ବୃଦ୍ଧା ଗଣିକା ଜରତା ସବୁ ବ୍ୟବସ୍ଥା କଲାପରେ ସାଙ୍ଗରେ କିଛି ସୁନ୍ଦରୀ ରମଣୀଙ୍କୁ ଧରି ବିଭାଣ୍ଡକଙ୍କ ଆଶ୍ରମ ପାଖ ନଦୀରେ ଡଙ୍ଗା ଧରି ପହଞ୍ଚିଲେ ଓ ଠିକଣା ସମୟକୁ ଅପେକ୍ଷା କରି ରହିଲେ । ଉଦ୍ଦେଶ୍ୟ ଆଶ୍ରମରେ ଯେତେବେଳେ ଋଷ୍ୟଶୃଙ୍ଗ ଏକା ଥିବେ ତାଙ୍କୁ ସାକ୍ଷାତ କରିବେ ଓ କୌଶଳ କରି ନୌକା ଭିତରକୁ ଆଣିଦେବେ ।
ଦିନେ ସେମିତି ଏକ ସମୟ ଆସିଲା । ଆଶ୍ରମ ଛାଡି ବିଭାଣ୍ଡକ ଋଷି ଅନ୍ୟଆଡେ ଯାଇଥାନ୍ତି । ଆଶ୍ରମରେ ଏକା ଋଷ୍ୟଶୃଙ୍ଗ । ଜରତା ବେଶ୍ୟା ତା' ନିଜ ଝିଅକୁ ସନ୍ୟାସିନୀର ବେଶରେ ଆଶ୍ରମକୁ ପଠାଇଲା । ଜରତାର ଝିଅ ଆଶ୍ରମରେ ପହଞ୍ଚି ଋଷ୍ୟଶୃଙ୍ଗଙ୍କୁ ଅଭିବାଦନ କରି ବିଭିନ୍ନ କୁଶଳ ବାର୍ତ୍ତା ପଚାରିଲା । ପଚାରିଲା, ସର୍ବ କୁଶଳ ତ? ଯଜ୍ଞ କର୍ମ ଓ ବେଦ ଅଧ୍ୟୟନ ଠିକ ଠାକ ଚାଲିଛି ତ? ଆପଣମାନଙ୍କୁ ଖାଇବାକୁ ଫଳମୂଳ ପର୍ଯ୍ୟାପ୍ତ ପରିମାଣରେ ମିଳୁଛି ତ? ଅନ୍ୟ ତପସ୍ୱୀମାନଙ୍କର ତପସ୍ୟାରେ ଅଗ୍ରଗତୀ ହେଉଛି ତ ଆଦି ଅନେକ ପ୍ରଶ୍ନ । ଋଷ୍ୟଶୃଙ୍ଗ ପୂର୍ବରୁ କୌଣସି ନାରୀର ଦର୍ଶନ କରିନଥିଲେ ।
ସେ ଭାବିଲେ କେହି ଜଣେ ଯୁବ ତପସ୍ୱୀ ତାଙ୍କ ଆଶ୍ରମକୁ ହୁଏତ ବୁଲି ଆସିଛନ୍ତି । ସେ ଜରତାର ଝିଅକୁ ବସିବାକୁ ଆସନ ଦେଲେ ଓ ଫଳ ମୂଳ ଦେଲେ। ପଚାରିଲେ ତୁମେ ତ ଜଣେ ତେଜସ୍ୱୀ ବ୍ରହ୍ମଚାରୀ ପରି ମନେ ହେଉଛ । କୋଉଠୁ ଆସିଛ? ଜରତାର ଝିଅ କହିଲା ସେଇ ଦିଶୁଥିବା ପର୍ବତ ସେପଟରେ ତିନି ଯୋଜନ ଗଲା ପରେ ତାଙ୍କର ଆଶ୍ରମ । ସେ ରୁଷ୍ୟଶୃଙ୍ଗଙ୍କ ପାଖରୁ କିଛି ଗ୍ରହଣ ନକରି କହିଲେ ସେ ବ୍ରତ ପାଳନ କରୁଛନ୍ତି । ବ୍ରତର ନୀୟମ ଅନୁସାରେ କାହାଠାରୁ ମୁଁ କିଛି ବି ଗ୍ରହଣ କରିବିନି । ବରଂ ତୁମକୁ ଅଲିଙ୍ଗନ କରି ସାଙ୍ଗରେ ଆଣିଥିବା ପାଚିଲା ସୁସ୍ୱାଦୁ ଫଳ ଉପହାରରେ ଦେବି ।
Also Read
ଏମିତି କହି ଜରତାର ସୁନ୍ଦରୀ ଝିଅ ଋଷ୍ୟଶୃଙ୍ଗଙ୍କୁ ଆଲିଙ୍ଗନ କଲା ଓ ସାଙ୍ଗରେ ଆଣିଥିବା ଫଳ ମୂଳ ଖାଇବାକୁ ଦେଲା । ସାଙ୍ଗରେ ଆଣିଥିବା ବିଶେଷ ପାନୀୟ ବି ପିଇବାକୁ ଦେଲା । ଋଷ୍ୟଶୃଙ୍ଗ ପୂର୍ବରୁ ଏତେ ସୁସ୍ୱାଦୁ ଫଳ କେବେବି ଖାଇନଥିଲେ ଓ ଏପରି ପାନୀୟ କେବେ ପିଇ ନଥିଲେ । ଜରତାର ଝିଅ ବାର ବାର ଋଷ୍ୟଶୃଙ୍ଗଙ୍କୁ ଆଲିଙ୍ଗନ କରୁଥାଏ ଓ ଆଶ୍ରମ ପାଖରେ ଫୁଟିଥିବା ଅଶୋକ ଗଛରୁ ଫୁଲ ତୋଳି ଋଷି କୁମାରଙ୍କ ଉପରକୁ ଫିଙ୍ଗୁଥାଏ ଏବଂ ବିଭିନ୍ନ ଅଙ୍ଗଭଙ୍ଗୀ କରି କଟାକ୍ଷ କରୁଥାଏ । କିଛି ସମୟ ପରେ ଗଣିକା ଜାଣିପାରିଲା ଋଷ୍ୟଶୃଙ୍ଗଙ୍କ ମନରେ ତା' ପ୍ରତି ଦୁର୍ବଳତା ତିଆରି ହୋଇସାରିଲାଣି । ତା' ଛଡା ଋଷି ବିଭାଣ୍ଡକଙ୍କର ଆସିବା ସମୟ ହୋଇଯାଇଥାଏ । ସେତବେଳକୁ ଜରତାର ଝିଅ ଅନେକ ସମୟ ଆଶ୍ରମରେ ରହିସାରିଥାଏ । ସାନ୍ଧ୍ୟ ଯଜ୍ଞର ସମୟ ହୋଇଗଲାଣି କହି ଋଷ୍ୟଶୃଙ୍ଗଙ୍କୁ ଆଲିଙ୍ଗନ କରି ସେ ବିଦାୟ ନେଲା ।
କିଛି ସମୟ ପରେ ଋଷି ବିଭାଣ୍ଡକ ଆଶ୍ରମକୁ ଫେରି ଆସିଲେ । ଆସି ଦେଖିଲେ ପୁଅ ତାଙ୍କର ଭୀଷଣ ଭାବରେ ଅନ୍ୟମନସ୍କ ।କେବଳ ଦୂର ପାହାଡ଼କୁ ଅନେଇ ରହୁଛି ଓ ଦୀର୍ଘଶ୍ୱାସ ଛାଡୁଛି । ସନ୍ଧ୍ୟା ଯଜ୍ଞର ସମୟ ଉପଗତ । କିନ୍ତୁ ଋଷ୍ୟଶୃଙ୍ଗ କିଛି ବି ବ୍ୟବସ୍ଥା କରିନାହାଁନ୍ତି । ସମିଧ ସଂଗ୍ରହ ହୋଇନି କି ଗାଈ ଦୁଆଁ ହୋଇନି । ଆଶ୍ରମ ପରିଷ୍କାର ହୋଇନି । ଓଲଟି ଫୁଲ ପତ୍ର ଲଟା ସବୁ ଛିଡି ଆଶ୍ରମ ସାରା ବିଛାଡି ହୋଇ ପଡିଛି । ଋଷ୍ୟଶୃଙ୍ଗଙ୍କ ଏମିତି ଅବସ୍ଥା ଦେଖି ବିଭାଣ୍ଡକ ପଚାରିଲେ କ'ଣ ହେଇଛି? କେହି ଆମ ଆଶ୍ରମକୁ ଆସିଥିଲେ କି?
ଋଷ୍ୟଶୃଙ୍ଗ କହିଲେ, ହଁ ଜଣେ ଦେବତାଙ୍କ ପରି ସୁନ୍ଦର ଓ ତେଜବାନ ତପସ୍ୱୀ ବ୍ରହ୍ମଚାରୀ ଆଶ୍ରମକୁ ଆସିଥିଲେ । ତାଙ୍କ ଦେହର ରଙ୍ଗ ସୁନା ପରି ଉଜ୍ୱଳ ଥିଲା । ଆଖି ଢଳ ଢଳ ଓ ସଜଳ ଥିଲା । ତାଙ୍କର କଳା ରଙ୍ଗର ମୁଣ୍ଡର ଜଟାରେ ସୁନାର ଡୋର ବନ୍ଧା ହେଇଥିଲା । କଟି ଏକଦମ କ୍ଷୀଣ ଥିଲା । ସେ ଅତ୍ୟନ୍ତ ସୁନ୍ଦର ଝିନ ବସନ ପିନ୍ଧିଥିଲେ । ସେ ସାଙ୍ଗରେ ଅନେକ ପ୍ରକାରର ସୁସ୍ୱାଦୁ ଅଜଣା ଫଳ ମୋ ପାଇଁ ଆଣି ଆସିଥିଲେ । ଆହୁରି ଅଲଗା ପ୍ରକାରର ବାସ୍ନା ଯୁକ୍ତ ପାନୀୟ ବି ଆଣିଥିଲେ । ତାକୁ ପାନ କଲା ପରେ ମୋତେ ଚାରିଦିଗ ଘୁରିଲା ପରି ମନ ହେଲା ।
ଦେହ ହଲୁକା ଲାଗିଲା । ସେ ଅଭିବାଦନ କରି ମୋତେ ବାର ବାର ଆଲିଙ୍ଗନ କରୁଥିଲେ । ତାଙ୍କ ଶରୀର ଅତ୍ୟନ୍ତ କୋମଳ ଥିଲା ଓ ବାସ୍ନା ଯୁକ୍ତ ଥିଲା । ତାଙ୍କ ସ୍ପର୍ଶ ଓ ଆଲିଙ୍ଗନରେ ଶରୀରରେ ମୁଁ ପୁଲକ ଅନୁଭବ କରୁଥିଲି । ସେପରି ପୁଲକ ମୁଁ ମୋ ଶରୀରରେ ପୂର୍ବରୁ କେବେବି ଅନୁଭବ କରିନି । ତାହା ମୁଁ ଭାଷାରେ ବର୍ଣ୍ଣନା କରିପାରୁନି । ସେ ଚାଲିଯିବା ପରେ ମୋ ମନ କଷ୍ଟ ହେଉଛି । ମୋର ଇଚ୍ଛା ସେଇ ବ୍ରହ୍ମଚାରୀ ଆସି ଆମ ସାଙ୍ଗରେ ଆମ ଆଶ୍ରମରେ ରହିଲେ ବହୁତ ଭଲ ହୁଅନ୍ତା । କିମ୍ବା ମୁଁ ତାଙ୍କ ପାଖକୁ ଯାଇ ରହୁନ୍ତି ।
ପୁଅ କଥା ଶୁଣି ବିଭାଣ୍ଡକଙ୍କୁ କିଛି ଅଜଣା ରହିଲାନି । ସେ ବୁଝିପାରିଲେ ତାଙ୍କ ଅନୁପସ୍ଥିତିରେ କେହି ଜଣେ ସୁନ୍ଦରୀ ନାରୀ ତାଙ୍କ ଆଶ୍ରମକୁ ନିଶ୍ଚୟ ଆସିଛି । ତାପରେ ସେ ଋଷ୍ୟଶୃଙ୍ଗଙ୍କୁ କହିଲେ, ପୁଅ ତୁମେ ଯାହାକୁ ବ୍ରହ୍ମଚାରୀ ବୋଲି ଭାବୁଛ ସେ କିଛି ବ୍ରହ୍ମଚାରୀ ନୁହେଁ । ରାକ୍ଷସମାନେ ଆମମାନଙ୍କ ପରି ତପସ୍ୱୀଙ୍କୁ ପଥ ଭ୍ରଷ୍ଟ କରିବାକୁ ଏମିତି ମାୟା ରୂପ ଧାରଣ କରି ଆସିଥାନ୍ତି ।
ମାୟା ରଚନା କରି ସେମାନେ କେତେବେଳେ କୋମଳ ତ କେତେବେଳେ ଅତୀବ ଭୟଙ୍କର ରୂପ ଧାରଣ କରନ୍ତି । ତପସ୍ୱୀମାନଙ୍କୁ ପଥଭ୍ରଷ୍ଟ କରିବାକୁ ଅନେକ ପ୍ରକାରର କୌଶଳ ଅବଲମ୍ବନ କରନ୍ତି । ସେମାନଙ୍କ ପାଖରୁ କୌଣସି ଖାଦ୍ୟ ଅବା ପାନୀୟ ଗ୍ରହଣ କରିବା ଉଚିତ ନୁହେଁ । ସେଇ ପାପାଚାରୀମାନଙ୍କ ପାଖରୁ ଦୂରେଇ ରହିବା ହିଁ ଆମମାନଙ୍କ ପାଇଁ ମଙ୍ଗଳ।
ଏପରି ଭାବରେ ବୁଝେଇ ଋଷି ବିଭାଣ୍ଡକ ତାଙ୍କ ଆଶ୍ରମକୁ କିଏ ଆସିଥିଲା ତା'ର ସନ୍ଧାନରେ ତିନି ଦିନ ଧରି ଆଖ ପାଖରେ ଅନୁଧ୍ୟାନ କଲେ । ହେଲେ କାହାକୁ ବି ନପାଇ ଫେରି ଆସିଲେ । ଋଷି ପୁଣି ଥରେ ତାଙ୍କ କାମରେ ଦିନେ ଆଶ୍ରମରୁ ବାହାରି ବାହାରକୁ ଗଲେ । ବିଭାଣ୍ଡକଙ୍କ ଅନୁପସ୍ଥିତି ଦେଖି ଜରତା ବେଶ୍ୟା ତା'ର ସୁନ୍ଦରୀ ଯୁବତୀ ଝିଅକୁ ପୁଣି ଥରେ ଋଶ୍ୟଶୃଙ୍ଗଙ୍କ ପାଖକୁ ପଠାଇଲା । ତାକୁ ଦେଖୁ ଦେଖୁ ଋଶ୍ୟଶୃଙ୍ଗ ବହୁତ ଖୁସି ହୋଇଗଲେ । ବାପା ବିଭାଣ୍ଡକଙ୍କ ଉପଦେଶ ଆଉ କିଛି ମନ ପଡିଲାନି । ଦୁହେଁ ଦୁହିଁଙ୍କି ଆଲିଙ୍ଗନ କରି ଅଭିବାଦନ କଲେ । ଜରତାର ଝିଅକୁ ଋଶ୍ୟଶୃଙ୍ଗ କହିଲେ ବାପା ଆସି ପହଞ୍ଚିବା ପୂର୍ବରୁ ଚାଲ ତୁମ ଆଶ୍ରମକୁ ଯିବା ।
ସୁନ୍ଦରୀ ଗଣିକା ତ ସେଇ ସୁଯୋଗର ଅପେକ୍ଷାରେ ଥିଲା । ସେ ଆଉ ବିଳମ୍ବ ନକରି ଋଶ୍ୟଶୃଙ୍ଗଙ୍କୁ ନଦୀ କୂଳରେ ଅପେକ୍ଷାରେ ଥିବା ମନୋରମ ଡଙ୍ଗା ପାଖକୁ ଡାକିନେଲା । ଋଶ୍ୟଶୃଙ୍ଗ ଡଙ୍ଗାରେ ଚଢି ଦେଖିଲେ ସେଠାରେ ଆହୁରି ଅନେକ ବ୍ରହ୍ମଚାରୀ ସେ ଡଙ୍ଗାରେ ଅଛନ୍ତି । ଯୁବତୀ ଗଣିକାମାନେ ଋଷ୍ୟଶୃଙ୍ଗଙ୍କୁ ଆଲିଙ୍ଗନ କରି ଅଭିବାଦନ ଜଣାଇଲେ। ଅନେକ ପ୍ରକାରର ଫଳମୂଳ ଓ ପାନୀୟ ଆଣି ଦେଲେ । ଋଶ୍ୟଶୃଙ୍ଗ ଏବେ ନିଜ ଆଶ୍ରମକୁ ଫେରିବା କଥା ଭୁଲିଗଲେ । ସେଇ ଭିତରେ ଜରତା ଡଙ୍ଗା ଫିଟେଇ ଡଙ୍ଗାକୁ ଅଙ୍ଗ ଦେଶକୁ ନେଇଗଲେ । ଯୁବତୀ ଗଣିକାମାନଙ୍କ ଗହଣରେ ଋଶ୍ୟଶୃଙ୍ଗ ଅଙ୍ଗ ଦେଶରେ ପ୍ରବେଶ କରୁ କରୁ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା ।

ଅଙ୍ଗ ନରେଶ ଲୋମପାଦ ଋଶ୍ୟଶୃଙ୍ଗଙ୍କୁ ନେଇ ସସମ୍ମାନେ ଏକ ସୁନ୍ଦର ମନୋରମ ପ୍ରାସାଦରେ ରଖିଲେ । ନିଜ ଝିଅ ଶାନ୍ତା ସହ ଋଷିପୁତ୍ରଙ୍କୁ ବିବାହ ଦେଲେ । ଋଶ୍ୟଶୃଙ୍ଗ ଅଙ୍ଗ ଦେଶରେ ରହିବାରୁ ଇନ୍ଦ୍ରଦେବ ପ୍ରଚୁର ବର୍ଷା କରାଇଲେ । ଫଳରେ ଦେଶର ନଦୀ, ପୋଖରୀ ଓ ଦ୍ରଦ ପାଣିରେ ପୁରି ଉଠିଲା । ରାଜା ଓ ପ୍ରଜା ସମସ୍ତେ ଖୁସି ହେଲେ ।
ସେପଟେ ବିଭାଣ୍ଡକ ଋଷି ତାଙ୍କ ଆଶ୍ରମରେ ପହଞ୍ଚି ଋଶ୍ୟଶୃଙ୍ଗଙ୍କୁ ନଦେଖି ବ୍ୟସ୍ତ ହୋଇପଡିଲେ । ଋଷି ବୁଝିପାରିଲେ ଅଙ୍ଗ ଦେଶରେ ଅନାବୃଷ୍ଟି ଓ ଅପାଳକ ପଡିଛି । ହୁଏତ ଅଙ୍ଗ ରାଜା କୌଶଳ କରି ବର୍ଷା ପାଇଁ ଋଶ୍ୟଶୃଙ୍ଗଙ୍କୁ ତାଙ୍କ ଦେଶକୁ ଘେନି ଯାଇଛନ୍ତି । ତେଣୁ ରାଜା ଲୋମପାଦଙ୍କ ଉପରେ ଭୀଷଣ କ୍ରୋଧକରି ଋଶ୍ୟଶୃଙ୍ଗଙ୍କୁ ଖୋଜିବା ପାଇଁ ବିଭାଣ୍ଡକ ଅଙ୍ଗ ଦେଶକୁ ଯିବାକୁ ବାହାରିଲେ ।
ଅଙ୍ଗ ରାଜା ଲୋମପାଦ ବିଭାଣ୍ଡକ ଋଷିଙ୍କ କ୍ରୋଧ କଥା ଜାଣିଥିଲେ। ସେ ଜାଣିଥିଲେ ଋଶ୍ୟଶୃଙ୍ଗଙ୍କୁ ଖୋଜି ବାହାର କରିବା ପାଇଁ ଋଷିବରଙ୍କୁ ବେଶି ସମୟ ଲାଗିବନି । ଋଷି କ୍ରୋଧରେ ନିଶ୍ଚୟ ଅଭିଶାପ ଦେବେ । ତେଣୁ ରାଜା ଲୋମପାଦ ବିଭାଣ୍ଡକ ଋଷିଙ୍କ କ୍ରୋଧକୁ ଉପଶମ କରିବାକୁ ଉପାୟ ଖୋଜିବାକୁ ଲାଗିଲେ। ବିଭାଣ୍ଡକ ଋଷି ତାଙ୍କ ଦେଶ ଅଙ୍ଗ ଦେଶରେ ପ୍ରବେଶ କରିବା ରାସ୍ତାରେ ରାଜା ଅନେକ ଗୁଡେ ଗାଈ, ଗୋରୁ, ମଇଁଷି ଓ ଅନ୍ୟାନ୍ଯ ବହୁତ ପାଳିତ ପଶୁମାନଙ୍କ ସହ ବହୁତ ଜଣ ଦାସ ରଖାଇଲେ । ଦାସମାନଙ୍କୁ ଆଦେଶ ଦେଇ କହିଲେ ଯେତେବେଳେ ବିଭାଣ୍ଡକ ଋଷି ଆସିବେ ତାଙ୍କୁ ସମ୍ମାନର ସହ ସ୍ୱାଗତ କରି କହିବ ଯେ ଏ ସମସ୍ତ ସମ୍ପତ୍ତି ଆପଣଙ୍କ ପୁଅଙ୍କର । ଆମେ ଆପଣଙ୍କ ପୁଅଙ୍କର ଦାସ । ତାଙ୍କରି ଆଦେଶରେ ଆପଣଙ୍କୁ ସ୍ୱାଗତ କରିବାକୁ ଏଠାରେ ଅପେକ୍ଷା କରିଛୁ ।
ଋଷି ବିଭାଣ୍ଡକ ଅଙ୍ଗ ଦେଶରେ ପ୍ରବେଶ କରୁ କରୁ ରାଜା ଆଜ୍ଞା ପାଳନ କରି ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଦାସମାନେ, ରାଜା ଯେମିତି କହିଥିଲେ ସେମିତି କହିଲେ । ଏତେ ଗୁଡେ ଦାସଙ୍କ ସହ ଏତେ ପଶୁ ସମ୍ପତ୍ତି ଦେଖି ଋଷି ବିଭାଣ୍ଡକଙ୍କ କ୍ରୋଧ ନରମ ହେଲା ।
ଋଷି ବିଭାଣ୍ଡକ ରାଜା ଲୋମପାଦଙ୍କ ରାଜପ୍ରାସାଦରେ ପହଞ୍ଚିବା ପରେ ରାଜା ତାଙ୍କର ପାଦ ଧୋଇଦେଇ ଉପଯୁକ୍ତ ସତ୍କାର କଲେ । ଋଷି ବିଭାଣ୍ଡକ ଦେଖିଲେ ପୁଅ ତାଙ୍କର ରାଜକୁମାରୀ ଶାନ୍ତାଙ୍କୁ ବିବାହ କରି ବଡ ଆନନ୍ଦରେ ଅଛନ୍ତି । ବିଭାଣ୍ଡକ ତାଙ୍କ ପୁଅ ଓ ବୋହୂଙ୍କୁ ଆଶୀର୍ବାଦ କଲେ । ତାପରେ ଋଷ୍ୟଶୃଙ୍ଗଙ୍କୁ ବିଭାଣ୍ଡକ କହିଲେ, ଏବେ ତୁମେ କିଛି ଦିନ ରାଜାଙ୍କ ପାଖରେ ରହୁଛ ରୁହ, କିନ୍ତୁ ତୁମର ପୁଅ ହେଲା ପରେ ପରେ ଆମ ଆଶ୍ରମକୁ ଫେରି ଆସିବ ।
ଋଷି ବିଭାଣ୍ଡକଙ୍କ କଥା ମାନି ଋଷ୍ୟଶୃଙ୍ଗ ରାଜା ଲୋମପାଦଙ୍କ ପ୍ରାସାଦରେ ପତ୍ନୀ ଶାନ୍ତାଙ୍କ ସାଙ୍ଗରେ ଆନନ୍ଦରେ ରହିଲେ । କିଛି ବର୍ଷ ପରେ ତାଙ୍କର ପୁଅଟିଏ ଜନ୍ମ ହେଲାପରେ ବାପାଙ୍କ ଆଶ୍ରମକୁ ଫେରିବାକୁ ବାହାରିଲେ । ଶାନ୍ତା ମଧ୍ୟ ଋଷ୍ୟଶୃଙ୍ଗ ସହ ଋଷି ବିଭାଣ୍ଡକଙ୍କ ଆଶ୍ରମକୁ ଆସିଲେ ।
ଲୋମଶ ଋଷି ଯୁଧିଷ୍ଠିରଙ୍କୁ ଋଷ୍ୟଶୃଙ୍ଗ ଓ ବିଭାଣ୍ଡକଙ୍କ କାହାଣୀ କହିସାରିଲା ପରେ ସମସ୍ତେ ଆଶ୍ରମ ପାଖ ନଦୀରେ ସ୍ନାନ କରି ସାରି ଅନ୍ୟ ଏକ ତୀର୍ଥ ସ୍ଥାନ ଅଭିମୁଖେ ସେଠାରୁ ଯାତ୍ରା ଆରମ୍ଭ କଲେ ।