• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନିଜେ ଶିଖୁଥିଲେ ଏବେ ଅନ୍ୟଙ୍କୁ ଶିଖାଉଛନ୍ତି

  • ବୟସ ଓ କଟକଣା ରୋକି ପାରିନି କଳାକାରର ପାଦ

ସମ୍ବଲପୁର(ସଞ୍ଜୟ ଜେନା) :୭୦ ବର୍ଷରେ ନୃତ୍ୟ ଗୁରୁ । ଦିନେ ନିଜେ ଶିଖୁଥିଲେ ଏବେ ଅନ୍ୟଙ୍କୁ ଶିଖାଉଛନ୍ତି । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ପାସ୍ ପରେ ଘରକୁ ଫେରିଥିଲେ । ହେଲେ ରକ୍ଷଣଶୀଳ ପରିବାରର କଟକଣା ଭିତରେ ଛନ୍ଦି ହୋଇଯାଇଥିଲେ ସନ୍ଧ୍ୟା ଦେବନାଥ । ଚଳଚ୍ଚିତ୍ରଠୁ ଚାକିରି ପର୍ଯ୍ୟନ୍ତ ସବୁ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ କିନ୍ତୁ ବନ୍ଦ ହେଲାନି ନୃତ୍ୟ ସାଧନା । ଏବେ ୭୦ ବର୍ଷ ବୟସରେ ବି ଜାରି ରହିଛି ତାଙ୍କର ସାଧନା ଓ ଶିକ୍ଷା । ହେଲେ ଗୋଡ଼ରେ ବେଢ଼ି ସଦୃଶ୍ୟ ସାଜିଛି ଆର୍ଥିକ ଅନଟନ । ଜରାଜୀର୍ଣ୍ଣ ନୁଆଁଣିଆ ଖପର ଘର ଭିତରୁ ଶୁଭୁଛି ଘୁଙ୍ଗୁରର ଶବ୍ଦ । ଓଡିଶୀ ଗୀତର ତାଳେ ତାଳେ ଚାଲିଛି ନୃତ୍ୟ ଶିକ୍ଷା ।

ସଂଧ୍ୟା ଦେବନାଥଙ୍କ ବୟସ ୭୦ ହେଲାଣି । ଗୋଟିଏ ଗୋଡ ଭାଙ୍ଗି ଯିବା ପରେ ସେ ଚଲାବୁଲା କରିବାକୁ ବାଡିର ସାହାଯ୍ୟ ନେଉଛନ୍ତି । କିନ୍ତୁ ନୃତ୍ୟ ଶିକ୍ଷା ଦେବା ବେଳେ ଶାରୀରିକ ସମସ୍ୟା କଥା ଭୁଲି ନିଜେ ବିଭିନ୍ନ ଅଙ୍ଗଭଙ୍ଗୀ କରି ଶିଖାଇଥାନ୍ତି ଛାତ୍ରୀ ମାନଙ୍କୁ । ୧୯୭୧ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଓଡିଶୀ ନୃତ୍ୟରେ ମାଷ୍ଟର ଡିଗ୍ରୀ ହାସଲ ପରେ ଆଜି ଯାଏଁ ତାଙ୍କର ସାଧନା ଜାରି ରଖିଛନ୍ତି । କିନ୍ତୁ ତାଙ୍କ ପ୍ରତି ଏଯାଏଁ କାହାରି ଦୃଷ୍ଟି ପଡିନି । ସବୁଠାରୁ ଦୁଃଖର କଥା ହେଉଛି, ଆଜି ଯାଏଁ ତାଙ୍କୁ ମିଳିନି ରାଜ୍ୟ ସରକାରଙ୍କ କଳାକାର ଭତ୍ତା କିମ୍ବା ଅନ୍ୟ କୌଣସି ସହାୟତା । ତେବେ ଚଳିତ ବର୍ଷ ସନ୍ଧ୍ୟା ଦେବନାଥ ଆବେଦନ କରିଛନ୍ତି ଭତ୍ତା । କାରଣ ଚଳିବା ପାଇଁ ଆର୍ଥିକ ସମ୍ବଳ ନାହିଁ, ତା ସାଙ୍ଗକୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ମଧ୍ୟ ହେଉଛି ।

ତାଙ୍କ ପାଖକୁ ନୃତ୍ୟ ଶିଖିବାକୁ ଆସନ୍ତି ଭିନ୍ନ ଭାଷାଭାଷୀ ଛାତ୍ରୀ । ସେମାନଙ୍କର କହିବା କଥା, ତାଙ୍କ ଗୁରୁ ଖୁବ ପ୍ରତିଭାବାନ । ଗୁରୁଙ୍କ ଠାରୁ ସେମାନଙ୍କୁ ନୃତ୍ୟ ଶିକ୍ଷା ପାଇଁ ଅନେକ ପ୍ରେରଣା ମିଳିଥାଏ । ସେପଟେ ନୃତ୍ୟୁ ଗୁରୁ କହିଛନ୍ତି, ଯେଉଁ ଓଡିଶୀ ନୃତ୍ୟର ମାୟାରେ ସେ ସବୁ କିଛି ଛାଡିଛନ୍ତି, ଜୀବନର ଶେଷ ଯାଏଁ ସେହି ନୃତ୍ୟକୁ ଛାଡିବେ ନାହିଁ ବୋଲି କହିଛନ୍ତି । ଗୋଡହାତ ଚାଲିଥିବା ଯାଏଁ ସେ ନାଚୁଥିବେ, ନାଚ ଶିଖାଉଥିବେ ।