/odishatv-khabar/media/post_attachments/uploadimage/library/16_9/16_9_0/Rath_Yatra_1750949986.jpg)
Rath Yatra
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତିପାହିଲେ ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତ । ରଥରେ ବିଜେକରି ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ । ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଉଠୁଛି ପଡୁଛି ଶ୍ରୀକ୍ଷେତ୍ର ପୁରୀ । ଆସନ୍ତାକାଲି ଅପରାହ୍ଣ 4ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।
ରଥ ପ୍ରସ୍ତୁତ...ପଥ ପ୍ରସ୍ତୁତ...ସିଂହଦ୍ବାର ଆଗରେ ତିନି ରଥଙ୍କ ଅପେକ୍ଷା...କେତେବେଳେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବିରାଜିବେ କାଳିଆ ସାଆଁନ୍ତ । ସକାଳୁ ମହାପ୍ରଭୁଙ୍କ ନିୟମିତ ନୀତିକାନ୍ତି ପରେ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆଣି ପୂଜାପଣ୍ଡାମାନେ ଶୋଭାଯାତ୍ରାରେ ଆସିଥିଲେ ବଡ଼ଦାଣ୍ଡକୁ । ବିଜେ କାହାଳୀ ଓ ତେଲିଙ୍ଗି ବାଜାର ନାଦରେ କମ୍ପି ଉଠିଥିଲା ପରିବେଶ । ଆଜ୍ଞାମାଳ ଅର୍ପଣ ପରେ ଉତ୍ସାହର ସହ ସିଂହଦ୍ବାର ସାମ୍ନାକୁ ତିନି ରଥକୁ ଟାଣି ଆଣିଥିଲେ ଭକ୍ତ । ପ୍ରଥମେ ନନ୍ଦିଘୋଷ, ତା ପରେ ଦେବଦଳନ ଏବଂ ଶେଷରେ ତାଳଧ୍ବଜ । ରଥ ସିଂହଦ୍ବାର ସମ୍ମୁଖକୁ ଟଣା ଚାଲିଥିଲା ତ, ଭାବଭକ୍ତିରେ ଉଚ୍ଛୁଳି ପଡ଼ୁଥିଲା ବଡ଼ଦାଣ୍ଡ ।
ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ବଡ଼ ରଥ...ନିଆରା ପରମ୍ପରା ସହ ଜଡ଼ିତ ଏଠାକାର ଯାତ୍ରା
ଏପଟେ ରତ୍ନବେଦି ଛାଡ଼ି ଜନ୍ମବେଦି ଯାତ୍ରାରେ ବାହାରିବାକୁ ଉଚ୍ଛନ୍ନ ହେଲେଣି ଚତୁର୍ଦ୍ଧା ମୂର୍ତ୍ତି । ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ବି ଜୋରଦାର । ରାତି 12ଟାରୁ ସକାଳ 5ଟା ଭିତରେ ହେବ ସେନାପଟା ଲାଗି । 6ଟାରେ ମଙ୍ଗଳା ଆଳତୀ ପରେ ଶେଷ ହେବ ମଇଲମ, ତଡ଼ପଲାଗି ଲାଗି ସହ ଅନ୍ୟ ନୀତି । ଦିନ 9ଟାରେ ରଥ ପ୍ରତିଷ୍ଠା ପରେ 9ଟା 30ରେ ଆରମ୍ଭ ହେବ ପହଣ୍ଡି ବିଜେ । ଦିନ 12ଟା 30ରେ ପହଣ୍ଡି ସରିବା ପରେ ଅପରାହ୍ଣ 2ଟା 30ରୁ 3ଟା 30 ଭିତରେ ଛେରା ପହଁରା ସରିବ । ଏହାପରେ ଚାରମାଳ ଫିଟା ସାଙ୍ଗକୁ ରଥରେ ଘୋଡ଼ା ସାରଥୀ ଲଗାଯିବା ପରେ ଅପରାହ୍ଣ 4ଟାରୁ ଆରମ୍ଭ ହେବ ରଥଟଣା ।
କେବଳ ଆଜି ରାତିଟା ପାଇଁ ଅପେକ୍ଷା । ସକାଳର ସୂର୍ଯ୍ୟୋଦୟ ସହ ବଦଳିଯିବ ଶ୍ରୀକ୍ଷେତ୍ରର ଚିତ୍ର। ବଡ଼ ଦେଉଳ ଛାଡ଼ି ବଡ଼ଦାଣ୍ଡରେ ଭକ୍ତଙ୍କ ସହ ହଜିଯିବେ ଜଗତ ଠାକୁର ।