Advertisment

Mahabharat Story: ବିରାଟଙ୍କ ବୃଥା କ୍ରୋଧ ଓ ପୁଣି କ୍ଷମା ପ୍ରାର୍ଥନାର ପ୍ରସଙ୍ଗ

କାହିଁକି ରାଜକୁମାରଙ୍କ ବିଜୟ ବାର୍ତ୍ତା ଶୁଣି କଙ୍କରୂପୀ ଯୁଧିଷ୍ଠିର ବୃହନ୍ନଳାଙ୍କର ପ୍ରଶଂସା କରିଥିଲେ? କାହିଁକି ଯୁଧିଷ୍ଠିରଙ୍କୁ ଆଘାତ କଲେ ରାଜା ବିରାଟ? ଯୁଧିଷ୍ଠିରଙ୍କ ରକ୍ତ ଦେଖି ବିରାଟଙ୍କୁ କ'ଣ କହିଲେ ରାଜକୁମାର ଉତ୍ତର? ମହାଭାରତର ବିରାଟ ପର୍ବରେ ଥିବା ଆହୁରି ଅନେକ ଅଜଣା ଘଟଣା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
King Virat

King Virat

କୌରବ ସେନାଙ୍କୁ ତଡି ଦେଶର ଗୋଧନକୁ ଫେରାଇଆଣି ଅର୍ଜୁନ ଓ ରାଜକୁମାର ଉତ୍ତର ରାଜାଧାନୀକୁ ଲେଉଟିଲେ । ସେପଟେ ରାଜା ବିରାଟ ମତ୍ସ୍ଯ ଦେଶକୁ ଅନ୍ୟ ଦିଗରୁ ଆକ୍ରମଣ କରିଥିବା ତ୍ରିଗର୍ତ୍ତ ଦେଶର ରାଜା ସୁଶର୍ମାଙ୍କୁ ପରାସ୍ତ କରି କିଛି ସମୟ ପୂର୍ବରୁ ରାଜଧାନୀକୁ ଫେରି ସାରିଥା'ନ୍ତି। ରାଜାଙ୍କ ବିଜୟ ଉତ୍ସବ ପୂରା ଦେଶରେ ବଡ ଧୁମଧାମରେ ପାଳନ ହେଉଥାଏ । ଚାରିଦିଗ ସୁନ୍ଦର ଭାବରେ ସାଜସଜା କରାଯାଇଥାଏ । ତୋରଣମାନ ନିର୍ମାଣ କରାଯାଇଥାଏ । ଚତୁର୍ଦିଗରେ ରାଜାଙ୍କର ଜୟ ଜୟକାର ଶୁଭୁଥାଏ । ପାତ୍ର, ମନ୍ତ୍ରୀ, ବ୍ରାହ୍ମଣ, ପଣ୍ଡିତ ଓ ଚାରଣମାନେ ରାଜାଙ୍କ ବିଜୟର ଗୁଣଗାନ କରୁଥା'ନ୍ତି ।

Advertisment

ରାଜା ତାଙ୍କ ରାଜପ୍ରାସାଦରେ ପହଞ୍ଚୁ ପହଞ୍ଚୁ ଖବର ପାଇଲେ କୌରବ ସେନା ମତ୍ସ୍ଯ ଦେଶର ଗୋଧନକୁ ଅପହରଣ କରିବାକୁ ଆସିଛନ୍ତି ଓ ରାଜକୁମାର ଉତ୍ତର ଏକା ଏକା ବୃହନ୍ନଳାକୁ ସାରଥି କରି ଯୁଦ୍ଧ କରିବାକୁ ଯାଇଛନ୍ତି । ରାଜା ବିରାଟଙ୍କର ତ୍ରିଗର୍ତ୍ତ ରାଜାଙ୍କୁ ପରାଜୟ କରିଥିବାର ଆନନ୍ଦ ଅଳ୍ପ ସମୟ ଭିତରେ ଚିନ୍ତାରେ ପରିଣତ ହେଇଗଲା । ରାଜା ସଙ୍ଗେ ସଙ୍ଗେ ତାଙ୍କ ରଥାରୋହୀ, ଅଶ୍ୱାରୋହୀ, ଗଜାରୋହୀ ଓ ଶ୍ରେଷ୍ଠ ପଦାତିକ ସୈନ୍ୟମାନଙ୍କୁ ରାଜକୁମାର ଉତ୍ତରଙ୍କ ପାଖକୁ ପଠେଇଲେ। ଅଶ୍ୱାରୋହୀ ଦୂତଙ୍କୁ ପଠାଇଲେ ଶୀଘ୍ର ଯୁଦ୍ଧଭୂମିରୁ ଖବର ସଂଗ୍ରହ କରି ରାଜଧାନୀ ଫେରିବାକୁ । ରାଜା ଆଶଙ୍କା କରୁଥିଲେ କୌରବ ବୀରମାନଙ୍କ ସହ ନଂପୁସକ ବୃହନ୍ନଳାକୁ ସାଙ୍ଗରେ ନେଇ ଉତ୍ତର କି ଯୁଦ୍ଧ କରୁଥିବେ । ରାଜା ମନେ ମନେ ବିଳାପ କରି ଭାବୁଥିଲେ ବିଶାଳ କୌରବ ସେନାଙ୍କ ଆଗରେ ରାଜକୁମାର ଜୀବନ ଧରି ଆଉ ଥିବେ କି ନାହିଁ କିଏ ଜାଣେ?

ରାଜା ବିରାଟଙ୍କ ଆଶଙ୍କା ଦେଖି କଙ୍କ ରୂପୀ ଯୁଧିଷ୍ଠିର କହିଲେ, “ହେ ମହାରାଜ ମୁଁ ବୃହନ୍ନଳାଙ୍କୁ ଜାଣିଛି । ସେ ଯେତେବେଳେ ରାଜକୁମାରଙ୍କ ସାଙ୍ଗରେ ଯାଇଛନ୍ତି ସେତେବେଳେ ଆପଣ ଆପଣଙ୍କ ମନରେ କୌଣସି ପ୍ରକାରର ଶଙ୍କା ଆଣନ୍ତୁ ନାହିଁ । ବୃହନ୍ନଳା ଥାଉ ଥାଉ ଉତ୍ତରଙ୍କର କିଛି ବି କ୍ଷତି ହେବନି । ସେ ଯୁଦ୍ଧରେ ବିଜୟ ଲାଭ କରିବା ସହ ଅପହୃତ ଗୋଧନକୁ ଫେରାଇଆଣି ନିଶ୍ଚୟ ଆସୁଥିବେ । ବୃହନ୍ନଳାଙ୍କ ପାଖରେ ପୂରା କୌରବ ସେନା କାହିଁକି ଦେବତା, ଅସୁର, ଯକ୍ଷ ଓ ଗନ୍ଧର୍ବ ବି କେହି କିଛି ନୁହଁନ୍ତି ।”

Advertisment

ରାଜା ବିରାଟଙ୍କୁ ଯୁଧିଷ୍ଠିର ବୁଝାଉଥିବା ବେଳକୁ ଜଣେ ଦୂତ ଆସି ରାଜଦରବାରରେ ପହଞ୍ଚିଲା ଓ କହିଲା, “ମହାରାଜଙ୍କର ଜୟ ହେଉ । ଶୁଭ ସମ୍ବାଦ ମହାରାଜ । ରାଜକୁମାର ଉତ୍ତର କୌରବ ସେନାଙ୍କୁ ପରାଜିତ କରି ଦେଶର ସୀମା ଭିତରୁ ଘଉଡାଇ ଦେଇଛନ୍ତି ଓ ସମସ୍ତ ଗୋଧନକୁ ଫେରାଇ ଆଣିଛନ୍ତି । ରାଜକୁମାର ଉତ୍ତର ଓ ସାରଥି ଅକ୍ଷତ ଅବସ୍ଥାରେ ରାଜଧାନୀକୁ ଫେରୁଛନ୍ତି ।”

ଦୂତ ଠାରୁ ସମ୍ବାଦ ଶୁଣି ବିରାଟ ଅତ୍ୟନ୍ତ ଆନନ୍ଦିତ ହେଲେ। ଯୁଧିଷ୍ଠିର କହିଲେ, “ମହାରାଜ! ଯୁବରାଜ କୌରବ ସେନାଙ୍କୁ ପରାଜିତ କରିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । କାରଣ ମୁଁ ଜାଣିଛି ବୃହନ୍ନଳା ଯାହାର ସାରଥି ହେବେ ତାଙ୍କର ନିଶ୍ଚୟ ବିଜୟ ହେବ ।”

ରାଜା ବିରାଟ ଥରେ ବିରକ୍ତିର ସହ ଯୁଧିଷ୍ଠିରଙ୍କୁ ଚାହିଁଲେ ଓ ଶୁଭ ବାର୍ତ୍ତା ଆଣିଥିବା ଦୂତକୁ ଦାମିକା ଲୁଗା ଓ ସୁନା ରୁପାରେ ତିଆରି ଅଳଙ୍କାର କିଛି ପୁରସ୍କାର ଭାବରେ ଦେଲେ । ରାଜା ତାଙ୍କ ପରିଚାରକମାନଙ୍କୁ ଆଦେଶ ଦେଲେ ରାଜକୁମାର ରାଜଧାନୀରେ ପହଞ୍ଚିବା ପୂର୍ବରୁ ତାଙ୍କର ଭବ୍ୟ ସ୍ୱାଗତ ପାଇଁ ଭଲରେ ଆୟୋଜନ କରାଯାଉ । ବୀରବାଦ୍ୟ ବାଦନ କରାଯାଉ । ପୂରା ନଗରୀକୁ ଉତ୍ସବ ମୁଖର କରାଯାଉ । ଦୂତମାନେ ସାରା ରାଜ୍ୟରେ ଡେଙ୍ଗୁରା ଦେଇ ଯୁବରାଜଙ୍କ ବିଜୟ ବାର୍ତ୍ତା ଘୋଷଣା କରନ୍ତୁ । ରାଜକୁମାରୀ ଉତ୍ତରା ଓ ଅନ୍ତଃପୁରର ନାରୀମାନେ ଅର୍ଘ୍ୟ ଥାଳି ଧରି ପ୍ରସ୍ତୁତ ହୋଇ ରହିଥାନ୍ତୁ ।

ରାଜା ବିରାଟ ପଶା ଖେଳିବାକୁ ବହୁତ ଭଲ ପାଉଥିଲେ । ପୁତ୍ରର ବିଜୟରେ ଅତ୍ୟନ୍ତ ଆନନ୍ଦିତ ହୋଇଥିବାରୁ ରାଜା ଦ୍ରୌପଦୀଙ୍କୁ ଅନେଇ କହିଲେ, “ହେ ସୈରୀନ୍ଧ୍ରୀ ଶୀଘ୍ର ମୋ ପଶାପାଲି ଆଣ ।” ପଶାପାଲି ଆସି ପହଞ୍ଚିଲା ପରେ ରାଜା ଯୁଧିଷ୍ଠିରଙ୍କୁ କହିଲେ, “ହେ କଙ୍କ! ମୁଁ ବଡ ଖୁସି ଅଛି । ଆସ ମୋ ସାଙ୍ଗରେ ବସି ପଶା ଖେଳ ।” ଯୁଧିଷ୍ଠିର ହାତ ଯୋଡି କହିଲେ, “ମହାରାଜ! ଜ୍ଞାନୀ ଲୋକମାନେ କହିଯାଇଛନ୍ତି ଅତି ଖୁସିଥିବା ଲୋକ ସାଙ୍ଗରେ ପଶା ଖେଳିବା ଉଚିତ ନୁହେଁ । ଆପଣ ତ ଖୁସି ଅଛନ୍ତି । ପଶା କାହିଁକି ଖେଳିବେ? ଆପଣ କ'ଣ ଧର୍ମରାଜ ଯୁଧିଷ୍ଠିରଙ୍କ ପଶା ଖେଳରେ ସବୁକିଛି ହରାଇଥିବାର ଖବର ଜାଣିନାହାଁନ୍ତି କି?”

ରାଜା କହିଲେ, “ମୁଁ ସବୁ ଜାଣିଛି । ଆଜି ମୋ ପୁଅ ପୂରା କୌରବ ସେନାଙ୍କ ସହ ଏକା ଯୁ୍ଦ୍ଧକରି ସେମାନଙ୍କୁ ପରାସ୍ତ କରିଛି । କେବଳ ସେଇ ଖୁସିରେ ମୋର ପଶା ଖେଳିବାକୁ ଇଚ୍ଛା ହେଉଛି ।” ରାଜାଙ୍କ ଇଚ୍ଛା ଶୁଣି ଯୁଧିଷ୍ଠିର କହିଲେ, “ମହାରାଜ ଆପଣଙ୍କ ପାଖରେ ମୁଁ କାମ କରୁଛି । ତେଣୁ ଆପଣଙ୍କ ଆଦେଶ ଅବଶ୍ୟ ପାଳନ କରିବାକୁ ହେବ । ରାଜକୁମାର ଯୁଦ୍ଧ ଜୟ କରିଛନ୍ତି ବଡ ଖୁସିର କଥା । କିନ୍ତୁ ମୋ ଜାଣିବାରେ ବୃହନ୍ନଳା ଯାହାର ସାରଥି ସେ ନିଶ୍ଚୟ ଯୁଦ୍ଧରେ ଜୟ କରିବା କଥା । ଏଥିରେ ଆଶ୍ଚର୍ଯ୍ୟର କଥା କିଛି ନାହିଁ ।”

ଯୁଧିଷ୍ଠିରଙ୍କ ଏତିକି କଥାରେ ରାଜା ବିରାଟ ଭୀଷଣ ଭାବରେ ବିରକ୍ତ ହୋଇଗଲେ। ଚିତ୍କାର କରି କହିଲେ, “ଆରେ ମୁର୍ଖ ବ୍ରାହ୍ମଣ କଙ୍କ, ମୁଁ ଯେତେଥର ମୋ ଯୋଗ୍ୟପୁଅର ବୀରପଣ ବିଷୟରେ କହି ପ୍ରଶଂସା କରୁଛି ତୁମେ ସହ୍ୟ କରିପାରୁନ କାହିଁକି? କ'ଣ ପାଇଁ ସେ ନର୍ତ୍ତକୀ ମାଇଚିଆ ବୃହନ୍ନଳା ବୃହନ୍ନଳା ହେଉଛ? ତୁମର ଯୁଦ୍ଧବିଦ୍ୟା ବିଷୟରେ ସାମାନ୍ୟ ଜ୍ଞାନ ନାହିଁ । ତୁମେ କେମିତି ଭାବୁଛ ମାଇଚିଆ ବୃହନ୍ନଳା ନର୍ତ୍ତକୀ ହୋଇ ଭୀଷ୍ମ, ଦ୍ରୋଣ ଓ କର୍ଣ୍ଣଙ୍କ ପରି ବୀରମାନଙ୍କ ସାଙ୍ଗରେ ଯୁଦ୍ଧ କରି ଯୁବରାଜଙ୍କୁ ବିଜୟୀ କଲା? ହେ କଙ୍କ! ତୁମେ କେବଳ ମୋ ସଖା ବୋଲି ତୁମକୁ ଆଜି କ୍ଷମା କରୁଛି । ଯଦି ଆଉ କିଛି ଦିନ ବଞ୍ଚିବାକୁ ଚାହୁଁଛ ତେବେ ଆଉ ଏପରି ମୁର୍ଖତାପୂର୍ଣ୍ଣ କଥା କିଛି କହିବନି କି ଯୁବରାଜଙ୍କୁ ଅପମାନିତ କରିବନି ।”

ରାଜା ବିରାଟଙ୍କ କ୍ରୋଧ ପରେ ବି ଯୁଧିଷ୍ଠିର କହିଲେ, “ମହାରାଜ! ମୁଁ ଯୁବରାଜଙ୍କୁ କଦାପି ଅପମାନିତ କରୁନି । କିନ୍ତୁ ମୁଁ ବୃହନ୍ନଳାଙ୍କ ବୀରତ୍ୱ କଥା ଜାଣିଛି । କେବଳ କୌରବ ବୀର କାହିଁକି ସେ ଇନ୍ଦ୍ରଙ୍କ ସାଙ୍ଗରେ ବି ଏକା ଯୁ୍ଦ୍ଧ କରିବାର ସାମର୍ଥ୍ୟ ରଖିଛନ୍ତି । ତାଙ୍କ ସମକ୍ଷକ ଯୋଦ୍ଧା ଏ ତ୍ରିଭୂବନରେ କେହି ନାହାଁନ୍ତି। ଯୋଉ ବୃହନ୍ନଳା ସୁର ଅସୁରମାନଙ୍କୁ ଏକା ପରାଜୟ କରିବାକୁ ସମର୍ଥ ତାଙ୍କ ସହ ଯୁଦ୍ଧକୁ ଯାଇ ଯୁବରାଜ ବିଜୟୀ ହେବା କିଛି ବଡ କଥା ନୁହେଁ ।”

Battlefieldଯୁଦ୍ଧକ୍ଷେତ୍ର

ଏଥର ରାଜା ବିରାଟଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଲା । ରାଜା ଚିତ୍କାର କରି କହିଲେ, “ମୁର୍ଖ ବ୍ରାହ୍ମଣ କଙ୍କ, ମୁଁ ବାରବାର କହିଲାପରେ ବି ତୁମେ ସେ ମାଇଚିଆ ବୃହନ୍ନଳାର ପ୍ରଶଂସା ଛାଡି ପାରିଲନି । ଆଉ ଥରେ ବି ତା' ନାଁ ମୋ ଆଗରେ ନିଅନି ।” ଏତିକି କହି ରାଜା ବିରାଟ ହାତରେ ଧରିଥିବା ପଶା କାଠିକୁ ହଠାତ୍ ଯୁଧିଷ୍ଠିରଙ୍କ ମୁହଁକୁ ଫୋପାଡିଲେ । ପଶା କାଠି ଆସି ସିଧା ବାଜିଲା ଯୁଧିଷ୍ଠିରଙ୍କ ନାକରେ । ଯୁଧିଷ୍ଠିରଙ୍କ ନାକରୁ ଧାର ଧାର ରକ୍ତ ନିଗିଡିବାକୁ ଲାଗିଲା । ଯୁଧିଷ୍ଠିର ତାଙ୍କ ନାକରେ ହାତ ରଖି ରକ୍ତ ବନ୍ଦ କରିବାକୁ ପ୍ରୟାସ କରିବା ଭିତରେ ଦ୍ରୌପଦୀଙ୍କ ଆଡକୁ ଚାହିଁଲେ । ଦ୍ରୌପଦୀ ବୁଝିଗଲେ ସ୍ୱାମୀ ତାଙ୍କର କ'ଣ କହିବାକୁ ଚାହୁଁଛନ୍ତି । ସେ ସଙ୍ଗେ ସଙ୍ଗେ ଗୋଟେ ପାଣିଭର୍ତ୍ତି ସୁବର୍ଣ୍ଣ ପାତ୍ର ଆଣି ଯୁଧିଷ୍ଠିରଙ୍କ ଆଗରେ ରଖିଲେ ।

ସେତିକିବେଳେ ଦୁଆରୀ ଆସି ଖବର ଦେଲା ରାଜକୁମାର ଉତ୍ତର ଓ ବୃହନ୍ନଳା ସିଂହଦୁଆରରେ ଅପେକ୍ଷା କରିଛନ୍ତି । ରାଜା ଅନୁମତି ଦେଲେ ସେମାନେ ଆସି ମହାରାଜାଙ୍କୁ ସାକ୍ଷାତ କରିବେ। ବିରାଟ ଖୁସି ହୋଇ କହିଲେ ଅବିଳମ୍ବେ ସେ ଦୁହିଁଙ୍କୁ ଭିତରକୁ ଆସିବାକୁ ଅନୁମତି ଦିଅନ୍ତୁ । ଯୁଧିଷ୍ଠିର କିନ୍ତୁ ଦୁଆରୀକୁ ପାଖକୁ ଡାକି ଧିର ସ୍ୱରରେ କହିଲେ, “କେବଳ ରାଜକୁମାର ଉତ୍ତରଙ୍କୁ ଭିତରକୁ ଆଣ । ଏବେ ବୃହନ୍ନଳା କିଛି ସମୟ ବାହାରେ ଥାଆନ୍ତୁ ।” ଯୁଧିଷ୍ଠିର ଭଲରେ ଜାଣିଥିଲେ ବିନା ଯୁଦ୍ଧରେ ତାଙ୍କ ଦେହରୁ ରକ୍ତ ବାହାରିବା ଦେଖି ଅର୍ଜୁନ ଏଠି କାହାକୁ ଛାଡିବେନି । କ୍ରୋଧରେ ବିରାଟଙ୍କ ପୂରା ବଂଶକୁ ନିପାତ କରିବାକୁ ପଛେଇବେନି ।

ଯୁବରାଜ ଉତ୍ତର ଭିତରକୁ ଆସି ରାଜା ବିରାଟଙ୍କୁ ପ୍ରଣାମ କଲେ । ତାପରେ କଙ୍କ ରୁପୀ ଯୁଧିଷ୍ଠିରଙ୍କୁ ଚାହିଁ ଦେଖିଲେ ସେ ତଳେ ବସିଛନ୍ତି ଓ ତାଙ୍କ ନାକରୁ ଧାର ଧାର ରକ୍ତ ବାହାରୁଛି । ସୈରୀନ୍ଧ୍ରୀ ତାଙ୍କର ସେବା କରୁଛନ୍ତି । କିଛି ବୁଝିନପାରି ଉତ୍ତର ପଚାରିଲେ କ'ଣ ହେଇଛି? କିଏ ଆଘାତ କରିଛି କଙ୍କଙ୍କୁ? ଏପରି ପାପ କାମ କରିଛି କିଏ?

ବିରାଟ କହିଲେ, “ମୁଁ ଆଘାତ କରିଛି । ମନା କଲା ପରେ ବି ସେ ବାରବାର ତୁମ ବଦଳରେ ସେ ମାଇଚିଆ ବୃହନ୍ନଳାର ପ୍ରଶଂସା କଲେ । ସେଥିପାଇଁ ବିରକ୍ତି ଓ କ୍ରୋଧରେ ମୁଁ ତାଙ୍କୁ ଆଘାତ କରିଛି ।” ଉତ୍ତର କହିଲେ, “ଆପଣ କ୍ରୋଧର ବଶବର୍ତ୍ତୀ ହୋଇ ମସ୍ତବଡ ଭୁଲ କରିଛନ୍ତି ମହାରାଜ । ଯଥାଶୀଘ୍ର କ୍ଷମା ମାଗନ୍ତୁ । ନହେଲେ ବ୍ରହ୍ମ କୋପରେ ଆମର ପୂରା ବଂଶ ଲୋପ ପାଇଯିବ ।”

ରାଜା ବିରାଟ ଯୁବରାଜ ଉତ୍ତରଙ୍କ କଥା ଶୁଣି ତାଙ୍କର ଭୁଲ ବୁଝିଲେ ଓ ଯୁଧିଷ୍ଠିରଙ୍କୁ କ୍ଷମା ପ୍ରାର୍ଥନା କଲେ । ଯୁଧିଷ୍ଠିର କହିଲେ, “ମହାରାଜ ମୁଁ ଆପଣଙ୍କୁ ବହୁ ପୂର୍ବରୁ କ୍ଷମା କରିସାରିଛି । ମୋ ଭିତରେ ଏବେ କିଛି ବି କ୍ରୋଧ ନାହିଁ । କିନ୍ତୁ ମୋର ନାକରୁ ରକ୍ତ ଯଦି ମାଟିରେ ପଡିଥାନ୍ତା ତେବେ ଘୋର ଅନର୍ଥ ହୋଇଥା'ନ୍ତା। ଆପଣଙ୍କ ରାଜ୍ୟ ଧ୍ୱଂସ ହୋଇଯାଇଥା'ନ୍ତା । ବିନା ଅପରାଧରେ ଆପଣ ମୋତେ ଆଘାତ କରିଛନ୍ତି ସେଥିରେ ମୁଁ ଆପଣଙ୍କୁ ଦୋଷୀ ଭାବୁନି କି ଆଶ୍ଚର୍ଯ୍ୟ ହେଉ ନାହିଁ । କାରଣ ରାଜାଙ୍କ ପାଖରେ କାମ କରୁଥିବା ସେବକ ଭାଗ୍ୟରେ ଏପରି ଘଟିଥାଏ ।”

ଯୁଧିଷ୍ଠିରଙ୍କ ରକ୍ତ ଧାର ଠିକ ହେଲା ପରେ ସେ ଅର୍ଜୁନଙ୍କୁ ସଭା ସ୍ଥଳକୁ ଆସିବାକୁ ଖବର ପଠାଇଲେ ।

ଅଧିକ ପଢ଼ନ୍ତୁ: କୌରବଙ୍କ ପରାଜୟ ଓ ଦୁର୍ଯ୍ୟୋଧନଙ୍କ ଗର୍ବ ଭଙ୍ଗ ବୃତ୍ତାନ୍ତ

Mahabharat Mahabharat Story
Advertisment
Advertisment