• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

କଶ୍ୟପଙ୍କ ଅନେକ ପତ୍ନୀଙ୍କ ଭିତରୁ ଆଦିତୀ ଓ ଦିତୀ ଦୁଇଜଣ । ଆଦିତୀଙ୍କ ପିଲାମାନେ ଦେବତା ଓ ଦିତୀଙ୍କ ପିଲା ଦାନବ । ସେମିତି ଦେଖିଲେ ଦେବତା ଓ ଦାନବ ଭାଇ ଭାଇ । ମା ସିନା ଅଲଗା, ବାପା କିନ୍ତୁ ଗୋଟିଏ । ସେ ଅନେକ ବର୍ଷ ତଳର କଥା । ଥରେ ଦେବ ଓ ଦାନବଙ୍କ ଭିତରେ ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧର କାରଣ ହେଲା ଏ ବିଶ୍ୱ ବ୍ରହ୍ମାଣ୍ଡର ତିନିଲୋକ ଉପରେ କାହାର ଆଧିପତ୍ୟ ରହିବ । କିଏ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଶାସନ ଭାର ସମ୍ଭାଳିବ । ଦେବ କହିଲେ ସବୁ କିଛି ଆମର । ଦାନବ କହିଲେ, ନା ନା ସବୁ କିଛି ଆମର । 

ଦେବ ଦାନବଙ୍କ ଭିତରେ କେବଳ ଯୁଦ୍ଧ ଚାଲୁନଥିଲା, ନିଜ ନିଜର ଶକ୍ତି ବଢାଇବାକୁ ଦୁଇ ପକ୍ଷର ଗୁରୁମାନେ ଯଜ୍ଞର ଆୟୋଜନ ମଧ୍ୟ କରୁଥିଲେ । ଦେବତାମାନଙ୍କ ଗୁରୁ ବୃହଷ୍ପତି ଦେବତାମାନଙ୍କ ପାଇଁ ଯାଗଯଜ୍ଞର ଆୟୋଜନ କରୁଥିଲେ ତ ଅସୁରମାନଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ଅସୁରମାନଙ୍କ ନାନାବିଧ ମଙ୍ଗଳ ପାଇଁ ଯଜ୍ଞ କରୁଥିଲେ । କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କ ପାଖରେ ଅଧିକ ଏକ ବିଶେଷ ଶକ୍ତି ଥିଲା । ସେ ମୃତ୍ୟୁ ସଞ୍ଜିବନୀ ମନ୍ତ୍ର ଜାଣିଥିଲେ । ତେଣୁ ସେ ମନ୍ତ୍ର ପଢ଼ି ଯୁଦ୍ଧରେ ମରିଯାଇଥିବା ଅସୁରମାନଙ୍କୁ ପୁଣି ଥରେ ଜୀବନ୍ୟାସ ଦେଇପାରୁଥିଲେ । ଫଳରେ ଦେବ ଅସୁରଙ୍କ ଯୁଦ୍ଧରେ ଦେବତାମାନେ ଅଧିକ ସଂଖ୍ୟାରେ ମରିବାକୁ ଲାଗିଲେ । ଅସୁରମାନଙ୍କ ସଂଖ୍ୟାରେ କିନ୍ତୁ କିଛି ପରିବର୍ତ୍ତନ ହେଲାନି । ଦେବଗୁରୁ ବୃହଷ୍ପତି ଶତ ଚେଷ୍ଟା କରି ମଧ୍ୟ ଯୁଦ୍ଧରେ ମୃତ ଦେବତାଙ୍କୁ ଜୀବନ୍ୟାସ ଦେଇପାରୁନଥିଲେ । 

ଶେଷରେ ଦେବତାମାନେ ଏକ ଉପାୟ ପାଞ୍ଚିଲେ । ସେମାନେ ବୁଝିସାରିଥିଲେ ଶୁକ୍ରଙ୍କ ପାଖରୁ କୌଣସି ପ୍ରକାରରେ ମୃତ୍ୟୁ ସଞ୍ଜିବନୀ ମନ୍ତ୍ର ହାସଲ କରିବାକୁ ହେବ । ତାପରେ ଦେବତାମାନେ ବୃହଷ୍ପତିଙ୍କ ପୁଅ କଚଙ୍କ ପାଖରେ ପହଞ୍ଚିଲେ ଓ ଅନୁରୋଧ କଲେ, ସେ ହିଁ ଚାହିଁଲେ ଦେବକୂଳକୁ ଏ ବିପଦରୁ ଉଦ୍ଧାର କରିପାରିବେ । ତେଣୁ ଆଉ ବିଳମ୍ବ ନକରି ସେ ଦାନବ ରାଜା ବୃଷପର୍ବାଙ୍କ ରାଜ ଦରବାରରେ ଥିବା ଶୁକ୍ରାଚାର୍ଯ୍ୟଙ୍କ ପାଖରୁ ମୃତ୍ୟୁ ସଞ୍ଜିବନୀ ମନ୍ତ୍ର ଶିକ୍ଷା କରି ଦେବଲୋକ ଫେରନ୍ତୁ । 

A way to come back to life even after deathମରଣ ପରେ ବି ଆଉ ଥରେ ଜୀବନକୁ ଫେରି ଆସିବାର ରାସ୍ତା

କଚ ଦେବତାମାନଙ୍କ ଅନୁରୋଧରେ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଚାଲିଲେ । ସେଠାରେ ପହଞ୍ଚି ନିଜର ପରିଚୟ ଦେଇ କହିଲେ ସେ ହେଉଛନ୍ତି ଅଙ୍ଗିରସଙ୍କର ନାତି ଓ ଦେବଗୁରୁ ବୃହଷ୍ପତିଙ୍କର ପୁତ୍ର କଚ । ତାଙ୍କର ଇଚ୍ଛା ସେ ଶୁକ୍ରାଚାର୍ଯ୍ୟଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରିବେ । କଚଙ୍କ ପରିଚୟ ପାଇ ଶୁକ୍ର ଖୁସି ହେଲେ ଓ କଚଙ୍କୁ ତାଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରିବାକୁ ଅନୁମତି ଦେଲେ । 

ଶୁକ୍ରଙ୍କର ଏକ ଅତୀବ ସୁନ୍ଦରୀ ଗୁଣବତୀ ଝିଅଟିଏ ଥାଏ । ନାଁ ତା'ର ଦେବଯାନୀ । କଚ ନୃତ୍ୟ, ଗୀତ ଓ ବାଦ୍ୟ ଯନ୍ତ୍ର ଚାଳନାରେ ବେଶ ସିଦ୍ଧହସ୍ତ ଥିଲେ । କଚଙ୍କର ନମ୍ର ଗୁଣ ଓ ସୌନ୍ଦର୍ଯ୍ୟ ଏବଂ ଅଗାଧ ଜ୍ଞାନରେ ଦେବଯାନୀ ମୁଗ୍ଧ ହୋଇଗଲେ। ଦୁହେଁ ସାଙ୍ଗ ହେଲା ପରେ ଦେବଯାନୀଙ୍କର କଚଙ୍କ ପ୍ରତି ବିଶେଷ ଦୁର୍ବଳତା ଧିରେ ଧିରେ ବଢ଼ିବାକୁ ଲାଗିଲା । କଚ ଆସି ଶୁକ୍ରଙ୍କ ଆଶ୍ରମରେ ରହିବା କଥାଟି କିନ୍ତୁ ଅସୁରମାନଙ୍କ ଭିତରେ ହଜମ ହେଉନଥାଏ । ସେମାନେ ଆଦୌ ଚାହୁଁନଥାନ୍ତି ସେମାନଙ୍କ ଶତୃ ଦେବଲୋକର କେହି ଆସି ଶୁକ୍ରଙ୍କ ପାଖରୁ ଶିକ୍ଷା ଗ୍ରହଣ କରୁ । ତାପରେ ସେମାନଙ୍କର ଭୟ ମଧ୍ୟ ଥିଲା କାଳେ କଚ କୌଣସି ଉପାୟରେ ଗୁପ୍ତ ମୃତ୍ୟୁ ସଂଜୀବନୀ ମନ୍ତ୍ର ହାସଲ କରିନେବେ । ତେଣୁ ସେମାନେ କଚଙ୍କୁ ସେଠୁ ଯଥାଶୀଘ୍ର ବିଦା କରିବାକୁ ଉପାୟମାନ ପାଞ୍ଚିବାକୁ ଲାଗିଥା'ନ୍ତି । 

କଚ ସବୁଦିନ ଆଶ୍ରମର ଗାଈମାନଙ୍କୁ ଜଙ୍ଗଲକୁ ଚରାଇବାକୁ ନିଅନ୍ତି । କିଛି ଅସୁର ଭାବିଲେ ସେଇଟା ହିଁ ଅସଲ ସମୟ । ଦିନେ ସେମାନେ କଚଙ୍କ ପଛେ ପଛେ ଜଙ୍ଗଲରେ ପହଞ୍ଚିଲେ ଓ କଚଙ୍କୁ ସେଇ ଜଙ୍ଗଲ ଭିତରେ ମାରି ଖଣ୍ଡ ଖଣ୍ଡ କରି କାଟି ତାଙ୍କ ମାଂସକୁ ବିଲୁଆ କୋକୋଶିଆଳୀଙ୍କୁ ଖାଇବାକୁ ଦେଇଦେଲେ ।

ସେଦିନ ସଂଧ୍ୟା ବେଳକୁ ଗାଈପଲ ବାଟ ଖୋଜି ଏକା ଏକା ଆଶ୍ରମକୁ ଫେରିଆସିଲେ । କଚ କିନ୍ତୁ ଫେରିଲେନି । ଦେବଯାନୀ ଯେତେବେଳେ ଦେଖିଲେ ଗାଈପଲଙ୍କ ସାଙ୍ଗରେ କଚ ଜଙ୍ଗଲରୁ ଫେରିନାହଁନ୍ତି, ସେତେବେଳେ ତାଙ୍କର ଚିନ୍ତା ବଢିଗଲା । ସେ ଶୁକ୍ରଙ୍କ ପାଖରେ ପହଞ୍ଚିଲେ ଓ କହିଲେ ତାଙ୍କ ମନ କହୁଛି କିଛି ଗୋଟେ ଅଘଟଣ ନିଶ୍ଚୟ ଘଟିଛି । କଚ ସବୁଦିନ ସଞ୍ଜ ଆଗରୁ ଗାଈପଲଙ୍କ ସହ ନିଶ୍ଚୟ ଆଶ୍ରମକୁ ଫେରିଆସନ୍ତି । ଆଜି ଏଯାଏଁ ଫେରିନାହଁନ୍ତି । 

A way to come back to life even after deathମରଣ ପରେ ବି ଆଉ ଥରେ ଜୀବନକୁ ଫେରି ଆସିବାର ରାସ୍ତା

ଶୁକ୍ର ଜାଣିପାରିଲେ ଜଙ୍ଗଲରେ କ'ଣ ଘଟିଛି । ଦେବଯାନୀ ଯେତେବେଳେ ଜାଣିଲେ କଚ ଆଉ ନାହାଁନ୍ତି ସେ ଭାଙ୍ଗି ପଡ଼ିଲେ ଓ ଶୁକ୍ରଙ୍କୁ କହିଲେ ସେ କଚଙ୍କ ବିନା ବଞ୍ଚି ପାରିବେନି । ଶୁକ୍ରାଚାର୍ଯ୍ୟ ଏଥର ଦେବଯାନୀଙ୍କୁ ପ୍ରବୋଧନା ଦେଇ କହିଲେ ଦୁଃଖ କରନି ମା । କଚ ମରିଥିଲେ ବି ମୁଁ ତାକୁ ପୁଣି ଏଇ ମୁହୂର୍ତ୍ତରେ ଜୀବନକୁ ଫେରାଇ ଆଣିବି । ଝିଅର ଖୁସି ପାଇଁ ଶୁକ୍ର ମୃତ୍ୟୁ ସଂଜୀବନୀ ମନ୍ତ୍ର ଉଚ୍ଚାରଣ କରି କଚଙ୍କୁ ଆବାହନ କଲେ । କିଛି ସମୟ ପରେ କଚ ଆସି ଦେବଯାନୀ ଓ ଶୁକ୍ରଙ୍କ ସାମ୍ନାରେ ସ୍ୱଶରୀରରେ ଉଭା ହୋଇଗଲେ । ଜୀବନ୍ୟାସ ପାଇଲା ପରେ କଚ ପୁରା ଘଟଣାଟି କହିଲେ । କେମିତି ସେ ଘନ ଜଙ୍ଗଲ ଭିତରେ ଗାଈ ଚରାଉଥିବା ବେଳେ କିଛି ଅସୁର ତାଙ୍କୁ ହତ୍ୟାକରି ତାଙ୍କ ମର ଶରୀରକୁ ଟିକି ଟିକି କରି କାଟି ଜଙ୍ଗଲର ଶିଆଳଙ୍କୁ ଖାଇବାକୁ ଦେଇଦେଲେ । 

ପୁଣି କିଛି ଦିନ କଟିଗଲା । ଦିନେ ଫୁଲ ଆଣିବାକୁ କଚଙ୍କୁ ଜଙ୍ଗଲ ପଠେଇଥାନ୍ତି ଦେବଯାନୀ । କିଛି ଅସୁର କଚଙ୍କୁ ଏକୁଟିଆ ନିର୍ଜନ ଜାଗାରେ ଖୋଜୁଥା'ନ୍ତି । ସେଦିନ ଜଙ୍ଗଲରେ କଚଙ୍କୁ ଏକୁଟିଆ ପାଇ ସେମାନେ ପୁଣି ଥରେ ତାଙ୍କୁ ହତ୍ୟା କରିବାର ଯୋଜନା କଲେ । ସେମାନେ ଜାଣିଥିଲେ ପୂର୍ବଥର ସେମାନେ କଚଙ୍କୁ ହତ୍ୟା କରିଥିଲେ ଵି ଶୁକ୍ରାଚାର୍ଯ୍ୟ ଜୀବନ୍ୟାସ ଦେଇଛନ୍ତି । ପୂର୍ବଥରର ଯୋଜନା ବଦଳାଇ ଏଥର କଚଙ୍କୁ ଅଲଗା ଭାବରେ ପୁଣି ଥରେ ହତ୍ୟା କଲେ ସେମାନେ । 

ଅସୁରମାନେ ଭାବିଥିଲେ ଏଥର କୌଣସି ଉପାୟରେ ବି କଚ ଆଉ ଜୀବନକୁ ଫେରି ପାରିବେନି । ଶୁକ୍ରାଚାର୍ଯ୍ୟ ଚାହିଁଲେ ବି ଏଇଥର ବଞ୍ଚେଇ ପାରିବେନି । ସେଦିନ କଚ ଆଉ ଆଶ୍ରମ ଫେରିଲେନି । ଅନେକ ସମୟ ବିତିଗଲା ପରେ ଦେବଯାନୀ ବ୍ୟସ୍ତ ହେଇ ପୁଣି ଥରେ ତାଙ୍କ ବାପା ଶୁକ୍ରଙ୍କ ପାଖରେ ପହଞ୍ଚିଲେ ଓ କଚଙ୍କ ବିଷୟରେ ପଚାରିଲେ । ଶୁକ୍ର ଜାଣିପାରିଲେ ଅସୁରମାନେ ପୁଣିଥରେ କଚଙ୍କୁ ହତ୍ୟା କରିଛନ୍ତି । ଏକଥା ଶୁଣି ଦେବଯାନୀ କାନ୍ଦିବାକୁ ଲାଗିଲେ । ଓ କହିଲେ ସେ କଚଙ୍କୁ ପ୍ରେମ କରନ୍ତି ତେଣୁ କଚଙ୍କ ବିନା ଗୋଟେ ମୁହୂର୍ତ୍ତ ବି ରହିବା ତାଙ୍କ ପକ୍ଷରେ ଅସମ୍ଭବ। 

ଶୁକ୍ର ଜାଣୁଥିଲେ ଅସୁର ମାନେ ହିଂସା ଓ ଅସୂୟାରେ କଚଙ୍କୁ ବାର ବାର ହତ୍ୟା କରୁଛନ୍ତି । ପ୍ରଥମେ ଶୁକ୍ର ଝିଅକୁ ବୁଝାଇବାକୁ ଚେଷ୍ଟା କଲେ । କିନ୍ତୁ ଦେବଯାନୀ ବୁଝିବା ଅବସ୍ଥାରେ ନଥିଲେ । ଶେଷରେ ଶୁକ୍ରଙ୍କୁ ପୁଣି ଥରେ ମୃତ୍ୟୁ ସଂଜିବନୀ ମନ୍ତ୍ରର ପ୍ରୟୋଗ କରିବାକୁ ହେଲା ଓ କଚ ପୁଣି ଥରେ ଜୀବନ୍ୟାସ ପାଇଲେ । କଚ ଜୀବନ ଫେରି ପାଇଲେ ସତ, କିନ୍ତୁ ଜୀବନ ଫେରିପାଇଲେ ଶୁକ୍ରଙ୍କ ପେଟ ଭିତରେ । ଶୁକ୍ର ଆଶ୍ଚର୍ଯ୍ୟ ହୋଇ ପଚାରିଲେ - କଚ, ତୁମେ ମୋ ପେଟ ଭିତରକୁ କେମିତି ଆସିଲ? ସେଇ ପେଟ ଭିତରେ ରହି କଚ ଉତ୍ତର ଫେରାଇଲେ - ହେ ଗୁରୁଦେବ ଅସୁରମାନେ ମୋତେ ପୁଣି ଥରେ ଜଙ୍ଗଲ ଭିତରେ ହତ୍ୟା କରିଛନ୍ତି ଓ ଟିକି ଟିକି କରି କାଟିଛନ୍ତି । ତାପରେ ମୋ ମାଂସ ଖଣ୍ଡକୁ ପୋଡି ପାଉଁଶ କରିଛନ୍ତି । ସେ ପାଉଁଶକୁ ପୁଣି ମଦରେ ମିଶାଇ ଆପଣଙ୍କୁ ପିଇବାକୁ ଦେଇଛନ୍ତି । ସେଇଥିପାଇଁ ଜୀବନ୍ୟାସ ପାଇଲାପରେ ମୁଁ ଏବେ ଆପଣଙ୍କ ପେଟ ଭିତରେ ଅଛି । 

ଶୁକ୍ର ସବୁ ଘଟଣା ଜାଣିଲେ । ଏବେ ସମସ୍ୟା ହେଲା କଚ ଶୁକ୍ରଙ୍କ ପେଟରୁ ବାହାରକୁ ବାହାରିବେ କେମିତି? ଏକମାତ୍ର ଉପାୟ ଥିଲା ଯେ ଶୁକ୍ରଙ୍କ ପେଟକୁ ଫଟାଇ କଚ ବାହାରକୁ ବାହାରିବେ । କିନ୍ତୁ ପେଟ ଫାଟିଲେ ଶୁକ୍ରଙ୍କ ମୃତ୍ୟୁ ହେବା ଥୟ । ଏତେ ଦିନ ଧରି ଯେଉଁ ମନ୍ତ୍ରକୁ ଦେବତାମାନଙ୍କ ପାଖରୁ ଶୁକ୍ର ଗୋପନ କରି ରଖିଥିଲେ, ଏବେ ତାହା ତାଙ୍କ ଶିଷ୍ୟକୁ ଶିଖାଇବାକୁ ହେବ । ଅବଶ୍ୟ ମୃତ୍ୟୁ ସଞ୍ଜିବନୀ ମନ୍ତ୍ର କଚଙ୍କୁ ଶିକ୍ଷା ଦେବା ପୂର୍ବରୁ ଶୁକ୍ରଙ୍କ ମନରେ ସାମାନ୍ୟ ଆଶଂକା ଆସିଲା । ଲାଗିଲା କାଳେ ଦେବରାଜ ଇନ୍ଦ୍ର ଆଉ ତ କପଟରେ ମନ୍ତ୍ର ଶିକ୍ଷା କରିବାକୁ ତାଙ୍କ ପେଟ ଭିତରେ ଆଶ୍ରୟ ନେଇ ନାହଁନ୍ତି? ତେଣୁ ମନ୍ତ୍ର ଦାନ ଆଗରୁ ସେ ତାଙ୍କ ପେଟ ଉପରେ ହାତ ରଖି କହିଲେ, ମୋ ପେଟରେ ଯଦି ସତରେ କଚ ଅଛନ୍ତି ସେ ବିନା କ୍ଷତିରେ ସେଠୁ ବାହାରି ଆସିବେ । ଯଦି ଆଉ କେହି ଥିବ ତେବେ ସେ ମୋ ପେଟ ଭିତରେ ଜୀର୍ଣ୍ଣ ହେଇ ଯିବ ।

A way to come back to life even after deathମରଣ ପରେ ବି ଆଉ ଥରେ ଜୀବନକୁ ଫେରି ଆସିବାର ରାସ୍ତା

ଏତେ ବର୍ଷ ଧରି ଦେବତାମାନଙ୍କ ଅନୁରୋଧରେ କଚ ଯେଉଁ କଥାଟି ଶିଖିବାକୁ ଆସି ଶୁକ୍ରଙ୍କ ଘରେ ଅଟକି ଥିଲେ, ସେ ସମୟ ଶେଷରେ ଆସି ପହଞ୍ଚିଲା । ଶୁକ୍ରାଚାର୍ଯ୍ୟ ଏଥର କଚଙ୍କୁ ମୃତ୍ୟୁ ସଞ୍ଜିବନୀ ମନ୍ତ୍ର ଶିକ୍ଷା ଦେଲେ ଓ ମନ୍ତ୍ର ଶିକ୍ଷା ପରେ କଚ ଶୁକ୍ରଙ୍କ ପେଟକୁ ବିଦାରି ପଦାକୁ ବାହାରି ଆସିଲେ । ଏବେ ଶୁକ୍ରଙ୍କୁ ଜୀବନକୁ ଫେରାଇ ଆଣିବାର ସମୟ । କଚ ମୃତ୍ୟୁ ସଞ୍ଜିବନୀ ମନ୍ତ୍ର ପ୍ରୟୋଗ କଲେ ଓ ଶୁକ୍ର ମୃତ୍ୟୁଲୋକରୁ ଜୀବଲୋକକୁ ଫେରି ଆସିଲେ । 

ଜୀବନକୁ ଫେରିଆସିଲା ପରେ ଶୁକ୍ର କହିଲେ ଏ ମଦ ପାଇଁ ଏତେ ଅସୁବିଧା ହେଲା । ତେଣୁ ଆଜିଠାରୁ କୌଣସି ବ୍ରାହ୍ମଣ ମଦ ପିଇବ ନାହିଁ । ଆଜିଠାରୁ ଜଣେ ବ୍ରାହ୍ମଣକୁ ହତ୍ୟା କଲେ ଯେତିକି ପାପ, ମଦ୍ୟ ପାନ କଲେ ସେତିକି ପାପ ହେବ । 

ବାପା ଶୁକ୍ରାଚାର୍ଯ୍ୟ ଓ ପ୍ରେମିକ କଚଙ୍କୁ ସ୍ୱଶରୀରରେ ଦେଖି ଦେବଯାନୀ ବଡ଼ ଖୁସି ହୋଇଗଲେ । ଶୁକ୍ରାଚାର୍ଯ୍ୟଙ୍କ ଆଶ୍ରମରେ କଚଙ୍କ କାମ ପୁରା ହୋଇସାରିଥିଲା । କଚ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇ ଆପଣା ଘରକୁ ଫେରିଯିବାକୁ ବାହାରିଲେ । ଏତେଦିନଧରି ମନେ ମନେ କଚଙ୍କୁ ଭଲପାଉଥିବା ଦେବଯାନୀ ତାଙ୍କ ପାଖକୁ ଆସିଲେ ଓ ମନ କଥା ଖୋଲିକି କହିଲେ । ଦେବଯାନୀଙ୍କର ଇଚ୍ଛା କଚ ତାଙ୍କ ପ୍ରେମ ସ୍ୱୀକାର କରନ୍ତୁ ଓ ତାଙ୍କୁ ବିବାହ କରନ୍ତୁ । କିନ୍ତୁ କଚଙ୍କର ମତି ଗତି ଅଲଗା । ସେ ସିଧା ସଳଖ ଦେବଯାନୀଙ୍କୁ କହିଲେ ଯେ, ସେ କେବେବି ସେମିତିକା ନଜରରେ ତାଙ୍କୁ ଦେଖିନାହଁନ୍ତି । ତାପରେ ସେ ଏବେ ଶୁକ୍ରାଚାର୍ଯ୍ୟଙ୍କ ପେଟରୁ ବାହାରିଛନ୍ତି । ତାଙ୍କୁ ଦୁଇ ଦୁଇ ଥର ଜୀବନ୍ୟାସ ଦେଇଥିବାରୁ ଶୁକ୍ର ଏବେ ତାଙ୍କର ବାପା । ତେଣୁ ହିସାବରେ ଆମେ ଭାଇ ଭଉଣୀ ହିଁ ହେବା । ଭାଇ ଭଉଣୀ ଭିତରେ ଏମିତି ସମ୍ପର୍କ ନିଷେଧ । 

ଦେବଯାନୀ ଏତେ ଦିନ ଧରି ମନେ ମନେ ଭଲପାଉଥିବା କଚଙ୍କୁ ଅନେକ ପ୍ରକାରରେ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ କଚଙ୍କର ସେଇ ଗୋଟେ କଥା । ଏଥର ବିରକ୍ତ, କ୍ରୋଧ, ଦୁଃଖ ଓ ଅସହାୟତରେ ଦେବଯାନୀ କଚଙ୍କୁ କହିଲେ - ହେ କଚ ଶୁଣ । ଏତେ ଚେଷ୍ଠା କରି, ସମୟ ସାରି, ତମେ ଯେଉଁ ମନ୍ତ୍ରଟି ମୋ ବାପାଙ୍କ ପାଖରୁ ଶିଖିଲ, ତାହା ତମେ ନିଜେ ବ୍ୟବହାର କରିପାରିବନି । ତୁମ ଉଚ୍ଚାରଣରେ ସେ ମନ୍ତ୍ର କେଉଁଠି କେବେବି କାମ କରିବନି । 

ଦେବଯାନୀଙ୍କ ଅଭିଶାପ ଶୁଣି କଚ ନୀରବରେ ଧାରେ ହସିଲେ ଓ କହିଲେ ଠିକ୍ ଅଛି ଦେବଯାନୀ, ତମ କଥା ରହୁ । ଏ ମନ୍ତ୍ର ମୋ ଉଚ୍ଚାରଣରେ କାମ ନଦେଉ । ମନ୍ତ୍ର କେମିତି କାମ ଦେବ ସେ କଥା ମୁଁ ଜାଣେ । ତା'ର ଉପାୟ ମୁଁ କରିବି । ମୋ ଦ୍ୱାରା କାମ ନକଲେ ମଧ୍ୟ ମୁଁ ଯାହାକୁ ମନ୍ତ୍ରଟି ଶିଖାଇବି ତା' ପାଖରେ କାମ ଦେବ । ମଁା ଜଣେ ବେଦଜ୍ଞ ବ୍ରାହ୍ମଣ । ମୁଁ ଯାହା କହିବି ତାହାବି ତୁମ କଥା ପରି ଅନ୍ୟଥା ହେବନି । ବିନା ଦୋଷରେ କାମନାର ବଶବର୍ତ୍ତୀ ହେଇ ତୁମେ ମୋତେ ଅଭିଶାପ ଦେଉଛ । ଏବେ ମୋ କଥାବି ଶୁଣ ଦେବଯାନୀ । ତୁମେ ଋଷି କନ୍ୟା । କିନ୍ତୁ ତୁମର ବିବାହ କେବେବି କୌଣସି ଋଷି ପୁତ୍ର ସହ ହେବ ନାହିଁ ।

ଏତିକି କହି କଚ ସେଠାରୁ ବାହାରିଗଲେ । ଧିରେ ଧିରେ ଆଖି ସାମ୍ନାର ଅଙ୍କା ବଙ୍କା ଜଙ୍ଗଲିଆ ରାସ୍ତାର ଗଛ ଗହଳିରେ କଚ ଲୁଚି ଯିବା ଯାଏଁ ଅଶ୍ରମ ଫାଟକ ପାଖରେ ଛିଡା ହେଇଥାନ୍ତି ଦେବଯାନୀ। ସଞ୍ଜ ନଇଁ ଆସୁଥାଏ । ଥମ ଥମ ଦିଶୁଥାଏ ଆକାଶ । ଦେବଯାନୀଙ୍କ ଆଖିରୁ ଦୁଇ ଠୋପା ଲୁହ ନିଗିଡି ଆସିଲା ହଠାତ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now