• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ହସ୍ତିନାପୁରରୁ ବାହାରି ଆସି ଖାଣ୍ଡବପ୍ରସ୍ଥରେ ପାଣ୍ଡବମାନେ ନୂଆ ନଗର ବସାଇଲେ । ନୂଆ ରାଜପ୍ରାସାଦ ଗଢାଇଲେ । ଆଖ ପାଖର ପଡୋଶୀ ରାଜାମାନଙ୍କ ସହ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ବଢାଇଲେ । ଏବେ ପାଣ୍ଡବମାନଙ୍କ ସହ କୃଷ୍ଣଙ୍କର ସମ୍ପର୍କ ଆହୁରି ଅଧିକ ଦୃଢ ହୋଇଯାଇଥାଏ। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ କୃଷ୍ଣ ସେମାନଙ୍କୁ ସହାୟତା କରୁଥା'ନ୍ତି । ନୂଆ ସ୍ଥାନ ଓ ନୂଆ ପରିବାର ସାଙ୍ଗରେ ଦ୍ରୌପଦୀ ମଧ୍ୟ ଖୁସିରେ ଥାଆନ୍ତି । ଅନେକ ବର୍ଷ ପରେ ରାଜମାତା କୁନ୍ତୀଙ୍କ ମୁହଁକୁ ହସ ଫେରିଆସିଥାଏ । 

ଥରେ ଯୁଧିଷ୍ଠିରଙ୍କ ରାଜସଭାରେ ଦେବର୍ଷି ନାରଦ ଆସି ପହଞ୍ଚିଲେ। ପାଣ୍ଡବ ଭାଇମାନେ ଦେବର୍ଷିଙ୍କର ପାଦ ଧୋଇ ଉଚିତ ଆଦର ସତ୍କାର କଲେ । ଦେବର୍ଷି ଆସିଛନ୍ତି ଜାଣି ଦ୍ରୌପଦୀ ଓ କୁନ୍ତୀ ଆସି ପୂଜା ଅର୍ଚ୍ଚନା କଲେ। ପାଣ୍ଡବ ପରିବାରର କୁଶଳ ମଙ୍ଗଳ ବାର୍ତ୍ତା ପଚାରି ସାରିଲା ପରେ ନାରଦ କହିଲେ, ତୁମ ପାଞ୍ଚ ଭାଇଙ୍କର ଜଣେ ମାତ୍ର ପତ୍ନୀ । ଏକମାତ୍ର ପତ୍ନୀ କାରଣରୁ ଭୁଲ ବୁଝାମଣାର ସମ୍ଭାବନା ରହିଛି। ତେଣୁ ନିଜ ନିଜ ଭିତରେ ଭଲ ସମ୍ପର୍କ ରଖିବାକୁ ତୁମମାନଙ୍କୁ କିଛି ନୀୟମ ପାଳନ କରିବାକୁ ହେବ। ସେ ନେଇ ଗୋଟେ ପୁରୁଣା କାହାଣୀ କହୁଛି ଶୁଣ।

ନାରଦ ଗପିଲେ; ପୁରା କାଳର କଥା । ରାକ୍ଷସ ରାଜା ହିରଣ୍ୟକଶିପୁ ବଂଶରେ ନିକୁମ୍ଭ ନାମକ ଏକ ଦାନବ ରାଜା ଥିଲା । ତା'ର ଅତ୍ୟନ୍ତ ଶକ୍ତିଶାଳୀ ଦୁଇ ପୁଅ ଥିଲେ, ସୁନ୍ଦ ଓ ଉପସୁନ୍ଦ । ସୁନ୍ଦ ଓ ଉପସୁନ୍ଦ ଦୁଇ ଭାଇଙ୍କ ଭିତରେ ପାଣି ବି ଗଳିବନି । ଦୁହେଁ ସବୁ କିଛି କାମ ଏକାଠି କରୁଥିଲେ । ଏକାଠି ଗୋଟିଏ ଥାଳିରେ ଖାଉଥିଲେ, ଗୋଟେ ଖଟରେ ଶୋଉଥିଲେ, ଏକାଠି ସାଙ୍ଗ ହୋଇ ବୁଲୁଥିଲେ । ଜଣେ ଅନ୍ୟଜଣକୁ ନିମିଷକ ପାଇଁ ମଧ୍ୟ ଆଖି ଆଗରୁ ଅନ୍ତର କରୁନଥିଲେ । ଆସୁରିକ ଶକ୍ତିକୁ ବଢାଇବାକୁ ଦୁହେଁ ଥରେ ବିନ୍ଧ୍ୟ ପର୍ବତ ଉପରେ ଘୋର ତପସ୍ୟାରେ ବସିଲେ । ଏମିତି ତପସ୍ୟା କଲେ ଯେ ସ୍ୱର୍ଗର ଦେବତାମାନେ ପ୍ରମାଦ ଗଣିଲେ । ଦୁଇ ରାକ୍ଷସ ଭାଇଙ୍କ ତପସ୍ୟା ଭଙ୍ଗ କରିବାକୁ ଦେବତାମାନେ ଅନେକ ପ୍ରକାରର ବ୍ୟବସ୍ଥା କଲେ । ହେଲେ କିଛି ବି ଲାଭ ହେଲାନି । ସେମାନଙ୍କର ଏକାଗ୍ରତାରେ ସାମାନ୍ୟ ପରିବର୍ତ୍ତନ ଆସିଲାନି । 

ଶେଷରେ ପ୍ରଜାପତି ବ୍ରହ୍ମା ଦୁଇ ଭାଇଙ୍କ ଆଗରେ ପ୍ରକଟ ହେଲେ ଓ କହିଲେ, ସେ ସେମାନଙ୍କ ତପସ୍ୟାରେ ଖୁସି । ଏବେ ସେମାନେ କେଉଁ ବର ମାଗିବାକୁ ଚାହାଁନ୍ତି ମାଗିପାରନ୍ତି । 

ବ୍ରହ୍ମାଙ୍କୁ ପାଖରେ ପାଇ ରାକ୍ଷସ ଦୁଇ ଭାଇ କହିଲେ ଆମ ପାଖରେ ସବୁ କିଛି ଅଛି । ଧନ ରତ୍ନ, ଅସ୍ତ୍ର- ଶସ୍ତ୍ରର ଅଭାବ ନାହିଁ । ଆମକୁ ସବୁ ପ୍ରକାର ଅସ୍ତ୍ର ଜ୍ଞାନ ସହ ଇଚ୍ଛା କଲେ ଯେକୌଣସି ରୂପ ପରିବର୍ତ୍ତନର ବର ଦିଅନ୍ତୁ । ତା ସହ ଚାହୁଁଛୁ ଆପଣ ଆମକୁ ଅମର ହେବାର ବି ବର ଦିଅନ୍ତୁ । ଅମର ବର କଥା ଶୁଣି ପିତାମହ ବ୍ରହ୍ମା ଅସୁବିଧାରେ ପଡିଗଲେ । କହିଲେ ନା ନା ସେକଥା ହେଇ ପାରିବନି । ତୁମେ ଦୁହେଁ ନିଜ ସ୍ୱାର୍ଥ ପାଇଁ ତପସ୍ୟା କରିଛ । ତେଣୁ ମୁଁ ତୁମ ଦୁହିଁଙ୍କୁ ଅମର ବର ଦେଇପାରିବିନି । ପାରୁଛ ଯଦି ଅନ୍ୟ କିଛି ମାଗ । ଚାଲାକ ରାକ୍ଷସ ଦୁଇଭାଇ ହାତ ଯୋଡି କହିଲେ, ଆମେ କୌଣସି ଅସ୍ତ୍ରରେ ମରିବୁନି କି ଏ ତିନି ଭୂବନରେ ଅନ୍ୟ କେହିବି ଆମକୁ ମାରିପାରିବେନି, ଅନ୍ତତଃ ଏମିତି ବରଟେ ଦିଅନ୍ତୁ । ବ୍ରହ୍ମା କହିଲେ ତଥାସ୍ତୁ । 

ବ୍ରହ୍ମାଙ୍କ ପାଖରୁ ବର ପାଇ ଦୁଇ ରାକ୍ଷସ ଭାଇ ବଡ ଆନନ୍ଦରେ ଘରକୁ ଫେରିଲେ । ଏବେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ସେମାନଙ୍କୁ ହରେଇବାକୁ କି ମାରିବାକୁ କେହି ନାହାଁନ୍ତି । ସେମାନେ ଏବେ ଯାହାକୁ ଚାହିଁବେ ତାକୁ ଯୁଦ୍ଧରେ ହରେଇ ପାରିବେ । କାହାକୁ ଡର ଭୟ କରିବାର କିଛି କାରଣ ନାହିଁ । ତାପରେ ଦୁଇ ଭାଇ ନିଷ୍ପତ୍ତି ନେଲେ ତିନି ଭୂବନକୁ ପରାଜିତ କରି ଶୀଘ୍ର ବିଶ୍ୱ ବିଜୟୀ ହେବେ। ପ୍ରଥମେ ପୃଥିବୀର ରାଜାମାନଙ୍କୁ ପରାଜିତ କରି ସେମାନଙ୍କ ଦେଶକୁ ନିଜ ଦେଶ ସହ ମିଶାଇଲେ । ସେମାନଙ୍କ ପ୍ରାର୍ଦୁଭାବ ଓ ଅତ୍ୟାଚାରରେ ବ୍ରାହ୍ମଣମାନେ ଯାଗଯଜ୍ଞ ବି କରିପାରିଲେନି । ଘର ଦ୍ୱାର ଛାଡି ଯିଏ ଯାହା ବାଟରେ ଜୀବନ ବଞ୍ଚାଇ ଲୁଚି ରହିଲେ ।

ତାପରେ ସୁନ୍ଦ ଓ ଉପସୁନ୍ଦ ଦୁଇ ଭାଇ ନାଗଲୋକରେ ପହଞ୍ଚି ସେଠି ବି ଆକ୍ରମଣ କଲେ । ନାଗ ଲୋକ ଜୟ କଲାପରେ ତାପରେ ସିଧା ସ୍ୱର୍ଗଲୋକରେ ପହଞ୍ଚିଲେ । ବ୍ରହ୍ମାଙ୍କ ବଳରେ ବଳିୟାନ ଦୁଇ ଭାଇଙ୍କୁ କୌଣସି ଦେବତା ବି ସାମ୍ନା କରିପାରିଲେନି । ତିନିଲୋକରେ ହା ହା କାର । ମାୟା ରଚନା ଓ ରୂପ ବଦଳାଇ ଯେକୌଣସି ରୂପ ଧାରଣ କରିବାର ବର ପାଇଥିବା ରାକ୍ଷସ ଦ୍ୱୟ, ଇଚ୍ଛା ଅନୁସାରେ ରୂପ ବଦଳାଇ ଅନ୍ୟମାନଙ୍କୁ ମାରି ପକାଉଥାନ୍ତି। କେତବେଳେ ହାତୀ ଓ କେତବେଳେ ବାଘ । କେବେ ସିଂହ ତ କେବେ ପୁଣି ଅଦୃଶ୍ୟ ହୋଇ ଯାଉଥା'ନ୍ତି । ତାଙ୍କ ମାୟା ବୁଝିବା ଅନ୍ୟମାନଙ୍କ ପାଖରେ ଅସମ୍ଭବ ଥାଏ । ଦୁଇ ରାକ୍ଷସ ଭାଇଙ୍କ କବଳରୁ ବ୍ରହ୍ମାଣ୍ଡକୁ ରକ୍ଷା କରିବାକୁ ଦେବାତାମାନେ ଶେଷରେ ମିଳିମିଶି ବ୍ରହ୍ମ ଲୋକରେ ସେଇ ପିତାମହ ବ୍ରହ୍ମାଙ୍କ ପାଖରେ ଯାଇ ଶରଣ ପସିଲେ । ବ୍ରହ୍ମା ସ୍ୱୟଂ ଦୁଇଭାଇଙ୍କୁ ବର ଦେଇଛନ୍ତି ଏବେ ସେ ହିଁ ଉପାୟ ବାହାର କରିବେ? 

ବ୍ରହ୍ମା କହିଲେ ରାକ୍ଷସ ଦୁଇ ଭାଇଙ୍କୁ ସେ ଅନ୍ୟ କାହା ହାତରେ ମରିବେନି ବୋଲି ବର ଦେଇଛନ୍ତି, କିନ୍ତୁ ସେମାନେ ନିଜ ହାତରେ ତ ମରିପାରିବେ । ତାପରେ ବ୍ରହ୍ମା ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ସ୍ମରଣ କଲେ । ବିଶ୍ୱକର୍ମା ପହଞ୍ଚିଲା ପରେ ତାଙ୍କୁ ବିଶ୍ୱ ବ୍ରହ୍ମାଣ୍ଡର ସବୁ ସୌନ୍ଦର୍ଯ୍ୟପୂର୍ଣ୍ଣ ଜିନିଷରୁ ସୁନ୍ଦରତା ନେଇ ଏକ ନାରୀ ମୂର୍ତ୍ତି ଗଢିବାକୁ କହିଲେ । ବିଶ୍ୱକର୍ମା ମନ ଧ୍ୟାନ ଦେଇ ସୁନ୍ଦରୀ ନାରୀ ମୂର୍ତ୍ତି ଗଢିଲେ ଓ ସେଥିରେ ଜୀବନ୍ୟାସ ଦେଲେ । ବ୍ରହ୍ମା ସେ ନାରୀର ନାମ ରଖିଲେ ତିଳୋତ୍ତମା । ତାପରେ ବ୍ରହ୍ମା ତିଳୋତ୍ତମାଙ୍କୁ ଆଦେଶ ଦେଇ କହିଲେ, ଯାଅ ସେ ରାକ୍ଷସ ଦୁଇ ଭାଇଙ୍କ ମନକୁ ତୁମ ରୂପ ଲାବଣ୍ୟରେ ମୋହିତ କର । ସେମାନଙ୍କ ଭିତରେ ବିଭେଦ ସୃଷ୍ଟି କର । ଯେମିତି ତୁମକୁ ପାଇବାକୁ ଦୁହେଁ ଦୁହିଁଙ୍କର ପରମ ଶତୃ ହୋଇଯିବେ ଓ ନିଜ ନିଜ ଭିତରେ ଲଢି ମରିବେ ।  

ସୁନ୍ଦ ଓ ଉପସୁନ୍ଦ କଥାସୁନ୍ଦ ଓ ଉପସୁନ୍ଦ କଥା

ତାପରେ ଭୁବନମୋହିନୀ ତିଳୋତ୍ତମା ଦେବତା ମଣ୍ଡଳୀକୁ ସମ୍ମାନ ଜଣାଇ ସେମାନଙ୍କୁ ପ୍ରଦକ୍ଷଣ କଲେ । ଅନ୍ୟ ଦେବତା ଓ ଋଷିମାନେ ନିଜ ନିଜକୁ ସଞ୍ଜମତାର ସହ ଆକଟ କରି ରଖିଲେ । କିନ୍ତୁ ଦେବରାଜ ଇନ୍ଦ୍ର ଓ ମହାଦେବ ତିଳୋତ୍ତମାଙ୍କୁ ଆଖି ଭରି ଦେଖିବାର ଇଚ୍ଛାକୁ ଦମନ କରିପାରିଲେନି । ତେଣୁ ଭିତରର ତୀବ୍ର ଇଚ୍ଛା ପାଇଁ ବାମ ପଟରେ ତିଳୋତ୍ତମା ଥିବା ସମୟରେ ମହାଦେବଙ୍କ ବାମ ପଟରେ ଏକ ନୂଆ ମୁହଁ ପ୍ରକଟ ହେଲା । ତାପରେ ତିଳୋତ୍ତମା ପ୍ରଦକ୍ଷଣରେ ପଛ ପଟକୁ ବୁଲିଯିବାରୁ ମହାଦେବଙ୍କର ପଛ ପାଖରେ ଆଉ ଏକ ମୁଖ ପ୍ରକଟ ହେଲା । ସେମିତି ଦକ୍ଷିଣକୁ ବି ଆଉ ଏକ ମୁଖ ପ୍ରକଟ ହେଲା । ମହାଦେବ ସେହିଦିନରୁ ଚର୍ତୁମୁଖୀ ହୋଇଗଲେ । ସେପଟେ ଇନ୍ଦ୍ରଦେବଙ୍କ ଭିତରେ ତିଳୋତ୍ତମାଙ୍କୁ ଦେଖିବାର ଲାଳସାରୁ ତାଙ୍କ ଦେହ ସାରା ହଜାରେ ସରିକି ନୂଆ ଆଖି ଫୁଟି ଉଠିଲା । 

ସାରା ବ୍ରହ୍ମାଣ୍ଡ ଉପରେ ବିଜୟ ଲାଭ କରିସାରି ରାକ୍ଷସ ଦୁଇ ଭାଇ ମହା ଆନନ୍ଦରେ ଥାଆନ୍ତି । ଖାଇବା ପିଇବାରେ ତାଙ୍କର କିଛିବି ଅଭାବ ନଥାଏ । ଯାହା ଚାହୁଁଥାନ୍ତି ତାହା କରୁଥାନ୍ତି । ଦିନେ ଦୁହେଁ ବିନ୍ଧ୍ୟ ପର୍ବତର ଏକ ଶିଖରର ଶାଳ ଜଙ୍ଗଲ ଭିତରେ ମଉଜ କରୁଥାନ୍ତି । ଅନେକ ସୁନ୍ଦରୀ ନାରୀ ସେମାନଙ୍କ ମନୋରଞ୍ଜନ କରୁଥାନ୍ତି । ନାଚ, ଗୀତ, ବାଜଣା ସାଙ୍ଗରେ ବିଭିନ୍ନ ମଦିରା ଓ ଭଳିକି ଭଳି ରାଜକୀୟ ବ୍ୟଞ୍ଜନର ଆୟୋଜନ ଚାଲିଥାଏ । ଠିକ୍ ସେତିକି ବେଳେ ସୁନ୍ଦରୀ ତିଳୋତ୍ତମା ଗୋଟେ ଲାଲ ରଙ୍ଗର ଝୀନ୍ ବସନ ପିନ୍ଧି ସେଇଠି ପହଞ୍ଚିଲେ । ସେ କିଛି ନଜାଣିଲା ପରି ଜଙ୍ଗଲୀ ଫୁଲ ତୋଳୁଥା'ନ୍ତି । କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟ ଦେଖି ହାଠାତ୍ ରାକ୍ଷସ ଦୁଇ ଭାଇ ବିମୋହିତ ହୋଇଗଲେ।

କାମ ବାସନାର ତାଡନାରେ ଦୁହେଁ ନିଜ ନିଜର ଆସନ ଛାଡି ତୁରନ୍ତ ତିଳୋତ୍ତମାଙ୍କ ପାଖରେ ପହଞ୍ଚି ପ୍ରେମ ନିବେଦନ କଲେ । ସୁନ୍ଦରୀ ତିଳୋତ୍ତମାଙ୍କ ଡାହାଣ ହାତ ସୁନ୍ଦ ଧରିଲା ତ ବାମ ହାତ ଧରିପକାଇଲା ଉପସୁନ୍ଦ। ତାପରେ ଦୁଇ ଭାଇଙ୍କ ଭିତରେ ତିଳୋତ୍ତମା କାହାର ହେବ ସେନେଇ ପ୍ରତିଯୋଗିତା ଆରମ୍ଭ ହେଇଗଲା । ସୁନ୍ଦ ତିଳୋତ୍ତମାଙ୍କ ହାତ ଜାବୁଡି ଧରି ଉପସୁନ୍ଦକୁ କହିଲା ଏ ସୁନ୍ଦରୀ ମୋର, ତା ହାତ ଛାଡ । ହିସାବରେ ଏ ତୋର ବଡ ଭାଉଜ ହେବ । ଉପସୁନ୍ଦ କହିଲା ନା ନା ଭାଇ, ଏ ଅନିନ୍ଦ୍ୟ ସୁନ୍ଦରୀ ତୋର ଭାଇବୋହୂ ହେବ । ତୁ ଆଗ ତା ହାତ ଛାଡ । ଦୁଇ ଭାଇ କେହି କାହା କଥା ଶୁଣିବା ଅବସ୍ଥାରେ ନଥିଲେ । ତିଳୋତ୍ତମାଙ୍କ ପାଇଁ ତାପରେ ଦୁହେଁ ଦୁହିଁଙ୍କ ଉପରେ ଆକ୍ରମଣ କଲେ । ଦୁହିଁଙ୍କ ଭିତରେ ଘମାଘୋଟ ଲଢେଇ ହେଲା ଓ ଶେଷରେ ଦୁହିଁକୁ ଦିହେଁ ସେଇଠି ରକ୍ତ ଜୁଡୁବୁଡୁ ହୋଇ ମରି ଶୋଇଲେ । 

ଦେବର୍ଷି ନାରଦ ସୁନ୍ଦ ଓ ଉପସୁନ୍ଦଙ୍କ ପୁରା କାହାଣୀ କହିସାରି କହିଲେ ଏତେ ବର୍ଷଧରି ସେ ଦୁଇ ଭାଇ, କେହି କାହାକୁ ମୁହୂର୍ତ୍ତେ ହେଲେବି ଛାଡି ନଥିଲେ । ସେମାନଙ୍କୁ ତିନି ଭୂବନର କୌଣସି ଶକ୍ତି ଅଲଗା କରିପାରିନଥିଲା । ଯାହା କେହି ସମ୍ଭବ କରାଇ ପାରିନଥିଲେ, ତାହା ଶେଷରେ ଜଣେ ସୁନ୍ଦରୀ ଯୁବତୀ କରିପାରିଲେ । 

ତୁମ ପାଞ୍ଚ ଭାଇଙ୍କ ଭିତରେ କେହିବି କେବେ ଯେମିତି କୌଣସି ବିଭେଦ ସୃଷ୍ଟି କରିପାରିବନି ସେଥିପାଇଁ ତୁମ ଭିତରେ କଥା ହୋଇ ଗୋଟେ ନିୟମ ତିଆରି କର । ଫଳରେ ଆଗକୁ ଯେମିତି ତୁମ ଏକମାତ୍ର ପତ୍ନୀଙ୍କୁ ନେଇ କିଛି ବି ଭୁଲ ବୁଝାମଣା ହେବାର ସମ୍ଭାବନା ନରହେ ।

ନାରଦଙ୍କ କଥା ଶୁଣିସାରି ପାଞ୍ଚ ଭାଇ ସେମାନଙ୍କ ଭିତରେ କଥା ହେଲେ ଓ ନାରଦଙ୍କୁ ଆସି କହିଲେ; ହଁ ଦେବର୍ଷି, ଆମେ କଥା ହେଲୁ ଓ ନିୟମ ବି ତିଆରି କଲୁ । ନିୟମ ହେଲା ଆମ ଭିତରୁ ଜଣେ ଯଦି ଦ୍ରୌପଦୀଙ୍କ ସହ ଏକାନ୍ତରେ ଥିବେ , ତେବେ ସେ ସମୟରେ ଅନ୍ୟ ଜଣେ ସେଠାକୁ ଯିବନି । ଯଦି ଯାଏ, ତେବେ ଦଣ୍ଡ ସ୍ୱରୂପ ତାଙ୍କୁ ବାର ବର୍ଷ ପାଇଁ ଘର ଛାଡି ଜଙ୍ଗଲକୁ ଯିବାକୁ ହେବ ଓ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ହେବ । 

ନାରଦ ତାପରେ ଖୁସି ମନରେ ପାଣ୍ଡବ ପରିବାରକୁ ଆଶୀର୍ବାଦ କଲେ ଓ ନାରାୟଣ ନାରାୟଣ ଜପ କରି ସେଠୁ ବାହାରିଗଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now