Advertisment

ସାତ ପ୍ରାଣୀ କୁଟୁମ୍ବକୁ ନେଇ ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ଗରିବ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ହେଲେ ରାୟଗଡା ପୌର ପରିଷଦ ଅଞ୍ଚଳରେ ଏହି ଯୋଜନା ଏବେ ପ୍ରହସନ ପାଲଟିଛି। ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ପକ୍କା ଘରଟିଏ ହୋଇଛି ସାତସପନ। ବର୍ଷବର୍ଷ ଧରି ବାସହୀନ ଗରିବ ଲୋକ ଘର ଖଣ୍ଡିଏ ପାଇବା ପାଇଁ ବାରମ୍ବାର ପୌର କାର୍ଯ୍ୟାଳୟକୁ ଦୌଡୁଥିଲେ ବି କିଛି ଫଳ ମିଳୁନି।

ସାତ ପ୍ରାଣୀ କୁଟୁମ୍ବକୁ ନେଇ ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

Awas Yojna Scam

Advertisment

ରାୟଗଡ଼ା: ରାୟଗଡ଼ା ସହରର ରାମକୃଷ୍ଣନଗର ଝୋଡ଼ିଆ ସାହିରେ ବାସ କରୁଥିବା ଗରିବ ଲୋକଙ୍କ ପାଇଁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ସାତ ସପନ ହୋଇଛି। ବସ୍ତିରେ ୫୦ରୁ ଅଧିକ ଦିନ ମଜୁରିଆ ପିଲା ଛୁଆଙ୍କୁ ଧରି କୁଡ଼ିଆରେ ରହୁଥିଲେ ବି ଏଯାଏ କାହାକୁ ଘର ଖଣ୍ଡିଏ ମିଳିନାହିଁ। ବର୍ଷକୁ ବର୍ଷ ପୌର କାର୍ଯ୍ୟାଳୟକୁ ଯାଇ ଆବେଦନ କରୁଥିଲେ ବି ଆଜି ଯାଏ କାହା ଭାଗ୍ୟରେ ଘର ଖଣ୍ଡିଏ ଜୁଟିଲା ନାହିଁ। ଠିକ୍ ସେମିତି, ହରିଜନ ସାହିର ଅନନ୍ତ ଶଗଡ଼ିଆ। ଆବଶ୍ୟକୀୟ କାଗଜପତ୍ର ଦେଇ ଆବେଦନ କରିଥିଲେ ବି ଘର ମିଳିନାହିଁ। ଘର ନଥିବାରୁ ଭଙ୍ଗା କୁଡ଼ିଆରେ ଖରା ବର୍ଷାରେ ନିଜର ଭିନ୍ନକ୍ଷମ ପୁଅ ସହ ସାତ ପ୍ରାଣୀ କୁଟୁମ୍ବକୁ ନେଇ ରହୁଛନ୍ତି ଅନନ୍ତ।

Advertisment

ହରିଜନ ସାହର ଆଉ ଜଣେ ମହିଳା କୁମାରୀ କଣ୍ଡାଗିରୀଙ୍କ ଅବସ୍ଥା ଆହୁରି ଶୋଚନୀୟ। ତିନି ବର୍ଷ ତଳେ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିଲା। ତା ପରେ ପ୍ରଶାସନିକ ଅଧିକାରୀ ଆସି ଦେଖି ଯାଇଥିଲେ ବି ଏ ଯାଏ ତାଙ୍କୁ ଘର ମିଳିଲା ନାହିଁ। 

ପୌରସଂସ୍ଥାର ରେକର୍ଡ ଅନୁଯାୟୀ, ରାୟଗଡା ସହରରେ ୨୬ଟି ବସ୍ତି ରହିଛି ଏସବୁ ବସ୍ତିରେ ୫ ହଜାରରୁ ଅଧିକ ଲୋକ ରହୁଛନ୍ତି। ତେବେ ଅଧିକାଂଶ ରେଳବାଇ ଜାଗାରେ ରହୁଛନ୍ତି। ପଚାଶ ବର୍ଷରୁ ଅଧିକ ଦିନ ହେଲା ରହି ଆସୁଥିଲେ ବି ଏମାନଙ୍କ ପାଇଁ ବାସଗୃହ ବ୍ୟବସ୍ଥା କରାଯାଇ ନାହିଁ। କିଛି ଦିନ ପୂର୍ବେ ବସ୍ତି ବାସିନ୍ଦାଙ୍କ ପାଇଁ ଜାଗା ଚିହ୍ନଟ ହୋଇଥିଲେ ବି ଏଯାଏଁ ଏହାର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇନି।

Advertisment

ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ବସ୍ତି ବାସିନ୍ଦା ଘର ପାଇ ପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ସେପଟେ ଚଳିତ ବର୍ଷ ୧୦୩୧ ଜଣଙ୍କୁ ଆବାସ ଯୋଜନାରେ ଘରି ଦିଆଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ଘର ଯୋଗାଇ ଦିଆଯିବ ବୋଲି ପୌର ସଂସ୍ଥା ଅଧିକାରୀ କହିଛନ୍ତି। ରାଜନୈତିକ ଇଛାଶକ୍ତି ଅଭାବ ଯୋଗୁଁ ବସ୍ତିବାସିନ୍ଦା ଘର ପାଇବାରେ ବିଳମ୍ବ ହେଉଛି।

ରିପୋର୍ଟ: ମନୋଜ ପାତ୍ର

Odisha News Awas Yojana Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ