• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କମ ଖର୍ଚ୍ଚରେ ମନୋରଞ୍ଜନ ସାଙ୍ଗକୁ ସୁମଧୁର ସଙ୍ଗୀତ । ବିଲୁପ୍ତ ହୋଇଯାଇଥିବା ବାଦ୍ୟ ଯନ୍ତ୍ରକୁ ଲୋକଲୋଚନକୁ ଆଣିବା ପାଇଁ ନବମ ଶ୍ରେଣୀ ଛାତ୍ରଙ୍କ ନିଆର ପ୍ରୟାସ l ନିଜ ଅଜାଙ୍କ ଠାରୁ ପ୍ରେରଣା ପାଇ ଠକରା ବାଦ୍ୟକୁ ନିର୍ମାଣ କରି ଚର୍ଚ୍ଚାରେ ନୟାଗଡ଼ ଶରଣକୁଳର ସଂଗ୍ରାମ କେଶରୀ l ସ୍କୁଲ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଏହି ବାଦ୍ୟ ଯନ୍ତ୍ରଙ୍କୁ ବଜାଇ ବର୍ତ୍ତମାନ ଲୋକଙ୍କ ମନୋରଞ୍ଜନ କରୁଛନ୍ତି ସଂଗ୍ରାମ l

ନୟାଗଡ଼ ଶରଣକୁଳ ଗୋଡିପଲ୍ଲୀ ଗାଁର କୁନି ଛାତ୍ର ପ୍ରତିଭା ସଂଗ୍ରାମ କେଶରୀ ସ୍ୱାଇଁ । ବାପା ଗଦାଧର ସ୍ୱାଇଁ, ଗୋଡିପଲ୍ଲୀ ଗୋପୀନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ନବମ ଶ୍ରେଣୀରେ ପାଠ ପଢୁଥିବା ସଂଗ୍ରାମଙ୍କ ନିଶା ବିଲୁପ୍ତ ହୋଇଯାଇଥିବା ଠକରା ବାଦ୍ୟକଳାକୁ ପୁଣି ଲୋକଲୋଚନକୁ ଆଣିବା l ଏଥିପାଇଁ ଦୁଇ ବର୍ଷ ହେଲା ସଂଗ୍ରାମ ଜାରି ରଖିଛନ୍ତି l ୨ ଇଂଚ ମୋଟା ଏବଂ ଏକ ଫୁଟ ଲମ୍ବର ଦୁଇଟି ଶିଶୁ କାଠ, ୩୫ଟି ଘାଗୁଡି ଝୁମୁକା, ୪ ଟି ଛନ୍ଦ କାଠି, ୧୨ ଫୁଟ ଲମ୍ବର ପ୍ଲାଷ୍ଟିକ ଡୋର ଓ ୩ ଫୁଟ ଲମ୍ବର ଶାଗୁଆନ କାଠ ବାଡ଼ିକୁ ସଜାଡି ନିର୍ମାଣ କରିଛନ୍ତି ବାଦ୍ୟ କଳା ଠକରା l

ପୂର୍ବ ପୁରୁଷ ମାନେ ଏହି ବାଦ୍ୟ ଯନ୍ତ୍ର ସାହାଯ୍ୟରେ ଦଣ୍ଡ ନୃତ୍ୟ, ରାମଲୀଳା କୃଷ୍ଣନିଳା ଭଳି ପୌରାଣିକ ନାଟକ ପରିବେଷଣ କରୁଥିଲେ । କାଳକ୍ରମେ ଏହି ବାଦ୍ୟ ଯନ୍ତ୍ର ଠକରା ସ୍ଥାନୀୟ ଅଞ୍ଚଳରୁ ଲୋପ ପାଇଯାଇଥିଲା l ହେଲେ ନିଜ ଅଜାଙ୍କ ଠାରୁ ବିଲୁପ୍ତ ଠକରା ବାଦ୍ୟ ଯନ୍ତ୍ର ସମ୍ପର୍କରେ ଜାଣିବା ପରେ ଏହାକୁ ନିର୍ମାଣ କରିବା ପାଇଁ ସେ ମନସ୍ଥ କରିଥିଲେ । ସଂଗ୍ରାମ ଭଲ ପାଠ ପଢା ସହ ସ୍ଥାନୀୟ ଅଞ୍ଚଳର ବିଲୁପ୍ତ ବାଦ୍ୟ ଯନ୍ତ୍ର ଠକରାକୁ ଲୋକ ଲୋଚନକୁ ଆଣିଥିବାରୁ ଅଧିକ ଖୁସି ଅଛନ୍ତି ସାଙ୍ଗ ସାଥି ଶିକ୍ଷକ ଓ ସଂଗ୍ରାମଙ୍କ ବାପା ମାଆ l

ପିଲାଟି ବେଳୁ ପୁରୁଣା ବାଦ୍ୟ ଯନ୍ତ୍ର ପ୍ରତି ଆକୃଷ୍ଟ ଥିବା ସଂଗ୍ରାମଙ୍କୁ ଏଥିପାଇଁ ଅଜାଙ୍କ ଠାରୁ ଅଧିକ ପ୍ରେରଣା ମିଳିଥିଲା । ଠକରା ବାଦ୍ୟ ଯନ୍ତ୍ରଙ୍କୁ ତିଆରି କରିବା ପାଇଁ ୭ ବର୍ଷ ବୟସରୁ ଅଜାଙ୍କ ଠାରୁ ଶିକ୍ଷା ନେଇଥିଲେ । ସଂଗ୍ରାମ ଅତି ସହଜରେ ଏହି ବାଦ୍ୟଯନ୍ତ୍ର ମାଧ୍ୟମରେ ପାଟି ଛାତିକୁ ହାତରେ ବାଡାଇ ବିଭିନ୍ନ ପ୍ରକାର ମ୍ୟୁଜିକ୍ ତିଆରି କରିପାରୁଛନ୍ତି । ଲକଡାଉନ ସମୟରେ ଏହି ଠକରା ବାଦ୍ୟ ଯନ୍ତ୍ରଟି ନିର୍ମାଣ କରିଥିବା କୁହନ୍ତି କୁନି ପ୍ରତିଭା ସଂଗ୍ରାମ।

ଏବେ ସଂଗ୍ରାମଙ୍କ ଦ୍ଵାରା ନିର୍ମିତ ଏହି ବିଲୁପ୍ତ ବାଦ୍ୟ କଳା ଯନ୍ତ୍ର ଠକରା ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟର ସଂଗ୍ରାମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ବାସିନ୍ଦା ବିଲୁପ୍ତ ଠକରା ବାଦ୍ୟ କଳାକୁ ସରକାରୀ ମାନ୍ୟତା ଦେବା ସହ ଏହାକୁ ଉଜ୍ଜିବୀତ ରଖିବା ପାଇଁ ଦାବି କରିଛନ୍ତି ।

ନୟାଗଡ଼ରୁ ଆର୍ତ୍ତତ୍ରାଣ ପ୍ରଧାନଙ୍କ ରିପୋର୍ଟ