/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747381201.jpeg)
Mahabharat Story
ମାର୍କଣ୍ଡେୟ ଋଷି ପ୍ରଳୟ ଓ ସର୍ଜନାର କଥା କହି ସାରିଲା ପରେ ଯୁଧିଷ୍ଠିର କଳିକାଳ ବିଷୟରେ ସବିଶେଷରେ ଜାଣିବାକୁ ଚାହିଁଲେ। ମାର୍କଣ୍ଡେୟ କହିଲେ ସତ୍ୟ ଯୁଗରେ ଧର୍ମର ଚାରିପାଦ । ତ୍ରେତା ଯୁଗରେ ତିନିପାଦ । ଦ୍ୱାପରରେ ଦୁଇପାଦ ଓ କଳିରେ ଏକ ପାଦ ହେବ। କଳି କାଳ ସରିଲା ବେଳକୁ ଚନ୍ଦ୍ର, ସୂର୍ଯ୍ୟ ଓ ବୃହସ୍ପତି ପୁଷ୍ୟା ନକ୍ଷତ୍ରରେ ଏକ ରାଶିରେ ରହିବେ । ସେତେବେଳେ ସତ୍ୟଯୁଗ ଆରମ୍ଭ ହେବାର ପ୍ରକ୍ରିୟା ଆରମ୍ଭ ହେବ । ସମ୍ଭଳ ଗାଁରେ ମହା ମହାପରାକ୍ରମୀ କଳକୀ ଭଗବାନଙ୍କ ଦଶମ ଅବତାର ଭାବରେ ଜନ୍ମ ନେବେ ଓ ମ୍ଲେଛମାନଙ୍କୁ ସଂହାର କରିବେ ଓ ଶେଷରେ ଅଶ୍ୱମେଧ ଯଜ୍ଞ ଆୟୋଜନ କରିବେ। ପୃଥିବୀରେ ସତ୍ୟଯୁଗ ଆରମ୍ଭ ହେବ।
ଯୁଧିଷ୍ଠିର ତାପରେ ମାର୍କଣ୍ଡେୟ ଋଷିଙ୍କ ପାଖରୁ ଆଉ କିଛି କଥା ଶୁଣିବାକୁ ଇଚ୍ଛା କରିବାରୁ ମହର୍ଷି ଅତୀତରୁ ପରୀକ୍ଷିତ ନାମକ ଜଣେ ରାଜାଙ୍କ କାହାଣୀ କହିଲେ ।
ଅଯୋଧ୍ୟା ଦେଶରେ ଇକ୍ଷକୁ ବଂଶରେ ପରୀକ୍ଷିତ ନାମରେ ଜଣେ ରାଜା ଥିଲେ । ଥରେ ସେ ମୃଗୟାରେ ବାହାରି ଘୋର ଜଙ୍ଗଲ ଭିତରେ ପଶିଗଲେ । ଭୋକ ଶୋଷରେ ବହୁତ ବୁଲିଲା ପରେ ଗୋଟେ ସରୋବରର ସନ୍ଧାନ ପାଇ ସେଥିରେ ପଶି ପଦ୍ମ କେଶର ଖାଇଲେ ଓ ଘୋଡ଼ାକୁ ପଦ୍ମନାଡ଼ ଏବଂ ପତ୍ର ଖାଇବାକୁ ଦେଲେ । ପେଟ ପୁରିଯିବାରୁ ଉପରକୁ ଆସି ଗଛ ଛାଇରେ ବିଶ୍ରାମ ନେବାକୁ ଶୋଇ ପଡ଼ିଲେ ।
କିଛି ସମୟ ପରେ ରାଜାଙ୍କୁ ହଠାତ୍ ସେ ଜଙ୍ଗଲ ଭିତରେ ଏକ ସୁମଧୁର ସଙ୍ଗୀତର ଧ୍ୱନୀ ଶୁଣିବାକୁ ମିଳିଲା। ରାଜା ବୁଝିପାରିଲେନି ଜନମାନବ ଶୂନ୍ୟ ଜଙ୍ଗଲ ଭିତରେ କିଏ ଗୀତ ଗାଉଛି? ରାଜା ସେ ସଙ୍ଗୀତର ମଧୁର ସ୍ୱରକୁ ଅନୁସରଣ କରି ଖୋଜିବାକୁ ଲାଗିଲେ । କିଛି ସମୟ ପରେ ଲତା ଗହଳି ଭିତରେ ରାଜା ଦେଖିଲେ ପରମା ସୁନ୍ଦରୀ ଯୁବତୀ ଜଣେ ଗୀତ ଗାଇ ଗାଇ ଫୁଲ ତୋଳୁଛି ।
ରାଜା କିଛି ସମୟ ସେ ସୁନ୍ଦରୀ ଯୁବତୀକୁ ଦେଖିଲେ ଓ ଆକର୍ଷିତ ହେଇ ତା' ପାଖକୁ ଯାଇ ପରିଚୟ ମାଗିଲେ । କଥାହେଲା ପରେ ରାଜା ସେ ଯୁବତୀକୁ ବିବାହ ପାଇଁ ପ୍ରସ୍ତାବ ଦେଲେ । ଯୁବତୀ ଜଣକ କହିଲେ ବିବାହ କରିବାରେ ମୋର ଆପତ୍ତି ନାହିଁ। କିନ୍ତୁ ମୋର ଗୋଟେ ସର୍ତ୍ତ ରହିଛି । ସର୍ତ୍ତ ହେଲା ମୋତେ କେବେବି ଆପଣ ପାଣି ଦେଖାଇବନି । ରାଜା ହଁ କହିଲେ ।
ରାଜାଙ୍କୁ ଖୋଜି ଖୋଜି ସୈନ୍ୟ ସାମନ୍ତ ସବୁ ସେଇଠି ଆସି ପହଞ୍ଚିଲେ ଓ ରାଜା ଏକ ନିବୁଜ ସବାରୀରେ ବସେଇ ତାଙ୍କ ନୂଆ ରାଣୀକୁ ରାଜପ୍ରାସାଦ ଆଣି ଆସିଲେ । ରାଜା ନୂଆ ରାଣୀ ସାଙ୍ଗରେ ଏକାନ୍ତରେ ବାସ କରିବାକୁ ଲାଗିଲେ । ଆଉ କାହାକୁ ସହଜରେ ଦେଖା କଲେନି । ରାଜକାର୍ଯ୍ୟରେ ମନ ଦେଲେନି । ମନ୍ତ୍ରୀ ରାଜାଙ୍କ ପରିଚାରିକାକୁ ପଚାରି ବୁଝିଲେ ରାଜା ଜଙ୍ଗଲରୁ ଜଣେ ସୁନ୍ଦରୀ ଯୁବତୀକୁ ବିବାହ କରି ରାଣୀ କରି ଆଣିଛନ୍ତି ।
ଯେଉଁ ନାରୀ ସର୍ତ୍ତ ରଖିଛି ସେ ପାଣି ଦେଖିବନି । ମନ୍ତ୍ରୀ ଗୋଟେ ଉପାୟ ଚିନ୍ତା କଲେ । ଫୁଲ ଫଳ ଭରା ଗୋଟେ ବଗିଚା ଭିତରେ ମନ୍ତ୍ରୀ ଗୋଟେ ପୋଖରୀ ଖୋଳିଲେ । ପୋଖରୀ ଚାରିପାଖରେ ଗହଳି କରି ଲତା ପତ୍ର ଲଗାଇଲେ। ଯେମିତି ପୋଖରୀ ଆଉ ବାହାରକୁ ଦୃଶ୍ୟମାନ ହେବନି । ତାପରେ ରାଜାଙ୍କୁ ଗୋପନରେ ଯାଇ କହିଲେ ସେଇ ସୁନ୍ଦରେ ବଗିଚାରେ ନୂଆ ରାଣୀଙ୍କୁ ନେଇ ବୁଲନ୍ତୁ। ସେ ବଗିଚାରେ ଆଦୌ ପାଣି ନାହିଁ ।
ଦିନେ ରାଜା ତାଙ୍କ ନୂଆ ରାଣୀଙ୍କୁ ଧରି ମନ୍ତ୍ରୀ କହିଥିବା ବଗିଚାକୁ ଗଲେ । ସୁନ୍ଦର ବଗିଚାରେ ଅନେକ ସମୟ ବୁଲିଲା ପରେ ରାଜାଙ୍କୁ ଶୋଷ ହେଲା । ରାଜା ମାଧବୀ ଲତାର ଏକ କୁଞ୍ଜ ଦେଖିବାରୁ ତା' ପାଖକୁ ଗଲେ ଓ କୁଞ୍ଜ ଭିତରେ ଲୁଚି ରହିଥିବା ସୁନ୍ଦର ପୋଖରୀକୁ ଦେଖିଲେ । କାଚ କେନ୍ଦୁପରି ଦିଶୁଥିବା ସେ ପୋଖରୀରୁ ରାଜା ପାଣି ପିଇଲେ ଓ ପୁରୁଣା ସର୍ତ୍ତ ଭୁଲି ରାଣୀଙ୍କୁ କହିଲେ ଚାଲ ଏ ପୁଷ୍କରିଣୀରେ ସ୍ନାନ କରିବା ।
ଦୁହେଁ ମନ ଖୁସିରେ କିଛି ସମୟ ଗାଧେଇଲା ପରେ ରାଜା ଉପରକୁ ଉଠି ଦେଖନ୍ତି ତ ରାଣୀ ନାହାଁନ୍ତି। ପାଣିରେ ରାଣୀ ବୁଡିଗଲେ ଭାବି ରାଜା ବହୁତ ଖୋଜିଲେ ଓ ପାଖରୀର ସବୁ ପାଣିକୁ ଉଝାଳିବାକୁ ନିର୍ଦ୍ଦେଶ ଦେଲେ । ହେଲେ ରାଣୀ କେଉଁଠି ବି ନଥିଲେ । ପୋଖରୀରୁ ପାଣି କାଢିଲା ପରେ ଗୋଟେ ଗାତ ଦିଶିଲା । ଗାତରେ ଗୋଟେ ବେଙ୍ଗ ବସିଥିବାର ଦେଖାଗଲା । ରାଜାଙ୍କୁ ଲାଗିଲା ବେଙ୍ଗ ତାଙ୍କ ରାଣୀକୁ ମାରି ଖାଇଦେଇଛି ।
ରାଜା ପ୍ରଚଣ୍ଡ ରାଗରେ ଆଦେଶ ଦେଲେ ଦେଶରେ ବେଙ୍ଗମାନଙ୍କୁ ହତ୍ୟା କରାଯାଉ। ରାଜା କହିଲେ ତାଙ୍କୁ ସାକ୍ଷାତ କରିବାକୁ ଯିଏ ବି ଆସିବ ସାଙ୍ଗରେ ଗୋଟେ ମଲା ବେଙ୍ଗ ଆଣି ଆସିବ । ରାଜାଙ୍କ ଆଦେଶ ପରେ ସାରା ଦେଶରେ ବେଙ୍ଗମରା ଅଭିଯାନ ଆରମ୍ଭ ହୋଇଗଲା । ବେଙ୍ଗମାନେ ତ୍ରାହି ତ୍ରାହି ଡାକି ବେଙ୍ଗ ରାଜାଙ୍କ ଶରଣରେ ପଶିଲେ ।
ଦିନେ ଜଣେ ତପସ୍ୱୀ ରାଜା ପରୀକ୍ଷିତଙ୍କ ପାଖରେ ପହଞ୍ଚି କହିଲେ ବିଚରା ବେଙ୍ଗମାନଙ୍କୁ କାହିଁକି ହତ୍ୟା କରୁଛନ୍ତି । ବେଙ୍ଗମାନଙ୍କ ପ୍ରତି ହିଂସା ଆଚରଣ ନକରିବାକୁ ସେ ଅନୁରୋଧ କଲେ । ରାଜା ପରୀକ୍ଷିତ କିନ୍ତୁ ବେଙ୍ଗ ହତ୍ୟା ବନ୍ଦ କରିବାକୁ ସିଧା ମନାକରି କହିଲେ , "ନା ନା ତାହା ସମ୍ଭବ ନୁହେଁ । ସେମାନେ ମୋ ପତ୍ନୀଙ୍କୁ ହତ୍ୟା କରି ଖାଇଯାଇନ୍ତି । ମୁଁ କେବେବି ସେମାନଙ୍କୁ କ୍ଷମା ଦେବିନି ।"
ରାଜାଙ୍କ କଥା ଶୁଣି ତପସ୍ୱୀ ନିଜର ପରିଚୟ ଦେଇ କହିଲେ, "ହେ ରାଜା ! ମୁଁ ହେଉଛି ବେଙ୍ଗମାନଙ୍କ ରାଜା । ମୋ ନାମ ଆୟୁ । ତୁମେ ଯାହାକୁ ପତ୍ନୀ ଭାବରେ ପାଇଥିଲ ସେ ପ୍ରକୃତରେ ମୋ ଝିଅ ସୁଶୋଭନା । ସେ ମରିନି ବଞ୍ଚିଛି । କେବଳ ତୁମ ସାଙ୍ଗରେ ନୁହେଁ ସେ ଆଗରୁ ଆହୁରି ଅନେକ ରାଜାଙ୍କ ସହ ଠିକ ଏମିତି ଛଳାନାପୂର୍ଣ୍ଣ ବ୍ୟବହାର କରିଛି ।"
ବେଙ୍ଗ ରାଜା ଆୟୁଙ୍କ ପାଖରୁ ସତ କଥା ଶୁଣି ରାଜା ପରୀକ୍ଷିତ କହିଲେ ତେବେ ମୋତେ ଆଣି ତୁମ ଝିଅ ସୁଶୋଭନାକୁ ଦିଅନ୍ତୁ । ସେ ରାଣୀ ହେଇ ମୋ ପାଖରେ ରହିବେ। ବେଙ୍ଗ ରାଜା ତାଙ୍କ ଝିଅକୁ ଡାକି ଆଦେଶ ଦେଲେ ପରୀକ୍ଷିତଙ୍କ ସହ ରହିବାକୁ । ତା' ସହ ଅଭିଶାପ ଦେଇ କହିଲେ, "ତୁ ସବୁବେଳେ ଛଳନାପୂର୍ଣ୍ଣ ବ୍ୟବହାର କରୁଥିବାରୁ ତୋ ପୁଅମାନେ ବ୍ରାହ୍ମଣ ବିରୋଧୀ ହେବେ ଓ ତା'ର ପରାଭବ ବି ଭୋଗିବେ ।"
ରାଜା ପରୀକ୍ଷିତ ବଡ଼ ଆନନ୍ଦରେ ରାଣୀ ସୁଶୋଭନାଙ୍କ ସହ ଆନନ୍ଦରେ ସମୟ କାଟିବାକୁ ଲାଗିଲେ । କିଛି ବର୍ଷ ପରେ ରାଣୀ ତିନୋଟି ପୁତ୍ର ସନ୍ତାନ ଜନ୍ମ ଦେଲେ । ସେମାନଙ୍କର ନାମ ଦିଆଗଲା ଶଳ, ଦଳ ଓ ନଳ । ପୁଅମାନେ ବଡ଼ ହେଲା ପରେ ରାଜା ପରୀକ୍ଷିତ ବଡ଼ପୁଅ ଶଳ ହାତରେ ଦେଶର ଶାସନଭାର ଦେଇ ସନ୍ୟାସ ନେଇ ଜଙ୍ଗଲକୁ ଚାଲିଗଲେ ।
ଶଳ ରାଜା ହେଲାପରେ ଦିନେ ମୃଗୟା ଉଦ୍ଦେଶ୍ୟରେ ଜଙ୍ଗଲକୁ ଯାଇଥାନ୍ତି । ଜଙ୍ଗଲରେ ଏକ ହରିଣକୁ ଦେଖି ତା' ପଛରେ ରଥ ଚଳାଇବାକୁ ତାଙ୍କ ସାରଥିକୁ କହିଲେ । ସାରଥି କହିଲେ, "ମହାରାଜ ଆମ ରଥରେ ଯୋଚା ହୋଇଥିବା ଘୋଡ଼ାମାନଙ୍କୁ ଧରି ଆମେ କେବେବି ସେ ହରିଣକୁ ଶିକାର କରିପାରିବାନି । ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ ତେବେ କୋଉ ପ୍ରଜାତିର ଘୋଡ଼ା ଆମର ଏ ଘୋଡ଼ାଙ୍କ ଠାରୁ ଅଧିକ ବେଗରେ ଧାଇଁ ପାରିବେ? ସାରଥି କହିଲେ, "ମହାରାଜ ଆମ ପାଖରେ ବାମୀ ଅଶ୍ୱ ଥିଲେ ଆମେ ପବନ ବେଗରେ ଯାଇ ଅତି ସହଜରେ ମୃଗ ଶିକାର କରିପାରିବା। ବାମୀ ଅଶ୍ୱ ବାମଦେବ ଋଷିଙ୍କ ପାଖରେ ଅଛି ।"
ରାଜା ବାମଦେବଙ୍କ ଆଶ୍ରମରେ ପହଞ୍ଚି ଘୋଡ଼ା ଧାର ମାଗିଲେ । ବାମଦେବ ରାଜାଙ୍କୁ ଦୁଇଟି ଘୋଡ଼ା ଦେଲେ ଓ କହିଲେ ଶିକାର ସରିଲେ ଘୋଡ଼ା ଦୁଇଟିକୁ ଆଣି ଫେରେଇ ଦେବ। ରାଜା କିନ୍ତୁ ଶିକାର ପରେ ଆଉ ଏତେ ସୁନ୍ଦର ବେଗମାନ ଘୋଡ଼ାକୁ ଋଷିଙ୍କୁ ନେଇ ଫେରେଇବାକୁ ଚାହିଁଲେନି । ତାଙ୍କ ମନରେ ଲୋଭ ଆସିଲା । ରାଜା ସିଧା ରାଜନଗରକୁ ଫେରି ଆସିଲେ ଓ ଘୋଡ଼ା ଦୁଇଟିକୁ ନେଇ ଲୁଚେଇ ଦେଲେ ।
ଅଳ୍ପ ସମୟ ପାଇଁ ଘୋଡ଼ା ଧାର କରିଥିବା ରାଜା ମାସେ ପର୍ଯ୍ୟନ୍ତ ଯେତେବେଳେ ଘୋଡ଼ାକୁ ଫେରାଇଲେନି ସେତେବେଳେ ଋଷି ତାଙ୍କର ଆତ୍ରେୟ ନାମକ ଜଣେ ଶିଷ୍ୟଙ୍କୁ ରାଜାଙ୍କ ପାଖକୁ ଘୋଡ଼ା ପାଇଁ ପଠାଇଲେ ।
ଅତ୍ରେୟ ଘୋଡ଼ା ମାଗିବାରୁ ରାଜା ଶଳ କହିଲେ, "ତପସ୍ୱୀଙ୍କର ଘୋଡ଼ାରେ କି କାମ? ଘୋଡ଼ା ରାଜାର ଦରକାର । ରାଜାଙ୍କ ପାଖରେ ଅଛି ।" ଅତ୍ରେୟ ଫେରିଗଲେ ଓ ଗୁରୁଙ୍କୁ ରାଜାଙ୍କ କଥା କହିଲେ । ତାପରେ ସ୍ୱୟଂ ବାମଦେବ ରାଜାଙ୍କ ପାଖକୁ ଆସି ଘୋଡ଼ା ମାଗିଲେ । ରାଜା ଶଳ ତପସ୍ୱୀ ବାମଦେବଙ୍କୁ କହିଲେ, "ମୁଁ ଆପଣଙ୍କୁ ଘୋଡ଼ା ବଦଳରେ ଦୁଇଟି ଷଣ୍ଢ ଦେଉଛି, ଘୋଡ଼ା ମୁଁ ଫେରେଇବିନି ।" ବାମଦେବ ରାଜି ନହେବାରୁ ଘୋଡ଼ା ବଦଳରେ ରାଜା ଚାରୋଟି ଗଧ ଯାଚିଲେ । ରାଜା କହିଲେ, "ଏ ବାମୀ ଅଶ୍ୱ ମୃଗୟାରେ ବ୍ୟବହୃତ ହେବାପାଇଁ ଉପଯୁକ୍ତ । ମୃଗୟା ରାଜା କରନ୍ତି ତେଣୁ ତାଙ୍କର ସିନା ଘୋଡ଼ା ଦରକାର ଋଷିଙ୍କର ଘୋଡ଼ାରେ କି କାମ?"
ଏଥର ବାମଦେବ ଋଷି ରାଗିଗଲେ । କହିଲେ, "ହେ ରାଜା! ତୁମେ ବ୍ରାହ୍ମଣ ଓ କ୍ଷତ୍ରୀୟଙ୍କ ଭିତରେ ଅଯଥାରେ ବାଦ ସୃଷ୍ଟି କରୁଛ । ମୁଁ ଯଦି ବ୍ରାହ୍ମଣର ଧର୍ମ ଆଚରଣ କରୁଥିବି ତେବେ ମୋ ଅଭିଶାପ ବଳରେ ଲୁହାରେ ତିଆରି ଚାରୋଟି ରାକ୍ଷାସ ତୁମକୁ ଧାରୁଆ ଅସ୍ତ୍ରରେ ଚାରି ଫାଳ କରି କାଟି ବୋହିନେବେ।" ରାକ୍ଷସମାନେ ରାଜାଙ୍କୁ ହତ୍ୟା କରିବା ଆଗରୁ ରାଜା କହିଗଲେ ତାଙ୍କ ଅନ୍ତେ ଯିଏ ବି ସିଂହାସନରେ ବସିବ ସେ ବାମଦେବଙ୍କୁ ଘୋଡ଼ା ଯେମିତି ଫେରେଇବନି ।
ପର ରାଜା ବି ବାମଦେବଙ୍କୁ ଘୋଡ଼ା ଫେରାଇଲେନି । ଋଷି ଘୋଡ଼ା ମାଗିବାରୁ ଓଲଟି କହିଲେ ସେ ସାଇତିଥିବା ବିଷାକ୍ତ ତୀର ମାରି ବାମଦେବଙ୍କୁ କୁକୁରଙ୍କ ଆଗରେ ପକେଇଦେବେ । ବାମଦେବ ରାଜାଙ୍କ କଥା ଶୁଣି କହିଲେ, "ରାଜା ତୁମର ଦଶ ବର୍ଷର ପୁଅଟିଏ ଅଛି । ତୁମେ ମୋତେ ମାରିବାକୁ ରଖିଥିବା ବିଷାକ୍ତ ତୀର ତାକୁ ବିଦ୍ଧ କରୁ ।" ତୀର ରାଜକୁମାରଙ୍କୁ ବିଦ୍ଧ କଲା । ପୁଅ ମରିବା ଖବର ଜାଣିଲାପରେ ରାଜା ଆଉ ଏକ ତୀରରେ ବାମଦେବଙ୍କୁ ହତ୍ୟା କରିବାକୁ ପ୍ରୟାସ କଲେ । କିନ୍ତୁ ବାମଦେବଙ୍କ ମନ୍ତ୍ର ଶକ୍ତିରେ ସେ ଆଉ ତୀର ସନ୍ଧାନ କରିପାରିଲେନି । ରାଜା ଶେଷରେ ତାଙ୍କର ଭୁଲ ସ୍ୱୀକାର କଲେ । ରାଣୀ ଆସି ବାମଦେବଙ୍କୁ କ୍ଷମା ମାଗିଲେ । ରାଣୀଙ୍କ ଅନୁରୋଧ ଓ ପ୍ରାର୍ଥନା ପରେ ବାମଦେବ ଇକ୍ଷୁକ ବଂଶକୁ ଓ ରାଜାଙ୍କୁ କ୍ଷମା କରି ତାଙ୍କ ଅଶ୍ୱ ଧରି ନିଜ ଆଶ୍ରମକୁ ଫେରି ଆସିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)