ପାଣ୍ଡବ ଓ କୌରବ ଭାଇମାନଙ୍କ ସହାୟତାରେ ଆଚାର୍ଯ୍ୟ ଦ୍ରୋଣ ତାଙ୍କ ପିଲାଦିନର ସାଙ୍ଗ ପାଞ୍ଚାଳ ଦେଶର ରାଜା ଦ୍ରୁପଦଙ୍କୁ ପରାସ୍ତ କରି ଅଧା ଦେଶ ପୁଣି ଦ୍ରୁପଦଙ୍କୁ ଦାନ କରି ଅନ୍ୟ ଅଧକରେ ରାଜତ୍ୱ କରୁଥା'ନ୍ତି ।
ଦ୍ରୁପଦ କିନ୍ତୁ ବଡ କଷ୍ଟରେ ଥାଆନ୍ତି । ତାଙ୍କର ଦୁଃଖ ଯେ, ସେ ଦ୍ରୋଣଙ୍କ ଅପମାନର ପ୍ରତିଶୋଧ ନେବା ପାଇଁ କିଛି ରାସ୍ତା ପାଉନଥାନ୍ତି । ସେ ଜାଣିଥାନ୍ତି, ଯୁଦ୍ଧରେ ସେ ଦ୍ରୋଣ ଏବଂ ତାଙ୍କ ପାଣ୍ଡବ ଓ କୌରବ ଶିଷ୍ୟମାନଙ୍କୁ କେବେ ବି ପରାସ୍ତ କରିପାରିବେନି । ତାପରେ କୌଣସି କ୍ଷତ୍ରୀୟ ରାଜା ସେମାନଙ୍କ ବିରୁଦ୍ଧରେ ଠିଆ ହେବାକୁ ରାଜି ନଥା'ନ୍ତି । ତେଣୁ ଦ୍ରୁପଦ ଅନ୍ୟ ରାସ୍ତା ଖୋଜୁଥାନ୍ତି । ସେ ଉପଯୁକ୍ତ ବୈଦିକ ବ୍ରାହ୍ମଣଙ୍କ ସନ୍ଧାନରେ ଥାଆନ୍ତି । ତାଙ୍କୁ ପୁତ୍ରେଷ୍ଠି ଯଜ୍ଞର ଆୟୋଜନ କରିବାକୁ ହେବ ଓ ଦେବତାମାନଙ୍କୁ ସନ୍ତୁଷ୍ଟ କରିବାକୁ ହେବ । କେବଳ ଦେବତାମାନେ ହିଁ ଯଜ୍ଞରେ ସନ୍ତୁଷ୍ଟ ହୋଇ ତାଙ୍କୁ ଜଣେ ଶକ୍ତିଶାଳୀ ପୁଅଟିଏ ଦେଇପାରିବେ । ତାଙ୍କର ଜଣେ ବୀର ଯୋଦ୍ଧା ପୁଅଟିଏ ଲୋଡା, ଯିଏ ଦ୍ରୋଣଙ୍କୁ ମାରି ତାଙ୍କ ଅପମାନର ପ୍ରତିଶୋଧ ନେଇପାରିବ ।
ଅପମାନରେ ଜଳୁଥିବା ଦ୍ରୁପଦ ଶିବ ମହାଦେବଙ୍କ ଆରାଧନା ଆରମ୍ଭ କଲେ । ଦ୍ରୁପଦଙ୍କର କେବଳ ଦ୍ରୋଣଙ୍କ ଉପରେ ରାଗ ନଥିଲା, ଦ୍ରୋଣଙ୍କୁ ଆଶ୍ରୟ ଦେଇଥିବା କୁରୁ ବଂଶର ମୁଖିଆ ପିତାମହ ଭୀଷ୍ମଙ୍କ ଉପରେ ବି ଥିଲା । ଅନ୍ୟମାନଙ୍କ ଉପରେ ବି ଥିଲା । ଦ୍ରୁପଦଙ୍କର ଘୋର ତପସ୍ୟାରେ ଶିବ ସନ୍ତୁଷ୍ଟ ହେଲେ ଓ ତଥାସ୍ତୁ କହିଲେ । ତାପରେ ଦ୍ରୁପଦଙ୍କ ରାଣୀ କନ୍ୟା ସନ୍ତାନଟିଏ ଜନ୍ମ କଲେ । ସେତିକିବେଳେ ହଠାତ୍ ଦୈବ ବାଣୀ ହେଲା -ଏ ଝିଅ ବଡ ହେଲାବେଳକୁ ତା' ଶରୀର କିନ୍ତୁ ପୁଅ ପରି ହେବ ।
ଦ୍ରୁପଦଙ୍କ ଘରେ ଝିଅ ହେଇ ଯିଏ ଜନ୍ମ ହେଇଥିଲେ, ସେ କନ୍ୟା ପୂର୍ବଜନ୍ମରେ କାଶୀ ରାଜାଙ୍କ ବଡ଼ ଝିଅ ଅମ୍ବା ଥିଲେ । ଯାହାକୁ ଏକଦା ଭୀଷ୍ମ ତାଙ୍କ ଭାଇଙ୍କ ସହ ବିବାହ ଦେବାକୁ ଅପହରଣ କରି ଆଣିଥିଲେ । ଘଟଣା କ୍ରମରେ ସେ ତାଙ୍କ ପ୍ରେମିକ ରାଜା ସଲ୍ୱ କିମ୍ବା ଭୀଷ୍ମଙ୍କ ଭାଇ ବିଚିତ୍ରବିର୍ଯ୍ୟ, କାହାକୁ ବି ବିବାହ କରିପାରିନଥିଲେ । ଭାଗ୍ୟର ବିପର୍ଯ୍ୟୟ ପାଇଁ ସେ ଭୀଷ୍ମଙ୍କୁ ଦାୟୀ କରିଥିଲେ ଓ ଅଗ୍ନିରେ ଆତ୍ମାହୂତୀ ଦେଇଥିଲେ । ମୃତ୍ୟୁ ପୂର୍ବରୁ ଅମ୍ବା ତପସ୍ୟା କରି ପରଜନ୍ମରେ ଭୀଷ୍ମଙ୍କୁ ମାରିବାର ବର ପାଇଥିଲେ। ଦ୍ରୁପଦଙ୍କ ସେ ପୁଅ ଶରୀର ଥିବା ଝିଅର ନାମ ଦିଆଗଲା ଶ୍ରୀଖଣ୍ଡୀ।
ଝିଅ ଜନ୍ମରେ ଦ୍ରୁପଦ ବେଶି ଖୁସି ହେଲେନି । କଥା ହେଲା ତାଙ୍କର ମୁଖ୍ୟ ଶତ୍ରୁ ଦ୍ରୋଣଙ୍କୁ ମାରିବ କିଏ? କିଏ ପୁଣି ଧ୍ୱଂସ କରିବ ପୁରା କୁରୁ କୂଳକୁ?
ଦିନେ ଗଙ୍ଗା କୂଳରେ ରାଜା ଦ୍ରୁପଦ ଦୁଇଜଣ ଅତ୍ୟନ୍ତ ନିଷ୍ଠାବାନ ବ୍ରାହ୍ମଣଙ୍କ ସନ୍ଧାନ ପାଇଲେ । ସେମାନେ ହେଲେ ଦୁଇ ଭାଇ, ୟଜ ଓ ଉପୟଜ । ରାଜା ଦ୍ରୁପଦ ଅତ୍ୟନ୍ତ ବିନମ୍ରତାର ସହ ଉପୟଜଙ୍କ ପାଖରେ ପହଞ୍ଚି ତାଙ୍କୁ ପ୍ରଣାମ କରି ଅନୁରୋଧ କରି କହିଲେ ତାଙ୍କର ପୁତ୍ର ଲାଭ ପାଇଁ ସେ ତାଙ୍କ ପାଇଁ ଏକ ପୁତ୍ରେଷ୍ଠି ଯଜ୍ଞର ଆୟୋଜନ କରନ୍ତୁ । ନିଜର ଉଦ୍ଦେଶ୍ୟ ବୁଝେଇ ଦ୍ରୁପଦ କହିଲେ - ମୋର ଏମିତି ଏକ ପୁଅଟେ ଦରକାର ଯିଏ ମୋର ବାଲ୍ୟ ବନ୍ଧୁ ଆଚାର୍ଯ୍ୟ ଦ୍ରୋଣକୁ ଦିନେ ହତ୍ୟା କରିବ । ଯଜ୍ଞ ଆୟୋଜନ ପାଇଁ ମୁଁ ଆପଣଙ୍କୁ ଦଶ ଲକ୍ଷ ଗାଈ ବି ଦାନ ଭାବରେ ଦେବି । ତାପରେ ଆପଣ ଆଉ ଯଦି କିଛି ଚାହିଁବେ, ମୁଁ ତାହା ବି ଦେବାକୁ ରାଜି ଅଛି। କିନ୍ତୁ ସର୍ତ୍ତ ହେଲା ମୋର ବଳଶାଳୀ ପୁଅଟିଏ ଦରକାର, ଯିଏ ଦ୍ରୋଣଙ୍କୁ ମାରିପାରିବ ।
ଦ୍ରୁପଦଙ୍କ ଅନୁରୋଧ ଏଡାଇ ଯାଇ ଋଷି ଉପୟଜ କହିଲେ, ବରଂ ଏ ଅନୁରୋଧ ସେ ତାଙ୍କ ଭାଇ ୟଜଙ୍କୁ କରନ୍ତୁ । ମୁଁ ଏ କାମ ପାରିବିନି । ୟଜ ହୁଏତ ତୁମର ସହାୟତା କରିପାରନ୍ତି । ଦ୍ରୁପଦ ତାପରେ ୟଜଙ୍କ ପାଖକୁ ଗଲେ ଓ ସେଇ ଏକା ଅନୁରୋଧ କଲେ ଓ ଯଜ୍ଞ ବାବଦରେ ଗାଈ ଦାନ କରିବା କଥା କହିଲେ । ଏଥର ରାଜାଙ୍କ ଅନୁରୋଧ ୟଜ ରଖିଲେ ଓ ଯଜ୍ଞର ଆୟୋଜନ କରାଗଲା । ୟଜଙ୍କୁ ତାଙ୍କ ଭାଇ ଉପୟଜ ଯଜ୍ଞରେ ସହଯୋଗ କଲେ । ଯଜ୍ଞ ଆରମ୍ଭ ହେଲା । ଯଜ୍ଞ ଶେଷରେ ତିଆରି ଚାରୁଅନ୍ନକୁ ରାଣୀ ଖାଇଲେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହେବା କଥା । କିନ୍ତୁ ଠିକ ଚାରୁଅନ୍ନ ରନ୍ଧା ସରିଲା ବେଳକୁ ରାଣୀ ଗାଧେଇ ଯାଇଥାନ୍ତି । ତେଣୁ ୠଷି ୟଜ ଓ ଉପୟଜ ଆଉ ରାଣୀଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନକରି ସେ ଚାରୁଅନ୍ନକୁ ଯଜ୍ଞ କୁଣ୍ଡରେ ପକେଇ ଦେଲେ ।
ଚାରୁଅନ୍ନ ଯଜ୍ଞ ଅଗ୍ନିରେ ସମର୍ପିତ ହେଉ ହେଉ ଅଗ୍ନି ଭିତରୁ ଏକ ଯୁବକ ଜନ୍ମ ଲାଭ କଲେ । ଅଗ୍ନି ବର୍ଣ୍ଣର ଭୟଙ୍କର ଦିଶୁଥିବା ସେ ଯୁବକ ଜଣକ ମୁଣ୍ଡରେ ମୁକୁଟ ପିନ୍ଧିଥାନ୍ତି, ହାତରେ ଖଣ୍ଡା ଧରିଥାନ୍ତି, କାନ୍ଧରେ ପକାଇଥାନ୍ତି ଧନୁ ଓ ତୁଣୀର । ଛାତି ତାଙ୍କର ଶକ୍ତ କବଚ ଦ୍ୱାରା ଆବୃତ ଥାଏ । ଜନ୍ମ ହେଉ ହେଉ ସେ ଭୀଷଣ ଗର୍ଜନ କରି ରଥରେ ଚଢି ସେଠୁ ବାହାରିଗଲେ । ହଠାତ୍ ଆକାଶବାଣୀ ହେଲା, ଏଇ ଦୁର୍ଜୟ ଯୁବକ ଦିନେ ଆଚାର୍ଯ୍ୟ ଦ୍ରୋଣଙ୍କ ମୃତ୍ୟର କାରଣ ହେବେ । ଦ୍ରୁପଦ ଖୁସି ହେଲେ ।
ଯୁବକଙ୍କ ଜନ୍ମ ପରେ ପରେ ଯଜ୍ଞ କୁଣ୍ଡର ଅଗ୍ନିରୁ ଜଣେ ଯୁବତୀ ବି ପ୍ରକଟ ହେଲେ । ଶ୍ୟାମଳ ରଙ୍ଗର ସେ କୃଶାଙ୍ଗୀ ଯୁବତୀ ଜଣକ ଅତ୍ୟନ୍ତ ସୁନ୍ଦରୀ ଥିଲେ ଓ ତାଙ୍କ ଦେହ ଅବିକଳ ନୀଳ ପଦ୍ମର ବାସ୍ନା ପରି ବାସୁଥିଲା । ଏଥର ବି ଆକାଶବାଣୀ ହେଲା ଯେ, ଏହି ସୁନ୍ଦରୀ କ୍ଷତ୍ରୀୟ କୂଳର ବିନାଶର କାରଣ ହେବେ । ଜନ୍ମରୁ ଶ୍ୟାମା ରଙ୍ଗର ବୋଲି ଝିଅର ନାମ କୃଷ୍ଣା ରଖାଗଲା । ପାଞ୍ଚାଳ ନରେଶଙ୍କ ନନ୍ଦିନୀ ବୋଲି ତାଙ୍କୁ ପାଞ୍ଚାଳୀ, ଯଜ୍ଞ କୁଣ୍ଡରୁ ଜନ୍ମ ହେଇଥିବାରୁ ଯାଜ୍ଞସେନୀ ଓ ରଜା ଦ୍ରୁପଦଙ୍କ କନ୍ୟା ବୋଲି ଦୌପଦୀ କୁହାଗଲା ।
ଦୌପଦୀ ତାଙ୍କ ଯୌବନ ବୟସରେ ହିଁ ଜନ୍ମ ନେଇଥାନ୍ତି । ଝିଅକୁ ଦେଖି ରାଜା ଦ୍ରୁପଦଙ୍କ ଇଚ୍ଛା ହେଲା ସେ ପୃଥିବୀର ଶେଷ୍ଠ ଧର୍ନୁଧର ବୀର ଅର୍ଜୁନଙ୍କ ସହ ତାଙ୍କ କନ୍ୟାର ବିବାହ ଦେବେ । କିନ୍ତୁ ପଞ୍ଚୁ ପାଣ୍ଡବ ଓ ତାଙ୍କ ମାଆ କୁନ୍ତୀ ବାରଣାବତର ଜଉ ଘରେ ପୋଡିହେଇ ମରିବା ପରେ ସେ ଭାବୁଥିଲେ ଅର୍ଜୁନ ନହେଲେ ନାହିଁ, ଅନ୍ୟ ଜଣେ ବୀର ଧର୍ନୁଦ୍ଧରଙ୍କ ସହ ଝିଅର ବିବାହ ଦେବେ। ହେଲେ କିଏ ସେହି ଶ୍ରେଷ୍ଠ ଧର୍ନୁଦ୍ଧର? ସେ ବା ଜାଣିବେ କେମିତି? ସେଥିପାଇଁ ସେ ଠିକ୍ କରିଥାନ୍ତି ତାଙ୍କ ରାଜଧାନୀରେ ଧର୍ନୁବିଦ୍ୟାର ଏକ ବଡ଼ ପ୍ରତିଯୋଗିତା ଆୟୋଜନ କରିବେ । ସେଠି ଯିଏ ଜିତିବ ସେ ହିଁ ଦୌପଦୀକୁ ବିବାହ କରିବ ।
ବ୍ରାହ୍ମଣର ଛଦ୍ମ ବେଶରେ ବୁଲୁଥିବା ପାଣ୍ଡବ ଭାଇମାନେ ଓ ସେମାନଙ୍କ ମାଆ କୁନ୍ତୀ ଦିନେ ଏ ଖବର ପାଇଲେ । କୁନ୍ତୀ କହିଲେ ଚାଲ ଆମେ ବି ଦ୍ରୁପଦଙ୍କ ଦେଶକୁ ଯିବା । ମୁଁ ଶୁଣିଛି ଖୁବ ସୁନ୍ଦର ଓ ସମୃଦ୍ଧ ଦେଶ ସେଇଟି । ଆମକୁ ଭିକ୍ଷା ମାଗି ଚଳିବାକୁ ଅସୁବିଧା ହେବନି କି ଆମକୁ ସେଠି କେହି ଜାଣିପାରିବେନି । ମାଆଙ୍କ କଥାରେ ରାଜି ହୋଇ ପାଞ୍ଚ ଭାଇ ପାଞ୍ଚାଳ ବାହାରିଲେ । ପାଞ୍ଚାଳ ଦେଶରେ ଶିଘ୍ର ପହଁଞ୍ଚିବା ପାଇଁ ସେମାନେ ଦିନ ରାତି ଚାଲୁଥାନ୍ତି ।
ଦିନେ ରାତିରେ ବାଟ ଖୋଜି ଖୋଜି ଏକ ଜଙ୍ଗଲ ଭିତରେ ଦେଇ ଯିବା ବେଳକୁ ଗଙ୍ଗା ନଦୀ କୁଳରେ ସେମାନେ ପହଞ୍ଚିଥାଆନ୍ତି । ସେଇଠି ଅଙ୍ଗାରପର୍ଣ୍ଣ ନାମକ ଜଣେ ଗନ୍ଧର୍ବ ତାଙ୍କ ପତ୍ନୀଙ୍କ ସହ ଜଳ କ୍ରୀଡା କରୁଥାନ୍ତି । ହଠାତ୍ ପାଣ୍ଡବମାନଙ୍କୁ ସେ ସ୍ଥାନରେ ଦେଖି ଅଙ୍ଗାରପର୍ଣ୍ଣ ଗନ୍ଧର୍ବ ରାଗିଗଲେ ଓ କହିଲେ ରାତିରେ ଏ ସ୍ଥାନକୁ ତମେ ମଣିଷମାନେ ସବୁ ଆସିବାକୁ ସାହାସ କଲ କେମିତି? ରାତି ସମୟ ହେଲା ଗନ୍ଧର୍ବ, ଯକ୍ଷ, ଅପ୍ସରୀ ଓ ରାକ୍ଷସମାନଙ୍କର । ରାତିରେ ତମର ଏଠି କି କାମ ପଡିଲା? ତୁମେମାନେ ଜାଣିନ ଏ ସୁନ୍ଦର ଅରଣ୍ୟଟି ମୋର । ଏଠିକୁ ବିନା ଅନୁମତିରେ କାହାର ଅନଧିକାର ପ୍ରବେଶକୁ ମୁଁ ସହ୍ୟ କରିବିନି ।
ଅହଙ୍କାରୀ ଗନ୍ଧର୍ବର ଅଯୁକ୍ତିକର କଥା ଶୁଣି ଅର୍ଜୁନ ଆଗକୁ ଆସିଲେ ଓ କହିଲେ, ଦିନ ହେଉକି ରାତି, ପାବନୀ ଗଙ୍ଗା ପାଖକୁ ଯିଏ ବି ଯେତବେଳେ ଚାହିଁବ ଆସିପାରିବ । ସେଥିପାଇଁ କାହାର ଅନୁମତି ନେବା ଦରକାର ନାହିଁ । ପ୍ରକୃତି ସମସ୍ତଙ୍କର । ପ୍ରକୃତି ଉପରେ ଏକଚାଟିଆ ଅଧିକାର ଦେଖାଇବାକୁ ତୁମେ କିଏ? ତାପରେ ଆମେ କୌଣସି ଗନ୍ଧର୍ବ, ରାକ୍ଷସ କି ଯକ୍ଷଙ୍କୁ ଭୟ କରୁନା। ଧର୍ମର ମାର୍ଗରେ ବାଟ ଚାଲୁଥିବା ମଣିଷମାନଙ୍କର ସହଜରେ କେହି କିଛି କ୍ଷତି କରିପାରନ୍ତିନି ।
ଅର୍ଜୁନଙ୍କ କଥା ଶୁଣି ଅଙ୍ଗାରପର୍ଣ୍ଣ ଗନ୍ଧର୍ବଙ୍କର କ୍ରୋଧ ଆହୁରି ବଢିଗଲା । ସେ ତତକ୍ଷଣାତ୍ ଅର୍ଜୁନଙ୍କ ଆଡକୁ ଏକ ସର୍ପ ବାଣ ନିକ୍ଷେପ କଲେ । ଅର୍ଜୁନ ମଧ୍ୟ କାଳ ବିଳମ୍ବ ନକରି ଗରୁଡ ବାଣରେ ଅଙ୍ଗାରପର୍ଣ୍ଣଙ୍କ ସର୍ପ ବାଣକୁ ପ୍ରତିହତ କଲେ ଓ ସଙ୍ଗେ ସଙ୍ଗେ ଏକ ଆଗ୍ନେୟାସ୍ତ୍ର ନିକ୍ଷେପ କଲେ । ଆଗ୍ନେୟାସ୍ତ୍ରରେ ଅଙ୍ଗାରପର୍ଣ୍ଣ ଗନ୍ଧର୍ବଙ୍କର ସୁସଜ୍ଜିତ ରଥଟି ସମ୍ପୂର୍ଣ୍ଣ ଜଳିଗଲା । ବାଣର ପ୍ରଭାବରେ ବିଚରା ଅଙ୍ଗାରପର୍ଣ୍ଣ ରଥ ତଳେ ଅଚେତ ହେଇ ପଡିଲେ । ଅର୍ଜୁନ ଯେତେବେଳେ ଅଙ୍ଗାରପର୍ଣ୍ଣଙ୍କ ଚୁଟି ଧରି ତାକୁ ମରିବାକୁ ଟାଣି ଟାଣି ଆଣିଲେ, ସେତେବେଳେ ତାଙ୍କ ପତ୍ନୀ କୁମ୍ଭିନାଶୀ ହାତ ଯୋଡି କ୍ଷମା ମାଗି ନିଜ ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ପ୍ରାର୍ଥନା କଲେ। ଯୁଧିଷ୍ଠିରଙ୍କ କଥାରେ ଅର୍ଜୁନ ଗନ୍ଧର୍ବକୁ ଛାଡିଦେଲେ ।
ଅଙ୍ଗାରପର୍ଣ୍ଣ ଗନ୍ଧର୍ବଙ୍କର ଗର୍ବ ଖର୍ବ ହେଇସାରିଥିଲା । ସେ ତାଙ୍କର ପରାଜୟ ସ୍ୱୀକାର କଲେ ଓ କହିଲେ ମୋ ସୁନ୍ଦର ରଥ ପାଇଁ ମୋ ନାଁ ଚିତ୍ରରଥ ଥିଲା । ଏବେ ସେ ନାଁର ଆଉ କିଛି ଅର୍ଥ ନାହିଁ । ଅଗ୍ନେୟାସ୍ତ୍ରରେ ମୋ ରଥ ସମ୍ପୂର୍ଣ୍ଣ ନଷ୍ଟ ହେଇସାରିଛି । ମୁଁ ଏବେ ତୁମ ପାଞ୍ଚ ଭାଇଙ୍କୁ ଆମ ଗନ୍ଧର୍ବ ଭୂଇଁରୁ ଜଣେକା ଶହେକରି ପବନ ବେଗରେ ଯାଉଥିବା ଦିବ୍ୟ ଅଶ୍ୱ ଉପହାର ଭାବରେ ଦେବି। ତା ସାଙ୍ଗରେ ମୁଁ ତୁମକୁ କିଛି କଥା ବି କହିବି, ଯାହା ତୁମର ଭବିଷ୍ୟତରେ ନିଶ୍ଚୟ କାମରେ ଆସିବ । ସେ ଜ୍ଞାନ କଥା ସବୁ ମନୁ ଏକଦା ସୋମଙ୍କୁ ପ୍ରଦାନ କରିଥିଲେ, ସୋମ ଦେଇଥିଲେ ବିଶ୍ୱବସୁଙ୍କୁ । ବିଶ୍ୱବସୁ ମୋତେ ଦେଇଥିଲେ । ତୁମେ ମୋର ଜୀବନ ରକ୍ଷା କରିଛ । ସେଇ ଖୁସିରେ ମୁଁ କିଛି ଦେବାକୁ ଚାହୁଁଛି। ଆମ ବନ୍ଧୁତାକୁ ଦୃଢ କରିବାକୁ ମୁଁ ତୁମକୁ କିଛି ଜ୍ଞାନର କଥା କହିବି ଓ ତୁମେ ମୋତେ ତୁମ ଦିବ୍ୟ ଆଗ୍ନେୟାସ୍ତ୍ରର ପ୍ରୟୋଗ ଶିଖାଇଦେବ ।
ଅଙ୍ଗାରପର୍ଣ୍ଣ ଗନ୍ଧର୍ବଙ୍କ କଥା ଶୁଣି ପ୍ରଥମେ କିଛିବି ଗ୍ରହଣ କରିବାକୁ ମନା କରୁଥିଲେ ଅର୍ଜୁନ। କିନ୍ତୁ ଶେଷରେ ଗନ୍ଧର୍ବଙ୍କ ଅନୁରୋଧ ରକ୍ଷା କରି କହିଲେ, ଠିକ ଅଛି ତୁମର ବନ୍ଧୁତାକୁ ମୁଁ ସ୍ୱୀକାର କରୁଛି । ଏବେ ଆଗ୍ନେୟାସ୍ତ୍ର ବଦଳରେ ମୁଁ ତୁମର ଶହେ ଘୋଡା ଗ୍ରହଣ କରୁଛି । ଏବେ ଆମେ ଗୋଟେ ବିପଦରେ ପଡିଛୁ । ସେଥିରୁ କେମିତି ବାହାରିବୁ ତା'ର ବାଟ ଖୋଜୁଛୁ । ଯଦି କିଛି କହିବାକୁ ଚାହୁଁଚ କୁହ । ହୁଏତ ସେଥିରୁ କିଛି ଖିଅ ମିଳିପାରେ ।
ତାପରେ ଅଙ୍ଗାରପର୍ଣ୍ଣ ଗନ୍ଧର୍ବ ଗପିବାକୁ ଆରମ୍ଭ କଲେ । କହିଲେ ଅତୀତରେ ଘଟିଥିବା ଗୋଟେ ଘଟଣା କହୁଛି । ମନଦେଇ ଶୁଣ...
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)