• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ଇଳା ଓ ବୁଧଙ୍କ ପୁଅ ହେଉଛନ୍ତି ପୁରୁରବା । ସେ ପୁରୁ ନାମକ ପର୍ବତରେ ଜନ୍ମ ହୋଇଥିଲେ ବୋଲି ତାଙ୍କ ନାମ ରଖାଯାଇଥିଲା ପୁରୁରବା। ରାଜା ସୁଦ୍ୟୁମ୍ନଙ୍କ ଅନ୍ତେ ସେ ରଜା ହୋଇ ରାଜ୍ୟ ଭାର ସମ୍ଭାଳିଲେ । ପୁରୁରବା ପ୍ରସିଦ୍ଧ ଚନ୍ଦ୍ର ବଂଶର ପ୍ରତିଷ୍ଠାତା ।

ଦେବରାଜ ଇନ୍ଦ୍ରଙ୍କ ରାଜସଭାର ଅନ୍ୟତମ ସୁନ୍ଦରୀ ଅପସରୀ ହେଉଛନ୍ତି ଉର୍ବଶୀ । ଏକଦା ଋଷି ବିଶ୍ୱାମିତ୍ର ଘୋର ତପସ୍ୟା କରୁଥା'ନ୍ତି । ବିଶ୍ୱାମିତ୍ର ତପସ୍ୟାରେ କାଳେ ସିଦ୍ଧ ହୋଇ ଇନ୍ଦ୍ରପଦ ହାସଲ କରିବେ, ସେଥିପାଇଁ ତାଙ୍କ ତପସ୍ୟାରେ ବିଘ୍ନ ଘଟାଇବାକୁ ଦେବରାଜ ଇନ୍ଦ୍ର ଆପଣା ରାଜସଭାର ସୁନ୍ଦରୀ ଅପସରା ମେନକା ଓ ଉର୍ବଶୀଙ୍କୁ ମର୍ତ୍ତ୍ୟଲୋକକୁ ପଠାଇଥା'ନ୍ତି । ଅପସରୀ ଦୁହେଁ ବାର ବାର ତପସ୍ୟାରେ ବିଘ୍ନ ଘଟାଇବାରୁ, ଶେଷରେ ଋଷି ବିଶ୍ୱାମିତ୍ର ଉର୍ବଶୀଙ୍କୁ ସ୍ୱର୍ଗ ଛାଡ଼ି ମର୍ତ୍ତ୍ୟଲୋକରେ ରହିବା ପାଇଁ ଅଭିଶାପ ଦେଇଦେଲେ । ଋଷିଙ୍କ ଅଭିଶାପରୁ ମୁକ୍ତି କାହିଁ? ଉର୍ବଶୀଙ୍କୁ ସ୍ୱର୍ଗଲୋକ ଛାଡ଼ି ବାଧ୍ୟରେ ମର୍ତ୍ତ୍ୟଲୋକ ଆସିବାକୁ ପଡିଲା ।

ମର୍ତ୍ତ୍ୟଲୋକରେ ପହଞ୍ଚିଲା ପରେ, ଥରେ ଘନ ଜଙ୍ଗଲରେ ଥିବା ଏକ ସ୍ୱଚ୍ଛ ଝରଣାର ଶୀତଳ ଜଳରେ ଉର୍ବଶୀ ଗାଧାଉଥା'ନ୍ତି । ସେଇ ଏକା ଜଙ୍ଗଲକୁ ପାରିଧୀ ଉଦ୍ଦେଶ୍ୟରେ ଆସିଥା'ନ୍ତି ରାଜା ପୁରୁରବା । ହଠାତ୍ ମନୋରମ ପ୍ରକୃତି ଭିତରେ ଏକ ଜଙ୍ଗଲୀ ଝରଣାର ଶୀତଳ ପାଣିରେ ସ୍ନାନରତା ଜଣେ ସୁନ୍ଦରୀ ଯୁବତୀଙ୍କୁ ଦେଖି ରାଜା ପୁରୁରବା ଅଟକି ଗଲେ । ସ୍ନାନରତା ସୁନ୍ଦରୀ ଅପସରୀର ସୌନ୍ଦର୍ଯ୍ୟରେ ଏକଦମ ମୁଗ୍ଧ ହୋଇଗଲେ ରାଜା । ପ୍ରଥମ ଦେଖାରୁ ହିଁ ସେଇଠି ମନେ ମନେ ଯୁବତୀର ପ୍ରେମରେ ପଡ଼ିଗଲେ ସେ । ପୁରୁରବା ମନେ ମନେ ଭାବିବାକୁ ଲାଗିଲେ ଏମିତିକା ସୁନ୍ଦରୀକୁ ବିବାହ କଲେ ଜୀବନ ତାଙ୍କର ପୁରିଉଠନ୍ତା । କିଛି ସମୟ ରାଜା ସେଇଠି ଠିଆହେଇ ମନେ ମନେ କେତେ କ'ଣ ଭାବିଚାଲିଲେ । ବେଶି ସମୟ ଆଉ ମନର କଥା ମନ ଭିତରେ ନରଖି, ପୁରୁରବା ଏଥର ସିଧାସଳଖ ଉର୍ବଶୀଙ୍କ ନିକଟକୁ ଗଲେ ଓ ନିଜର ପରିଚୟ ଦେଇ ବିବାହ କରିବାର ପ୍ରସ୍ତାବ ଦେଲେ । କହିଲେ ରାଜି ହେଲେ ତାଙ୍କୁ ରାଜପ୍ରାସଦରେ ରାଣୀ କରି ରଖିବାକୁ ସେ ପ୍ରସ୍ତୁତ। ରାଜା ପୁରୁରବାଙ୍କ ପୌରୁଷ, ଶୌର୍ଯ୍ୟ ଓ ବୀରତ୍ୱ ବି ଉର୍ବଶୀଙ୍କୁ ପସନ୍ଦ ହୋଇସାରିଥିଲା । କିନ୍ତୁ ମର୍ତ୍ତ୍ୟଲୋକର ଜଣେ ମାନବ ରାଜାଙ୍କୁ ବିବାହ କରି ସ୍ୱର୍ଗଲୋକ ଛାଡ଼ି ସବୁଦିନ ପାଇଁ ସେ ବା କେମିତି ରହିପାରିବେ? ପରିସ୍ଥିତି ଓ ପ୍ରସ୍ତାବକୁ ଏଡ଼ାଇ ଦେବାକୁ ସେ ପୁରୁରବାଙ୍କୁ କହିଲେ, ତାଙ୍କର ଏ ବିବାହରେ କୌଣସି ଆପତ୍ତି ନାହିଁ । କିନ୍ତୁ ତାଙ୍କର ମାତ୍ର ଦୁଇଟି ସର୍ତ୍ତ ରହିଛି । ରାଜା ସେ ସର୍ତ୍ତ ଦୁଇଟିକୁ ମାନିନେବା ପାଇଁ ଯଦି କଥା ଦିଅନ୍ତି, ତେବେ ସେ ରାଜାଙ୍କ କଥାରେ ଆଦୌ ଅରାଜି ହେବେନି । କୌତୁହଳରେ ରାଜା ପୁରୁରବା ଉର୍ବଶୀଙ୍କ ଦୁଇଟି ସର୍ତ୍ତ ତେବେ କ'ଣ ବୋଲି ପଚାରିଲେ । ଉର୍ବଶୀ ସ୍ମିତ ହାସ ସହ କହିଲେ ଯେ, ପ୍ରଥମ ସର୍ତ୍ତଟି ହେଲା ତାଙ୍କର ଗୋଟେ ମେଣ୍ଢା ଛୁଆ ଅଛି; ଅତି ପ୍ରିୟ, ପ୍ରାଣରୁ ବଳି ବୋଲି ଜାଣ । ପୁରୁରବା ସେଇ ମେଣ୍ଢା ଛୁଆଟିକୁ ସବୁବେଳେ ସୁରକ୍ଷା ଦେବା ପାଇଁ କଥା ଦେବେ । ଅନ୍ୟଟି ହେଲା କେବେହେଲେ ବି ପୁରୁରବା ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ତାଙ୍କ ସାମ୍ନାକୁ ଆସିବେନି ।

ଉର୍ବଶୀଙ୍କର ଧାରଣା ଥିଲା ତାଙ୍କର ଏମିତି ଅଜବ ସର୍ତ୍ତରେ ପୁରୁରବା କେବେବି ରାଜି ହେବେନି । କିଏ ଅବା ରାଜି ହେଇଥା'ନ୍ତା? କିନ୍ତୁ ଅପରୂପା ଅପସରୀର ପ୍ରେମରେ ପୁରୁରବା ଏତେମାତ୍ରାରେ ଭୋଳ ଥିଲେ ଯେ, ଉର୍ବଶୀଙ୍କ ସର୍ତ୍ତରେ ରାଜି ହୋଇଗଲେ । ଦୁଇ କାହିଁକି ଉର୍ବଶୀଙ୍କ ଶହେ ସର୍ତ୍ତରେ ସେ ହୁଏତ ସେତେବେଳେ ରାଜି ହୋଇଯାଇଥା'ନ୍ତେ । ପୁରୁରବା ରାଜି ହେଲା ପରେ ଉର୍ବଶୀଙ୍କର ଆଉ ଉପାୟ ବା କ'ଣ ଥିଲା? ବାଧ୍ୟ ହେଇ ସେ ବିବାହ କରି ପୁରୁରବାଙ୍କ ରାଜପ୍ରାସାଦରେ ତାଙ୍କ ରାଣୀ ହେଇ ରହିଲେ ।

ପୁରୁରବା ଖୁବ ଭଲପାଉଥିଲେ ଉର୍ବଶୀଙ୍କୁ । ଉର୍ବଶୀ ବି କିଛି କମ୍ ଭଲ ପାଉନଥିଲେ ସ୍ୱାମୀ ପୁରୁରବାଙ୍କୁ । ପ୍ରେମ ଓ ଭଲପାଇବାରେ ଦୁହେଁ ଦୁହିଁକୁ ନେଇ ବେଶ୍ ଖୁସି ଥିଲେ । ଖୁସିରେ ଖୁସିରେ ଅତିବାହିତ ହୋଇଯାଉଥିଲା ସମୟ । ସମୟ ଗଡି ଯାଉଥିଲା ଆଗକୁ ।

ସେପଟେ ଉର୍ବଶୀଙ୍କର ଏତେଦିନ ଧରି ଦେବ ସଭାରେ ଅନୁପସ୍ଥିତ ରହିବାକୁ ଦେବରାଜ ଇନ୍ଦ୍ର ପସନ୍ଦ କରୁନଥିଲେ । ଦେବସଭାରେ ଗନ୍ଧର୍ବମାନଙ୍କର ସଂଗୀତ ପରିବେଷଣ ସୁନ୍ଦରୀ ଉର୍ବଶୀଙ୍କ ନୃତ୍ୟ ବିନା ପୂର୍ଣ୍ଣାଙ୍ଗ ହେଉନଥିଲା । ଇନ୍ଦ୍ରଦେବ ଗନ୍ଧର୍ବମାନଙ୍କୁ କହିଲେ ବହୁ ଦିନ ହେଇଗଲାଣି । ଏବେ ପୁରୁରବାଙ୍କ ପାଖରୁ ଉର୍ବଶୀଙ୍କୁ କୌଣସି ଉପାୟରେ ସ୍ୱର୍ଗକୁ ଫେରାଇଆଣିବାକୁ ହେବ । ଗନ୍ଧର୍ବମାନେ ସେଥିପାଇଁ ଉପାୟମାନ ଚିନ୍ତାକରିବାକୁ ଲାଗିଲେ । ଉପାୟ ବି ମିଳିଗଲା । ଅନେକ ଆଗରୁ ଉର୍ବଶୀ ସ୍ୱୟଂ ନିଜେ ତାଙ୍କ ଫେରିବା ରାସ୍ତାକୁ ପ୍ରସ୍ତୁତ କରି ରଖିଥିଲେ ।

ଦିନେ ପୁରୁରବା ଓ ଉର୍ବଶୀ ରାତ୍ରକାଳୀନ ରତିକ୍ରୀଡାରେ ମଗ୍ନ ଥାଆନ୍ତି । ଠିକ୍ ସେତିକିବେଳେ ବିଶ୍ୱବସୁ ନାମକ ଗନ୍ଧର୍ବ ଅନ୍ୟକିଛି ଗନ୍ଧର୍ବଙ୍କୁ ସାଙ୍ଗରେ ଧରି ପୁରୁରବା ଓ ଉର୍ବଶୀଙ୍କ ପଲଙ୍କ ଗୋଡ଼ରେ ବନ୍ଧା ମେଣ୍ଢାଛୁଆକୁ ଚୋରି କରିନେବାକୁ ବାହାରିଲେ । ରାତିର ଅନ୍ଧାରରେ ଅଚିହ୍ନା କେହି ତାକୁ ଜୋର୍ କରି ଧରି ନେଇଯିବାରୁ ମେଣ୍ଢା ଛୁଆଟି ହଠାତ୍ ତରକିଗଲା । ତରକି ଯିବାରୁ ଭୟରେ ବିକଳରେ ରଡିକଲା । ଉର୍ବଶୀ ଜାଣିଲେ ତାଙ୍କ ପାଳିତ ପ୍ରିୟ ମେଣ୍ଢାଛୁଆକୁ କେହି ଜଣେ ହୁଏତ ଚୋରି କରୁଛି । ତେଣୁ ସେ ପୁରୁରବାଙ୍କୁ କହିଲେ, 'ରାଜା ତୁମେ ଦିନେ ମୋତେ କଥା ଦେଇଥିଲ ମୋ ମେଣ୍ଢାକୁ ସୁରକ୍ଷା ଦେବ । ଏବେ କିଏ ସବୁ ଆସି ମୋ ମେଣ୍ଢା ଛୁଆକୁ ଆମ ପଲଙ୍କ ତଳୁ ଚୋରୀ କରି ନେଇଗଲେଣି । ତାକୁ ଯେମିତି ହେଲେ ରକ୍ଷା କର ।'

ଉର୍ବଶୀଙ୍କ ସହ ରତିକ୍ରୀଡା କରୁଥିବା ପୁରୁରବା ସେତେବେଳକୁ ସମ୍ପୂର୍ଣ୍ଣ ନଗ୍ନ ହେଇ ବିଛଣାରେ ଥାଆନ୍ତି । ଉର୍ବଶୀଙ୍କ କଥାରେ ମେଣ୍ଢା ଚୋରଙ୍କ ପଛରେ ତରତରରେ ଧାଇଁଲା ବେଳକୁ ପୂର୍ବ ଯୋଜନା ମୁତାବକ ହଠାତ୍ ଇନ୍ଦ୍ରଦେବ ସେ ସ୍ଥାନକୁ ବିଜୁଳି ଆଲୋକରେ ଆଲୋକିତ କରିଦେଲେ । ଆଲୋକର ଛିଟାରେ ସମ୍ପୂର୍ଣ୍ଣ ନଗ୍ନ ପୁରୁରବାଙ୍କୁ ଉର୍ବଶୀ ଏବେ ଦେଖିଦେଲେ । ପ୍ରଥମ ଥର ପାଇଁ ନିର୍ବସ୍ତ୍ର ପୁରୁରବାଙ୍କୁ ଦେଖିନେଲେ ସେ । ଗନ୍ଧର୍ବମାନଙ୍କ ଠାରୁ ମେଣ୍ଢାଛୁଆକୁ ପୁରୁରବା ରକ୍ଷାକରି ପ୍ରଥମ ସର୍ତ୍ତ ସିନା ସମ୍ଭାଳିନେଲେ, କିନ୍ତୁ ଅନ୍ୟ ସର୍ତ୍ତଟିକୁ ସିଧାସଳଖ ହାରିଗଲେ ।

The story of the union and separation of a heavenly nymph and a mortal kingସ୍ୱର୍ଗର ଅପ୍ସରୀ ଓ ଜଣେ ମର୍ତ୍ତ୍ୟ ଲୋକର ରାଜାଙ୍କ ମିଳନ ଓ ବିଛେଦର କାହାଣୀ

ଉର୍ବଶୀ କହିଲେ, 'ରାଜା ଆପଣ କଥା ଦେଇଥିଲେ ଯେ, ମୋ ଆଗରେ କେବେବି ସମ୍ପୂର୍ଣ୍ଣ ଭାବରେ ଲଙ୍ଗଳା ହେବେନି । ଏବେ ଆପଣ ଆପଣଙ୍କ କଥା ରକ୍ଷା କରିପାରିଲନି । ମୁଁ ତେଣୁ ଚାଲିଲି । ପୁରୁରବାଙ୍କ ଶତ ଅନୁରୋଧ ପରେ ବି ଉର୍ବଶୀ ଆଉ ମୁହୁର୍ତ୍ତଟେ ବି ରହିଲେନି । ତାଙ୍କୁ ଯଥା ଶୀଘ୍ର ଇନ୍ଦ୍ରଲୋକକୁ ଫେରିବାର ଥିଲା । ଉର୍ବଶୀଙ୍କ କଥାରେ ପୁରୁରବାଙ୍କ ଉପରେ ଯେମିତି ବିଶାଳ ପାହାଡ଼ ଗୋଟେ ଧସେଇ ପଡ଼ିଲା ।

ଉର୍ବଶୀ ଦେବ ସଭାକୁ ଚାଲିଗଲେ । ପ୍ରାଣପ୍ରିୟା ପତ୍ନୀ ଏପରି ଆକସ୍ମିକ ଭାବରେ ତାଙ୍କୁ ଛାଡି ଚାଲିଗଲା ପରେ ପୁରୁରବା ଏକବାର ଭାଙ୍ଗି ପଡିଲେ । ଆଉ କୋଉ କାମରେ ତାଙ୍କର ମନ ଲାଗିଲାନି । ରାଜପ୍ରାସାଦ, ସିଂହାସନ ଓ ବିଷୟସୁଖ ସବୁ କିଛି ତୁଚ୍ଛ ଲାଗିଲା ତାଙ୍କୁ । ଘର ଦ୍ୱାର ଛାଡ଼ି ସେ ବିରହ ପିଡ଼ୀତ ହୋଇ ବଣ, ଜଙ୍ଗଲ ଓ ପାହାଡ଼ ସବୁଠି ବୁଲି ବୁଲି କେବଳ ଉର୍ବଶୀଙ୍କୁ ଖୋଜିବାକୁ ଲାଗିଲେ । ଏମିତି ବୁଲୁ ବୁଲୁ ଦିନେ ଗୋଟେ ନିରୋଳା ନିକାଞ୍ଚନ ହ୍ରଦରେ ଦେଖିଲେ ଗୋଟେ ଏକୁଟିଆ ହଂସ ପହଁରୁଛି । ସେ ଜାଣି ପାରିଲେ ସେ ହଂସଟି ଆଉ କେହି ନୁହେଁ ତାଙ୍କ ପ୍ରାଣ ପ୍ରିୟା ଉର୍ବଶୀ । ଏତେ ଦିନ ପରେ ଉର୍ବଶୀଙ୍କୁ ପାଖରେ ପାଇ ପୁରୁରବାଙ୍କ ଖୁସି କହିଲେ ନସରେ । ତାପରେ ସେ ବଡ଼ ବିକଳ ହୋଇ ଉର୍ବଶୀଙ୍କୁ ଏଥର ଘରକୁ ଫେରି ଆସି ତାଙ୍କ ସହ ରହିବାକୁ ଅନୁରୋଧ କରିବାକୁ ଲାଗିଲେ ।

ଉର୍ବଶୀ ରାଜା ପରୁରୁରବାଙ୍କୁ ଭୁଲିନଥିଲେ । ରାଜାଙ୍କ ପ୍ରତି ଥିବା ଅନୁରାଗ ସରିଯାଇନଥିଲା । ଉର୍ବଶୀ ଏଥର ରାଜା ପୁରୁରବାଙ୍କୁ ବୁଝାଇ କହିଲେ ଯେ, ନା ନା ସେ କଥା ଆଉ ଏବେ ସମ୍ଭବ ନୁହେଁ । କିନ୍ତୁ ପୁରୁରବାଙ୍କୁ ସେ ଗୋଟେ ଖୁସି ଖବର ମଧ୍ୟ ଦେଲେ । କହିଲ ସେ ଏବେ ରାଜାଙ୍କ ଔରସରୁ ଗର୍ଭବତୀ । ତେବେ ପୁରୁରବା ଯଦି ତାଙ୍କୁ ଭେଟିବାକୁ ଏତେ ବ୍ୟାକୁଳ ତେବେ ଠିକ୍ ବର୍ଷେ ପରେ ସେ ଏଇଠିକୁ ଆସି ତାଙ୍କୁ ଓ ତାଙ୍କ ସନ୍ତାନକୁ ଭେଟିପାରିବେ । ସେଇଦିନ ରାତିଟା ସେମାନେ ସେଇଠି ଏକାନ୍ତରେ ଏକାଠି ସମୟ ବିତାଇ ପାରିବେ ।

ତାପରେ ପୁରୁରବା ପୁରା ବର୍ଷର ଦିନ ମାସ ଗଣି ଗଣି ସେ ଦିନକୁ ଅପେକ୍ଷା କରିବାକୁ ଲାଗିଲେ । କଥା ଅନୁସାରେ ଠିକ୍ ବର୍ଷେ ପରେ ସେଇ ନିର୍ଦ୍ଧିଷ୍ଟ ସ୍ଥାନରେ ଦୁହିଁଙ୍କର ଆଉଥରେ ଦେଖାହେଲା । ସେଦିନ ରାଜା ପୁରୁରବାଙ୍କ ହାତରେ ଉର୍ବଶୀ ଟେକିଦେଲେ ସେମାନଙ୍କ ପ୍ରଥମ ସନ୍ତାନକୁ । ବର୍ଷକୁ ଥରେ ମାତ୍ର ଗୋଟେ ରାତି ପାଇଁ ଉର୍ବଶୀଙ୍କ ସହ ପୁରୁରବାଙ୍କର ପ୍ରେମପୂର୍ଣ୍ଣ ମିଳନ ହେଉଥିଲା । ପ୍ରତି ବର୍ଷ ଉର୍ବଶୀ ମଧ୍ୟ ପୁରୁରବାଙ୍କୁ ଗୋଟିଏ ଗୋଟିଏ କରି ପୁତ୍ର ସନ୍ତାନ ଉପହାର ଦେଉଥିଲେ ।

ଏମିତି ଏମିତି ପୁରୁରବା ଓ ଉର୍ବଶୀଙ୍କର ମିଳନରୁ ଛଅ ବର୍ଷରେ ଛଅଟି ପୁତ୍ର ସନ୍ତାନ ଜନ୍ମ ହେଲେ । ସେମାନଙ୍କ ନାମ ରଖା ହେଲା ଆୟୁସ୍, ଅମାବାସୁ, ବିଶ୍ୱାୟୁ, ଶ୍ରୁତାୟୁ, ଦୃଢ଼ାୟୁ ଓ ଶତାୟୁ ।

ଛଅଟି ପିଲାଙ୍କର ଜନ୍ମ ପରେ, ଉର୍ବଶୀ ଥରେ ପୁରୁରବାଙ୍କୁ କହିଲେ, ଏମିତି ବର୍ଷକୁ ଥରେ ମାତ୍ର ଦେଖା ହେବା ଅପେକ୍ଷା ସବୁଦିନ ଦେଖାହେବାର ଉପାୟ ପାଇଁ ପୁରୁରବାଙ୍କୁ ଚେଷ୍ଟା କରିବାକୁ ପଡ଼ିବ। ତା'ର ଉପାୟ ବି ରାଜାଙ୍କୁ ଉର୍ବଶୀ ବତେଇ ଦେଲେ । ପୁରୁରବା ଯଦି ନିଷ୍ଠାପର ଭାବରେ ତପସ୍ୟା କରି ନିଜକୁ ଜଣେ ଗନ୍ଧର୍ବ କରିପାରିବେ, ତେବେ ଆଉ କିଛି ଅସୁବିଧା ରହିବନି । ଉର୍ବଶୀଙ୍କ କଥା ମାନି ପୁରୁରବା ସେଇଆ ହିଁ କଲେ । କାରଣ ସେ ଉର୍ବଶୀଙ୍କୁ ଛାଡି ଗୋଟେ ମୁହୂର୍ତ୍ତ ଅଲଗା ରହିବାକୁ ଚାହୁଁନଥିଲେ କି ରହିବି ପାରୁନଥିଲେ ।

ଶେଷରେ ଦିନେ ପୁରୁରବା ନିଜ ରାଜ୍ୟର ସମସ୍ତ ଶାସନ ଭାର ଆପଣା ସନ୍ତାନମାନଙ୍କ ହାତରେ ସମର୍ପି ଦେଇ ତପସ୍ୟା କରିବାକୁ ଅରଣ୍ୟକୁ ବାହାରିଗଲେ । ଅନେକ ଜପ, ତପ ଓ ନିଷ୍ଠାପର ତପସ୍ୟା ପରେ ଶେଷରେ ଦିନେ ଦେବତାମାନଙ୍କ ଆଶୀର୍ବାଦରେ ଗନ୍ଧର୍ବ ହୋଇ, ଦେବସଭାରେ ପହଞ୍ଚିଲେ ଓ ସେଇଠି ପ୍ରାଣପ୍ରିୟା ଉର୍ବଶୀଙ୍କୁ ଭେଟିଲେ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now