• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କିଛି କାହାଣୀ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଏ । କିଛି ସକରାତ୍ମକ ଚିନ୍ତାଧାରା ଆଗକୁ ବଢ଼ିବାକୁ ସାହସ ଯୋଗାଏ । ସରକାରୀ କିମ୍ବା ବେସରକାରୀ ଚାକିରୀ ପଛରେ ନପଡ଼ି, ଉଚ୍ଚ ଦରମାର ଆଶା ନରଖି ଅନେକ ଯୁବପିଢ଼ୀ ନିଜେ ସ୍ୱାବଲମ୍ବୀ ହେବାକୁ ଶ୍ରେୟ ମନେ କରନ୍ତି । ବହୁ ବାଧା ବିଘ୍ନ ସାମ୍ନା କରି ଦିନେ ସେମାନେ ସଫଳ ହୁଅନ୍ତି । ନିଜ ଉଦ୍ୟମରେ କିଛି ଭିନ୍ନ ଓ ନିଆରା କାର୍ଯ୍ୟ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତି । ଆଉ ସୃଷ୍ଚି କରନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଏମିତି କିଛି ଉତ୍ସାହି, ଉଦ୍ୟମୀ ଓ ସଫଳ ଯୁବ ଉଦ୍ୟୋଗୀଙ୍କ ବିଷୟରେ ଜାଣନ୍ତୁ..

କିଏ ଛତୁ ଚାଷକୁ ନିଜ କ୍ୟାରିଅର ଭାବେ ବାଛିଛି, ଆଉ କିଏ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଗୋପାଳନରୁ ଭଲ ଦି ପଇସା ରୋଜଗାର କରୁଛି ତ ଆଉ କିଏ ନାରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସମାଜସେବା ସାଙ୍ଗକୁ ବ୍ୟବସାୟରେ ପାଦ ଦେଇ ସଫଳ ହୋଇଛନ୍ତି । ତିନି ସଫଳ ଯୁବ ଉଦ୍ୟୋଗୀଙ୍କ ଗୋଟିଏ କାହାଣୀ ।ଭିନ୍ନ ଭିନ୍ନ ସ୍ଥାନର କିନ୍ତୁ ସଫଳତାର ଗୋଟିଏ ସୂତ୍ର ଦୃଢ଼ ଇଚ୍ଛା ଶକ୍ତି ଏବଂ ନିଜ ଉପରେ ଭରସା ।

ବାସୁଦେବପୁର ବ୍ଲକ ଆର୍ତ୍ତୁଙ୍ଗ ପଞ୍ଚାୟତ ଶଙ୍ଖାରୁ ଗ୍ରାମର ଅତନୁ ବେହେରା l ଆଇଟିଆଇ ପାସ ପରେ ଓଡିଶା ବାହାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିଛି ବର୍ଷ ବାହାରେ କାମ କରିବା ପରେ ଘରକୁ ଫେରି ଆସିଥିଲେ l ନିଜେ କିଛି କରିବା ଉଦ୍ୟମରେ ବାପାଙ୍କ ସହଯୋଗରେ ନିଜ ବାଡ଼ିରେ ଛତୁ ଚାଷ ଆରମ୍ଭ କରିଥିଲେ l ଏହି ଛତୁ ଚାଷରେ ନିଜେ ଅତନୁ ଶ୍ରମ ବିନିଯୋଗ କରିବା ସହ ଅନ୍ୟ ୫ କର୍ମଚାରୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇପାରିଛନ୍ତି l

ଆଉ ଜଣେ ହେଉଛନ୍ତି କଟକ ଜିଲ୍ଲା ନିଆଳୀ ବ୍ଲକ ସିଠାଳୋ ପଂଚାୟତ ଶାସନପଦା ଗ୍ରାମର ଶିକ୍ଷିତ ଯୁବକ ସୁନିଲ କୁମାର ନାୟକ । ପାଠପଢା ପରେ ଚାକିରୀ ନପାଇ ଶେଷରେ ଗୋପାଳନ ପ୍ରତି ମନ ବଳାଇଲେ । ପ୍ରଥମେ ୩ଟି ଗାଇରୁ ଆରମ୍ଭ କରି ଏବେ ୪୦ଟି ଦୁହାଁଳିଆ ଶଙ୍କର ଜାତୀୟ ଗାଈ ପାଳନ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।  

ପ୍ୟାକିଂ ଚାଲିଛି ମହିଳାଙ୍କ ଲାଗି ଉଦ୍ଧିଷ୍ଟ ସାନିଟାରି ନାପକିନ୍ । ମହିଳାଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ନିଜ ଅଞ୍ଚଳରେ ସାନିଟାରୀ ପ୍ୟାଡ୍ ବ୍ୟବସାୟ ଆରମ୍ଭ କରି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ବୈଶାଖି ଜେନା । ୨୭ ବର୍ଷୀୟ ବୈଶାଖି, ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳର ବାସିନ୍ଦା । ଉଚ୍ଚଶିକ୍ଷିତା ବୈଶାଖୀ ଭେଲୋର ୟୁନିଭରସିଟିରୁ ବାୟୋଟେକରେ MSC କରି ବେଙ୍ଗାଲୁରରେ ଚାକିରୀ କରୁଥିଲେ । କରୋନା ସମୟରେ ଘରକୁ ଫେରିଥିଲେ । ଏହି ସମୟରେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ଅଂଚଳ ପାଇଁ କିଛି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଆଉ ଆରମ୍ଭ କରିଥିଲେ ସାନିଟାରୀ ପ୍ୟାଡ ବ୍ୟବସାୟ । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ଫିଟାଇଛନ୍ତି ରୋଜଗାରର ବାଟ ।

(ରିପୋର୍ଟ- ଭଦ୍ରକ ବାସୁଦେବପୁରର କିରୀଟି ଦାସ, ନିଆଳୀରୁ ବିନୟ ମିଶ୍ର ଏବଂ ଯାଜପୁରରୁ ଗୁଲାମ ଗସ୍‌)