Advertisment

Indradyumna's Quest: ସ୍ବର୍ଗରୁ ଆସିଥିବା ଜଣେ ରାଜା ଓ ସବୁଠାରୁ ବୟସ୍କ ବୁଢ଼ା ଖୋଜିବାର କାହାଣୀ

କ'ଣ ପାଇଁ ରାଜର୍ଷି ଇନ୍ଦ୍ରଦୁମ୍ନଙ୍କୁ ସ୍ୱର୍ଗରୁ ପୃଥିବୀକୁ ଫେରିବାକୁ ହେଲା? ସଂସାରରେ ମାର୍କଣ୍ଡେୟ ଋଷିଙ୍କ ଠାରୁ କିଏ ଅଧିକ ବୟସ୍କ ଥିଲେ? ବିଷ୍ଣୁଙ୍କୁ ଦର୍ଶନ କରି ବି ଜଣେ ଋଷି କିଛି ମାଗିଲେନି କାହିଁକି? କିଏ ସେଇ ରାକ୍ଷସ ଯିଏ ବାଲି ତଳେ ଶୋଇ ରୁହେ? ମହାଭାରତ ଭିତରେ ଏମିତି ଅନେକ କାହାଣୀ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।

author-image
Ramakanta Samantaray
mahabharat

mahabharat

ମାର୍କଣ୍ଡେୟ ଋଷିଙ୍କୁ ଯୁଧିଷ୍ଠିର ପଚାରିଲେ “ହେ ମୁନିବର! ମୋତେ କୁହନ୍ତୁ ଏ ସଂସାରରେ ଆପଣଙ୍କ ଠାରୁ ବଳି ଆଉ କେହି ଅଧିକ ବୟସର ଅଛନ୍ତି କି?” ମାର୍କଣ୍ଡେୟ ମୁହଁରେ ସ୍ମିତହାସ ଖେଳାଇ କହିଲେ “ରାଜନ! ମନ ଦେଇ ଶୁଣନ୍ତୁ। ସେ ବିଷୟରେ ଗୋଟେ ପୁରୁଣା କାହାଣୀ କହୁଛି ।”

Advertisment

ଇନ୍ଦ୍ରଦ୍ୟୁମ୍ନ ନାମରେ ଜଣେ ରାଜର୍ଷି ରହୁଥିଲେ । ତାଙ୍କର ସଞ୍ଚିତ ଧର୍ମ କ୍ଷୟ ହେବାରୁ ସେ ଆଉ ସ୍ୱର୍ଗରେ ରହିପାରିଲେନି। ଦିନେ ସେ ମାର୍କଣ୍ଡେୟ ଋଷିଙ୍କ ପାଖରେ ପହଞ୍ଚି କହିଲେ “ମହାତ୍ମା ମୋର ପୂଣ୍ୟ କ୍ଷୟ ହେଇଛି । ଆପଣ କ'ଣ ମୋତେ ଚିହ୍ନିଛନ୍ତି? ମୋ ନାଁ ଶୁଣିଛନ୍ତି? ”

ମାର୍କଣ୍ଡେୟ ଋଷି ମନା କଲେ । କହିଲେ, “ନା ମହାଶୟ ମୁଁ ମୋ କାମରେ ବ୍ୟସ୍ତ ଥାଏ । ତୀର୍ଥ ଯାତ୍ରା କରୁଥାଏ । ମୋର କାହିଁ ମନେ ପଡୁନି ମୁଁ ଆପଣଙ୍କୁ ଜାଣିଛି ।“ ତାପରେ ଇନ୍ଦ୍ରଦ୍ୟୁମ୍ନ କହିଲେ, ”ଆପଣ ବହୁତ ବୟସ୍କ ତେଣୁ ଜାଣିଥିବେ ବୋଲି ଭାବିଥିଲି । ହଉ ତେବେ ଆଉ କିଏ ଆପଣଙ୍କ ଠାରୁ ବୟସ୍କ ଅଛନ୍ତି କି?” ମାର୍କଣ୍ଡେୟ କହିଲେ “ହଁ, ଜଣକୁ ମୁଁ ଜାଣେ । ହିମାଳୟରେ ରହୁଥିବା ପ୍ରାବରକର୍ଣ୍ଣ ନାମକ ଏକ ପେଚା ମୋ ଠାରୁ ଢେର ବୟସ୍କ । ତାଙ୍କୁ ଯାଇ ପଚାରିଲେ ସେ ହୁଏତ ଜାଣିଥିବେ ଯଦି କହିବେ ।“

Advertisment

ହିମାଳୟ ସେଠୁ ବହୁତ ଦୂରରେ ଥିଲା । ଇନ୍ଦ୍ରଦ୍ୟୁମ୍ନ ଏକ ଘୋଡ଼ାର ରୂପ ଧାରଣ କଲେ ଓ ମାର୍କଣ୍ଡେୟଙ୍କୁ ପିଠିରେ ବସେଇ ହିମାଳୟକୁ ବାହରିଲେ । ହିମାଳୟରେ ପ୍ରାବରକର୍ଣ୍ଣ ପେଚା ପାଖରେ ପହଞ୍ଚି ଇନ୍ଦ୍ରଦ୍ୟୁମ୍ନ ପଚାରିଲେ “ଆପଣ ମୋତେ ଚିହ୍ନିଛନ୍ତି?” ପେଚା ମନାକଲେ । ଇନ୍ଦ୍ରଦ୍ୟୁମ୍ନ ପଚାରିଲେ, “ତେବେ ଆପଣଙ୍କ ଠାରୁ ଆଉ କିଏ ବୟସ୍କଙ୍କୁ ଆପଣ ଜାଣିଛନ୍ତି ଯଦି କୁହନ୍ତୁ ।” ପ୍ରାବରକର୍ଣ୍ଣ ପେଚା ଟିକେ ଚିନ୍ତା କରି କହିଲେ, “ଇନ୍ଦ୍ରଦ୍ୟୁମ୍ନ ନାମରେ ଏକ ପୁଷ୍କରିଣୀ ଅଛି । ସେଇଠି ନାଡ଼ିଜଙ୍ଘ ନାମରେ ଏକ ବଗ ବାସ କରେ । ମୋ ଜାଣିବାରେ ସେ ମୋ ଠାରୁ ଢେର ବୟସ୍କ । ପୁରୁଣା କଥା ଯଦି ସେ ହୁଏତ ଆପଣଙ୍କୁ ଚିହ୍ନିଥିବ ।“

ଅଧିକ ପଢ଼ନ୍ତୁ: ବେଙ୍ଗ ରାଜାଙ୍କ ଅଭିଶାପ ଓ ଘୋଡ଼ା ପାଇଁ ରାଜାଙ୍କ ଜୀବନ ଯିବା କଥା 

ଇନ୍ଦ୍ରଦ୍ୟୁମ୍ନ ମାର୍କଣ୍ଡେୟ ଋଷି ଓ ପ୍ରାବରକର୍ଣ୍ଣ ପେଚାକୁ ଧରି ନାଡ଼ିଜଙ୍ଘ ବଗ ପାଖକୁ ବାହାରିଲେ । ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଖରେ ପହଞ୍ଚି ବଗକୁ ସାକ୍ଷାତ କରି ପଚାରିଲେ, “ଆପଣ ମୋତେ ଚିହ୍ନିଛନ୍ତି କି?” ବଗ ମନା କଲେ । ତାପରେ ଇନ୍ଦ୍ରଦ୍ୟୁମ୍ନ ପଚାରିଲେ “ତେବେ ମୋତେ କୁହନ୍ତୁ ଆପଣଙ୍କ ଠାରୁ ଅଧିକ ବୟସର ଆଉ କାହାକୁ ଜାଣିଛନ୍ତି କି?” ନାଡ଼ିଜଙ୍ଘ ବଗ ଚିନ୍ତାକରି କହିଲେ, “ହଁ ଏଇ ପୁଷ୍କରିଣୀରେ ଅକୁପାର ନାମରେ ଏକ ବୁଢ଼ା କଇଁଛ ଅଛନ୍ତି । ତାଙ୍କୁ ଯାଇ ପଚାରନ୍ତୁ କାଳେ ସେ ଚିହ୍ନିଥିବେ ।” ତାପରେ ନାଡ଼ିଜଙ୍ଘ ବଗ ସରୋବର ପାଖକୁ ଯାଇ ଅକୁପାର କଇଁଛକୁ ଡାକିଲେ । କଇଁଛ ପାଣିରୁ ବାହାରକୁ ଆସିଲା ପରେ ତାଙ୍କୁ ସେ ପଚାରିଲେ, “ଆପଣ କଣ ଏହି ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ଚିହ୍ନିଛନ୍ତି ?” ଅକୁପାର କଇଁଛ ଇନ୍ଦ୍ରଦ୍ୟୁମ୍ନଙ୍କୁ ନିରୀକ୍ଷଣ କରି ହାତ ଯୋଡ଼ି ଖୁସି ହେଇ କହିଲେ, “ହଁ ହଁ, ମହାରାଜାଙ୍କୁ ମୁଁ ଜାଣିଛି ଓ ମନେରଖିଛି । ସେ ହିଁ ବିଶାଳ ବିଶାଳ ହଜାରେ ଯଜ୍ଞ ଆୟୋଜନ କରିଥିଲେ । ଯଜ୍ଞ ଶେଷରେ ଯୋଉ ଗାଈମାନଙ୍କୁ ଦାନ କରିଥିଲେ ସେଇ ଗାଈମାନଙ୍କ ଖୁରାରେ ଏ ପୁଷ୍କରିଣୀ ସୃଷ୍ଟି ହେଇଛି । ମୁଁ ତ ସେଇ ଦିନରୁ ଏଇଠି ରହିଛି । ମହାରାଜାଙ୍କୁ ଭୁଲିବି କେମିତି?"

ଅକୁପାର କଇଁଛଙ୍କ କଥା ପରେ ପରେ ସ୍ୱର୍ଗରୁ ଏକ ଦିବ୍ୟ ରଥ ଆସି ସେଇଠି ପହଞ୍ଚିଲା ଓ ଦୈବବାଣୀ ହେଲା, “ହେ ରାଜନ! ତୁମ ପାଇଁ ସ୍ୱର୍ଗରେ ସ୍ଥାନ ସଂରକ୍ଷିତ ଅଛି । ତୁମର କୀର୍ତ୍ତି ପୃଥିବୀରେ ଏବେବି ବଞ୍ଚି ରହିଛି । ତା'ର ପ୍ରମାଣ ମିଳିଛି । ତେଣୁ ରଥରେ ବସି ଶୀଘ୍ର ସ୍ୱର୍ଗକୁ ଫେରିଆସ ।"

ପୂଣ୍ୟକର୍ମର ଧ୍ୱନୀ ସର୍ବଲୋକରେ ଅନୁରଣିତ ହୁଏ । ସେ ଧ୍ୱନୀ ଥିବା ପର୍ଯ୍ୟନ୍ତ ଜଣେ ସ୍ୱର୍ଗରେ ବାସ କରିବ। ଯଦି ପ୍ରାଣୀର ଅକୀର୍ତ୍ତି ଥିବ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଅଧମ ଲୋକରେ ବାସ କରିବ । ଇନ୍ଦ୍ରଦ୍ୟୁମ୍ନ ଦୈବୀବାଣୀକୁ ପ୍ରଣାମ କଲେ । ତାପରେ ମାର୍କଣ୍ଡେୟ ଋଷି ଓ ପ୍ରାବରକର୍ଣ୍ଣ ପେଚାଙ୍କୁ ଯେଉଁଠୁ ନେଇଥିଲେ ସେଇଠି ଛାଡ଼ି ରଥରେ ବସି ସ୍ୱର୍ଗକୁ ଗଲେ ।

mahabharatମହାଭାରତ

ମାର୍କଣ୍ଡେୟ ଋଷି ଇନ୍ଦ୍ରଦ୍ୟୁମ୍ନଙ୍କ କାହାଣୀ କହିସାରିବା ପରେ ଯୁଧିଷ୍ଠିର ପଚାରିଲେ, “ହେ ମହର୍ଷି! ମୋତେ ଦୟାକରି କୁହନ୍ତୁ କେଉଁ ପରି ମଣିଷ ଓ କେତେବେଳେ କ'ଣ ଦାନ କଲେ ଜଣେ ସ୍ୱର୍ଗକୁ ଯାଇପାରିବ?” ମାର୍କଣ୍ଡେୟ କହିଲେ, “ବୃଥା ଜୀବନ ଅତିବାହିତ କରୁଥିବା ମଣିଷ ଓ ବୃଥାରେ ଦାନ କରୁଥିବା ମଣିଷଙ୍କର ସ୍ୱର୍ଗ ପ୍ରାପ୍ତି ନାହିଁ । ଚାରି ପ୍ରକାରର ମଣିଷଙ୍କ ଜନ୍ମ ବୃଥା । ସେମାନେ ହେଲେ ଧର୍ମରୁ ବହିଷ୍କୃତ ମଣିଷ, ଅପୁତ୍ରିକ, ପର ରୋଷେଇରେ ଖାଉଥିବା ମଣିଷ ଓ ଯିଏ ଦେବତା ଏବଂ ଅତିଥିକୁ ନଦେଇ କେବଳ ନିଜେ ରୋଷେଇ କରି ଖାଏ ତା' ଜୀବନ ବି ବୃଥା । ସେମିତି ସବୁବେଳେ ଦାନର ସୁଫଳ ମିଳେନି। ଦାନ ଗ୍ରହଣ କରିବାକୁ ଅଯୋଗ୍ୟ ବ୍ୟକ୍ତିକୁ ଦାନ ଦେଲେ ତାହା ବୃଥାରେ ଯାଏ । ଷୋହଳ ପ୍ରକାରର ବୃଥା ଦାନ ରହିଛି । ହେ ଯୁଧିଷ୍ଠିର! ମନୁଷ୍ୟ ଲୋକରୁ ଯମଲୋକ ଛୟାଅଶୀ ସହସ୍ର ଯୋଜନ ଦୂର । ସେଇ ପଥ ସହଜରେ ଅତିକ୍ରମ କରିବାକୁ ମଣିଷକୁ ଦାନ ଦେବାକୁ ହୁଏ । ଜଣେ ଯଦି ତା'ର ଜୀବନ କାଳରେ ଜଳ, ଅନ୍ନ, ବସ୍ତ୍ର, ଘୋଡ଼ା ଓ ଗାଈ ଆଦି ଦାନ କରିଥିବେ ତେବେ ସେଇ ସବୁ ସୁବିଧା ସେ ପାଇବେ । ନହେଲେ ବିନା ବସ୍ତ୍ରରେ ଭୋକ ଶୋଷରେ ବିନା ଆଶ୍ରୟରେ ତାଙ୍କୁ ବାଟ ଚାଲିବାକୁ ହେବ। “ମାର୍କଣ୍ଡେୟ ଋଷି ଯୁଧିଷ୍ଠିରଙ୍କୁ କାହାକୁ କ'ଣ ଦାନ ଦେଲେ ତା'ର କ'ଣ ସୁଫଳ ମିଳେ ସେ ବିଷୟରେ ସବିଶେଷ ଭାବରେ ବୁଝାଇବାକୁ ଲାଗିଲେ ।

ଯୁଧିଷ୍ଠିର ତାପରେ ମାର୍କଣ୍ଡେୟ ଋଷିଙ୍କୁ ପଚାରିଲେ, “ହେ ମହାତ୍ମା ! ମୋତେ କୁହନ୍ତୁ ଇକ୍ଷାକୁ ବଂଶର କୁବଳାଶ୍ୱ କାହିଁକି ନାମ ବଦଳାଇ ଧୁନ୍ଧୁମାର ହେଲେ?”

ମାର୍କଣ୍ଡେୟ କହିଲେ, “ହେ ରାଜନ! ଉତ୍ତଙ୍କ ନାମରେ ଜଣେ ଋଷି ଥିଲେ । ମରୁଭୂମି ଅଞ୍ଚଳରେ ତାଙ୍କର ଆଶ୍ରମ ଥିଲା । ଉତ୍ତଙ୍କ ଋଷି ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଘୋର ତପସ୍ୟା କଲେ । ଦିନେ ଋଷିଙ୍କ ତପସ୍ୟାରେ ପ୍ରୀତ ହୋଇ ବିଷ୍ଣୁ ତାଙ୍କୁ ସାକ୍ଷାତ ଦେଲେ ଓ ପଚାରିଲେ କ'ଣ ଦରକାର କୁହ। ଉତ୍ତଙ୍କ ଋଷି ହାତ ଯୋଡ଼ି କହିଲେ “ହେ ପ୍ରଭୁ ! ଏ ପୂରା ସଂସାର ଆପଣଙ୍କ ସୃଷ୍ଟି । ପୁଣି ସବୁକିଛି ଆପଣଙ୍କ ଅଂଶ । ହେ ମଧୁସୂଦନ! ଅଗ୍ନି ଆପଣଙ୍କ ତେଜ, ପବନ ଆପଣଙ୍କ ନିଃଶ୍ୱାସ ପ୍ରଶ୍ୱାସ, ଦିଗ ସବୁ ଆପଣଙ୍କ ବାହୁ, ଆକାଶ ଆପଣଙ୍କ ନାଭି, ପାହାଡ଼ ଆପଣଙ୍କ ଜଙ୍ଘ, ପୃଥିବୀ ପାଦ, ସମୁଦ୍ର ଆପଣଙ୍କ ଉଦର, ଗଗନ ମସ୍ତକ, ଚନ୍ଦ୍ର ଓ ସୂର୍ଯ୍ୟ ଆଖି, ବୃକ୍ଷମାନେ ଆପଣଙ୍କ ଲୋମ । ଆପଣଙ୍କୁ ମୁଁ ଛାର ମାଗିବି ବା କ'ଣ? ଆପଣ ମୋତେ ଦୟାକରି ଦର୍ଶନ ଦେଲେ ସେତିକି ବଡ଼ କଥା ।"

ବିଷ୍ଣୁ ଆହୁରି ଖୁସି ହୋଇ କହିଲେ, "ହେ ଋଷିଶ୍ରେଷ୍ଠ! ତୁମ ଭକ୍ତି ଓ ନିର୍ଲୋଭ ପଣ ଦେଖି ମୁଁ ଆନନ୍ଦିତ। ଅତି କମରେ ଗୋଟେ କିଛି ତ ମାଗ।" ଉତ୍ତଙ୍କ କହିଲେ ”ହେ ପ୍ରଭୁ! ଆପଣଙ୍କ ପ୍ରତି ମୋ ହୃଦୟରେ ସବୁବେଳେ ଭକ୍ତି ଭାବ ଥାଉ। ମନ ମୋର ସଦା ଧର୍ମ, ସତ୍ୟ ଓ ଆତ୍ମସଞ୍ଜତ ପଥରେ ରହୁ । ମୋର ଏତିକି ମାତ୍ର ଇଚ୍ଛା ।"

ବିଷ୍ଣୁ କହିଲେ, "ହେ ତପସ୍ୱୀ! ତୁମେ ଯୋଗଶକ୍ତି ଯୁକ୍ତ ହେବ। ସେଇ ଶକ୍ତି ବଳରେ ତୁମେ ତିନି ଲୋକକୁ ମନ୍ଦ ଶକ୍ତି କବଳରୁ ରକ୍ଷା କରିବ । ଶୁଣ, ଏବେ ଧୁନ୍ଧୁ ନାମରେ ଏକ ରାକ୍ଷସ ଏହି ସଂସାରକୁ ନାଶ କରିବାର ଇଚ୍ଛାରେ ଘୋର ତପସ୍ୟା କରୁଛି । ଭବିଷ୍ୟତରେ ବୃହଦେଶ୍ୱ ନାମରେ ଜଣେ ରାଜା ଆସିବେ । ତାଙ୍କର କୁବଳାଶ୍ୱ ନାମରେ ଜଣେ ଅତ୍ୟନ୍ତ ବଳଶାଳୀ ପୁଅ ଜନ୍ମ ହେବ । ହେ ମହର୍ଷି! ତୁମରି ନିର୍ଦ୍ଦେଶ ଅନୁସାରେ ସେ ରାଜା ମୋ ଯୋଗଶକ୍ତିରେ ବଳବାନ ହେଇ ସେଇ ଧୁନ୍ଧୁ ରାକ୍ଷସକୁ ହତ୍ୟା କରି ଧୁନ୍ଧୁମାର ହେବେ।" ଏତିକି କହି ଭଗବାନ ବିଷ୍ଣୁ ସେଠାରୁ ଅର୍ନ୍ତହିତ ହେଇଗଲେ ।

ରାଜା ଇକ୍ଷ୍ବାକୁ ସ୍ୱର୍ଗାରୋହଣ କଲାପରେ ଶଶାଦ ଅଯୋଧ୍ୟାର ରାଜା ହେଲେ। ତାପରେ ପିଢ଼ି ପରେ ପିଢ଼ି ଅନେକ ରାଜାଙ୍କ ପରେ ରାଜା ଯୁବନାଶ୍ୱ ଜନ୍ମ ହେଲେ । ଯୁବନାଶ୍ୱଙ୍କ ପୁଅ ହେଲେ ଶ୍ରାବ । ତାଙ୍କ ପୁଅ ହେଲେ ଶ୍ରାବସ୍ତକ । ସେ ହିଁ ଶ୍ରୀବନ୍ତୀପୁରୀ ବସାଇଥିଲେ । ଶ୍ରାବସ୍ତକଙ୍କ ପୁଅ ହେଲେ ମହାବଳଶାଳୀ ବୃହଦଶ୍ୱ । ବୃହଦଶ୍ୱ ପୁଅ ଭାବରେ କୁବଳାଶ୍ୱ ଜନ୍ମ ନେଲେ ।

ଦିନେ ବୃହଦଶ୍ୱ ଦେଶର ଶାସନ ଭାର ପୁଅ କୁବଳାଶ୍ୱଙ୍କ ହାତରେ ଦେଇ ବଣକୁ ଯିବାକୁ ବାହରିଥାନ୍ତି । ଏ ଖବର ଋଷି ଉତ୍ତଙ୍କ ଶୁଣିଲେ । ବୃହଦଶ୍ୱ ଅସ୍ତ୍ର ଶସ୍ତ୍ର ଚଳାଇବାରେ ପାରଙ୍ଗମ ଥିଲେ । ଉତ୍ତଙ୍କ ତାଙ୍କ ପାଖରେ ପହଞ୍ଚି କହିଲେ, “ହେ ରାଜା! ଆପଣଙ୍କ ସନ୍ୟାସ ନେବାର ଉପଯୁକ୍ତ ସମୟ ଆସିନି। ପ୍ରଜାମାନଙ୍କ ସୁରକ୍ଷା ପାଇଁ ଆପଣଙ୍କର ଆହୁରି କିଛି ଦାୟିତ୍ୱ ବାକି ଅଛି । ହେ ରାଜନ! ମୋ ଆଶ୍ରମ ପାଖରେ ଏକ ବିଶାଳ ମରୁ ପ୍ରାନ୍ତର ଅଛି । ସେଇଠି ଧୁନ୍ଧ ନାମରେ ଅତ୍ୟନ୍ତ ଭୟଙ୍କର ଏକ ଦାନବ ବାସ କରୁଛି । ଏ ସୁନ୍ଦର ସଂସାରକୁ ଧ୍ୱଂସ କରିବାକୁ ସେ ଘୋର ତପସ୍ୟାରେ ରତ ଅଛି । ସେ ପୁଣି ପିତାମହ ବ୍ରହ୍ମାଙ୍କ ପାଖରୁ ବର ପାଇଛି କୌଣସି ଦେବ, ଯକ୍ଷ, ଗନ୍ଧର୍ବ ଓ ନାଗ କାହା ହାତରେ ମରିବନି । ହେ ରାଜା, ଆପଣ ତାକୁ ହତ୍ୟା କରି ସଂସାରକୁ ରକ୍ଷା କରନ୍ତୁ । ସେ ଭୟଙ୍କର ଦାନବ ସବୁବେଳେ ବାଲି ଭିତରେ ଶୋଇଥାଏ । ବର୍ଷକୁ ଥରେ ଯେବେ ନିଶ୍ୱାସ ତ୍ୟାଗ କରେ ସେତବେଳେ ତା' ନିଶ୍ୱାସର ଖର ପବନରେ ନିଆଁ ଓ ବାଲି ଉଡ଼ି ଚାରିଦିଗକୁ ଅନ୍ଧାର କରି ପକାଏ । ରାଜା ଆପଣ ଧୁନ୍ଧକୁ ମାରିବାକୁ ବାହାରିଲେ ବିଷ୍ଣୁ ତେଜ ଆପଣଙ୍କ ତେଜକୁ ବହୁଗୁଣିତ କରିବ । ଅନେକ ବର୍ଷ ପୂର୍ବରୁ ସ୍ୱୟଂ ବିଷ୍ଣୁ ମୋତେ ବର ଦେଇ ଯାଇଛନ୍ତି ।"

ରାଜର୍ଷି ବୃହଦଶ୍ୱ କହିଲେ, ”ହେ ମୁନିବର! ମୋର ପୁଅ ବଳଶାଳୀ କୁବଳାଶ୍ୱ ସେ କାମକୁ ପୂରା କରିବ । ଆପଣ ନିଶ୍ଚିନ୍ତ ରୁହନ୍ତୁ । ଜଣେ ରାଜା ହାତରେ ସେ ଦାନବର ମୃତ୍ୟୁ ହେବ। ମୁଁ ଆଉ ଏବେ ରାଜା ନୁହେଁ । ମୁଁ ଅସ୍ତ୍ର ତ୍ୟାଗ କରି ସାରିଛି ।" ବୃହଦଶ୍ୱ ଏଥର ପୁଅ କୁବଳାଶ୍ୱଙ୍କୁ ଦାୟିତ୍ୱ ଦେଇ ଜଙ୍ଗଲକୁ ଚାଲିଗଲେ ।

ଅଧିକ ପଢ଼ନ୍ତୁ: ମନୁ, ମାଛ, ଡଙ୍ଗା ଓ ପ୍ରଳୟ ବୃତ୍ତାନ୍ତ 

Mahabharat Mahabharat Story
Advertisment
Advertisment