• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭଗବାନ, ଆଲ୍ଲା, ଯୀଶୁ ନାଁ ଅଲଗା କିନ୍ତୁ ସମସ୍ତେ ସମାନ । ସିଏ ମହାଦେବ ହୁଅନ୍ତୁ ଅବା ମହମ୍ମଦ, ସମସ୍ତେ ଗୋଟିଏ । ସେ ମହାଦେବଙ୍କ ମନ୍ଦିର ଯାଆନ୍ତି, ଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହୁଅନ୍ତି, ଆଉ ଆଲ୍ଲାଙ୍କ ପୂଜା ବି କରନ୍ତି । ସେ ହେଉଛନ୍ତି ସୁନ୍ଦରଗଡ଼ରେ ଥିବା ମସ୍ତାନା ବାବା । ଜନ୍ମ ସିନା ମୁସଲିମ୍ ପରିବାରରେ ହୋଇଥିଲା ହେଲେ ତାଙ୍କ ମନ ଗୋଟିଏ ଧର୍ମରେ ବାନ୍ଧି ହୋଇ ରହିନି । ତାଙ୍କୁ ଅଟକାଇ ପାରିନି ଚିରାଚରିତ ଧର୍ମିୟ ମାନସିକତା । 

ସଂପ୍ରତି ଦେଶରେ ଧାର୍ମୀୟ ଭାବନାକୁ ନେଇ ଅସହିଷ୍ଣୁତାର ବାତାବରଣ ରହିଛି । ଏପରିକି ଏହାକୁ ନେଇ ଦଙ୍ଗା ,ହତ୍ୟା ଭଳି ଘଟଣା ନିତିଦିନିଆ କଥା ହୋଇଗଲାଣି । ଏପରି ପରିସ୍ଥିତିରେ ସୁନ୍ଦରଗଡ ଜିଲ୍ଲା କନିକାରୁ ଏମିତି ଏକ ଚିତ୍ର ସାମ୍ନା କୁ ଆସିଛି ଯାହା କଟ୍ଟରପନ୍ଥୀ ଏବଂ ଅସହିଷ୍ଣୁଙ୍କ ବିବେକକୁ ନିଶ୍ଚିତ ରୂପରେ ବାଧା ଦେବ । 

ରଥଟଣା ଚାଲିଛି ଏବଂ ଘଣ୍ଟ ଶଙ୍ଖ ଧ୍ୱନି ମଧ୍ୟରେ ହରିବୋଳ ହୁଳହୁଳିରେ ବାତାବରଣ ପ୍ରକମ୍ପିତ ହେଉଥାଏ । ହେଲେ ଏହି କୋଳାହୋଳ ମଧ୍ୟରେ ଧୀମାଧୀମା ସ୍ୱରରେ ଭାସିଆସୁଥାଏ ମହାଦେବଙ୍କ ହିନ୍ଦୀ ଭଜନ । ସେ ଭଜନ ପୁଣି ଜଣେ ମୁସଲିମ୍ ବାବାଙ୍କ କଣ୍ଠରୁ ଶୁଣିବାକୁ ମିଳିଛି । ଦୁଇ ହାତରେ ଧରିଥିବା ଚାରି ଖଣ୍ଡ କାଚରେ ବାଜା ବଜାଇ ଓ ତା’ରି ତାଳରେ ଭଜନ ଗାଇ କାଳିଆ ପାଖରେ ସେ ତାଙ୍କ ଗୁହାରି ଜଣାଉଥିଲେ । ବାବା ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ବାଲାଘାଟର ମହମ୍ମଦ ଦାଉଦ୍ ଓରଫ୍ ମସ୍ତାନା ବାବା ।

 

ହେଲେ କନିକାରେ ପୀର ବାବାଙ୍କ ମସଜିଦ ଥିବାରୁ ତାଙ୍କ ଭକ୍ତିରେ ଚାଲିଆସନ୍ତି ମସ୍ତାନା ବାବା ଏଠାକୁ । ମସ୍ତାନା ବାବାଙ୍କ ଏହା ଏକ ନୂଆ ରୂପ ଦେଖିବାକୁ ମିଳିଛି । ଚଳିତ ଥର କନିକା ରଥଯାତ୍ରାରେ ମସ୍ତାନା ବାବା ରଥ ଆଗରେ ଭଜନ ଗାଉଥିବାର ଦେଖିବାକୁ ମିଳିଛି । ମସ୍ତାନା ବାବାଙ୍କ କହିବା ଅନୁଯାୟୀ ହିନ୍ଦୁ ,ମୁସଲିମ୍ , ଶିଖ୍ , ଇସାଇ ସବୁ ଧର୍ମ ସମାନ । ଆଉ ସବକା ମାଲିକ ମଧ୍ୟ ଗୋଟିଏ । ସେ ଅମରନାଥ, ପଶୁପତିନାଥ ଠାରୁ ଆରମ୍ଭ କରି ବିଭିନ୍ନ ହିନ୍ଦୁ ମନ୍ଦିର ତୀର୍ଥ କରି ଆସିଛନ୍ତି । ସେ ଆଲ୍ଲାଙ୍କୁ ବି ମାନନ୍ତି ଏବଂ ଭଗବାନଙ୍କୁ ବି ମାନନ୍ତି ବୋଲି କହିଛନ୍ତି । ଧର୍ମକୁ ନେଇ ଦେଶକୁ ଅଶାନ୍ତ ନକରି ଭାଇଚାରାରେ ସେ ବିଶ୍ୱାସ କରନ୍ତି ବୋଲି କହିଛନ୍ତି ।

 

ଆଜିର ଯୁଗରେ ମସ୍ତାନା ବାବା ଦେଶକୁ ଯେଉଁ ବାର୍ତ୍ତା ଦେଉଛନ୍ତି, ତାହା ସ୍ୱାଗତ ଯୋଗ୍ୟ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।