• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ମିଲି ସୋସିଆଲ ମିଡିଆରେ ଗୋଟେ ଫଟୋ ପୋଷ୍ଟ କରିଦେବା ପରେ ବାରବାର ଫୋନ୍ ଚେକ୍ କରୁଥାଏ। ସମୟ ଗଡ଼ିବା ସହିତ ତା' ମୁହଁରେ ଦେଖାଯାଉଥିବା ଉତ୍ସାହ ଧୀରେ ଧୀରେ ଫିକା ପଡ଼ିଆସୁଥାଏ । ସେ ମୋତେ କହିଲା, "ଦେଖନ୍ତୁ, ୧୦ ମିନିଟ୍ ହେଲାଣି ମାତ୍ର ୧୨ ଟା ଲାଇକ୍ ମିଳିଛି ! ମୁଁ ଜାଣିଛି ମୋ ବ୍ୟସ୍ତତା ଦେଖି ଆପଣଙ୍କୁ ପିଲାଳିଆ ଲାଗୁଥିବ । ଅବାନ୍ତର ଲାଗୁଥିବ । କିନ୍ତୁ ମୁଁ କ'ଣ କରିବି ? ଏପଟେ ଲାଇକ୍ - କମେଣ୍ଟ ସବୁ ନମିଳିଲେ ମୋତେ ଲାଗେ ମୋର ଯେମିତି ଅସ୍ତିତ୍ୱ ନାହିଁ।" ମିଲି ଓ ଆପଣଙ୍କ କ୍ଷେତ୍ରରେ ଏହା ପ୍ରକୃତରେ ଇନଷ୍ଟାଗ୍ରାମ କି ସୋସିଆଲ ମିଡିଆ ବିଷୟରେ ନୁହେଁ, ଏହା ସେଇ ପିଲାଦିନ ବିଷୟରେ ଯେତେବେଳେ ସେ ପରଫେକ୍ଟ ହେଲେ ହିଁ ସେ ସମସ୍ତଙ୍କ ନଜରରେ ଆସୁଥିଲା, ସମସ୍ତେ ତାକୁ ପଚାରୁଥିଲେ। ନିରନ୍ତର ସ୍ୱୀକୃତିର ଆବଶ୍ୟକତା ପ୍ରାୟତଃ ଏମିତି ଭାବରେ ଆରମ୍ଭ ହୁଏ ।

୧. ବୟସ୍କମାନଙ୍କ ଠାରେ ଏହାର ଲକ୍ଷଣ କ'ଣ ?

ଆପଣ ଭାବିପାରନ୍ତି ଯେ ଆପଣ କେବଳ "ସାମାଜିକ" କିମ୍ବା "ମହତ୍ୱାକାଂକ୍ଷୀ"। କିନ୍ତୁ ଅନ୍ତରରେ ଯଦି ଆପଣ ନିମ୍ନଲିଖିତ ଭାବ ସବୁ ଅନୁଭବ କରୁଥାଆନ୍ତି, ତାହେଲେ ଏହା ଆତ୍ମବିଶ୍ୱାସ ବିଷୟରେ ନୁହେଁ। ଏହା ହୁଏତ ସେଇ ଇନର୍ ଚାଇଲ୍ଡ ବିଷୟରେ, ଯିଏ ପ୍ରଶଂସାଯୋଗ୍ୟ କିଛି ନକରିବା ପର୍ଯ୍ୟନ୍ତ କେହି ତାକୁ ଅନେଇବେନି ବୋଲି ଭାବୁଛି। 

Also Read

• ଯେତେବେଳେ କେହି ଆପଣଙ୍କୁ ଉତ୍ତର ଦିଅନ୍ତି ନାହିଁ କିମ୍ବା ପ୍ରଶଂସା କରନ୍ତି ନାହିଁ ସେତେବେଳେ ଆପଣ ଚିନ୍ତିତ ଅନୁଭବ କରନ୍ତି।

• ଅନ୍ୟମାନେ ଆପଣଙ୍କ ନିଷ୍ପତ୍ତିକୁ ଅନୁମୋଦନ ନକଲେ ଆପଣ ନିଜକୁ ସନ୍ଦେହ କରନ୍ତି।

• ପ୍ରତ୍ୟେକ ପଦକ୍ଷେପ ନେବା ପୂର୍ବରୁ ଆପଣ କାହାର ଜଣଙ୍କର ଆଶ୍ୱାସନା ଆବଶ୍ୟକ କରନ୍ତି।

• ଯେତେବେଳେ ଆପଣଙ୍କ କାମକୁ ପ୍ରଶଂସା କରାଯାଏ ନାହିଁ, ସେତେବେଳେ ଆପଣ "ଛୋଟ" ଅନୁଭବ କରନ୍ତି।

• ଯେତେବେଳେ ଆପଣଙ୍କ ପ୍ରୟାସକୁ ଅଣଦେଖା କରାଯାଏ, ସେତେବେଳେ ଆପଣ ଦୁଃଖିତ ହୋଇଯାଆନ୍ତି କିମ୍ବା ଆପଣଙ୍କୁ କେହି ପଚାରୁନାହାଁନ୍ତି ବୋଲି ଅନୁଭବ କରନ୍ତି।

୨. ପିଲାଦିନର କେଉଁ ଘଟଣା ଏଥିପାଇଁ ଦାୟୀ ?

ଅନ୍ୟମାନଙ୍କ ଠାରୁ ସ୍ୱୀକୃତି ବା ମାନ୍ୟତା ପାଇବାକୁ ସେଇମାନେ ଇଚ୍ଛା କରନ୍ତି, ଯେଉଁମାନଙ୍କ ପିଲାଦିନେ ନିମ୍ନ ଘଟଣାମାନ ଘଟିଥାଏ । 

• କେବଳ ସେତେବେଳେ ପ୍ରଶଂସା ପାଉଥିଲେ, ଯେତେବେଳେ ସେମାନେ କିଛି ହାସଲ କରୁଥିଲେ। ସେ ଭଲ ନମ୍ବର ହେଉ କି ଟ୍ରଫି ଅବା ଉତ୍ତମ ବ୍ୟବହାର।

• ସେମାନଙ୍କୁ ନିରନ୍ତର ସେମାନଙ୍କ ଭାଇଭଉଣୀ, ସାଇପଡ଼ିଶାଙ୍କ ପିଲା, କକା, ମାମୁଁ କି ମାଉସୀଙ୍କ ପିଲା କିମ୍ବା କେହି ଜଣେ "ଆଦର୍ଶ ପିଲା" ନାଁ ରେ ପରିଚିତ ପିଲା ସହିତ ତୁଳନା କରାଯାଉଥିଲା।

• ପିଲାଦିନେ ଇମୋସନାଲି ଅବହେଳିତ ଅନୁଭବ କରୁଥିଲେ। ତେଣୁ ଧ୍ୟାନ ଆକର୍ଷଣ କରିବା ପାଇଁ କୌଣସି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିଲେ।

• ଦୁଃଖିତ ଥିବା ସମୟରେ ସାନ୍ତ୍ୱନା ଦିଆଯାଉନଥିଲା, କିନ୍ତୁ ଖୁସି ଥିଲେ ପ୍ରଶଂସା କରାଯାଉଥିଲା।

• ବାହାରେ ଲୋକମାନଙ୍କ ଆଗରେ ସୋ ପିସ୍ ଭଳି ବଢ଼ିଆ ବ୍ୟବହାର କରାଯାଉଥିଲା, କିନ୍ତୁ ଘରେ ଆବେଗଗତ ଆବଶ୍ୟକତା ସବୁକୁ ଅଣଦେଖା କରାଯାଉଥିଲା । 

• ଏପରି ଅନୁଭବ ହେଉଥିଲା ଯେପରି ଭଲପାଇବା ପାଇବା ପରିବର୍ତ୍ତେ ତାଙ୍କୁ "ଭଲପାଇବା ଅର୍ଜନ କରିବାକୁ" ପଡ଼ିବ।

ପିଲାଟି ଶିଖୁଥିଲା ଯେ, "ଅନ୍ୟମାନଙ୍କ ନଜରରେ ପଡ଼ିବା ପାଇଁ ମୋତେ ଭଲ ପ୍ରଦର୍ଶନ କରିବାକୁ ପଡିବ। ମୁଁ ଯେମିତି, ସେମିତି ହୋଇ ରହିବା ଯଥେଷ୍ଟ ନୁହେଁ।" ତେଣୁ ବୟସ ହେଲାପରେ ମଧ୍ୟ ଯଦି ଅନ୍ୟ କେହି ସେମାନଙ୍କୁ ନ କୁହନ୍ତି, "ତୁମେ ଭଲ କରିଛ। ତୁମେ ଗୁରୁତ୍ୱପୂର୍ଣ୍ଣ।" ସେମାନେ ଚିନ୍ତିତ ଅନୁଭବ କରନ୍ତି ।

୪. ଏହା ସମ୍ପର୍କ ଏବଂ ଜୀବନକୁ କିପରି ପ୍ରଭାବିତ କରେ?

ଆପଣଙ୍କ ଇନର୍ ଚାଇଲ୍ଡ ସେଇ କଷ୍ଟ ସବୁକୁ ବୋହି ଚାଲିଥିବା କାରଣରୁ ସମ୍ପର୍କ ଏବଂ ଜୀବନରେ ନିମ୍ନଲିଖିତ ପ୍ରଭାବ ସବୁ ଦେଖାଯାଏ।

• ଇମୋସନାଲି ଅନ୍ୟମାନଙ୍କ ମତାମତ ଉପରେ ନିର୍ଭର କରିବା।

• ଲୋକମାନେ ତୁମ ବିଷୟରେ କ’ଣ ଭାବୁଛନ୍ତି ତାହା ଅତ୍ୟଧିକ ଚିନ୍ତା କରିବା।

• “ଏହା ଠିକ୍ ଅଛି ତ?” “ମୁଁ ଠିକ୍ ଦେଖାଯାଉଛି ତ?” “ମୁଁ ଯଥେଷ୍ଟ ଭଲ ତ?” ଆଦି ନିଜକୁ ବାରବାର ପଚାରିବା।

• ବଡ଼ ବଡ଼ ସଫଳତା ପରେ ମଧ୍ୟ ଅତୃପ୍ତ ଅନୁଭବ କରିବା।

• ପରିଚୟ ହରାଇବା - ନିଜେ କିଏ ଭୁଲି ଯେଉଁମାନଙ୍କ ସହ ମିଶୁଛନ୍ତି ସେହି ଅନୁସାରେ ନିଜକୁ ବିଚାର କରିବା।

• ଯେତେବେଳେ ଆପଣଙ୍କୁ ସ୍ୱୀକୃତି ଦିଆଯାଏ ନାହିଁ, ସେତେବେଳେ ବିଫଳ ହେବା ପରି ଅନୁଭବ କରିବା।

୫. ସ୍ୱୀକୃତି ପାଇବାର ଆବଶ୍ୟକତାକୁ କିପରି ଠିକ୍ କରିବେ ?

କ) ଟ୍ରିଗରଗୁଡ଼ିକୁ ଲକ୍ଷ୍ୟ କରନ୍ତୁ ଏବଂ ନିଜକୁ ପଚାରନ୍ତୁ: "ମୁଁ କେତେବେଳେ ପ୍ରଶଂସା ପାଇବାକୁ ସବୁଠାରୁ ଅଧିକ ଚାହୁଁଛି ? ମୁଁ କାହାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ଏବଂ କାହିଁକି?"

ଖ) ପ୍ରଥମେ ନିଜ ଭିତରେ ନିଜକୁ ସ୍ୱୀକୃତି ଦିଅନ୍ତୁ।

କିଛି ଗୋଟେ ପୋଷ୍ଟ କରିବା କିମ୍ବା ଉପସ୍ଥାପନ କରିବା ପୂର୍ବରୁ, ଅଟକି ପଚାରନ୍ତୁ: “ମୁଁ କ’ଣ ଏହା ଭଲ ବୋଲି ଭାବୁଛି?” ନିଜକୁ ନିଜେ କୁହନ୍ତୁ: “କେହି ପ୍ରଶଂସା ନକଲେ ବି ମୁଁ ଏହି କଥା ବା କାମ ପାଇଁ ଗର୍ବିତ।”

ଗ) ଇନର୍ ଚାଇଲ୍ଡ ସହିତ ପୁନଃସଂଯୋଗ ସ୍ଥାପନ କରନ୍ତୁ। ଆପଣଙ୍କ ଇନର୍ ଚାଇଲ୍ଡ ଏବେ ବି ମନେ ରଖିଛି ଉପେକ୍ଷା। ଆପଣଙ୍କ ସେହି ଯୁବ ସଂସ୍କରଣ ସହିତ ଧୀରେ ଧୀରେ କଥା ହୁଅନ୍ତୁ ଓ କୁହନ୍ତୁ: “ତୁମକୁ ଆଉ ଭଲପାଇବା ଅର୍ଜନ କରିବାକୁ ପଡ଼ିବ ନାହିଁ। ଅନ୍ୟ କେହି ନଦେଖିଲେ ବି ମୁଁ ତୁମକୁ ଦେଖୁଛି।”

ଘ) ବାହ୍ୟ ସ୍ୱୀକୃତିର ବାଟକୁ ସୀମିତ କରନ୍ତୁ। ସୋସିଆଲ୍ ମିଡିଆ କିମ୍ବା ବାରମ୍ବାର ସ୍ୱୀକୃତି ଯାଞ୍ଚ କରିବାର ବାଟ ଥିବା ଯେକୌଣସି ଜିନିଷରୁ ବିରତି ନିଅନ୍ତୁ। କେବଳ ଆନନ୍ଦ ପାଇଁ କାମ କରିବାକୁ ଚେଷ୍ଟା କରନ୍ତୁ, ଦେଖେଇବା ପାଇଁ ନୁହେଁ।

ଘ) ସଚେତନ ଭାବରେ ପ୍ରଶଂସା ଗ୍ରହଣ କରିବା ଅଭ୍ୟାସ କରନ୍ତୁ। ଯେତେବେଳେ କେହି ଆପଣଙ୍କୁ ପ୍ରଶଂସା କରୁଛନ୍ତି, ତାକୁ ଏଡ଼େଇ ନଯାଇ “ଧନ୍ୟବାଦ” କୁହନ୍ତୁ। କେବଳ ପ୍ରଶଂସା ଉପରେ ନିର୍ଭର ନକରି ସେଗୁଡ଼ିକୁ ଧରି ରଖିବା ଶିଖନ୍ତୁ।

ଏଥିସହିତ ଆପଣଙ୍କ ଇନର୍ ଚାଇଲ୍ଡକୁ କୁହନ୍ତୁ: 

• "କେହି ପ୍ରଶଂସା ନକଲେ ବି ତୁମେ ଯଥେଷ୍ଟ।"

• "ଭଲପାଇବା ପାଇବା ପାଇଁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ନାହିଁ।"

• "ତୁମେ କେବଳ ତୁମେ ହୋଇଥିବାରୁ ଆଟେନସନ ପାଇବାର ଯୋଗ୍ୟ ।"

• "କୌଣସି ଅନୁମତି ବିନା ତୁମେ ନିଜ ଉପରେ ଗର୍ବ କରିବା ନିରାପଦ।"

ସ୍ୱୀକୃତି ଭୁଲ ନୁହେଁ। ଆମେ ମଣିଷ, ଆମକୁ ସମସ୍ତେ ଦେଖନ୍ତୁ ଇଚ୍ଛା କରିବା ସ୍ୱାଭାବିକ। କିନ୍ତୁ ଯେତେବେଳେ ଆପଣଙ୍କର ସମ୍ପୂର୍ଣ୍ଣ ଆତ୍ମ-ମୂଲ୍ୟ ଏହା ଉପରେ ନିର୍ଭର କରେ, ସେତେବେଳେ ଆପଣଙ୍କର ଇନର୍ ଚାଇଲ୍ଡ ଅନ୍ୟମାନଙ୍କ ଉପରେ ନିର୍ଭର କରିବା ଶିଖେ। ସୁସ୍ଥତା ଆରମ୍ଭ ହୁଏ ସେତେବେଳେ ଯେତେବେଳେ ଆପଣ ଅନ୍ୟମାନଙ୍କୁ "ମୁଁ କ'ଣ ଯଥେଷ୍ଟ ଭଲ?" ବୋଲି ପଚାରିବା ବନ୍ଦ କରି ନିଜକୁ କହିବା ଆରମ୍ଭ କରନ୍ତି, "ମୁଁ ଆରମ୍ଭରୁ ହିଁ ଭଲ।"

ଓଟିଭି ବିଜ୍ଞାପନ