ମର୍ତ୍ତ୍ୟ ମଣ୍ଡଳରେ କେହି ଜଣେ ଯଦି ଅଧିକ ନିଷ୍ଠାପର ଭାବରେ ତପସ୍ୟା କଲା, ତେବେ ଇନ୍ଦ୍ରଦେବ ତାଙ୍କ ନିଜ ଇନ୍ଦ୍ରପଦ ହରାଇବା ଡରରେ କିଛି ଗୋଟେ ଘଟଣ ଅଘଟଣ ନିଶ୍ଚୟ ଘଟାନ୍ତି । କୌଶିକଙ୍କ ନିଷ୍ଠାପର ତପସ୍ୟାକୁ ଭାଙ୍ଗିବାକୁ ଇନ୍ଦ୍ରଦେବ ତାଙ୍କ ପୁରୁଣା ଉପାୟ ଗୋଟେ ପ୍ରୟୋଗ କରିବାକୁ ଚାହିଁଲେ । ସେ ଦେବ ସଭାର ଅନ୍ୟତମ ସୁନ୍ଦରୀ ଅପସରୀ ମେନକାଙ୍କୁ ପାଖକୁ ଡାକିଲେ ଓ କୌଶିକଙ୍କ ତପସ୍ୟା ଭାଙ୍ଗିବାର ଗୁରୁ ଦାୟିତ୍ୱ ସଅଁପିଲେ ।
ଅଧିକ ପଢ଼ନ୍ତୁ: ଅପ୍ସରୀ କନ୍ୟା ପ୍ରମଦବରାଙ୍କ ମୃତ୍ୟୁ ଓ ମୃତ୍ୟୁଲୋକରୁ ଲେଉଟି ଆସିବାର କଥା
ଇନ୍ଦ୍ରଙ୍କ ଆଦେଶରେ ମେନକା ଆସି କୌଶିକିଙ୍କ ଆଶ୍ରମରେ ପହଞ୍ଚିଲେ । ଋଷିବରଙ୍କୁ ଅଭିବାଦନ କରିସାରି ମେନକା ତାଙ୍କର ନୃତ୍ୟ ଆରମ୍ଭ କରିଦେଲେ । ଇନ୍ଦ୍ରଙ୍କ ଆଦେଶରେ ମେନକାଙ୍କ ସାଙ୍ଗରେ ପବନ ଦେବ ମଧ୍ୟ ଆସିଥା'ନ୍ତି । ନୃତ୍ୟ ଚାଲୁଥିବା ବେଳେ ପବନଦେବ ହଠାତ୍ ମେନକାଙ୍କ ପୋଷାକକୁ ତାଙ୍କ ଦେହରୁ ଖସେଇ ପକେଇଲେ । ନଗ୍ନ ପ୍ରାୟ ମେନକା ଓ ତାଙ୍କର ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ଦେଖି କୌଶିକିଙ୍କର ଧ୍ୟାନର ଏକାଗ୍ରତା ଏଥର ଭାଙ୍ଗିଗଲା । ଚହଲି ଗଲା ମନ । କୌଶିକି କାମନାରେ ବଶ ହେଇ ମେନକାଙ୍କୁ ପ୍ରେମ ଭିକ୍ଷା କଲେ । ମେନକା ବା ମନା କାହିଁ କରିବେ ? ସେ ତ ସେଇଥିପାଇଁ ଆସିଛନ୍ତି ।
ତାପରେ ମେନକା ଓ କୌଶିକିଙ୍କର ପ୍ରେମ ପ୍ରଣୟ ଆରମ୍ଭ ହେଇଗଲା । ଦୁହେଁ ଦୁହଁଙ୍କ ସାନିଧ୍ୟ ଖୁବ ଉପଭୋଗ କଲେ । ଦୁଇ ପ୍ରେମୀ ସାରା ଅରଣ୍ୟରେ ମନ ଖୁସିରେ ବୁଲିଲେ ଓ ମନଭରି ପ୍ରେମ କଲେ । ସେତେବେଳକୁ କୌଶିକି ତପସ୍ୟା କରି ଅମାପ ବଳଶାଳୀ ହେବେ ବୋଲି ରାଜଗାଦି ଛାଡ଼ି ଆସିଥିଲେ , ସେ କଥା ଭୁଲି ସାରିଥିଲେ । ଲମ୍ବା ଦିନ ସବୁ ମୁହୂର୍ତ୍ତଟେ ପରି ମନ ହେଇଥିଲା । ମେନକାଙ୍କ ସାନିଧ୍ୟରେ ସେ ଏତେ ମାତ୍ରାରେ ବୁଡ଼ିକରି ଥିଲେ ଯେ, ସେ ତପ ଭ୍ରଷ୍ଟ ହେଇସାରିଲେଣି ବୋଲି ତାଙ୍କର ଧାରଣା ବି ନଥାଏ ।
କିଛିଦିନ ପରେ କୌଶିକିଙ୍କ ଔରସରୁ ମେନକା ଗର୍ଭବତୀ ହେଲେ । ଯଥା ସମୟରେ ମେନକା ଏକ କନ୍ୟା ସନ୍ତାନକୁ ମାଳିନୀ ନଦୀ କୂଳରେ ପ୍ରସବ କଲେ । କନ୍ୟା ସନ୍ତାନଟିକୁ ଦେଖି କୌଶିକିଙ୍କର ଏଥର ହୋସ ଆସିଲା । ମନେ ପଡ଼ିଲା ସେ ନିଜର ସବୁ ପ୍ରକାର ବିଷୟ ଆସକ୍ତି ସହ, ରାଜ୍ୟ, ରାଜ ସିଂହାସନ, ଧନ-ରତ୍ନ, ସୈନ୍ୟ-ସାମନ୍ତ ଓ ପ୍ରୀୟ ପରିଜନଙ୍କୁ ତ୍ୟାଗ କରି ଯେଉଁଥିପାଇଁ ଆସିଥିଲେ, ତାହା ଆଜି କାହିଁ କେତେ ପଛରେ । ଯେତିକି ଯାହା ତପସ୍ୟା କରି ସେଥିରେ ଅଗ୍ରଗତି କରିଥିଲେ ତାହା ନଷ୍ଟ ହେଇସାରିଛି । ଦିନେ ଯାହାକୁ ପଛରେ ଛାଡ଼ି ଆସିଥିଲେ ତାହା ପୁଣିଥରେ ଫେରିଆସି ତାଙ୍କ ପାଦକୁ ଜାବୁଡ଼ି ଧରିଛି । ଦେବଲୋକର ଏକ ସୁନ୍ଦରୀ ନାରୀର ପ୍ରେମରେ ସବୁ କିଛି ନଷ୍ଟ କରି ସାରିଲେଣି ଜାଣି ଖୁବ୍ ମନସ୍ତାପ କଲେ ସେ । ଆଉ ଗୋଟେ ବି ମୁହୂର୍ତ୍ତ ନଷ୍ଟ ନକରି କୌଶିକି ପୁଣି ଥରେ ତାଙ୍କ ତପସ୍ୟାକୁ ମୂଳରୁ ଆରମ୍ଭ କରିବେ ବୋଲି ଜଙ୍ଗଲର ଆହୁରି ଭିତରକୁ ଚାଲିଗଲେ । ସେଇ କୌଶିକ ପରେ ତପସ୍ୟାରେ ସିଦ୍ଧ ହେଲାପରେ ରୁଷି ବିଶ୍ୱାମତ୍ର ନାମରେ ପରିଚିତ ହେଲେ ।
ଅଧିକ ପଢ଼ନ୍ତୁ: ସ୍ୱର୍ଗର ଅପ୍ସରୀ ଓ ଜଣେ ମର୍ତ୍ତ୍ୟ ଲୋକର ରାଜାଙ୍କ ମିଳନ ଓ ବିଛେଦର କାହାଣୀ
ଇନ୍ଦ୍ର ଦେଇଥିବା ଦାୟିତ୍ୱ ମେନକା ସୂଚାରୁ ରୂପେ ତୁଲେଇ ସାରିଥିଲେ । ତାଙ୍କର ବି ଦେବସଭାକୁ ଫେରି ଯିବାର ସମୟ ହେଇ ସାରିଥିଲା । କୌଶିକି ତ ନିଜ ବାଟରେ ଯାଇ ସାରିଥିଲେ, ଏବେ ନବଜାତ ଶିଶୁ କନ୍ୟାଟିକୁ ସେଇ ମାଳିନୀ ନଦୀର ତଟରେ ଶୁଆଇ ପକାଇ, ମେନକା ସିଧା ସଳଖ ନିଜ ରାସ୍ତାରେ ବାହାରି ଗଲେ ।
ବିଚରା କୁନି ଝିଅଟି କ'ଣ ବା କରିପାରିବ । ସେ ରାହା ଧରି କାନ୍ଦୁଥାଏ । ସେଇ ରାସ୍ତାରେ ଯାଉଥିଲେ କଶ୍ୟପଙ୍କ ବଂଶଧର କଣ୍ୱ ମୁନି । ନିକାଞ୍ଚନ ଜଙ୍ଗଲ ଭିତରେ ଶିଶୁର କାନ୍ଦକୁ ଅନୁସରଣ କରି ସେ ପହଞ୍ଚି ଦେଖିଲେ ସାନ ଝିଅଟିଏ କାନ୍ଦୁଛି ଓ ତାକୁ ଜଙ୍ଗଲି ପଶୁ ଓ ଟାଣ ଖରାରୁ ନିରାପତ୍ତା ଦେଉଛନ୍ତି ପଲେ ଶାଗୁଣା । ମୁନି ଏଥର ଝିଅଟିକୁ କୋଳକୁ ନେଇ ନିଜ ଆଶ୍ରମକୁ ଚାଲି ଆସିଲେ । ଶକୁନ ପକ୍ଷୀମାନେ ଦାୟିତ୍ୱ ନେଇ ଝିଅଟିକୁ ସୁରକ୍ଷା ଦେଇଥିବାରୁ ଝିଅଟିର ନାମ ରଖିଲେ ଶକୁନ୍ତଳା । ଶକୁନ୍ତଳାଙ୍କ ଲାଳନ ପାଳନ କଣ୍ୱ ମୁନି କଲେ ଓ ପିଲାଦିନରୁ ସବୁପ୍ରକାର ସଣ୍ଠଣା ଓ ସଂସ୍କାର ଶିଖାଇଲେ । କଣ୍ୱ ମୁନିଙ୍କ ଆଦର ଓ ସ୍ନେହଭରା ଲାଳନ ପାଳନରେ ଆଶ୍ରମ ପରିବେଶରେ ଶକୁନ୍ତଳା ଧିରେ ଧିରେ ବଡ଼ ହେବାକୁ ଲାଗିଲେ । ପିଲାଦିନ ଧୀରେ ଧୀରେ ସରିଲା ପରେ ଶକୁନ୍ତଳା ଯୌବନରେ ପହଞ୍ଚିଲେ । ଯୁବତୀ ଶକୁନ୍ତଳା ଏତେ ସୁନ୍ଦରୀ ହେଇଥା'ନ୍ତି ଯେ, ଯିଏ ଦେଖୁଥାଏ ଘଡ଼ିଏ ଅନଉଥାଏ ।
ଥରେ ଚନ୍ଦ୍ରବଂଶୀ ରାଜା ଦୁଷ୍ୟନ୍ତ ପାରିଧିକୁ ଆସିଥା'ନ୍ତି । ଦୁଷ୍ୟନ୍ତ ହେଉଛନ୍ତି ପୁରୁରବାଙ୍କ ବଂଶଜ । ରାଜାଙ୍କ ସାଙ୍ଗରେ ଆସିଥା'ନ୍ତି ଅନେକ ସୈନ୍ୟସାମନ୍ତ । ଅରଣ୍ୟରେ ଅନେକ ହିଂସ୍ର ପଶୁ ଓ ମୃଗ ଶୀକାର କରିବା ଭିତରେ ରାଜା ଗୋଟେ ହରୀଣର ପିଛା କରୁ କରୁ ନୂଆ ଏକ ଅରଣ୍ୟ ଭିତରକୁ ଆସିଗଲେ । ସେତେବେଳକୁ ରାଜା କ୍ଷୁଧା ଆଉ ତୃଷାରେ ବ୍ୟତିବ୍ୟସ୍ତ । ନୂଆ ଅରଣ୍ୟର ପରିବେଶ କିନ୍ତୁ ଅଲଗା ଥିଲା । ସବୁକିଛି ଥିଲା ଶାନ୍ତ, ଶୀତଳ ଓ ସ୍ନିଗ୍ଧ। ସେଇ ଅରଣ୍ୟ ଭିତରେ ଏକା ବୁଲୁ ବୁଲୁ ରାଜା କଣ୍ୱଙ୍କ ଆଶ୍ରମ ପାଖରେ ପହଞ୍ଚିଗଲେ । ସେତେବେଳକୁ ଆଶ୍ରମରେ କଣ୍ୱ ମୁନି ଅନୁପସ୍ଥିତ ଥାଆନ୍ତି ।
ରାଜାଙ୍କର ସେଇଠି ଶକୁନ୍ତଳାଙ୍କ ସହ ପ୍ରଥମ କରି ସାକ୍ଷାତ ହେଲା। ପିତାଙ୍କର ଅନୁପସ୍ଥିତରେ ଶକୁନ୍ତଳା ରାଜାଙ୍କର ଅତିଥି ସତ୍କାର କଲେ । କଥା ହେଲାପରେ ରାଜା ଦୁଷ୍ୟନ୍ତ ମଧ୍ୟ ଜାଣିଲେ ଶକୁନ୍ତଳା କଣ୍ୱ ମୁନିଙ୍କର ପାଳିତା କନ୍ୟା । ଶକୁନ୍ତଳାଙ୍କ ବ୍ୟବହାର ଓ ସୌନ୍ଦର୍ଯ୍ୟରେ ରାଜା ଦୁଷ୍ୟନ୍ତ ମୁଗ୍ଧ ହେଇ ଆଉ ଅପେକ୍ଷା ନକରି ସିଧାସଳଖ ବିବାହର ପ୍ରସ୍ଥାବ ଦେଲେ ।
ଶକୁନ୍ତଳା ଲାଜ ମିଶା ହସ ସହ କହିଲେ, ହେ ରାଜନ୍ ! ଜୀବନର ଏତେବଡ଼ ନିଷ୍ପତ୍ତି ମୁଁ ଏକା ନେଇପାରିବିନି । ମୋ ପିତା କଣ୍ୱ ମୁନି ଆଶ୍ରମକୁ ଫେରନ୍ତୁ । ବରଂ ଏ ବିଷୟରେ ତାଙ୍କ ସହ ଆପଣ କଥା ହେବେ ।
ଦୁଷ୍ୟନ୍ତ କିନ୍ତୁ ଶକୁନ୍ତଳାଙ୍କୁ ପାଇବାକୁ ବ୍ୟସ୍ତ ଥାଆନ୍ତି । କଣ୍ୱ ମୁନି ଆଶ୍ରମକୁ ଫେରିବା ଯାଏଁ ଅପେକ୍ଷା କରିବାକୁ ତାଙ୍କର ଧୈର୍ଯ୍ୟ ନଥିଲା । ତେଣୁ ସେ ଶକୁନ୍ତଳାଙ୍କୁ ବୁଝେଇ କହିଲେ ହଉ ସେଇ କଥା ହେବ । କିନ୍ତୁ ତା' ଆଗରୁ ଆମେ ଗାନ୍ଧର୍ବ ରୀତିରେ ବିବାହ କରିପାରିବା । ଚାଲ ଏଇ ତୁମ ଆଶ୍ରମ ଉଦ୍ୟାନର ବୃକ୍ଷମାନଙ୍କୁ ସାକ୍ଷୀ ରଖି ଆମେ ବିବାହ କରିବା ।
ଶକୁନ୍ତଳା କିନ୍ତୁ ବିବାହ ପୂର୍ବରୁ ରାଜାଙ୍କ ଆଗରେ ସର୍ତ୍ତ ଗୋଟେ ରଖିଲେ । ସର୍ତ୍ତଟି ହେଲା ରାଜାଙ୍କ ଔରସରୁ ଓ ଶକୁନ୍ତଳାଙ୍କ ଗର୍ଭରୁ ଯେଉଁ ପୁଅଟି ଜନ୍ମ ନେବ ସେ ହିଁ ହେବ ଦୁଷ୍ୟନ୍ତଙ୍କ ପ୍ରକୃତ ଉତ୍ତରାଧିକାରୀ । ସେଇ ପୁଅଟି ହିଁ ଦେଶର ପରବର୍ତ୍ତୀ ରାଜା ହେବ। ଦୁଷ୍ୟନ୍ତ ସେତେବେଳେ ଶକୁନ୍ତଳାଙ୍କ ସବୁ କଥାରେ ରାଜି । ତାପରେ ଦୁହେଁ ପରସ୍ପରର ବେକରେ ଫୁଲ ମାଳ ଦେଇ ଗାନ୍ଧର୍ବ ରୀତିରେ ବିବାହ କଲେ ।
ଅଧିକ ପଢ଼ନ୍ତୁ: ନାରୀରୁ ପୁରୁଷ ଓ ପୁରୁଷରୁ ନାରୀ ଏବଂ ନାରୀରୁ ପୁଣି ପୁରୁଷ ହେଇଥିବା ଜଣେ ରାଜାଙ୍କ କାହାଣୀ
ରାଜାଙ୍କର ଫେରିବା ସମୟ ହୋଇଯାଇଥିଲା । କିନ୍ତୁ କଣ୍ୱ ମୁନି ସେଯାଏଁ ଆଶ୍ରମକୁ ଫେରୁନଥା'ନ୍ତି । ତେଣୁ ତାଙ୍କ ଅନୁମତି ବିନା ଶକୁନ୍ତଳାଙ୍କୁ ଆଶ୍ରମରୁ ସାଙ୍ଗରେ ନେଇଯିବା ଠିକ୍ ହେବନି । ରାଜଧାନୀକୁ ଫେରି ଖୁବଶୀଘ୍ର ସେ ସୈନ୍ୟ ସାମନ୍ତ ସହ ପାଲିଙ୍କି ପଠେଇ ସମ୍ମାନର ସହ ଶକୁନ୍ତଳାଙ୍କୁ ରାଜପ୍ରାସାଦକୁ ନେବେ ବୋଲି କଥାଦେଇ ଦୁଷ୍ୟନ୍ତ ଆଶ୍ରମରୁ ବାହାରିଗଲେ ।
ତାପରେ କଣ୍ୱ ଆଶ୍ରମକୁ ଫେରିଲେ । ଶକୁନ୍ତଳାଙ୍କ ମନରେ ଭୟ । ପିତାଙ୍କ ବିନା ସ୍ୱୀକୃତିରେ ସେ ବିବାହ କରିଛନ୍ତି । ଠିକ୍ କରିଛନ୍ତି ନା ଭୁଲ୍ କରିଛନ୍ତି? ମୁନି ଜାଣିଲେ ପୁଣି କ'ଣ କହିବେ? ତପସ୍ୱୀ କଣ୍ୱ କିନ୍ତୁ ସବୁ କିଛି ଜାଣିସାରିଥିଲେ । ସେ ଶ୍ରଦ୍ଧାର ସହ ଶକୁନ୍ତଳାଙ୍କୁ ପାଖକୁ ଡାକିଲେ ଓ ମୁଣ୍ଡ ଆଉଁଷି ଦେଇ କହିଲେ – ମା ଏତେ ଭୟ କାହିଁକି? ମୁଁ ସବୁ ଜାଣେ । ଗାନ୍ଧର୍ବ ରୀତିରେ କ୍ଷତ୍ରୀୟମାନେ ବିବାହ କରିପାରିବେ । ତାପରେ ତୁ କିଛି ସାମାନ୍ୟ ଲୋକକୁ ବର ଭାବରେ ବରଣ କରିନୁ । ଦୁଷ୍ୟନ୍ତ ଦେଶର ରାଜା। ଦେଖିବୁ ତୋ ପେଟରେ ବଢୁଥିବା ତୋ ପୁଅ ଦିନେ ରାଜ ଚକ୍ରବର୍ତ୍ତୀ ହେବ ।
ଶକୁନ୍ତଳା ଖୁସି ଥିଲେ । କଣ୍ୱ ବି ଖୁସି ଥିଲେ । ଆଶ୍ରମର ଅନ୍ୟ ଅନ୍ତେବାସୀ ବି ଖୁସି ଥାଆନ୍ତି । ଦିନ ଗଡ଼ି ଚାଲିଲା । ମାସ ବି ଗଡ଼ି ଚାଲିଲା । କିନ୍ତୁ ନା ଦୁଷ୍ୟନ୍ତଙ୍କ ଶବାରୀ ଆସିଲା, ନା ରାଜଧାନୀରୁ କିଛି ଖବର ଆସିଲା । ନା ଶକୁନ୍ତଳା କେମିତି ଅଛନ୍ତି ଦେଖିବାକୁ ଦୁଷ୍ୟନ୍ତ ନିଜେ ଆସିଲେ । ଶେଷରେ ସମୟ ଆସିଲା । ଶକୁନ୍ତଳା କଣ୍ୱଙ୍କ ଆଶ୍ରମରେ ପୁଅଟିଏ ଜନ୍ମ ଦେଲେ ।
ଶକୁନ୍ତଳାଙ୍କ ପୁଅ କଣ୍ୱଙ୍କ ଆଶ୍ରମରେ ବଢ଼ିଲା । କଣ୍ୱ ତା'ର ଶିକ୍ଷାର ସବୁକିଛି ଦାୟିତ୍ୱ ନେଲେ । ଦେଖାଗଲା ପିଲାଟି ପିଲାଦିନରୁ ବଡ଼ ସାହାସୀ ଓ ବଳୁଆ । ଜଙ୍ଗଲର ବାଘ, ସିଂହ ଓ ଭାଲୁ ଆଦି ହିଂସ୍ର ଜନ୍ତୁଯୁନ୍ତାଙ୍କ ସହ ତା'ର ଖେଳ । ହିଂସ୍ର ପଶୁଙ୍କୁ ଦମନ କରି ବଶ କରୁଥିବାରୁ କଣ୍ୱ ତା' ନାଁ ଦେଲେ ସର୍ବଦମନ । ସର୍ବଦମନକୁ ଛଅ ବର୍ଷ ବେଳକୁ ଦିନେ ସେ ଶକୁନ୍ତଳାଙ୍କୁ ପଚାରିଲେ ମାଆ ମୋ ବାପା କିଏ?
ଶକୁନ୍ତଳା ଓ କଣ୍ୱ ନିଷ୍ପତ୍ତି ନେଲେ ଏବେ ସର୍ବଦମନକୁ ରାଜଧାନୀ ନେବାକୁ ହେବ ଓ ତା' ବାପା ସହ ତାକୁ ଭେଟ କରାଇବାକୁ ହେବ । ତାପରେ ବାପ ଝିଅ ଠିକ କଲେ ଯେ, ଦୁଷ୍ୟନ୍ତଙ୍କ ସବାରୀକୁ ଆଉ ଅପେକ୍ଷା ନକରି ଶକୁନ୍ତଳା ନିଜେ ପୁଅ ସର୍ବଦମନକୁ ସାଙ୍ଗରେ ଧରି ରାଜାଙ୍କୁ ଭେଟିବାକୁ ରାଜଧାନୀ ଯିବେ ।
ଜୀବନରେ ପ୍ରଥମଥର ପାଇଁ ଆଶ୍ରମ ଓ ଅରଣ୍ୟର ପରିସର ଡେଇଁ ଶକୁନ୍ତଳା ଯାଇଁ ରାଜା ଦୁଷ୍ୟନ୍ତଙ୍କ ରାଜ ଦରବାରରେ ପହଞ୍ଚିଲେ । ଦରବାର ଚାଲିଥାଏ । ପାତ୍ର ମନ୍ତ୍ରୀ ପାରିଷଦ ସମସ୍ତେ ଉପସ୍ଥିତ ଥାଆନ୍ତି । ଶକୁନ୍ତଳା ସେଇଠି ପହଞ୍ଚି ସିଧାସଳଖ ରାଜା ଦୁଷ୍ୟନ୍ତଙ୍କୁ କହିଲେ ହେ ରାଜନ ! ମୋତେ ଚିହ୍ନି ପାରୁଛ ତ? ମୁଁ ଆପଣଙ୍କ ପତ୍ନୀ ଶକୁନ୍ତଳା ଆଉ ମୋ ସାଙ୍ଗରେ ଥିବା ଏ ବାଳକ ହେଉଛି ଆମ ଦୁହିଁଙ୍କ ପୁଅ ସର୍ବଦମନ। ଶକୁନ୍ତଳାଙ୍କୁ ଆକସ୍ମିକ ଭାବରେ ହଠାତ୍ ରାଜ ଦରବାରରେ ଦେଖି ଦୁଷ୍ୟନ୍ତ କିନ୍ତୁ ସବୁ ଜାଣି କିଛି ନଜାଣିବାର ଅଭିନୟ କଲେ । ସେ ଆଦୌ ମାନିବାକୁ ରାଜି ହେଲେନି ଏକଦା ସେ ଅରଣ୍ୟ ଭିତରେ ଏକ ଋଷି ଆଶ୍ରମରେ ଜଣେ ଋଷିକନ୍ୟାକୁ ବିବାହ କରିଛନ୍ତି । ଦୁଷ୍ୟନ୍ତଙ୍କ ଏପରି ବ୍ୟବହାରରେ ଶକୁନ୍ତଳା ଭୀଷଣ ଭାବରେ ଦୁଃଖୀ ଓ କ୍ରୋଧିତ ହେଇଗଲେ । କ୍ରୋଧରେ ସେ ରାଜା ଦୁଷ୍ୟନ୍ତଙ୍କୁ ଅନେକ କଟୁ କଥା କହିଲେ ଓ ପ୍ରତ୍ୟୁତ୍ତରରେ ରାଜା ଦୁଷ୍ୟନ୍ତ ବି ସେମିତି ଅନେକ କଟୁ ବାକ୍ୟ ତାଙ୍କୁ ଫେରାଇଲେ ।
ଶେଷରେ ଶକୁନ୍ତଳା ଭରା ରାଜସଭାରେ ଦୁଷ୍ୟନ୍ତଙ୍କୁ କହିଲେ ତାଙ୍କର ଏଠି ରହିବାର କୌଣସି ଆଗ୍ରହ ନାହିଁ । ସେ କେବଳ ତାଙ୍କ ପୁଅକୁ ତା' ବାପାକୁ ଚିହ୍ନା କରାଇବାକୁ ଏଠାକୁ ଆସିଥିଲେ । ଏତିକି କହି ରାଜସଭାରୁ ଶକୁନ୍ତଳା ପ୍ରସ୍ଥାନ କରିବାର ପ୍ରୟାସ ସମୟରେ ହଠାତ୍ ଦୈବବାଣୀ ହେଲା । ଦୈବବାଣୀ ଦୁଷ୍ୟନ୍ତଙ୍କୁ କୁହିଲେ ଯେ ଶକୁନ୍ତଳା ହିଁ ରାଜାଙ୍କର ପତ୍ନୀ ଓ ତାଙ୍କ ସହ ଥିବା ବାଳକଟି ଦୁଷ୍ୟନ୍ତଙ୍କ ପୁଅ । ସେ ବିନା ଦ୍ୱିଧାରେ ସେମାନଙ୍କୁ ଗ୍ରହଣ କରିବା ଉଚିତ ।
ରାଜା ଦୁଷ୍ୟନ୍ତ ତ ସେ କଥା ପ୍ରଥମରୁ ଜାଣିଥିଲେ । ଯେହେତୁ ସେ ସମସ୍ତଙ୍କ ଅଗୋଚରରେ ବିବାହ କରିଥିଲେ ତେଣୁ ତାଙ୍କ ବିବାହ କଥା କେହି ଜଣିନଥିଲେ । ଏବେ ଆକାଶବାଣୀ ଯୋଗୁଁ ସେ କଥା ଅନ୍ୟ ସମସ୍ତେ ଵି ଜାଣିଲେ । ତାପରେ ରାଜା ଶକୁନ୍ତଳାକୁ ନିଜ ବ୍ୟବହାର ପାଇଁ କ୍ଷମା ମାଗିଲେ ଓ ଆପଣା ପତ୍ନୀ ଏବଂ ପୁତ୍ରକୁ କୋଳେଇ ନେଲେ ।
ଦୁଷ୍ୟନ୍ତ ଓ ଶକୁନ୍ତଳାଙ୍କ ପୁଅ ସର୍ବଦମନଙ୍କର ନାମ ଭରତ ରଖାଗଲା । ମା'ଙ୍କ ପଟରୁ ସେ ସୂର୍ଯ୍ୟବଂଶୀ ଥିଲେ ଓ ବାପାଙ୍କ ପଟରୁ ଚନ୍ଦ୍ରବଂଶୀ । ଭରତ ବଡ଼ ହୋଇ ରାଜା ହେଲେ ଓ ସମଗ୍ର ଜମ୍ବୁଦୀପକୁ ଶାସନ କଲେ । ଭରତ ଥର ଥର କରି ତିନିଥର ବିବାହ କରିଥିଲେ । ବିଭିନ୍ନ ସମୟରେ ତିନି ରାଣୀଙ୍କ ଗର୍ଭରୁ ଭିନ୍ନ ଭିନ୍ନ ସନ୍ତାନ ଜନ୍ମ ହେଉଥା'ନ୍ତି । କିନ୍ତୁ ଭରତଙ୍କୁ ଲାଗୁଥାଏ ପିଲାମାନେ ତାଙ୍କ ପରି ହେଉନାହାଁନ୍ତି । ତାଙ୍କୁ ସବୁବେଳେ ଲାଗୁଥାଏ କୌଣସି ପୁଅ ନା ତାଙ୍କ ପରି ଦିଶୁଛି ନା ତାଙ୍କ ଗୁଣ ଆଣିଛି ।
ଏମିତି ଘଟଣା ଚାଲିଥାଏ । ତିନି ରାଣୀ ସମୟ ସମୟରେ ସନ୍ତାନ ଜନ୍ମ କରୁଥା'ନ୍ତି ଓ ଭରତ ସେମାନଙ୍କୁ ପରଖିଲା ପରେ ନାକଚ କରୁଥା'ନ୍ତି । ଉତ୍ତରାଧିକାରୀ ଖୋଜା ଭିତରେ ଅନେକ ସମୟ ବିତିଗଲା । ଶେଷକୁ ଦିନେ ରାଜା ଭରତ ବୁଢ଼ା ବୟସରେ ପହଞ୍ଚିଲେ । ଜନ୍ମ କଲା ସବୁ ପୁଅଙ୍କୁ ତ ସେ ଏଡ଼ାଇ ସାରିଥା'ନ୍ତି । ଏବେ ବୁଢ଼ାରଜା ଭରତଙ୍କ ପାଖରେ ତାଙ୍କ ଅନ୍ତେ ତାଙ୍କ ରାଜ୍ୟ ସମ୍ଭାଳିବାକୁ କେହି ଉତ୍ତରାଧିକାରୀ ନଥା'ନ୍ତି ।
ସେଉଠୁ ଭରତ ଏକ ଯଜ୍ଞର ଆୟୋଜନ କଲେ । ଜଣେ ଭଲ ରାଜା ଭାବରେ ଭରତଙ୍କର ଖୁବ ନାଁ ଥାଏ । ରାଜାଙ୍କ ପୁତ୍ରେଷ୍ଠି ଯଜ୍ଞରେ ଦେବତାମାନେ ଖୁସି ହେଲେ ଓ ଆର୍ଶୀବାଦର ବରଦାନରେ ପୁଅଟିଏ ଦେଲେ । ପୁଅର ନାମ ରଖାଗଲା ଭିତାଥା। ତାଙ୍କର ଅନ୍ୟ ଏକ ନାମ ଭୂମନ୍ୟୁ ।
ନିଜ ଜନ୍ମିତ ଅଯୋଗ୍ୟ ସନ୍ତାନଙ୍କ ଅପେକ୍ଷା ବରଂ ଜଣେ ପାଳିତ ଉପଯୁକ୍ତ ଉତ୍ତରାଧିକାରୀ ହାତରେ ଦେଶ ଓ ସିଂହାସନକୁ ସମର୍ପି ଦେବା ଉଚିତ ବୋଲି ଭରତ ଦେଖାଇଦେଲେ । ଜଣେ ଭଲ ରାଜା ଓ ଅନେକ ମହାନ କାମ ପାଇଁ ତାଙ୍କ ନାମ ଅନୁସାରେ ଆମ ଦେଶର ନାମ ପରବର୍ତ୍ତୀ ସମୟରେ ଭାରତବର୍ଷ ହେଲା । ଭରତରୁ ଭାରତ ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)