ବିଶ୍ବର ସର୍ବ ବୃହତ ରଥ କେନ୍ଦୁଝର ରଥ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ଏହି ରଥର ରହିଛି ଅନେକ ନିଆରା ପରମ୍ପରା । କେନ୍ଦୁଝରର ରାଷ୍ଟ୍ର ଦେବତା ହେଲେ ଶ୍ରୀ ଶ୍ରୀ ବଳଦେବଜୀଉ, ହେଲେ ରଥର ନାଁ ନନ୍ଦିଘୋଷ । ରାତି ପାହିଲେ ହିନ୍ଦୁଧର୍ମର ବଡ଼ ଠାକୁର ଜଗନ୍ନାଥଙ୍କ ଯାତ୍ରା ରଥଯାତ୍ରା। ଜୁଲାଇ ମାସର ୨୭ ଚାରିଖ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଗଡିବ ବିଶ୍ବର ସର୍ବ ବୃହତ ରଥ । ଏହି ରଥରେ ବିଜେ ହେବେ ଠାକୁର ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ସହ , ଜଗତର ନାଥ ଜଗନ୍ନାଥ ଓ ଦେବୀ ସୁଭଦ୍ରା । ଏ ବର୍ଷ ପ୍ରବଳ ଭିଡ ହେବାର ସମ୍ଭାବନାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
କେନ୍ଦୁଝର ଏକ ଗଡ଼ଜାତ ରାଜ୍ୟ ଥିଲା । ଏଠାରେ ଜଗନ୍ନାଥ ସଂସ୍କୃତି ୧ ହଜାର ବର୍ଷ ପୁରୁଣା । ପୂର୍ବରୁ ଛୋଟ ମନ୍ଦିରରେ ଚାଲିଥିଲା ପୂଜାର୍ଚ୍ଚନା । ହେଲେ ୧୬୬୧ ଖ୍ରୀଷ୍ଟାଦ୍ଧରେ ଏଠାରେ ବଡ ଦେଉଳ ନିର୍ମିତ ହୋଇ ବିଗ୍ରହ ମାନ ପ୍ରତିଷ୍ଠା ହେବା ପରେ ୧୬୭୧ ଠାରୁ ଦିବ୍ୟ ଓ ଭବ୍ୟ ରଥଯାତ୍ରାର ଶୁଭାରମ୍ଭ ହୋଇଥିଲା । ସେବେ ଠାରୁ କେନ୍ଦୁଝର ରଥଯାତ୍ରା ର ଏକ ସ୍ଵତନ୍ତ୍ର ବୈଶିଷ୍ଟ ରହିଅଛି । କେନ୍ଦୁଝର ରାଜ୍ୟର ଶ୍ରୀ ଶ୍ରୀ ବଳଦେବ ଜୀଉ ରାଷ୍ଟ୍ର ଦେବତା ଭାବରେ ଆରାଧିତ ଓ ମନ୍ଦିରର ନାମ ମଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ହୋଇଥିବା ବେଳେ ରଥର ନାମ କିନ୍ତୁ ନନ୍ଦିଘୋଷ ରଥ ।
ପବିତ୍ର ରଥ ଯାତ୍ରା ଦିନ ବଡ ଠାକୁର ଶ୍ରୀ ଶ୍ରୀ ବଳବେଦଳୀଉ ସାନ ଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ବିଶାଳ ରଥରେ ରଥାରୂଢ଼ ହୋଇ ଗୁଣ୍ଡିଚା ଯାତ୍ରା କରିବେ । ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ସମୟ ଥିବା ବେଳେ ରଥ କାମ ପ୍ରାୟ ଶେଷ ପର୍ଯ୍ୟାୟରେ । ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ନିକଟରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡର ଲମ୍ବ ୫୪୫ ମିଟର ଓ ପାଖାପାଖି ୨୮ ମିଟର ଓସାର ରହିଛି । ଏହି ରଥର ସ୍ଵତନ୍ତ୍ରତା ହେଲା ଏହାର ଉଚ୍ଚତା ହେଉଛି ୭୨ ଫୁଟ ଓ ଓସାର ୪୫ ଫୁଟ ଓ ଏହା ୧୬ ଟି ଚକା ବିଶିଷ୍ଟ ।
ଆହୁରୀ ମଧ୍ୟ ଏହି ରଥଟି ଶାଳ, ଶାଳମୂଳୀ ଓ ଧଳା ନାମକ ତିନି ପ୍ରକାର କାଠରେ ନିର୍ମିତ ହୋଇଥାଏ । ଏ ରଥ କେବେ ଖୋଲା ଯାଏ ନାହିଁ । ଏହା ବର୍ଷ ତମାମ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖ ବଡଦାଣ୍ଡ ରେ ଦଣ୍ଡାୟମାନ ହୋଇ ରହିଥାଏ । ଯଦି ରଥର କୌଣସି କାଠ ନଷ୍ଟ ହୋଇଯାଇଥାଏ ତାହା କେବଳ ମରାମତି ହୋଇଥାଏ ।
ଏ ରଥ ଦକ୍ଷିଣାୟନ ହୋଇ ଯାଇଥାଏ ଓ ଉତରାୟନ ହୋଇ ବାହୁଡିଥାଏ ହେଲେ ପୁରୀରେ ମହାପ୍ରଭୁ ଉତରାୟନ ହୋଇ ଯାଇଥାନ୍ତି ଓ ଦକ୍ଷିଣାୟନ ହୋଇ ବାହୁଡିଥାନ୍ତି I ପୁରୀରେ ମା ସୁଭଦ୍ରାଙ୍କ ମୁଖ ହଳଦି ବର୍ଣ୍ଣ ହୋଇଥିବା ବେଳେ କେନ୍ଦୁଝରରେ ସୁଭଦ୍ରାଙ୍କ ମୁଖ କୁଙ୍କୁମ ବର୍ଣ୍ଣ ରହିଛି । ବିଭିନ୍ନ ରଙ୍ଗର ବସ୍ତ୍ର, ଅଳଙ୍କାର,ଦଶ ଅବତାର ମୂର୍ତି ଓ ବିଭିନ୍ନ ଚିତ୍ର ଦ୍ବାରା ରଥଟି ବେଶ ସୁସଜ୍ଜିତ କରାଯାଇଥାଏ । କେନ୍ଦୁଝର ରଥ ପୃଥିବୀର ସବୁଠାରୁ ଉଚ୍ଚତମ ରଥ ବୋଲି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି ।
ପରମ୍ପରା ଅନୁସାରେ ଦରକାର ହେଉଥିବା ଏହି ଦଉଡି ଶିଆଳି ଲତାରୁ ନିର୍ମିତ ହୋଇଥାଏ ଓ ପରମ୍ପରା ଅନୁସାରେ ଜୁଆଙ୍ଗ ଓ ଭୂୟାଁମାନେ ଏହି ଦଉଡିକୁ ଯୋଗାଇ ଦେଇଥାନ୍ତି ଯାହାକି ରାଜ୍ୟର ପ୍ରାୟ ଅନ୍ୟ କୌଣସି ଜିଲ୍ଲାରେ ଦେଖିବାକୁ ମିଳିନଥାଏ ।
(ରିପୋର୍ଟ-ପ୍ରଣୟ କୁମାର ପାଣି)