Advertisment

Sahitya Bharati Samman: ଶୈଳଜ ରବି ପାଇବେ ସାହିତ୍ୟ ଭାରତୀ ସମ୍ମାନ, ସୂର୍ଯ୍ୟ, ସଂଯୁକ୍ତା, ବିରଜା ଓ ଈପ୍ସିତା ବି ପାଇବେ ପୁରସ୍କାର

ଚଳିତ ବର୍ଷ ପୁରସ୍କୃତ ହେବେ ବିଶିଷ୍ଟ ସାହିତ୍ୟିକ ଶୈଳଜ ରବି, କବି ସୂର୍ଯ୍ୟ ମିଶ୍ର, ଗାଳ୍ପିକ ବିରଜା ରାଉତରାୟ, କବି ଇପ୍ସିତା ଷଡ଼ଙ୍ଗୀ, ଲେଖିକା ସଂଯୁକ୍ତା ମହାନ୍ତି ଓ ଡାକ୍ତର ଫାଲଗୁନୀ ରାୟ

ଅଦ୍ୟତନ ହୋଇଛି
Sahitya Bharati Samman 2025

Sahitya Bharati Samman 2025

Advertisment

ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ ପକ୍ଷରୁ କଟକ ଦରଘା ବଜାରସ୍ଥିତ ଗଂଗାଧର ରଥଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନ ଜନକ “ସାହିତ୍ୟ ଭାରତୀ ସମ୍ମାନ” ସହିତ ଅନ୍ୟାନ୍ୟ ସମ୍ମାନ ଓ ପୁରସ୍କାର ସଂପର୍କରେ ଘୋଷଣା କରାଯାଇଛି।

Advertisment

ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ ଦ୍ୱାରା ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ ସମ୍ମାନ: ୨୦୨୫' ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଶୈଳଜ ରବିଙ୍କୁ ଅର୍ପଣ କରାଯିବା ପାଇଁ ସ୍ଥିର କରାଯାଇଛି। ଏହି ସମ୍ମାନ ସହିତ ୧ ଲକ୍ଷ ଟଙ୍କାର ଉପାୟନ ଓ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ପୁରସ୍କୃତ ଲେଖକଙ୍କୁ ପ୍ରଦାନ କରାଯିବ। ସୁଦୀର୍ଘ ସାରସ୍ୱତ ଯାତ୍ରାରେ ସେ ଜଣେ ସାହିତ୍ୟିକ ଭାବେ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ସାରସ୍ୱତ କର୍ମ ପାଇଁ ଓଡ଼ିଆ ସାହିତ୍ୟ ବିଶେଷ ଭାବରେ ଋଦ୍ଧିମନ୍ତ ହୋଇପାରିଛି। ଏଥିପାଇଁ ଫାଉଣ୍ଡେସନ ତରଫରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ନାମରେ ପ୍ରତିଷ୍ଠିତ ‘ଗଂଗାଧର ରଥ ସ୍ମାରକୀ ସମ୍ମାନ’ ଚଲିତ ବର୍ଷ ବିଶିଷ୍ଟ ଡାକ୍ତର ଫାଲଗୁନୀ ରାୟଙ୍କୁ ପ୍ରଦାନ କରାଯିବ। ଏହି ସମ୍ମାନ ସହିତ ଏକ ରୌପ୍ୟ ଫଳକ ଓ ମାନପ‌ତ୍ର ପ୍ରଦାନ କରାଯିବ। ଡାକ୍ତର ରାୟଙ୍କର ଚିକିତ୍ସା କ୍ଷେତ୍ରରେ ବହୁ ବର୍ଷର ଅଭିଜ୍ଞତା ରହିଛି।

Advertisment

ସେହିପରି କାବ୍ୟ ସାହିତ୍ୟରେ ବିଶେଷ ପରାକାଷ୍ଠାପାଇଁ ବିଶିଷ୍ଟ କବି ଶ୍ରୀଯୁକ୍ତ ସୂର୍ଯ୍ୟ ମିଶ୍ରଙ୍କୁ ଚଳିତ ବର୍ଷ ସମ୍ମାନଜନକ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ଏବଂ କଥାସାହିତ୍ୟରେ ବିଶେଷ କୃତିତ୍ଵ ପାଇଁ ବିଶିଷ୍ଟ କଥାକାର ଶ୍ରୀମତୀ ସଂଯୁକ୍ତା ମହାନ୍ତିଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ଏହି ପୁରସ୍କାର ସ୍ୱରୂପ ପ୍ରତ୍ୟେକ ଲେଖକଙ୍କୁ ୨୫ ହଜାର ଟଙ୍କା ଓ ରୌପ୍ୟ ଉପଢୌକନ ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ ତରଫରୁ ସୂଚନା ଦିଆଯାଇଛି।

ସେହିପରି ଯୁବ ସାରସ୍ୱତ ପ୍ରତିଭା ଗାଳ୍ପିକ ଶ୍ରୀଯୁକ୍ତ ବିରଜା ରାଉତରାୟ ଏବଂ କବି ଶ୍ରୀମତୀ ଈପ୍‌ସିତା ଷଡ଼ଙ୍ଗୀଙ୍କୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ମାନଜନକ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଏହି ପୁରସ୍କାର ସ୍ୱରୂପ ପ୍ରତ୍ୟେକ ଲେଖକଙ୍କୁ ୧୦ ହଜାର ଟଙ୍କା ଓ ରୌପ୍ୟ ଉପଢୌକନ ପ୍ରଦାନ କରଯିବ।

Advertisment

୨୦୨୫ ମାର୍ଚ୍ଚ ୩୦ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ ଘଟିକା ସମୟରେ କଟକସ୍ଥ କଳା ବିକାଶ କେନ୍ଦ୍ରଠାରେ ଆୟୋଜିତ ଏକ ବିଶେଷ ସାରସ୍ଵତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ ତରଫରୁ ସୂଚନା ଦିଆଯାଇଛି। ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିବେ। ବିଶିଷ୍ଟ ଗବେଷକ ଓ ବକ୍ତା ଶ୍ରୀଯୁକ୍ତ ଅସିତ ମହାନ୍ତି ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗ ଦେବେ। ଫାଉଣ୍ଡେସନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ ଏହି ସଭାରେ ପୌରୋହିତ୍ୟ କରିବେ।

ସୂଚନାଯୋଗ୍ୟ ଯେ, ୧୯୯୬ ମସିହାରୁ ଗଂଗାଧର ରଥଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ଫାଉଣ୍ଡେସନ, ଦୀର୍ଘ ବର୍ଷ ଧରି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ଅନେକ ଲେଖକଙ୍କୁ ସମ୍ମାନୀତ ଓ ପୁରସ୍କୃତ କରିଆସୁଛି ବୋଲି ଫାଉଣ୍ଡେସନ ସମ୍ପାଦିକା ଶ୍ରୀମତୀ ସୁସ୍ମିତା ରଥ ସୂଚନା ପ୍ରଦାନ କରିଛନ୍ତି।

Odia Writers Odia Literature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ