ ଚର୍ଚ୍ଚାରେ, ଏବେ ସ୍ତ୍ରୀ ଟ୍ୱିଟ୍‌ କରି ଚର୍ଚ୍ଚାରେ

ସ୍ୱାମୀଙ୍କ ପ୍ରଭାବ ହ୍ରାସ ପାଉଛି। ସ୍ତ୍ରୀଙ୍କ ପ୍ରଭାବ ବଢୁଛି। ବିଜେଡିରେ ସାଂସଦ ଅନୁଭବ ମହାନ୍ତିଙ୍କ ପତିଆରା କମୁଥିବା ବେଳେ, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରଭାବ ବଢୁଛି। କିଛି କିଛି ପଦକ୍ଷେପରୁ ଜଣାପଡୁଛି, ବର୍ଷାଙ୍କର ବୋଧହୁଏ ଭୁବନେଶ୍ୱର ଉପରେ ଆଖି ଅଛି !

author-image
Otv Khabar Bureau
ଅଦ୍ୟତନ ହୋଇଛି
Actress Varsha Pridarshini’s Tweet

Actress Varsha Pridarshini’s Tweet

ଚର୍ଚ୍ଚାରେ ବର୍ଷାଙ୍କ ଟଏଲେଟ୍ ଟ୍ୱିଟ୍ । ଭୁବନେଶ୍ୱର ଉପରେ ରହିଛି କି ବର୍ଷାଙ୍କ ଆଖି? ଆସିବିନି ଆସିବିନି କହି ରାଜନୀତିଠାରୁ ଦୂରେଇ ରହୁଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଧୀରେ ଧୀରେ ରାଜନୀତିରେ ଗୋଡ଼ ପୂରେଇବା ଆରମ୍ଭ କରିଛନ୍ତି। ସରକାରୀ ଦଳ ବିଜେଡିରେ ସ୍ୱାମୀ ଅନୁଭବ ମହାନ୍ତିଙ୍କ ପ୍ରଭାବ ହ୍ରାସ ପାଇବା ପରେ, ବର୍ଷା ବିଜେଡି ଛତା ତଳକୁ ଆସିବା ଆରମ୍ଭ କରିଛନ୍ତି।

Advertisment

ନବୀନ ପଟ୍ଟନାୟକ ମୋ ଆଦର୍ଶ ବୋଲି ନିର୍ବାଚନ ବେଳେ ବିଜେଡି ପାଇଁ ପ୍ରଚାର କରିଥିବା ବର୍ଷା ପ୍ରିୟଦର୍ଶିନୀ ଏବେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ଚର୍ଚ୍ଚାକୁ ଆସିଛନ୍ତି। ବିବାଦୀୟ ହୋଇପଡ଼ିଥିବା ଶ୍ରୀମନ୍ଦିର ଐତିହ୍ୟ କରିଡର କାମ ସଂପର୍କରେ ଟୁଇଟ୍ କରି ବର୍ଷା ପ୍ରିୟଦର୍ଶିନୀ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି। ଟ୍ୱିଟ୍ କରି ସାଂସଦଙ୍କୁ ବିରୋଧ କରିବା ସହ, ନିଜ ସମସ୍ୟାକୁ କୋଟି କୋଟି ଭକ୍ତଙ୍କ ସହ ଯୋଡ଼ିଛନ୍ତି, ଆଉ ପଚାରିଛନ୍ତି, ଐତିହ୍ୟ କରିଡରରେ ଯଦି ଟଏଲେଟ୍ ହୁଏ ତେବେ ଅପରାଜିତାଙ୍କର ପ୍ରୋବ୍ଲେମ୍ କଣ?

ଟୁଇଟରେ ବର୍ଷା ଲେଖିଛନ୍ତି- ‘ମୁଁ ଜଣେ ଓଡ଼ିଆ ଝିଅ । ଯେତେବେଳେ ମୁଁ ପୁରୀ ଶ୍ରୀମନ୍ଦିର ଯାଏ, ନିକଟରେ ମହିଳାଙ୍କ ପାଇଁ କୌଣସି ଟଏଲେଟ ପାଏନାହିଁ । ଏହି ସମାନ ଅଭିଯୋଗ ମୁଁ ମହିଳା ଭକ୍ତଙ୍କଠାରୁ ମଧ୍ୟ ଶୁଣିଛି । ଯଦି ସରକାର ଭକ୍ତଙ୍କ ପାଇଁ ପୁରୀରେ ସୁବିଧା ସୁଯୋଗ କରୁଛନ୍ତି, ଏଥିରେ ଆପଣଙ୍କର ଅସୁବିଧା କ’ଣ’?

Advertisment

ବର୍ଷା ଆହୁରି ଲେଖିଛନ୍ତି ଯେ, ଦୟାକରି ଏଥିରେ ରାଜନୀତି କରନ୍ତୁ ନାହିଁ । ଗୋଟିଏ ପଟେ ବଦ୍ରିନାଥ ଓ କାଶୀ ବିଶ୍ୱନାଥର ବିକାଶ ହୋଇଛି । କିନ୍ତୁ ଆପଣ ପୁରୀ ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତିକରଣର ବିରୋଧ କରୁଛନ୍ତି । ଅପରାଜିତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ବର୍ଷା ଲେଖିଛନ୍ତି- ଯେତେବେଳେ ଆପଣ ରାଜନୀତିକୁ ଆସିଲେ ଆମେ ଭାବିଥିଲୁ ଆପଣ ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରିବେ.. କିନ୍ତୁ ଏବେ ଆମେ ଆପଣଙ୍କୁ ନେଇ ଗଭୀର ଭାବେ ନିରାଶ ହୋଇଛୁ.. ମୁଁ ଆଶା କରୁଛି, ଆପଣ ଭକ୍ତଙ୍କ ସମସ୍ୟାକୁ ବୁଝି ପାରୁଥିବେ।

ବିଶେଷ କରି ଯେଉଁ ମହିଳାମାନେ ପୁରୀ ଓ ଲିଙ୍ଗରାଜ ମନ୍ଦିର ଯାଉଛନ୍ତି.. ସେଠାରେ ଭକ୍ତଙ୍କ ଲାଗି ହେଉଥିବା ସୁବିଧାକୁ ବିରୋଧ ନ କରିବାକୁ ଲେଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତେବେ ବର୍ଷାଙ୍କର ଏହି ଟୁଇଟ୍ ସଂପର୍କରେ ଅପରାଜିତା କୌଣସି ପ୍ରତିକ୍ରିୟା ଦେବାକୁ ଉଚିତ ମଣିନାହାଁନ୍ତି। ଏବେ ରାଜନୈତିକ ପଣ୍ଡିତଙ୍କ ଭିତରେ ପ୍ରଶ୍ନ- ରୂପେଲି ପରଦାର ଅଭିନେତ୍ରୀ ହଠାତ୍ ଏ ପାଇଖାନା ବିବାଦ ଭିତରେ ପଶିଲେ କାହିଁକି? ଏଥିପାଇଁ ତାଙ୍କୁ କିଏ ତାଙ୍କୁ ପ୍ରେରିତ କରିଛି ନା ଏହାକୁ ମାଧ୍ୟମ କରି ସେ ବିଜେଡିରେ ନିଜର ଜାଗା ସୁରକ୍ଷିତ କରିବାକୁ ଚାହୁଁଛନ୍ତି?

ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ବିବାଦ ଉଠିଥିବା ବେଳେ, ବର୍ଷା କେବଳ ଟଏଲେଟ୍ ପ୍ରସଙ୍ଗ କାହିଁକି ଉଠେଇଛନ୍ତି? ଏହାର ଅର୍ଥ ଏହା କି, ଲୋକସଭାରେ ପୁରୀ ସାଂସଦ ପିନାକୀ ମିଶ୍ର ଐତିହ୍ୟ କରିଡର ସଂପର୍କରେ ଦେଇଥିବା ଅସଂପୂର୍ଣ୍ଣ ଓ ଦ୍ୱନ୍ଦ୍ୱାତ୍ମକ ମନ୍ତବ୍ୟକୁ ସେ ମଧ୍ୟ ସମର୍ଥନ ଦେଉଛନ୍ତି? ASIର ଅନୁମତି ନଥିଲେ ମଧ୍ୟ ଶହେ ମିଟର ଭିତରେ ବେଆଇନ ନିର୍ମାଣକୁ ସେ ସମର୍ଥନ ଦେଉଛନ୍ତି କି ? ବିଜେଡି ଆଗାମୀ ଦିନରେ ବର୍ଷାଙ୍କୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ସଜ କରୁଛି କି?

Srimandir Heritage Corridor Actress Varsha Pridarshini’s Tweet
Advertisment
Advertisment