• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣିଥରେ ଦାଦନ ଶ୍ରମିକଙ୍କ ଉପରେ ନିର୍ଯ୍ୟାତନା ଅଭିଯୋଗ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚୁହୁଡିପଡା ଗାଁରୁ ଏଭଳି ଅଭିଯୋଗ ଆସିଛି । ଏହି ଗାଁର ୨୫ ଜଣ ଦାଦନ ଶ୍ରମିକ କାମ ଆଶାରେ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିକୁ ଯାଇଥିବା ବେଳେ ସେଠାରେ ଇଟାଭାଟି ମାଲିକ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛି । ଏପରିକି ତାଙ୍କୁ ଠିକରେ ଖାଇବାକୁ ମଧ୍ୟ ଦିଆଯାଉନି । ଏନେଇ ପରିବାର ଲୋକ ବରଗଡ଼ ଏସପି ଓ ଶ୍ରମ ଅଧିକାରୀଙ୍କ ନିକଟରେ ନେହୁରା ହୋଇଛନ୍ତି ।

ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଯାଇ ବନ୍ଧା ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ଦାଦନ ଶ୍ରମିକ । ଗତ ଚାରିମାସ ଆଗରୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚୁହୁଡ଼ିପଡା ଗ୍ରାମର ୨୫ ଜଣ ଦାଦନ ଶ୍ରମିକଙ୍କୁ ଜଣେ ଦାଦନ ସରଦାର ଯୋଗାଯୋଗ କରିଥିଲେ । ଅଧିକ ପାରିଶ୍ରମିକ ଆଶାରେ ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲା ମଦି ଗାଁକୁ ନେଇଥିଲା । ସେଠାରେ ଗୁରୁନାଥ ରାଓ ନାମକ ଜଣେ ବ୍ୟକ୍ତିଙ୍କ ଇଟାଭାଟିରେ ଏମାନେ ଇଟା ଗଢୁଛନ୍ତି । ତେବେ ଇଟାଭାଟି ମାଲିକ ଏମାନଙ୍କୁ ୮ ଘଣ୍ଟା ବଦଳରେ ୧୨ ରୁ ୧୪ ଘଣ୍ଟା କମା କରାଉଛନ୍ତି । କିନ୍ତୁ ସେହି ହିସାବରେ ଟଙ୍କା ଦେଉନଥିବା ଏବଂ ଆପତ୍ତି ଅଭିଯୋଗ କଲେ ମାଡ଼ଧର କରିବା ସହ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି । ବର୍ତ୍ତମାନ ସେମାନେ ଏକ ଭିଡିଓ ମାଧ୍ୟମରେ ଓଡିଶା ସରକାର ଓ ବରଗଡ଼ ଜିଲ୍ଲା ପ୍ରଶାସନ ତାଙ୍କୁ ତୁରନ୍ତ ଉଦ୍ଧାର କରନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି ।

ଗୋଟିଏ ପଟେ କରୋନା ଆଉ ଅନ୍ୟପଟେ ଭୟଙ୍କର ମରୁଡି ଯୋଗୁ ବରଗଡ଼ ଜିଲ୍ଲାରେ କାମଧନ୍ଦାର ଅଭାବ ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ବରଗଡ଼ ଜିଲ୍ଲାର ପଦ୍ମପୁର,ପାଇକମାଲ, ଗାଇସିଲେଟ ବ୍ଲକ୍ରର ବହୁ ଶ୍ରମିକ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଏବଂ ଶ୍ରମିକ ଦଲାଲଙ୍କ ଫାସରେ ପଡି ସେଠାରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତେବେ ଏନେଇ ଆମେ ଜିଲ୍ଲା ଶ୍ରମ ଅଧିକାରୀ ମାନଭଞ୍ଜନ ପ୍ରଧାନଙ୍କୁ ଭେଟିଥିଲେ ପରିବାର ଲୋକ । ସେ ଏହି ଘଟଣାର ତଦନ୍ତ କରିବା ସହ ସମସ୍ତ ଶ୍ରମିକ କିପରି ଭଲରେ ନିଜ ଘରକୁ ଫେରି ଆସିବେ ସେନେଇ ପଦକ୍ଷେପ ନେଇଥିବା ଏବଂ ଦାଦନ ଦଲାଲଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ବରଗଡ଼, ଦୀପକ ଶର୍ମା