• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେଲ ଗଲେ ନକଲି ମାଓବାଦୀ । ନିଜକୁ ମାଓବାଦୀ ପରିଚୟ ଦେଇ ନେତା, ଅଫିସର ଠିକାଦାର ତଥା ବ୍ୟବସାୟୀଙ୍କଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ କଳାହାଣ୍ଡି ପୁଲିସ ଦୁଇଜଣ ନକଲି ମାଓବାଦୀ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଲାଞ୍ଜିଗଡ଼ ବ୍ଲକ ତଥା ବିଜେପୁର ଥାନା ଜଳକ୍ରୀଡ଼ା ଗାଁର ଉଦ୍ଧବ ନାଏକ ଏବଂ ତାଙ୍କୁ ସହଯୋଗ କରୁଥିବା କେଗାଁ ଥାନା ମନ୍ଦିଗୁଡ଼ାର ଜରାସନ୍ଧ ସିନ୍ଦୂର ।

ପୋଲିସ ସୂଚନା ଅନୁଯାୟୀ , ଥୁଆମୂଳ ରାମପୁର ବ୍ଲକ ମହୁଲପାଟଣା ଏବଂ ପାଡ଼େପଦର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଜୟପାଟଣା ବ୍ଲକ ଘଣ୍ଟିଗୁଡ଼ାର ହୁମାରାଜ ନାଏକଙ୍କୁ ଗତ ୧୦ ତାରିଖ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ଜଣେ ମାଓନେତା ବୋଲି ପରିଚୟ ଦେଇ ଦୁଇ ଲକ୍ଷ ଟଙ୍କା ଦେବାକୁ କହିଥିଲେ I ମାଓବାଦୀ ବୋଲି ଶୁଣିବା ପରେ ହୁମାରାଜ ଭୟଭୀତ ହୋଇଯାଇଥିଲେ ମଧ୍ୟ ଦୁଇ ଲକ୍ଷ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ । ତେବେ ଦୁଇ ଲକ୍ଷ ଟଙ୍କା ନଦେଲେ ପରିଣାମ ଭୟାବହ ହେବ ବୋଲି କଲ୍ କରିଥିବା ବ୍ୟକ୍ତି ତାଙ୍କୁ ଧମକ ଦେଇଥିଲେ । ଏ ସମ୍ପର୍କରେ ହୁମାରାଜ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଗୁରୁତ୍ଵ ଦେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏସ୍‌ପିଙ୍କ ନିର୍ଦ୍ଦେଶରେ ଭବାନୀପାଟଣା ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ଓ ଥୁଆମୂଳ ରାମପୁର ଥାନାଧିକାରୀ ଗୋବିନ୍ଦ ମାଝୀଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ପୁଲିସ ଟିମ୍ ଗଠନ ହୋଇଥିଲା । ତଦନ୍ତ ଚାଲିଥିବା ସମୟରେ ହୁମାରାଜଙ୍କୁ ଟଙ୍କା ଦେବାକୁ ପୁଣି ଧମକପୂର୍ଣ୍ଣ କଲ୍ ଆସିଥିଲା । ଏହା ପରେ ସତର୍କ ଥିବା ପୁଲିସ ଟିମ୍ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଥିଲା । ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ଦୁଇ ଲକ୍ଷ ବଦଳରେ ଏକଲକ୍ଷ ଟଙ୍କାରେ ସନ୍ତୁଷ୍ଟ ରହିବାକୁ ହୁମାରାଜଙ୍କ ଜରିଆରେ ରାଜି କରାଗଲା । ବ୍ୟକ୍ତି ଜଣକ ନିର୍ଦ୍ଦିଷ୍ଟ ସ୍ଥାନରେ ଟଙ୍କା ରଖିଦେଇ ଯିବାକୁ ହୁମାରାଜଙ୍କୁ କହିଥିଲେ । ସେହି ଅନୁଯାୟୀ ହୁମାରାଜ ସମ୍ପୃକ୍ତ ସ୍ଥାନରେ ଟଙ୍କା ରଖ୍ ଆସିଥିଲେ ।

ବ୍ୟକ୍ତି ଜଣକ ଟଙ୍କା ବ୍ୟାଗ୍ ନେଇ ପଳାଇ ଯାଉଥିବାବେଳେ ସେଠାରେ ପୂର୍ବରୁ ସଜାଗ ଥିବା ପୁଲିସ ତାଙ୍କୁ କାବୁ କରିଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଜଳକ୍ରୀଡ଼ା ଗାଁର ଉଦ୍ଧବ ନାଏକ ବୋଲି ଜଣାପଡ଼ିଥିଲା । ସେ ପୂର୍ବରୁ ମଧ୍ୟ ଜିଲ୍ଲାର ଅନେକ ଠିକାଦାର , ଅଫିସର ଓ ରାଜନେତାଙ୍କୁ ମାଓବାଦୀ ନାଁରେ ଧମକଚମକ ଦେଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ସ୍ୱୀକାର କରିଛି। ଏହି କାମ ସେ ଗତ ୩ ବର୍ଷ ହେଲା କରିଆସୁଥିବା କହିଛି । ତାଙ୍କ ପାଖରୁ ଟଙ୍କା ବ୍ୟାଗ୍ ସହ ଗୋଟିଏ ବାଇକ୍ , ତିନିଟି ମୋବାଇଲ୍ ଫୋନ୍ , ପକେଟ୍ ଡାଏରୀ ଆଦି ଜବତ କରାଯାଇଛି ।

ତେବେ ସମ୍ପର୍କରେ ପୁଲିସ ଆହୁରି ଖୋଳତାଡ଼ କରିବା ବେଳେ ଉଦ୍ଧବଙ୍କୁ ସହଯୋଗ କରିବା ଅଭିଯୋଗରେ ଥୁଆମୂଳ ରାମପୁର ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଜରାସନ୍ଧ ସିନ୍ଦୂରଙ୍କୁ ମଧ୍ୟ ଗିରଫ କରାଯାଇଛି ।  ବଟି ଆଦାୟ ଘଟଣାରେ ଉଭୟ ଗିରଫ ପରେ କୋର୍ଟ ଚାଲାଣ କରାଯାଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଅପରପକ୍ଷରେ ଉଦ୍ଧବ ନାଁରେ ପୂର୍ବରୁ ଏକାଧୂକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି ।