/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738478143.jpg)
Mahabharat Story
ଅନେକ ତୀର୍ଥ ସ୍ଥାନ ଭ୍ରମଣ କଲାପରେ ଅର୍ଜୁନ ଶେଷରେ ପବିତ୍ର ପ୍ରଭାସ ତୀର୍ଥରେ ପହଞ୍ଚିଲେ । ଅର୍ଜୁନଙ୍କ ପ୍ରଭାସରେ ପହଞ୍ଚିବା ଖବର କୃଷ୍ଣ ପାଇଲା ପରେ ତାଙ୍କୁ ଦେଖା କରି ସାଙ୍ଗରେ ଧରି ଦ୍ୱାରକା ଆସିବାକୁ ବାହାରିଲେ । ପ୍ରଭାସରେ ଦୁଇ ବନ୍ଧୁଙ୍କର ଦେଖା ହେଲା । ସେଠି କିଛି ସମୟ ଏକାଠି କାଟିଲା ପରେ ଦୁହେଁ ଦ୍ୱାରକା ଆସିଲେ । ଅର୍ଜୁନଙ୍କ ସ୍ୱାଗତ ପାଇଁ ଦ୍ୱାରକା ନଗରୀକୁ ବହୁତ ସୁନ୍ଦର କରି ସଜା ଯାଇଥାଏ । ପ୍ରାଚୀରରେ ଚିତ୍ର ଅଙ୍କା ଯାଇଥାଏ । ତୋରଣ ଗଢା ଯାଇଥାଏ ଓ ଫୁଲ ପତ୍ରରେ ଚାରିଦିଗକୁ ସଜାଯାଇଥାଏ ।
ଅର୍ଜୁନଙ୍କୁ କୃଷ୍ଣଙ୍କ ନଗରୀରେ ଭୋଜ, ଅନ୍ଧକ, ବୃଷ୍ଣି ବଂଶଜମାନେ ବେଶ ସ୍ୱାଗତ ସମ୍ମାନ କଲେ । ନଗର ଭ୍ରମଣ କରି ରାଜନଅରକୁ ଆସିଲା ପରେ ଅର୍ଜୁନ ସେଇଠି ଜଣେ ସୁନ୍ଦରୀ ଯୁବତୀଙ୍କୁ ଦେଖି ମୋହିତ ହେଇଗଲେ । ପ୍ରଥମ ଦେଖାରୁ ଅର୍ଜୁନ ତାଙ୍କ ପ୍ରେମରେ ପଡିଗଲେ । ଅର୍ଜୁନଙ୍କ ମନ କଥା କୃଷ୍ଣ ବୁଝିଗଲେ । ଯେତେବେଳେ ଏ ସୁନ୍ଦରୀ କିଏ ବୋଲି ଅର୍ଜୁନ ପଚାରିଲେ ସେତେବେଳେ କୃଷ୍ଣ ଧାରେ ସ୍ମିତହାସ ଖେଳାଇ କହିଲେ କାହିଁକି, କିଛି ଦରକାର ଅଛି କି? ଏତେ ଦିନ ବଣ ଜଙ୍ଗଲରେ ବୁଲିଲା ପରେ ବି ତମେ ତମ ମନକୁ ଆକଟ କରିପାରିନ କି? ହଉ ଶୁଣ ଯାହାକୁ ଦେଖି ତମ ମନ ଚହଲି ଯାଇଛି, ସେ ମୋ ସାନ ଭଉଣୀ ସୁଭଦ୍ରା । କହିବ ଯଦି ତୁମ ଇଚ୍ଛା ବିଷୟରେ ମୁଁ ବାପା ଓ ବଡ ଭାଇଙ୍କ ସହ କଥା ହେବି । ସଖାଙ୍କ ଆଗରେ ଧରାପଡିଯାଇ ଅର୍ଜୁନ ସାମାନ୍ୟ ଲାଜ ମିଶା ସ୍ୱରରେ କହିଲ, ହଁ ବସୁଦେବଙ୍କ ଝିଅ, ବାସୁଦେବଙ୍କ ଭଉଣୀ ସେ । ଏପରି ରୂପର ଗୁଣର ଯୁବତୀକୁ ପତ୍ନୀ ଭାବରେ ପାଇବା ତ ଭାଗ୍ୟର କଥା । ଉଚ୍ଚ ବଂଶଜଙ୍କ ସାଙ୍ଗରେ ସମ୍ପର୍କ ବାନ୍ଧିବାକୁ ମୁଁ ମନା କରିବି କାହିଁକି? କୃଷ୍ଣ କହିଲେ, ଦେଖ ସଖା ତୁମେ ଜାଣିଛ ଆମ କ୍ଷତ୍ରୀୟମାନଙ୍କର କନ୍ୟା ବିବାହ ପାଇଁ ସ୍ୱୟଂବର ଏକ ପ୍ରଚଳିତ ପ୍ରଥା । କିନ୍ତୁ ସ୍ୱୟଂବରରେ ସୁଭଦ୍ରା ତୁମକୁ ପସନ୍ଦ କରି ବରଣମାଳା ପିନ୍ଧାଇବ ଏ କଥା ମୁଁ ଜୋର ଦେଇ କହିପାରିବିନି । ସ୍ୱୟଂବରରେ ସେ କାହାକୁ ବରଣ କରିବ ସେ କଥା କିଏ କହିବ? ନାରୀମାନଙ୍କର ସ୍ୱଭାବ ଓ ଅନ୍ତଃକରଣ ପଣ୍ଡିତ ଓ ଶୌର୍ଯ୍ୟ ଆଦି ଗୁଣର ଅନୁବର୍ତ୍ତି ନୁହେଁ । ତେଣୁ ସୁଭଦ୍ରା ଯଦି ତୁମର ପସନ୍ଦ ଓ ତୁମେ ତାକୁ ବିବାହ କରିବାକୁ ଚାହଁ, ତେବେ ତାକୁ ବଳପୂର୍ବକ ହରଣ କରି ବିବାହ କରିପାର । ଜାଣିରଖ ତୁମ ପ୍ରତି ମୋର ସମର୍ଥନ ଅଛି । କ୍ଷତ୍ରୀୟମାନଙ୍କ ପକ୍ଷରେ କନ୍ୟା ହରଣ କରି ବିବାହ କରିବା କିଛି ଗର୍ହିତ ଅବା ଅଧର୍ମ କଥା ନୁହେଁ ।
ଅର୍ଜୁନ ଭାବିଲେ ଏମିତି କିଛି କରିବା ପୂର୍ବରୁ ବଡ ଭାଇଙ୍କର ଅନୁମତି ଦରକାର । ଅର୍ଜୁନ ତାପରେ ଧର୍ମରାଜ ଯୁଧିଷ୍ଠିରଙ୍କ ପାଖକୁ ଖବର ପଠାଇ ତାଙ୍କ ସମ୍ମତି ବି ପାଇଗଲେ । ଏବେ ଆଉ କିଛି ଅସୁବିଧା ନାହିଁ । କେବଳ ଉପଯୁକ୍ତ ସମୟକୁ ଅପେକ୍ଷା କରି ରହିବା କଥା ।
କୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ବାର୍ତ୍ତାଳାପଅଳ୍ପଦିନ ପରେ ସେ ସୁଯୋଗ ବି ଆସି ପହଞ୍ଚିଲା । ସେଦିନ ରୈବତକ ପର୍ବତରେ ଏକ ଉତ୍ସବର ଆୟୋଜନ ହୋଇଥାଏ । ନାଚ ଗୀତ ଓ ବିଭିନ୍ନ ପ୍ରକାରର ମନୋରଞ୍ଜନ ସହ ରାଜକୀୟ ଖାଦ୍ୟପେୟର ବନ୍ଦୋବସ୍ତ ହେଇଥାଏ । ଦ୍ୱାରକା ନଗରବାସୀ ସେମାନଙ୍କ ନିଜ ନିଜ ପରିବାର ସହ ରୈବତକ ପର୍ବତରେ ଉପସ୍ଥିତ ଥାଆନ୍ତି । ସେତିକିବେଳେ କୃଷ୍ଣ ଆସି ଅର୍ଜୁନଙ୍କୁ କହିଲେ, ସଖା ଏହାହିଁ ସୁଭଦ୍ରା ହରଣର ପ୍ରକୃଷ୍ଟ ସମୟ । ତୁମେ ଏବେ ରଥ ଧରି ରୈବତକ ବାହାର । ଉତ୍ସବରୁ ଫେରିବା ସମୟରେ ତୁମେ ଅତି ସହଜରେ ସୁଭଦ୍ରାକୁ ତୁମ ରଥରେ ଧରି ସେଠୁ ଇନ୍ଦ୍ରପ୍ରସ୍ଥ ବାହାରି ଯାଇପାରିବ ।
ଅଧିକ ପଢ଼ନ୍ତୁ: ପାଞ୍ଚ କୁମ୍ଭୀରିଣୀ ଓ ନବଗୁଞ୍ଜର ବୃତ୍ତାନ୍ତ
ଅର୍ଜୁନ ସେଇଆ ହିଁ କଲେ । ରୈବତକ ପର୍ବତରୁ ଉତ୍ସବ ଶେଷକରି ସୁଭଦ୍ରା ଫେରୁଥିବା ବେଳେ ଅର୍ଜୁନ ତାଙ୍କୁ ରଥରେ ବସାଇଲେ ଓ ତୀବ୍ର ବେଗରେ ସେଠାରୁ ବାହାରିଗଲେ । ଅଳ୍ପ ସମୟ ଭିତରେ ଅର୍ଜୁନଙ୍କ ଦ୍ୱାରା ସୁଭଦ୍ରା ହରଣ କଥା ଚାରିଦିଗରେ ବ୍ୟାପିଗଲା । ଖବର ବଳରାମଙ୍କ ପାଖରେ ଵି ପହଞ୍ଚିଲା । ଅର୍ଜୁନ ତାଙ୍କ ଭଉଣୀକୁ ହରଣ କରିଛନ୍ତି ଶୁଣି ବଳରାମ କ୍ରୋଧରେ ଅଗ୍ନିଶର୍ମା ହୋଇଗଲେ । ବଂଶର ଅନ୍ୟ ବୀରମାନେ ଏମିତି ଏକ ଘଟଣାକୁ ବିରୋଧ କରି ବଳରାମଙ୍କ ପାଖରେ ଫେରାଦ ହୋଇଥାନ୍ତି । ସମସ୍ତେ ଜାଣନ୍ତି ଅର୍ଜୁନ ହେଉଛନ୍ତି କୃଷ୍ଣଙ୍କର ବନ୍ଧୁ । ସମସ୍ତେ କହୁଥାନ୍ତି, ବନ୍ଧୁ ହୋଇ ଏମିତି କାମ କରିବା କ'ଣ ଠିକ ହେଲା କି? ବଳରାମ କହିଲେ, ଠିକ ଅଛି, ରଥ ପ୍ରସ୍ତୁତ କର । ମୁଁ ନିଜେ ଯାଇଁ ଅର୍ଜୁନକୁ ପରାସ୍ତ କରି ସୁଭଦ୍ରାକୁ ଫେରାଇ ଆଣିବି ।
କୃଷ୍ଣଙ୍କୁ ପଚରା ଯିବାରୁ ସେ କହିଲେ, ଅର୍ଜୁନ କିଛି ଭୁଲ କରିନାହାଁନ୍ତି । ବଳପୂର୍ବକ ପସନ୍ଦ କନ୍ୟାକୁ ଅପହରଣ କରି ବିବାହ କରିବା କ୍ଷତ୍ରୀୟମାନଙ୍କ ପାଇଁ କିଛି ଅଧର୍ମ କର୍ମ ନୁହେଁ । ଆମେ ଖୁସି ହେବା କଥା ଅନ୍ୟ କେହି ନୁହେଁ ବରଂ କୁରୁଶ୍ରେଷ୍ଠ ବୀର ଧନଞ୍ଜୟ ଆମ ଭଉଣୀକୁ ପସନ୍ଦ କରିଛନ୍ତି । ତାଙ୍କ ପରି ବୀର ଏ ଖଣ୍ଡ ମଣ୍ଡଳରେ ଆଉ କିଏ ଅଛିକି? ତାପରେ ସମସ୍ତେ ଦେଖିଛନ୍ତି ଅର୍ଜୁନ ସୁଭଦ୍ରାକୁ ଯେଉଁ ରଥରେ ଅପହରଣ କରି ନେଇଗଲେ ବୋଲି କୁହାଯାଉଛି, ସେ ରଥକୁ ତ ଆମ ଭଉଣୀ ସୁଭଦ୍ରା ନିଜେ ଚାଳନା କରୁଥିଲା । ତେଣୁ ଆମେ ଅର୍ଜୁନ ଆମ ଭଉଣୀକୁ ଅପହରଣ କରି ନେଇଗଲେ ବୋଲି କେମିତି କହିବା? ମୋତେ ଲାଗୁଚି ଉଭୟେ ପରସ୍ପରର ସମ୍ମତିରେ ଚାଲିଯାଇଛନ୍ତି ।
ସୁଭଦ୍ରା ହରଣକୃଷ୍ଣଙ୍କ ଯୁକ୍ତିପୂର୍ଣ୍ଣ କଥା ଶୁଣି ବଳରାମ ଓ ଅନ୍ୟମାନେ ଚୁପ ପଡିଲେ । ବଳରାମଙ୍କୁ ଅପ୍ରିୟ ସତ୍ୟକୁ ସ୍ୱୀକାର କରିବାକୁ ହେଲା।
ରୈବତକ ପର୍ବତରୁ ରଥ ଚଳାଇ ଅର୍ଜୁନ ସୁଭଦ୍ରାଙ୍କୁ ଧରି ଇନ୍ଦ୍ରପ୍ରସ୍ଥରେ ପହଞ୍ଚିଲେ । ଏବେ କିନ୍ତୁ କ'ଣ କରାଯିବ? ସେ ତ ସୁଭଦ୍ରାଙ୍କୁ ନେଇ ରାଜନଅରକୁ ଯାଇପାରିବେନି । କାରଣ ବହୁ ଆଗରୁ, ଯେବେଠାରୁ ପ୍ରସାଦ ନିର୍ମାଣ ହେଇଛି ସେବେଠାରୁ, ଦ୍ରୌପଦୀଙ୍କର ସର୍ତ୍ତ ଥିଲା ତାଙ୍କ ଛଡା ପାଞ୍ଚଭାଇମାନଙ୍କର ଅନ୍ୟ କୌଣସି ସ୍ତ୍ରୀ ସେଠାରେ ରହିପାରିବେନି । କେବଳ ଦ୍ରୌପଦୀଙ୍କ କଥା ମାନି ପାଞ୍ଚ ଭାଇଙ୍କର ଅନ୍ୟ ପତ୍ନୀ ସବୁ ବାହାରେ ରହୁଥାନ୍ତି।
ଅର୍ଜୁନଙ୍କ ଦ୍ୱିଧା ଦେଖି ସୁଭଦ୍ରା କହିଲେ ବ୍ୟସ୍ତ ହୁଅନି । ପରିସ୍ଥିତି ମୋତେ ସମ୍ଭାଳିବାକୁ ଦିଅ । ଦ୍ରୌପଦୀଙ୍କୁ କ'ଣ କୁହାଯିବ ସେକଥା ମୁଁ ଜାଣିଛି । ତାପରେ ସୁଭଦ୍ରା ଏକ ଗଉଡୁଣୀର ବେଶ ଧରିଲେ ଓ ଇନ୍ଦ୍ରପ୍ରସ୍ଥର ରାଣୀ ଅନ୍ତଃପୁରରେ ପହଞ୍ଚିଲେ । ପହଞ୍ଚିଲେ ତ ସିଧା ଦ୍ରୌପଦୀଙ୍କ ପାଦ ତଳେ ଶୋଇପଡି କହିଲେ ସାଆନ୍ତାଣୀ ମୋତେ ରକ୍ଷା କରନ୍ତୁ । ଦ୍ରୌପଦୀ ପ୍ରଥମେ କିଛି ବୁଝି ପାରିଲେନି । ଗଉଡୁଣୀକୁ ତଳୁ ଉଠେଇ ପଚାରିଲେ କଥା କ'ଣ? ହେଇଛି କ'ଣ? ଗଉଡ଼ୁଣୀ ରୂପୀ ସୁଭଦ୍ରା କହିଲେ, ମାଆ ସାଆନ୍ତାଣୀ ମୋତେ ମୋ ବର ବିବାହ କରିବାକୁ ଆମ ଘରୁ ଉଠେଇ ଆଣିଛନ୍ତି । ହେଲେ ଆଗରୁ ତାଙ୍କର ଭାରିଜା ଜଣେ ଅଛନ୍ତି । ସେ ମୋତେ କ'ଣ ଏବେ ଘରେ ପୂରେଇ ଦେବେ । ମୁଁ ବାପଘରକୁ ବି ଫେରି ପାରିବିନି । କରିବି କ'ଣ? କୋଉପଟର ନହେଲେ ଶେଷକୁ ଜୀବନ ହାରି ଦେବି ।
ଗଉଡୁଣୀର କଥାରେ ଦ୍ରୌପଦୀଙ୍କ ମନ ତରଳିଗଲା । ଆହା ଏତେ ସୁନ୍ଦରୀ ହେଇ କମ ବୟସର ଝିଅଟେ । ସତରେ ସେ ଏବେ କରିବ ବା କ'ଣ? ତେଣୁ ସେ କହିଲେ ବ୍ୟସ୍ତ ହଅନି । ଗଉଡୁଣୀ ଝିଅର ମୁଣ୍ଡରେ ହାତ ରଖି ଦ୍ରୌପଦୀ କହିଲେ ତୁ ଆଜିଠୁ ମୋ ସାନ ଭଉଣୀ ହୋଇ ମୋ ପାଖରେ ରହ । କେହି ତୋର କିଛି କରିପାରିବେନି । ମୁଁ ସେକଥା ବୁଝିବି ।
ଦ୍ରୌପଦୀଙ୍କର କଥା ଶୁଣିଲା ପରେ ସୁଭଦ୍ରା ଆଉଥରେ ତାଙ୍କ ପାଦ ତଳେ ପଡିଗଲେ ଓ ନିଜ ପ୍ରକୃତ ପରିଚୟ ଦେଇ କହିଲେ ମୁଁ କୃଷ୍ଣ ଓ ବଳରାମଙ୍କ ସାନଭଉଣୀ ସୁଭଦ୍ରା । ଅର୍ଜୁନ ମୋତେ ବିବାହ କରିବାକୁ ଦ୍ୱାରକାରୁ ଧରି ପଳେଇ ଆସିଛନ୍ତି । ତାପରେ ସେ ଗୋଟି ଗୋଟି କରି ସବୁ ଘଟଣା ଦ୍ରୌପଦୀଙ୍କୁ ବର୍ଣ୍ଣନା କରି କହିଲେ । ଏବେ ଦ୍ରୌପଦୀ ଅବା ଆଉ ଅଧିକ କ'ଣ କରିଥାନ୍ତେ? ସେ ତ କଥା ଦେଇ ସାରିଛନ୍ତି । ସେଉଠୁ ସୁଭଦ୍ରା ସେଇଠି ରହିଲେ । ଦ୍ରୌପଦୀ କହିଲେ, ଶୁଣ ମୋର ପାଞ୍ଚ ପତି । ଜଣେକା ମୋ ସାଙ୍ଗରେ ପାଳିକରି ବର୍ଷେ ଲେଖା ରୁହନ୍ତି । ଯେଉଁ ଚାରିବର୍ଷ ଅର୍ଜୁନ ମୋ ସାଙ୍ଗରେ ନଥିବେ ସେ ସମୟ ତୋର । ସୁଭଦ୍ରା ଖୁସିରେ ହଁ ମାରିଲେ ।
ରାଜି ହେଲେ ଦ୍ରୌପଦୀଯୁଧିଷ୍ଠିର ତାପରେ ସୁଭଦ୍ରା ଓ ଅର୍ଜୁନଙ୍କର ବିବାହ ଆୟୋଜନ କଲେ । କୃଷ୍ଣ ବଳରାମ ଓ ଅନ୍ୟମାନଙ୍କୁ ନିମନ୍ତ୍ରଣ କରାଗଲା । ସେମାନେ ସାଙ୍ଗରେ ଅନେକ ଧନ ରତ୍ନ ଓ ଉପହାର ଧରି ଆତ୍ମୀୟ ଏବଂ ବନ୍ଧୁ ପରିଜନଙ୍କ ସହ ଇନ୍ଦ୍ରପ୍ରସ୍ଥରେ ପହଞ୍ଚିଲେ । କୃଷ୍ଣ ଓ ବଳରାମଙ୍କୁ ପଞ୍ଚୁ ପାଣ୍ଡବ ଯଥାରୀତି ସମ୍ମାନ ଜଣାଇ ସ୍ୱାଗତ କଲେ ।
କିଛି ମାସ ପରେ ଅର୍ଜୁନ ଓ ସୁଭଦ୍ରାଙ୍କର ତେଜବାନ ପୁଅଟିଏ ଜନ୍ମ ହେଲା । ତାର ନାମ ରଖାଗଲା ଅଭିମନ୍ୟୁ । ଆଗରୁ ପାଞ୍ଚାଳୀ ମଧ୍ୟ ପାଞ୍ଚ ଭାଇଙ୍କ ଔରସରୁ ବର୍ଷେ ଲେଖା ବ୍ୟବଧାନରେ ଗୋଟେ କରି ପୁତ୍ର ସନ୍ତାନ ଜନ୍ମ କରିଥିଲେ । ଯୁଧିଷ୍ଠିରଙ୍କ ପୁଅର ନାମ ରଖାଯାଇଥିଲା ପ୍ରତିବିନ୍ଧ୍ୟ । ଭୀମଙ୍କ ଔରସରୁ ଜନ୍ମିତ କୁମରର ନାମ ସୁତସୋମ ଦିଆଯାଇଥିଲା । ଯାଜ୍ଞସେନୀ ଓ ଅର୍ଜୁନଙ୍କ ପୁଅର ନାମ ରଖାଯାଇଥିଲା ଶ୍ରୁତକର୍ମା । ନକୁଳଙ୍କ ପୁଅର ନାମ ଶତାନୀକ ଓ ସହଦେବଙ୍କ ପୁଅର ନାମ ଶ୍ରୁତସେନ ରଖାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)