ଲୋମଶ ଋଷିଙ୍କ ସାଙ୍ଗରେ ପାଣ୍ଡବଙ୍କ ଚାରିଭାଇ ଓ ଦ୍ରୌପଦୀ ଅନେକ ତୀର୍ଥ ଭ୍ରମଣ କଲାପରେ ସମୁଦ୍ର କୂଳରେ କଳିଙ୍ଗ ଦେଶରେ ଆସି ପହଞ୍ଚିଲେ । ଯୁଧିଷ୍ଠିରଙ୍କୁ ଲୋମଶ କହିଲେ, ଯେଉଁ ଦେଶରେ ବୈତରିଣୀ ନଦୀ ବହୁଛି ସେଇ ଦେଶକୁ କଳିଙ୍ଗ କୁହାଯାଏ । ନଦୀର ଉତ୍ତର ତୀରରେ ଋଷିମାନେ ବାସ କରୁଥିଲେ ଓ ଯଜ୍ଞ କରୁଥିଲେ । ଏଇଠି ରୁଦ୍ରଦେବ ଯଜ୍ଞର ପଶୁକୁ ଅପହରଣ କରୁଥିଲେ । ଦେବତାମାନେ ତାଙ୍କୁ ସନ୍ତୁଷ୍ଟ କରିବାକୁ ସ୍ତବ କରି ବୁଝାଇଲେ ଯଜ୍ଞର ପୂରା ଭାଗକୁ ନନେଇ ଉତ୍ତମ ଓ ସଦ୍ୟଜାତ ଭାଗ ନିଅନ୍ତୁ । ଶିବ ରାଜି ହେଲେ ।
ଲୋମଶ ସେଇ ସ୍ଥାନର ମହାତ୍ମ୍ୟ ସହ ଯୋଡା ଅନେକ କାହାଣୀ କହିଲେ ଓ ପାଣ୍ଡବଙ୍କ ଚାରିଭାଇ ଏବଂ ଦ୍ରୌପଦୀ ବୈତରଣୀରେ ସ୍ନାନ କରି ପିତୃଲୋକକୁ ତର୍ପଣ କଲେ । ତାପରେ ସେମାନେ ମହେନ୍ଦ୍ରଗିରିରେ ପହଞ୍ଚି ରାତ୍ରୀ ଯାପନ କଲେ । ସେଠାରେ ଭୃଗୁ, ଅଙ୍ଗିରା,କଶ୍ୟପ ଓ ବଶିଷ୍ଠ ବଂଶୀୟ ତପସ୍ୱୀମାନେ ବାସ କରୁଥିଲେ । ଲୋମଶ ସେମାନଙ୍କ ସହ ଯୁଧିଷ୍ଠିରଙ୍କ ପରିଚୟ କରାଇଲେ । ପର୍ଶୁରାମଙ୍କ ଅନୁଗତ ଅକୃତବର୍ଣ୍ଣଙ୍କୁ ଯୁଧିଷ୍ଠିର ପଚାରିଲେ ସେ କେମିତି ପର୍ଶୁରାମଙ୍କୁ ଦର୍ଶନ କରିପାରିବେ । ଅକୃତବର୍ଣ୍ଣ କହିଲେ, ହେ ରାଜା ଆପଣଙ୍କ ଆସିବା ଖବର ସେ ପାଇଛନ୍ତି । ଖୁବ ଶୀଘ୍ର ଆପଣ ତାଙ୍କର ଦର୍ଶନ ପାଇବେ । ତାପରେ ଯୁଧିଷ୍ଠିରଙ୍କ ଅନୁରୋଧରେ ଅକୃତବର୍ଣ୍ଣ ପର୍ଶୁରାମଙ୍କ ବୃତ୍ତାନ୍ତ କହିବାକୁ ଲାଗିଲେ ।
Also Read
ଅନେକ ବର୍ଷ ତଳେ କାନ୍ୟକୁବ୍ଜ ଦେଶରେ ମହାବଳ ପରାକ୍ରମୀ ଗାଧି ନାମରେ ଜଣେ ରାଜା ଶାସନ କରୁଥାନ୍ତି । ଏକଦା ସେ ଜଙ୍ଗଲରେ ବାସ କରିବାକୁ ମନସ୍ଥ କଲେ । ରାଜାଙ୍କର ସତ୍ୟବତୀ ନାମରେ ଗୋଟେ ଅତି ସୁନ୍ଦରୀ ଅପସରୀ ପରି ଝିଅଟିଏ ଥାଏ । ସେଇ ଝିଅକୁ ବିବାହ କରିବାକୁ ବନବାସୀ ରାଜା ଗାଧିଙ୍କୁ ଭୃଗୁଙ୍କ ପୁଅ ଋଚୀକ ଋଷି ପ୍ରସ୍ତାବ ଦେଲେ । ଗାଧି କହିଲେ ଆମ ବଂଶରେ ପୂର୍ବପୁରୁଷରୁ କନ୍ୟାଦାନର ଗୋଟେ ନିୟମ ପ୍ରଚଳିତ ଅଛି । ଆମ ଘରର ଝିଅକୁ ବିବାହ କରିବାକୁ ହେଲେ ହଜାରେ ଘୋଡା ଦେବାକୁ ହେବ । ସବୁ ଘୋଡାଙ୍କର ରଙ୍ଗ ପାଣ୍ଡୁର ହୋଇଥିବ, କାନର ଭିତର ପଟ ଲାଲ ଓ ବାହାର ପଟ କଳା ରଙ୍ଗର ହେଇଥିବ, ଘୋଡା ସବୁ ବଳୁଆ ହୋଇଥିବେ ଓ ଭଲରେ ଦୌଡି ପାରୁଥିବେ । ତୁମେ ସନ୍ୟାସୀ ଲୋକ । ଏତେ ଘୋଡା କୋଉଠୁ ଆଣିବ? । ଗାଧିଙ୍କ କଥାରେ କିନ୍ତୁ ଋଚୀକ ରାଜି ହୋଇ କହିଲେ, ସେ ଘୋଡା ଯୋଗାଡ କରିପାରିବେ । କହିଲେ ସିନା ହେଲେ ଏତେ ଘୋଡା ସେ ଆଣିବେ କୋଉଠୁ? ସେଉଠୁ ଋଚୀକ ଚାଲିଲେ ଜଳର ଦେବତା ବରୁଣଙ୍କ ପାଖକୁ । ବରୁଣ ଋଚୀକ ଋଷିଙ୍କୁ ହଜାରେ ଘୋଡା ଦେଲେ । ସମୁଦ୍ର ଭିତରୁ ହଜାରେ ଘୋଡା ଯେଉଁଠୁ ବାହାରିଲେ ସେ ସ୍ଥାନକୁ ଅଶ୍ୱତୀର୍ଥ କୁହାଗଲା । ଘୋଡାଙ୍କ ସାଙ୍ଗରେ ଦେବତାମାନେ ବି ଋଚୀକ ଋଷିଙ୍କ ସାଙ୍ଗରେ ବରଯାତ୍ରୀ ହୋଇ ଆସିଲେ । ହଜାରେ ଘୋଡା ପାଇ ଗଙ୍ଗା ତଟ କାନ୍ୟକୁବ୍ଜ ଠାରେ ଗାଧି ତାଙ୍କ ଝିଅ ସତ୍ୟବତୀଙ୍କୁ ଋଚୀକ ଋଷିଙ୍କୁ ବିବାହ ଦେଲେ । ବିବାହର କିଛି ଦିନ ପରେ ଭୃଗୁ ମହର୍ଷି ତାଙ୍କ ପୁଅ ଓ ବୋହୁଙ୍କୁ ଦେଖିବାକୁ ଆସିଲେ । ପୁଅ ଋଚୀକଙ୍କ ସାଙ୍ଗରେ ବୋହୂ ସତ୍ୟବତୀଙ୍କୁ ଦେଖି ଭୃଗୁ ଖୁସି ହେଲେ ଓ ବୋହୂକୁ ବର ଦେବାକୁ ଚାହିଁଲେ । ସତ୍ୟବତୀ ନିଜ ପାଇଁ ଓ ନିଜ ମାଆଙ୍କ ପାଇଁ ପୁତ୍ର କାମନା କଲେ । ମହର୍ଷି ଭୃଗୁ କହିଲେ, ଠିକ ଅଛି ମୁଁ ତୁମ ମାଆ ଝିଅଙ୍କ ପାଇଁ ଯଜ୍ଞ ଚାରୁ ପ୍ରସ୍ତୁତ କରିବି । ତୁମେ ଗୋଟେ ଡିମିରି ଗଛକୁ ଓ ତୁମ ମାଆ ଗୋଟେ ଓସ୍ତ ଗଛକୁ ଆଲିଙ୍ଗନ କରିବ । ତାପରେ ମୁଁ ପ୍ରସ୍ତୁତ କରିଥିବା ଚାରୁ ଖାଇ ସାରିଲା ପରେ ଦୁହେଁ ଗର୍ଭବତୀ ହେବ ।
ଅଧିକ ପଢ଼ନ୍ତୁ: ବର୍ଷା କରାଉଥିବା ଜଣେ ଋଷିପୁତ୍ରଙ୍କ ଅପହରଣର ବୃତ୍ତାନ୍ତ
କିନ୍ତୁ ମାଆ ଝିଅ ଭୁଲରେ ଓଲଟା ଗଛକୁ ଆଲିଙ୍ଗନ କଲେ । କିଛିଦିନ ପରେ ଭୃଗୁ ଫେରି ସତକଥା ଜାଣିପାରି ସତ୍ୟବତୀଙ୍କୁ କହିଲେ, ମାଆ ତୋର ଯେଉଁ ପୁଅ ହେବ ସେ ବ୍ରାହ୍ମଣ ହେଲେ ବି କ୍ଷତ୍ରୀୟ ଗୁଣ ଆଚରଣ କରିବ । ତୋ ମାଆ ଯେଉଁ ପୁଅ ଜନ୍ମ କରିବେ ସେ କ୍ଷତ୍ରୀୟ କୂଳରେ ରହି ବ୍ରାହ୍ମଣ ପରି ଜୀବନ ବଞ୍ଚିବ । ଭୃଗୁଙ୍କ କଥା ଶୁଣି ସତ୍ୟବତୀ ଦୁଃଖୀ ହୋଇଗଲେ ଓ ଭୃଗୁଙ୍କୁ ବାର ବାର କିଛି ପ୍ରତିକାର ପାଇଁ ଅନୁରୋଧ କଲେ । କହିଲେ, ମୋ ପୁଅ ନୁହେଁ ମୋ ନାତି ବରଂ କ୍ଷତ୍ରୀୟ ଗୁଣ ଆଚରଣ କରୁ, କିନ୍ତୁ ମୋର ଇଚ୍ଛା ମୋ ପୁଅ ଜଣେ ଶ୍ରେଷ୍ଠ ତପସ୍ୱୀ ହେଉ । ସତ୍ୟବତୀଙ୍କ ଅନୁରୋଧ ଓ ପ୍ରସ୍ତାବ ଶୁଣି ମହର୍ଷି ଭୃଗୁ କହିଲେ ହଉ ସେଇଆ ହେଉ । କିଛି ଦିନ ପରେ ସତ୍ୟବତୀ ପୁଅଟିଏ ଜନ୍ମ କଲେ । ପୁଅର ନାମ ରଖାଗଲା ଜମଦଗ୍ନି । ଖୁବ ଶୀଘ୍ର ଜମଦଗ୍ନି ନିଜକୁ ଜଣେ ବିଶିଷ୍ଟ ବେଦଜ୍ଞ ଓ ନିଷ୍ଠାବାନ ତପସ୍ୱୀ ଭାବରେ ପ୍ରତିଷ୍ଠା କରାଇଲେ ।

ପ୍ରସନ୍ନଜିତ୍ ନାମରେ ଜଣେ ରାଜା ଥାଆନ୍ତି । ତାଙ୍କର ଝିଅର ନାମ ରେଣୁକା । ଜମଦଗ୍ନିଙ୍କର ସେଇ ରେଣୁକାଙ୍କ ସହ ବିବାହ ହେଲା । ଜମଦଗ୍ନିଙ୍କର ଔରସରୁ ରେଣୁକା ପାଞ୍ଚଟି ପୁତ୍ର ସନ୍ତାନ ଜନ୍ମ ଦେଲେ । ସବୁଠାରୁ ବଡ ପୁଅର ନାମ ରୁମନ୍ୱାତ । ତା ତଳକୁ ସୁଷେଣ, ବସୁ ଓ ବିଶ୍ୱାବସୁ । ଶେଷ ପୁଅର ନାମ ରାମ ଦିଆଗଲା । ସବୁ ପୁଅଙ୍କ ଭିତରେ ସବାସାନ ପୁଅ ରାମ ସବୁଠୁ ତେଜବାନ ଓ ସର୍ବଗୁଣ ସମ୍ପନ୍ନ ଥିଲେ ।
ଥରେ ପାଞ୍ଚଭାଇ ମିଶି ଜଙ୍ଗଲକୁ ଫଳ ମୂଳ ସଂଗ୍ରହ କରିବାକୁ ଯାଇଥାନ୍ତି । ରେଣୁକା ଗାଧୋଇବା ପାଇଁ ଆଶ୍ରମ ପାଖରେ ଥିବା ନଦୀକୁ ବାହାରିଲେ । ଗାଧୋଇ ଫେରିଲା ବେଳକୁ ରେଣୁକା ଦେଖିଲେ ମାର୍ତ୍ତିକା ଦେଶର ରାଜା ଚିତ୍ରରଥ ବେକରେ ପଦ୍ମମାଳ ପକେଇ ତାଙ୍କ ପତ୍ନୀଙ୍କ ସହ ଜଳକ୍ରୀଡା କରୁଛନ୍ତି । ଐଶ୍ୱର୍ଯ୍ୟବନ୍ତ ଓ ସୁଦର୍ଶନ ରାଜା ଚିତ୍ରରଥଙ୍କୁ ଦେଖି ରେଣୁକାଙ୍କ ମନରେ ସହସା କାମଭାବ ଜାଗ୍ରତ ହେଲା । ରେଣୁକା ଆଶ୍ରମ ଫେରିଆସିଲେ ସିନା କିନ୍ତୁ ଆଶ୍ରମରେ ତାଙ୍କୁ ଦେଖୁ ଦେଖୁ ତପସ୍ୱୀ ଜମଦଗ୍ନୀ ସବୁ ଜାଣିଗଲେ । ଆପଣା ପତ୍ନୀଙ୍କର ଏପରି ମାନସିକ ବ୍ୟଭିଚାରକୁ ସହଜରେ ସେ ଗ୍ରହଣ କଲେନି । ଅନେକ ପ୍ରକାରର କଟୁ କଥା କହି ତିରସ୍କାର କଲେ । ସେତିକିବେଳେ ବଡ ଚାରି ପୁଅ ଆଶ୍ରମ ଫେରିଆସିଲେ । ତପସ୍ୱୀ ଜମଦଗ୍ନୀ ବଡପୁଅ ରୁମନ୍ୱାତଙ୍କୁ କହିଲେ ମୋର ଆଦେଶ ଏଇ ମୁହୂର୍ତ୍ତରେ ତୁମେ ତୁମ ମାଆକୁ ହତ୍ୟା କର । ବଡ ପୁଅ ଜଡ଼ପ୍ରାୟ ଛିଡା ହୋଇ ରହିଲେ ସିନା, କିଛି କହିପାରିଲେନି କିମ୍ବା କରିପାରିଲେନି । ତାପରେ ତପସ୍ୱୀ ଜମଦଗ୍ନୀ ଅନ୍ୟ ତିନି ପୁଅଙ୍କୁ ସମାନ ଆଦେଶ ଦେଲେ । ସେମାନେ ବି ଚୁପ ଚାପ ଠିଆ ହୋଇ ରହିଲେ । ତାଙ୍କ ଆଦେଶ ପାଳନ କରିନଥିବାରୁ ଜମଦଗ୍ନୀ ପୁଅମାନଙ୍କୁ ବୁଦ୍ଧି ଭ୍ରଷ୍ଟ ହେବାକୁ ଅଭିଶାପ ଦେଲେ । ଏହି ସମୟରେ ସବା ସାନପୁଅ ରାମ ଆଶ୍ରମକୁ ଫେରିଲେ । ରାମଙ୍କୁ ଦେଖୁ ଦେଖୁ ଜମଦଗ୍ନୀ ସେଇ ଏକା ଆଦେଶ ଦେଇ କହିଲେ, ହେ ରାମ ତୁମେ ଏଇ ମୁହୂର୍ତ୍ତରେ ତୁମର ଏଇ ବ୍ୟଭିଚାରୀ ମାଆକୁ ହତ୍ୟା କର ।
ରାମ ତାଙ୍କ ବାପା ଜମଦଗ୍ନୀଙ୍କୁ କୌଣସି ପ୍ରଶ୍ନ ପଚାରିଲେନି । ସାଙ୍ଗେ ସାଙ୍ଗେ ଆଦେଶ ପାଳନ କରି ହାତରେ ଧରିଥିବା ଫାର୍ଶାରେ ରେଣୁକାଙ୍କ ମୁଣ୍ଡ କାଟି ଶରୀରରୁ ଅଲଗା କରିଦେଲେ ।
ରେଣୁକାଙ୍କ ମୃତ୍ୟୁ ପରେ ଜମଦଗ୍ନୀଙ୍କ ରାଗ ଥଣ୍ଡା ହେଲା । ସେ ଅତ୍ୟନ୍ତ ପ୍ରୀତ ହୋଇ ସାନପୁଅ ରାମଙ୍କୁ କହିଲେ, ହେ ପୁତ୍ର! ତୁମେ ମୋ ଆଦେଶକୁ ବିନା ଦ୍ୱିଧାରେ ଗ୍ରହଣ କରି ନିଜ ମାଆକୁ ହତ୍ୟା କରିଛ । ତେଣୁ ମୁଁ ତୁମ ଉପରେ ଖୁସି ହୋଇ ବର ପ୍ରଦାନ କରିବାକୁ ଚାହୁଁଛି । କ'ଣ ମାଗୁଛ ମାଗ । ରାମ ହାତ ଯୋଡି କହିଲେ, ମୋ ମାଆଙ୍କୁ ଆପଣ ଜୀବନ୍ୟାସ ଦିଅନ୍ତୁ ଓ ତାଙ୍କ ମୃତ୍ୟୁ ଘଟଣା ତାଙ୍କର ସ୍ମରଣରେ ନରହୁ । ମୋତେ ମାତୃବଧ ପାପ ନଲାଗୁ । ମୋର ଅନ୍ୟ ଭାଇମାନଙ୍କୁ ଆପଣ କ୍ଷମା କରି ଦିଅନ୍ତୁ । ଯୁ୍ଦ୍ଧରେ ମୋର କେହି ପ୍ରତିଦ୍ୱନ୍ଦୀ ନ ରୁହନ୍ତୁ ଓ ମୋର ପରମାୟୁ ଦୀର୍ଘ ହେଉ । ଜମଦଗ୍ନୀ କହିଲେ 'ତଥାସ୍ତୁ'।
ଦିନେ ଆଶ୍ରମରେ ପୁଅମାନେ ନଥାନ୍ତି । ଏକା ଜମଦଗ୍ନୀ ଓ ରେଣୁକା ଆଶ୍ରମ କାମ କରୁଥାନ୍ତି । ସେତିକିବେଳେ ରାଜା କୀର୍ତ୍ତିବୀର୍ଯ୍ୟ ଆସି ଆଶ୍ରମରେ ପହଞ୍ଚିଲେ । ରେଣୁକା ରାଜାଙ୍କ ସତ୍କାର କରିବାକୁ ବାହାରିଲେ । କିନ୍ତୁ ରାଜା କୀର୍ତ୍ତିବୀର୍ଯ୍ୟ କିଛି ଗ୍ରହଣ କଲେନି, ଓଲଟି ଆଶ୍ରମର ଗଛ ବୃକ୍ଷକୁ ନଷ୍ଟ କରିବା ସହ ଆଶ୍ରମର ହୋମଧେନୁର ବାଛୁରୀକୁ ହରଣ କରିନେଲେ । ରାମ ଫେରି ଦେଖିଲେ ଆଶ୍ରମ ଛାରଖାର । ହୋମଧେନୁ କାନ୍ଦୁଛନ୍ତି । ଜମଦଗ୍ନୀ ଓ ରେଣୁକାଙ୍କ ପାଖରୁ ସବୁକଥା ରାମ ଶୁଣିସାରି ଭୀଷଣ ରାଗିଗଲେ ଓ କୀର୍ତ୍ତିବୀର୍ଯ୍ୟଙ୍କ ପାଖରେ ପହଞ୍ଚିଲେ । କୀର୍ତ୍ତିବୀର୍ଯ୍ୟଙ୍କର ହଜାରେ ହାତ ଥିଲା । ରାମ ତାଙ୍କ ଫାର୍ଶାରେ କୀର୍ତ୍ତିବୀର୍ଯ୍ୟଙ୍କ ହାତ ସବୁ ହାଣି ପକାଇଲେ । ଏ ଘଟଣା ପରେ କୀର୍ତ୍ତିବୀର୍ଯ୍ୟଙ୍କ ପୁଅମାନେ ପ୍ରତିଶୋଧ ନେବାକୁ ଚାହିଁଲେ । ସେମାନେ ସାଙ୍ଗ ହୋଇ ଦିନେ ଜମଦଗ୍ନୀଙ୍କ ଆଶ୍ରମରେ ପହଞ୍ଚି ଆକ୍ରମଣ କଲେ । ବ୍ରହ୍ମର୍ଷି ଜମଦଗ୍ନୀ କିନ୍ତୁ ସେମାନଙ୍କୁ କୌଣସି ପ୍ରକାର ପ୍ରତିରୋଧ କଲେନି । ସେମାନେ ନିରସ୍ତ୍ର ବୃଦ୍ଧ ତପସ୍ୱୀ ଜମଦଗ୍ନୀଙ୍କୁ ଶହ ଶହ ତୀର ମାରି ସେଇଠି ହତ୍ୟା କଲେ । ରାମ ଆଶ୍ରମକୁ ଫେରିଲା ବେଳକୁ ସବୁ ସରିସାରିଥିଲା । ରାମ ତାପରେ ଜମଦଗ୍ନୀଙ୍କ ଅନ୍ତେଷ୍ଟି କର୍ମ ସାରି ପ୍ରଥମେ କୀର୍ତ୍ତିବୀର୍ଯ୍ୟଙ୍କ ପୁଅମାନଙ୍କୁ ଖୋଜି ଖୋଜି ହତ୍ୟା କଲେ । ତାପରେ କୀର୍ତ୍ତିବୀର୍ଯ୍ୟଙ୍କ ଅନୁଗତ ଥିବା କ୍ଷତ୍ରୀୟମାନଙ୍କୁ ହତ୍ୟା କରିବାକୁ ଲାଗିଲେ । ପରଶୁରେ କ୍ଷତ୍ରୀୟମାନଙ୍କୁ ହତ୍ୟା କରିଥିବାରୁ ରାମଙ୍କୁ ପର୍ଶୁରାମ କୁହାଯାଏ । ରାମ ପୂରା ଏକୋଇଶ ବାର ପୃଥିବୀକୁ ନିକ୍ଷତ୍ରୀୟ କଲେ ଓ କ୍ଷତ୍ରୀୟମାନଙ୍କ ରକ୍ତରେ ସମନ୍ତପଞ୍ଚକ ନାମରେ ପାଞ୍ଚୋଟି ହ୍ରଦ ନିର୍ମାଣ କଲେ । ସେଇ ହ୍ରଦ ପାଖରେ ପିତୃପୁରୁଷଙ୍କୁ ତର୍ପଣ କଲା ବେଳକୁ ରାମଙ୍କୁ ତାଙ୍କ ପିତାମହ ଋଚିକ ଦର୍ଶନ ଦେଲେ ଓ କ୍ଷତ୍ରୀୟମାନଙ୍କୁ ଆଉ ହତ୍ୟା କରିବାକୁ ବାରଣ କଲେ । ପିତାମହଙ୍କ କଥା ମାନି ରାମ ଅନେକ ଯଜ୍ଞ କଲେ ଓ କଶ୍ୟପ ଋଷିଙ୍କୁ ପୃଥିବୀ ଦାନ କରି ମହେନ୍ଦ୍ରଗିରିକୁ ଆସି ବାସ କରିବାକୁ ଲାଗିଲେ ।
ପର୍ଶୁରାମଙ୍କ ବିଷୟରେ ଅକୃତବର୍ଣ୍ଣଙ୍କ ଠାରୁ ଯୁଧିଷ୍ଠିର ସବୁ କଥା ଶୁଣି ବହୁତ ଖୁସି ହେଲେ । ଚତୁର୍ଦ୍ଦଶୀ ଦିନ ପର୍ଶୁରାମଙ୍କ ଦର୍ଶନ ମିଳିଲା । ଭାଇ ଓ ପତ୍ନୀଙ୍କୁ ସାଙ୍ଗରେ ନେଇ ଯୁଧିଷ୍ଠିର ପର୍ଶୁରାମଙ୍କୁ ପୂଜା କଲେ । ପରଦିନ ସକାଳୁ ଲୋମଶ ଋଷିଙ୍କ ସହ ମିଶି ଦକ୍ଷିଣକୁ ଯାତ୍ରା ଆରମ୍ଭ କଲେ ।