ପୁଅ ବୋହୁ ଘରୁ ବାହାର କରି ଦେଇଛନ୍ତି । ଜୀବନରେ ଆଉ ମୋହ ନାହିଁ । ଆଗରେ କେହି ନାହିଁ କି ପଛରେ କେହି ନାହିଁ । ତଥାପି ସେ ହାରି ନାହାନ୍ତି, ବଞ୍ଚିବାକୁ ଲଢ଼ୁଛନ୍ତି । ଆଉ ନିଜ ଲଢ଼େଇରେ ଅସ୍ତ୍ର ସାଜିଛି ଦୁଇ ଖଣ୍ତ କାଠି ।
ଭୁବନେଶ୍ବରରେ ଥିବା ସାଲିଆ ସାହି ବସ୍ତିରେ କଟୁଛି ଜୀବନ । ଚାଲି ପାରୁ ନାହାନ୍ତି, ବସିଲେ ଉଠି ପାରୁ ନାହାନ୍ତି । କିନ୍ତୁ ଅତି ସୁନ୍ଦର ଭାବେ ଦାସକାଠିଆ ବଜାଉଛନ୍ତି । ଯିଏ ଶୁଣୁଛି, ଘଡ଼ିଏ ଅଟକି ଯାଉଛି । ତାଳର ତାଳେ ତାଳେ, ଛନ୍ଦକୁ ଛନ୍ଦ କାଟି ବୋଲୁଛନ୍ତି ଗୀତ । କଳା ପାଇଁ ଥିବା ଭଲପାଇବା ତାଙ୍କ ପାଖରେ ବାରି ହୋଇ ପଡ଼ୁଛି ।
Also Read
ଭଜନର ତାଳେ ତାଳେ ତାଙ୍କର ଦାସକାଠିଆ ବଜାଇବାର ଶୈଳୀ ଯେତିକି ସୁନ୍ଦର, ସେତିକି ସୁମଧୁର । ଦିନ ସାରା ଦାସକାଠିଆ ବଜାଇ ଯାହା ଆଣନ୍ତି, ସେଥିରେ ତାଙ୍କର ଗୁଜୁରାଣ ମେଣ୍ଟେ । ୨୯ ବର୍ଷ ହେଲାଣି ନିଜ ଭିଟାମାଟିକୁ ଯାଇ ନାହାନ୍ତି । ପୁଅ ବୋହୁ ତଡ଼ି ଦେବା ପରେ ରାଜଧାନୀର ଛାତିକୁ ଆବୋରି ନେଇଛନ୍ତି ସେ ।
ନିଜ ଜନ୍ମ କଲା ସନ୍ତାନକୁ ପାଳିବା ପାଇଁ ବାପା ହାଡ଼ ଭଙ୍ଗା ପରିଶ୍ରମ କରେ । ମାଆ ରାତି ରାତି ଶୁଏ ନାହିଁ । କିନ୍ତୁ ସେହି ସନ୍ତାନ ବଡ଼ ହୋଇ ନିଜ ବାପା ମାଆଙ୍କୁ ତଡ଼ି ଦିଅନ୍ତି । ଅଣ୍ଟି ଛୁରୀ ତଣ୍ଟି କାଟେ । ଏମିତି ଦୃଶ୍ୟ ଏବେ ସଭ୍ୟ ସମାଜକୁ କଳଙ୍କିତ କରୁଛି।