ଅନେକଙ୍କୁ ‘ଶିକ୍ଷାଟା ବିଦ୍ୟାଳୟକୁ ଯିବା ପରେ ହିଁ ଆରମ୍ଭ ହୁଏ’ କଥାଟି ଦିଶେ; କିନ୍ତୁ ବିଦ୍ୟାଳୟ ଯିବାବେଳକୁ ପିଲାର ବୟସ ହୋଇସାରିଥାଏ ଛଅ । ସେତେବେଳକୁ ତା’ ଜୀବନର ଶତକଡ଼ା ୭୫ ଭାଗ ଶିକ୍ଷା ପ୍ରକୃତରେ ସରି ସାରିଥାଏ । ହଁ, ବିଦ୍ୟାଳୟରେ ସେ ହୁଏତ ତଥ୍ୟଗ୍ରହଣ କରିପାରେ, ପ୍ରମାଣପତ୍ର ହାସଲ କରିପାରେ, କିନ୍ତୁ ଜୀବନର ଶିକ୍ଷା ହୁଏନି । ୧୯୨୫ରେ ଏଇ ପ୍ରସଙ୍ଗରେ ମହାତ୍ମାଗାନ୍ଧୀ କହିଥିଲେ; ‘ଆମେ ଏମିତି ଗୋଟେ ଅନ୍ଧବିଶ୍ୱାସକୁ ପାଳି ରଖିଛନ୍ତି ଯେ, ଆମେ ବିଶ୍ୱାସ କରୁଛନ୍ତି ଜୀବନର ପ୍ରଥମ ପାଞ୍ଚ ବର୍ଷରେ ପିଲାର ଶିଖିବାର କିଛି ନାହିଁ । ଅସଲରେ କଥାଟି ଓଲଟା; ପିଲାଟିଏ ଜୀବନର ପ୍ରଥମ ପାଞ୍ଚ ବର୍ଷରେ ଯାହା ଶିଖେ ତାହା ପରେ କେବେ ବି ଶିଖେ ନାହିଁ ।’
ଶିଶୁ ମନୋବିଜ୍ଞାନ ବିଶେଷଜ୍ଞ ଡକ୍ଟର ଗ୍ରୀନସ୍ପାନ୍ ‘ଫ୍ଲୋର୍ ଟାଇମ୍’ ନାମକ ଏକ ପ୍ରୟୋଗ କରିବା ଭିତରେ ପିଲାର ଆଗ୍ରହ ଜାଣିବାକୁ ଗୋଟିଏ ବାଟ ବାହାର କରିଥିଲେ । ତାଙ୍କ ଅନୁସାରେ ଦିନରେ ଥରେ ମାତ୍ର ପନ୍ଦର ମିନିଟ୍ ପାଇଁ ଅନ୍ତତଃ ଅଭିଭାବକ ପିଲା ସହ ଚଟାଣରେ ବସି କିଛି ସମୟ ଦେବା ଉଚିତ୍ । ଏହି ସମୟରେ ସେମାନେ ପିଲାଟିକୁ ତା’ ଖେଳରେ କେବଳ ସହଯୋଗ କରିବେ । ଏଇ ସମୟଟି କେବଳ ପିଲାର ଓ ପିଲା ପାଇଁ, ଯେଉଁଠି ସେ ବାପା କି ମାଆକୁ ଦେଖାଇପାରେ ସେ କ’ଣ କରିବାକୁ ଚାହେଁ, କେଉଁ କଥାଟି ତା’ ଲାଗି ଆଗ୍ରହଦାୟକ, କେଉଁ ଉପାୟଟି ତାକୁ ଭଲ ଲାଗୁଛି ଏବଂ ସେଇ କାମଟି କଲାବେଳେ ସେ କ’ଣ ବା କେମିତି ଅନୁଭବ କରୁଛି । ତାଙ୍କ ମତରେ; ପିଲା ସହ ସମ୍ପର୍କ ଯୋଡ଼ିବା ପାଇଁ ଫ୍ଲୋର୍ ଟାଇମ୍ ହେଉଛି ଏକ ନିବିଡ଼ ଓ ଅନ୍ତରଙ୍ଗ ଉପାୟ । ଏହି ସମୟରେ ପିଲାଟି କହୁଥିବା ଶବ୍ଦ, ଭାବଭଙ୍ଗୀ ଓ ତା’ ମନ ଭିତରେ ଥିବା ଖେଳଗୁଡ଼ିକ ମାଧ୍ୟମରେ ସେ ଲାଗିରୁହେ । ସେହି ସମୟରେ ତାକୁ ସାହାଯ୍ୟ କରିବା ଓ ତା’ ଇଚ୍ଛାକୁ ସମ୍ମାନ ଦେବା ହିଁ ପିଲାକୁ ଜାଣିବାରେ ଆମକୁ ସହଯୋଗ କରେ । ଏ ସମସ୍ତ କାମ କେବଳ ପିଲାକୁ ଶୁଣିବା ଲାଗି ସୁଯୋଗ ସୃଷ୍ଟି କରାଏ । ପିଲାକୁ ଶୁଣିବା ଦ୍ୱାରା ସେ ଅନୁଭବ କରେ ଯେ, ତା’ର ବି କିଛି ମୂଲ୍ୟ ଅଛି । ସେ ଯାହା ଭାବୁଛି, ଯାହା ଅନୁଭବ କରୁଛି ଏବଂ ତା’ର ଆଗ୍ରହ ସବୁଗୁଡ଼ିକ ଆବଶ୍ୟକ କଥା ଭିତରେ ଗଣାଯାଉଛି । ଏହା ତା’ର ଆତ୍ମବିଶ୍ୱାସକୁ ବଢ଼ାଏ । ତେଣୁ ପିଲାର ସମଗ୍ର ଜୀବନ ଉପରେ ଏଇ କଥାଟିର ପ୍ରଭାବ ରହେ । ଯଦି ପିଲାଟି ବୁଝିପାରେ ଯେ, ତା’ ଆଗ୍ରହଟି ମୁଖ୍ୟ; ତେବେ ସେ ଅଧିକ ପରିଷ୍କାର ଭାବେ ନିଜ ପସନ୍ଦ ଅପସନ୍ଦଗୁଡ଼ିକୁ ଜୀବନର ପ୍ରତିଟି ପରିସ୍ଥିତିରେ ବାଛିପାରେ ।
ଗ୍ରୀନସ୍ପାନ୍ ‘ଫ୍ଲୋର୍ ଟାଇମ୍’ ଛୋଟ ପିଲାଙ୍କ ଆଗ୍ରହ ଜାଣିବାକୁ ଏକ ଚମତ୍କାର ଉପାୟ । କିନ୍ତୁ ଯେଉଁମାନେ ପିଲାବେଳ ଠୁଁ ଏ କଥାଟି କରିପାରିନଥାନ୍ତି ତାଙ୍କ ପାଇଁ ଆହୁରି ଅନେକ ବାଟ ଅଛି । ସେ ଭିତରୁ ଗୋଟିଏକୁ ନେଇ ମୁଁ କାମ କରିଥିଲି । ଅନେକ ଦିନ ତଳେ ମୁଁ ଗୋଟିଏ ବିଦ୍ୟାଳୟରେ ହାର୍ଭାଡ଼ ଗାର୍ଡେନରଙ୍କ ମଲ୍ଟିପଲ୍ ଇଣ୍ଟେଲିଜେନ୍ସକୁ ପ୍ରୟୋଗ କରି ପିଲାମାନଙ୍କ ଆଗ୍ରହ ଜାଣିବାର ପ୍ରଚେଷ୍ଟା କରିଥିଲି । ଏଥିପାଇଁ ସମୟ ନେଇଥିଲି ପୂରା ମାସେ । ଏହି କଥାଟିକୁ ପ୍ରୟୋଗ କରିବା ବେଳକୁ ମୋ ସାମ୍ନାରେ ଥିଲେ ୭୦-୮୦ ଜଣ ପିଲା । ତେଣୁ କେଉଁ ପିଲାର କେଉଁ କାମଟି କରିବା ପ୍ରତି ଆଗ୍ରହ ଅଛି ଜାଣିବା ଲାଗି ଓ ଗାର୍ଡେନରଙ୍କ ଥିଓରି ସହ ସବୁ କଥା ମିଳାଇ ଦେଖିବା ଲାଗି ବହୁତ ସମୟ ଲାଗିଯିବ ବୋଲି ମୁଁ ଆଗ ପିଲାମାନଙ୍କୁ ଡାକି ତାଙ୍କ ଇଚ୍ଛା, ଆଗ୍ରହ ଓ ପସନ୍ଦ ବିଷୟରେ ସେମାନେ କ’ଣ କହୁଛନ୍ତି ଶୁଣିଦେଲି । ପିଲାମାନେ ଯେହେତୁ ପୂର୍ବରୁ ବିଭିନ୍ନ ପ୍ରକାରର ବିକଳ୍ପ ଶିକ୍ଷଣ ପ୍ରୟୋଗ ସହ ପରିଚିତ ଥିଲେ, ତେଣୁ କିଛିଟା ନିଜକୁ ପ୍ରକାଶ କରିବାରେ ସମର୍ଥ ହେଲେ ମଧ୍ୟ । ତେଣୁ ମୁଁ କେବଳ ମାସଟିଏ ସମୟ ନେଇ ଆଗ୍ରହର ସହ ତାଙ୍କ କାର୍ଯ୍ୟଶୈଳୀଗୁଡ଼ିକ ମେଳ ଖାଉଛି କି ନାହିଁ ମିଶେଇ ଦେଖୁଥିଲି । ଅଧିକାଂଶ ପିଲାଙ୍କର ଏହି ତଥ୍ୟ ସହ ସାମଞ୍ଜସ୍ୟ ରହିଥିଲା ବେଳେ କିଛି ପିଲାଙ୍କର ନୂଆ କିଛି କାର୍ଯ୍ୟାବଳୀ ଯୋଡ଼ି ହୋଇ ଯାଇଥିଲା । ମୁଁ ସବୁଗୁଡ଼ିକ ଦକ୍ଷତା, ସମ୍ଭାବନା ଥିବା କ୍ୟାରିଅର ଓ କାର୍ଯ୍ୟାବଳୀଗୁଡ଼ିକୁ ମିଶାଇ ଏକ ସମ୍ପୂର୍ଣ୍ଣ ଧାରଣା ଆସିବା ନିମନ୍ତେ ଏଇଠି ଦେଉଛି ।
ଗାଡେର଼୍ନର୍ଙ୍କ ମତରେ ମୁଖ୍ୟତଃ ଆଠୋଟି ଭାଗରେ ସମସ୍ତ କାର୍ଯ୍ୟ ଓ ବ୍ୟବହାରକୁ ବିଭକ୍ତ କରାଯାଇଛି । ଯଥା;
୧.ଅନ୍ତଃ ବ୍ୟକ୍ତିଗତ ବା ପାରସ୍ପରିକ ବୁଦ୍ଧିମତ୍ତା
ଏହି ଦକ୍ଷତା ଥିବା ପିଲା ବା ମଣିଷଟି ଲୋକମାନଙ୍କ ସହ ସହଜରେ ମିଶିପାରେ । ବଡ଼ ସାନ ସମସ୍ତଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାନ କରିପାରିବା ସହ ସମସ୍ତଙ୍କୁ ବୁଝିପାରେ ମଧ୍ୟ । ସମସ୍ତଙ୍କୁ ଧୈର୍ଯ୍ୟର ସହ ଶୁଣେ । ସାଙ୍ଗମାନଙ୍କ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷାକାରୀ ହିସାବରେ କାମ କରେ । ସମସ୍ତଙ୍କ ପାଇଁ ସାନ୍ତ୍ୱନାକାରୀର ଭୂମିକା ନିଭାଏ । ଏମାନଙ୍କର ଅନେକ ନିବିଡ଼ ବନ୍ଧୁ ଥାଆନ୍ତି । ସେ ନିଜ ଦଳର ଦଳପତି ଭାବେ କାର୍ଯ୍ୟ କରେ । ନେତୃତ୍ୱ ସ୍ତରୀୟ କାର୍ଯ୍ୟ କରିବା ଓ ସଙ୍ଗଠିତ କରିବା କାର୍ଯ୍ୟକୁ ସେ ଭଲପାଏ । ଦଳଗତ ଭାବେ ଖେଳିବା ସହ ଦଳରେ କାମ କରିବାକୁ ଭଲପାଏ । କ୍ଳବ ବା ବିଭିନ୍ନ ଗୋଷ୍ଠୀର ସଦସ୍ୟ ହେବାକୁ ଇଚ୍ଛା ପ୍ରକାଶ କରେ । ଏମାନେ ନେତୃତ୍ୱ କାର୍ଯ୍ୟ, ରାଜନୀତି, ଶିକ୍ଷକ, ସମାଜସେବୀ, ଅଭିନେତା, ପରାମର୍ଶଦାତାର ଭୂମିକା ଦକ୍ଷତାପୂର୍ଣ୍ଣ ଭାବେ ନିଭେଇ ପାରିବାର ସମ୍ଭାବନା ଥାଏ ବା ସେମାନେ ଏଇ ଭିତରୁ କୌଣସି ଏକ କାର୍ଯ୍ୟ କରିବାରେ ଆଗ୍ରହୀ ଥାଆନ୍ତି ।
୨. ତାର୍କିକ ବା ଯୌକ୍ତିକ ବୁଦ୍ଧିମତ୍ତା
ଏହି ଦକ୍ଷତା ଯାହାର ଥାଏ ସେ ଗଣନା କରିବା, ପ୍ରସ୍ତାବନା କରିବା କ୍ଷେତ୍ରରେ ଅନୁମାନ ବା ବିବେଚନା କରିବାର ଯୋଗ୍ୟ । ସେ ସବୁଥିରେ ଅଧିକ ସ୍କୋର କରିବାକୁ ପସନ୍ଦ କରେ । ଭାବନାଗୁଡ଼ିକ ଖୁବ୍ ପରିଷ୍କାର ଥାଏ ଏମାନଙ୍କର । ମାନସିକ ପାଟୀଗଣିତରେ ବି ଖୁବ୍ ଭଲ । ବସ୍ତୁଗୁଡ଼ିକ କେମିତି କାର୍ଯ୍ୟ କରେ ତାହା ଜାଣିବାରେ ଓ ବିଜ୍ଞାନ ସମ୍ପର୍କିତ ବିଷୟରେ ଆଗ୍ରହୀ । କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ବି ଜିନିଷଗୁଡ଼ିକୁ ସେ ଗଣନା କରିବାକୁ ଭଲପାଏ । ସମ୍ଭବତଃ କି’ କି’ କାମ କରିବାକୁ ହେବ ତା’ର ଏକ ନିର୍ଦ୍ଦିଷ୍ଟ
ତାଲିକା ରଖେ । ଯେଉଁମାନେ ତା’ର ଦୃଷ୍ଟିଭଙ୍ଗୀ ବା କାର୍ଯ୍ୟ କରିବାର ଧାରାକୁ ବୁଝି ପାରନ୍ତିନି ସେମିତି ଲୋକଙ୍କ ଠାରୁ ଖୁବ୍ ଶୀଘ୍ର ହତାଶ ହୋଇଯାଏ । ନିଜ ଜୀବନରେ ସମ୍ଭବତଃ ସୁସଂଗଠିତ ଏବଂ ନିୟମିତ ଥାଏ । ଗତିବିଧିମାନଙ୍କର ଗଣନା ଏବଂ ତା’ର ପରିଣାମ ଉପରେ ପ୍ରାୟତଃ ବିଚାର କରେ । ଏମାନେ ସମ୍ଭବତଃ ଗୋଲକଧନ୍ଦା, ସୁ-ଡୋ-କୁ ଆଦି ଖେଳ ଖେଳିବାକୁ ପସନ୍ଦ କରନ୍ତି । କାଡର଼୍ ସବୁକୁ ଯୋଡ଼ି ଚିତ୍ରଟିକୁ ପ୍ରସ୍ତୁତ କରିବା ଖେଳ ମଧ୍ୟ ଏମାନଙ୍କୁ ଭଲଲାଗେ ।ପ୍ରାୟ ସମୟରେ ଏକା ଏକା କାମ କରିବାକୁ ପସନ୍ଦ କରନ୍ତି । ପ୍ରତି ବିଷୟକୁ ସଂକ୍ଷେପରେ ଭାବିବାକୁ ସବୁବେଳେ ଆଗଭର । ବସ୍ତୁ ଓ ମଣିଷ ମଧ୍ୟରେ ଥିବା ସଂଯୋଗକୁ ଆବିଷ୍କାର କରିବାକୁ ପସନ୍ଦ କରନ୍ତ । ନିର୍ଦ୍ଦିଷ୍ଟ ବିଷୟରେ ପରୀକ୍ଷା ନିରୀକ୍ଷା କରି ସମସ୍ୟାର ସମାଧାନ କରିବାକୁ ପସନ୍ଦ କରେ । ନକ୍ସା ବିଭାଗୀକରଣ, କୌଶଳ ଖେଳ ଓ ପରୀକ୍ଷଣରେ ଆଗ୍ରହୀ ଥାଆନ୍ତି । ଏମିତି ପିଲାମାନଙ୍କ ଭିତରେ ବୈଜ୍ଞାନିକ, ଗଣିତଜ୍ଞ, ଗୋଇନ୍ଦା ହେବାର ସମ୍ଭାବନା ଲୁକ୍କାୟିତ ହୋଇ ରହିଥାଏ ।
୩. ଆନ୍ତଃ - ବ୍ୟକ୍ତିଗତ ବୁଦ୍ଧିମତ୍ତା
ଏହି ଦକ୍ଷତା ଯାହାର ଥାଏ ସେମାନଙ୍କର ଦଳଗତ କାର୍ଯ୍ୟ କରିବାରେ ବା ସାମାଜିକ ହେବାରେ ଆଗ୍ରହ ନଥାଏ । ଯଦିଓ ଏମାନେ ‘ସ୍ୱପ୍ନଦର୍ଶୀ’ ପରି ଆମକୁ ମନେହୁଅନ୍ତି, ସେମାନେ ପ୍ରକୃତରେ କିନ୍ତୁ ‘ଚିନ୍ତାଶୀଳ’ । ଦିଗ ନିର୍ଦ୍ଦେଶନା ପାଇଁ ବା ଯେକୌଣସି ସମସ୍ୟାର ସମାଧାନ ପାଇଁ ନିଜ ଭିତରୁ ସବୁବେଳେ ଉତ୍ତର ଖୋଜନ୍ତି । ପ୍ରାୟତଃ ଲାଜକୁଳା ଓ ପ୍ରତ୍ୟାହାରକାରୀ ସ୍ୱଭାବର ହୋଇଥାଆନ୍ତି ।
ଅଧିକାଂଶ ପିଲା ଅନ୍ତର୍ମୁଖୀ, ଅର୍ଥାତ୍ ନିଜ ଭିତରେ ବୁଡ଼ି ରହିବାରେ ଖୁସି । ନିଜକୁ ନିଜ ଠାରେ ସୀମିତ ରଖିବାକୁ ପସନ୍ଦ କରେ । ସାଧାରଣତଃ ଏମାନଙ୍କର ନିଜ ଭବିଷ୍ୟତ ବିଷୟରେ ଏକ ସ୍ପଷ୍ଟ ଧାରଣା ଥାଏ । ଏମାନେ ନିଜ ଲାଗି ବ୍ୟକ୍ତିଗତ ଆହ୍ୱାନ ଓ ଲକ୍ଷ୍ୟ ସବୁ ଖଞ୍ଜି ରଖିଥାନ୍ତି । ଜୀବନ କାହାଣୀଗୁଡ଼ିକ ପ୍ରତି ଆଗ୍ରହୀ ଏବଂ ପ୍ରାୟତଃ ବ୍ୟକ୍ତିଗତ ଡାଏରୀ ଲେଖି ରଖିବାରେ ବ୍ରତୀ ।
ହୁଏତ ଶ୍ରେଣୀ ଗୃହରେ ସମସ୍ତଙ୍କ ସାମ୍ନାରେ ଉତ୍ତର ନଦେଇ ବା ଭାଗ ନ ନେଇ ଚୁପ୍ ରୁହନ୍ତି କିନ୍ତୁ କ୍ଳାସ ସରିବା ପରେ ଶିକ୍ଷକଙ୍କ ସହ ସେହି ବିଷୟରେ କଥା ହେବାକୁ ବା ପଚାରି ବୁଝିବାକୁ ପସନ୍ଦ କରନ୍ତି । ସ୍ୱ-ଶିକ୍ଷଣ, ପଠନ ଓ କାର୍ଯ୍ୟ- କାରଣର ସମୀକ୍ଷା କରିବାରେ ଆଗ୍ରହୀ । ଏପରି ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟପ୍ରତି ଉତ୍ସାହିତ କରାଯାଇପାରେ । ଯଥା; ସୃଜନାତ୍ମକ ଲିଖନ, ସଂଗ୍ରହ କାର୍ଯ୍ୟ । ଏପରି ପିଲାମାନଙ୍କ ଉପରେ ନିଜସ୍ୱ ଦୃଷ୍ଟିଭଙ୍ଗୀ ଲଦି ନଦେଇ ସେମାନଙ୍କୁ ନିଜସ୍ୱ ଢଙ୍ଗରେ ପୃଥିବୀକୁ ଜାଣିବାର ସୁଯୋଗ ଦିଆଯିବା ଦରକାର । ଏମାନଙ୍କ ଭିତରେ ମନୋବୈଜ୍ଞାନିକ, ଆଧ୍ୟାତ୍ମିକ ଗୁରୁ ଓ ଦାର୍ଶନିକ ହେବାର ସମ୍ଭାବନା ଥାଏ ।
୪.ଭାଷାଗତ ବୁଦ୍ଧିମତ୍ତା
ଏହି ଦକ୍ଷତା ଥିବା ପିଲାମାନେ ପ୍ରାୟ ସମୟରେ ମଥାଟିକୁ ବହି ଭିତରେ ବୁଡ଼ାଇ ରଖିଥାନ୍ତି । ଶୁଣିବା ଓ ପଢ଼ିବା ଦ୍ୱାରା ସହଜରେ ଶିଖିଯାଇପାରନ୍ତି । ପ୍ରାୟତଃ ଅନ୍ୟମାନଙ୍କ ସହ କଥୋପକଥନ କରିବାକୁ ଭଲ ପାଆନ୍ତି । ପଢ଼ିବା ସହ ଗଦ୍ୟ, କବିତା, ଚିଠି ଆଦି ନିଜର ଖୁସି ପାଇଁ ଲେଖିବାକୁ ପସନ୍ଦ କରନ୍ତି । କବିତା ଆବୃତ୍ତି କରିବା ଓ ବକ୍ତୃତା ଦେବାରେ ବି ଆଗ୍ରହ ଥାଏ । ଶବ୍ଦ ଧନ୍ଦା ଖେଳିବାକୁ ଭଲ ପାଆନ୍ତି ।
ସାଧାରଣ ଜ୍ଞାନରେ ବି ଇଚ୍ଛା ଥାଏ । ବ୍ୟାପକ ଶବ୍ଦକୋଷ ସହ ପରିଚୟ ଥାଏ । ଉଚ୍ଚାରଣରେ ଦକ୍ଷ ଥାଆନ୍ତି । ପ୍ରାୟତଃ ଶବ୍ଦ ଓ ତା’ର ବିଭିନ୍ନ ଅର୍ଥ ଦ୍ୱାରା ଆକର୍ଷିତ ହୁଅନ୍ତି । ଏମାନେ ନିଜକୁ ଖୁବ୍ ସୁନ୍ଦର ଭାବରେ ପ୍ରକାଶ କରିବାରେ ଦକ୍ଷ । ଅନ୍ୟକୁ ଶିଖେଇବାକୁ ପସନ୍ଦ କରନ୍ତି । ଭିନ୍ନ ଭିନ୍ନ ଧାରଣାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିପାରନ୍ତି । ହୁଏତ ଗପୁଡ଼ା ସ୍ୱଭାବର ହୋଇଥାଆନ୍ତି (କିନ୍ତୁ ହେବା ଅପରିହାର୍ଯ୍ୟ ନୁହେଁ) । ପଢ଼ିବା, ଲେଖିବା ଓ ଅଭିନୟ କରିବାର ସୁଯୋଗ ଥିବା କାର୍ଯ୍ୟରେ ଲାଗି ରହିବାକୁ ଭଲ ପାଆନ୍ତି । ଏପରି ପିଲାଙ୍କ ଠାରେ ଲେଖକ, ବକ୍ତା ଓ ସାମ୍ବାଦିକ ହେବାର ସମ୍ଭାବନା ଥାଏ ।
୫. ଦୃଶ୍ୟ ସଂକ୍ରାନ୍ତୀୟ ବା ଭୌତିକ ବୁଦ୍ଧିମତ୍ତା
ଏମାନେ ସାଧାରଣତଃ ଶବ୍ଦ ନଭାବି ଚିତ୍ରଟିକୁ ହିଁ ଭାବନ୍ତି । ସ୍ୱତଃସ୍ଫୂର୍ତ୍ତ ଭାବେ କଳାକାର । ଦୃଶ୍ୟ ସମ୍ପର୍କିତ କାର୍ଯ୍ୟରେ ଆଗଭର । କାର୍ଡ଼ବୋର୍ଡ଼ ଯୋଡ଼ି ଚିତ୍ର ତିଆରି କରିବା ପରି କାମରେ ଆଗ୍ରହୀ । ଅତି ସୂକ୍ଷ୍ମ ପାର୍ଥକ୍ୟକୁ ସବିଶେଷ ଭାବେ ନଜର କରିପାରନ୍ତି । ଦୃଶ୍ୟ ଯୁକ୍ତ ବା ଚିତ୍ର କଳ୍ପନାରେ ଖୁବ୍ ଭଲ । ଚିତ୍ର ଆଙ୍କିବାରେ ଭଲ । ରେଖାଚିତ୍ର, ବ୍ୟଙ୍ଗଚିତ୍ର କରିବା ସହ ଅନ୍ୟମନସ୍କ ଭାବେ ଆଙ୍କି ଚାଲିବାରେ ଆନନ୍ଦ ପାଆନ୍ତି । ବିଭିନ୍ନ ଜିନିଷର ପରିକଳ୍ପନା ବା ଡିଜାଇନ୍ କରିବାରେ ଦକ୍ଷ । ସବୁ କଥାରେ ମ୍ୟାପ୍ ଦେଖନ୍ତି । ରଙ୍ଗ ବିଷୟରେ ତାଙ୍କର ଦୃଢ଼ ଧାରଣା ଥାଏ ।
ଯଦି ସୁଯୋଗ ମିଳେ ତେବେ ଫଟୋ ଉଠେଇବାକୁ ଓ ଭିଡ଼ିଓ ତିଆରି କରିବାକୁ ପସନ୍ଦ କରନ୍ତି । ଖାଲି ସମୟ ଚିତ୍ର ଆଙ୍କିବାରେ ନହେଲେ ଦିବାସ୍ୱପ୍ନ ଦେଖିବାରେ ବିତାନ୍ତି । ନିଜ ପାଇଁ ଉପାୟ ସବୁ ସହଜରେ ପାଇଯାଆନ୍ତି । କଥା କହିବାବେଳେ ବା ବୁଝାଇବା ବେଳେ ନିଜ ହାତର ବ୍ୟବହାର କରନ୍ତି । ଭୌତିକ ବିଶ୍ୱରେ ପ୍ରତିଟି ଜିନିଷ ଯେଉଁ ପରିମାପର ଗଠନ ରୀତି ଅନୁସାରେ ଥାଏ ଠିକ୍ ସେମିତି ଭାବେ କଳ୍ପନା କରନ୍ତି ।
ଏମାନେ ଥ୍ରୀଡି ଆସପେକ୍ଟ, ସକ୍ରିୟ କଳ୍ପନା, ଯୁକ୍ତି, ଛବି, ପୁନଃ-ସଂଯୋଜନା ଆଦି କରିବା ସହ ଗ୍ରାଫିକ୍ ଓ କଳାତ୍ମକ କାର୍ଯ୍ୟ କରିବାରେ ଦକ୍ଷ । ଏପରି କାର୍ଯ୍ୟକୁ ଭଲ ପାଉଥିବା ବା କରୁଥିବା ପିଲାମାନଙ୍କ ପାଖେ ନୌଚାଳକ, ବିମାନଚାଳକ, ମୂର୍ତ୍ତିକାର, ଚିତ୍ରକର, ସ୍ଥପତି, ଗ୍ରାଫିକ୍ ଡିଜାଇନର ହେବାର ସମ୍ଭାବନା ଥାଏ ।
୬. ସଙ୍ଗୀତ ସମ୍ବନ୍ଧୀୟ ବୁଦ୍ଧିମତ୍ତା
ଏମାନେ ଖୁବ୍ ସମ୍ବେଦନଶୀଳ ଶ୍ରୋତା । ବିଭିନ୍ନ ପ୍ରକାରର ସଙ୍ଗୀତ ଶୁଣିବାରେ ଆଗ୍ରହୀ । ସୁଯୋଗ ମିଳିଲେ ଯେଗୋଟିଏ ବାଦ୍ୟଯନ୍ତ୍ର ମଧ୍ୟ ବଜାଇ ପାରନ୍ତି । ଧ୍ୱନୀ ବା ସ୍ୱରକୁ ସହଜରେ ଓ ଜଲଦି ଚିହ୍ନିପାରିବା ସହ ଜଲଦି ଗୀତ ଶିଖିବାରେ ଦକ୍ଷ । ସମ୍ଭବତଃ ଜଣେ ଭଲ ଗାୟକ । ଅନ୍ୟ କାମ କରୁଥିବା ବେଳେ ସମ୍ଭବତଃ ଗୁଣୁଗୁଣୁ ହେବାକୁ ନହେଲେ ଧୀରେ ଧୀରେ ବା ଶବ୍ଦ କରି ଗୀତ ଗାଇବାକୁ ପସନ୍ଦ କରନ୍ତି । ଗୀତ ଶୁଣିବା ବେଳେ ପାଦରେ ତାଳ ପକାଉଥାଆନ୍ତି । ଭିନ୍ନ ଭିନ୍ନ ସ୍ୱର ଦ୍ୱାରା ଆକର୍ଷିତ ହୁଅନ୍ତି । ସଙ୍ଗୀତ ବା ସଙ୍ଗୀତ ସମ୍ପର୍କିତ ଜିନିଷ ଦ୍ୱାରା ସମ୍ମୋହିତ । ସଙ୍ଗୀତକୁ ନେଇ ସୃଷ୍ଟି କରିବା, ଚିହ୍ନିବା, ପୁନଃପ୍ରକାଶ ଓ ପ୍ରତିଫଳିତ କରିବାରେ ଆଗ୍ରହୀ । ସ୍ୱର, ତାଳ, ଲୟକୁ ବୁଝିବାରେ ସମର୍ଥ । ନିଜେ ନିଜେ ଗାଉଥା’ନ୍ତି ନହେଲେ ବଜାଉଥା’ନ୍ତି । ଅନ୍ୟମାନେ ଧରି ପାରିବାକୁ ଅସମର୍ଥ ଥିବା ସ୍ୱରଗୁଡ଼ିକ ବିଷୟରେ ମଧ୍ୟ ସଚେତନ ଥାଆନ୍ତି । ଏମାନେ ସଙ୍ଗୀତକାର, ରଚୟିତା, ଗାୟକ ବା ସଙ୍ଗୀତ ସଂଯୋଜକ ହୋଇ ପାରିବେ ।
୭. ଶାରୀରିକ ବା ଶରୀର ଗତିସଂବେଦୀ ବୁଦ୍ଧିମତ୍ତା
ହାତ ଦ୍ୱାରା ବା ଭୌତିକ ଭାବେ ଜିନିଷ ତିଆରି କରିବାରେ ଦକ୍ଷ । ନିଜ ଶରୀର ଉପରେ ଖୁବ୍ ଭଲ ନିୟନ୍ତ୍ରଣ ରହିବା ସହ ଆଖି-ହାତର ଭଲ ସମନ୍ୱୟ ମଧ୍ୟ ଥାଏ । ଖେଳ ଓ ଶରୀର ସମ୍ପୃକ୍ତ ଥିବା କାର୍ଯ୍ୟରେ ଦକ୍ଷ । ବ୍ୟାବହାରିକ କାର୍ଯ୍ୟ ଯଥା; ମଡେ଼ଲ ତିଆରି, ସିଲେଇ, ରୋଷେଇ ଓ ବିଭିନ୍ନ ହସ୍ତକର୍ମ ତିଆରିରେ ଆଗ୍ରହୀ । ଯିବା ଆସିବା ରାସ୍ତାରେ ଥିବା ଜିନିଷପତ୍ରମାନଙ୍କୁ ଛୁଇଁବାରୁ ନିଜକୁ ନିବୃତ୍ତ ରଖିପାରନ୍ତିନି । ମୁଖଭଙ୍ଗୀ ପ୍ରକାଶରେ ବୈଶିଷ୍ଟ୍ୟ ରହିବା ସହ ଅଭିନୟରେ ବି ଭଲ ।
ପ୍ରତିଟି ବସ୍ତୁକୁ ନିପୁଣଭାବେ ବ୍ୟବହାର କରିବା ସହବିଭିନ୍ନ ଶାରୀରିକ କୌଶଳରେ ଦକ୍ଷ । ସନ୍ତୁଳନ ରକ୍ଷା କରିବାରେ ସୁ-ସମନ୍ୱିତ ଏବଂ ନୃତ୍ୟରେ ବି ଭଲ । ବସ୍ତୁ ଓ ବିଭିନ୍ନ ଯନ୍ତ୍ରପାତିକୁ ସଠିକତାର ସହ ଦକ୍ଷତାପୂର୍ଣ୍ଣ ଭାରେ ବ୍ୟବହାର କରିପାରନ୍ତି । ଭୌତିକ କାର୍ଯ୍ୟ ମାଧ୍ୟମରେ ହିଁ ଭଲ ଭାବେ ଶିଖି ପାରନ୍ତି ଓ ଜାଣି ପାରନ୍ତି । ଏମିତି ପିଲାମାନେ ପୋଲିସ, ସୈନିକ, ଖେଳାଳି, ନିର୍ମାଣକାରୀ, କାରିଗର, ସର୍ଜନ, ମେକାନିକ୍ ଓ ମୂର୍ତ୍ତିକାର ହେବାରେ ଆଗ୍ରହ
ରଖିଥାଆନ୍ତି ।
୮. ଜୀବ ଓ ଉଦ୍ଭିଦ ସମ୍ପର୍କିତ ବୁଦ୍ଧିମତ୍ତା
ଏମାନେ ସବୁ ପ୍ରକାର ଜୀବକୁ ଭଲ ପାଆନ୍ତି । ପୋଷାଜୀବ ରଖିବାକୁ ହୁଏତ ପସନ୍ଦ କରନ୍ତି । ବଗିଚା କାମ କରିବାରେ, ଗ୍ରାମାଞ୍ଚଳରେ ସମୟ ବିତେଇବାରେ ଏବଂ ସମ୍ଭବତଃ ବାହାରେ ରହିବାରେ ଆଗ୍ରହୀ । କୀଟପତଙ୍ଗ ଓ ପୁରାତତ୍ତ୍ୱ ପ୍ରତି ଉତ୍ସାହୀ । ଟି.ଭି.ରେ ପ୍ରକୃତି ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଦେଖିବାକୁ ଭଲ ପାଆନ୍ତି । ବିଭିନ୍ନ ଜିନିଷ (ପ୍ରାକୃତିକ ବସ୍ତୁ) ସଂଗ୍ରହ କରନ୍ତି ଏବଂ ହୁଏତ ସ୍କ୍ରାପ୍ ବୁକ୍ ମଧ୍ୟ ରଖନ୍ତି । ପ୍ରାୟତଃ ପରିଷ୍କାର ପରିଚ୍ଛନ୍ନ ଓ ସୁସଙ୍ଗଠିତ । ସଜୀବ ବସ୍ତୁ ମଧ୍ୟରେ ଥିବା ବୈଷମ୍ୟ ଜାଣିବାର ମାନବୀୟ ଦକ୍ଷତା ସହ ପ୍ରାକୃତିକ ଦୁନିଆର ଅନ୍ୟ ବୈଶିଷ୍ଟ୍ୟ (ମେଘ, ପଥର, ବିଭିନ୍ନ ଆକୃତି) ପ୍ରତି ମଧ୍ୟ ସମ୍ବେଦନଶୀଳ । ପୃଥିବୀ ପ୍ରତି ଏକ ସମ୍ବେଦନଶୀଳ, ନୈତିକ, ସାମଗ୍ରୀକ ବୁଝାମଣା ରହିବା ସହ ଏହାର ଜଟିଳତା ଯଥା; ମଣିଷ ସମାଜର ବୃହତ୍ତର ଇକୋସ୍ପିୟରରେ ଥିବା ଭୂମିକା ବିଷୟରେ ସଚେତନ । ଏମାନେ ଉଦ୍ଭିଦ ବିଜ୍ଞାନୀ, ପରିବେଶବିତ୍ ହେବା ଲାଗି ଆଗ୍ରହୀ ।
ଏହି ପ୍ରକାର ଆଗ୍ରହ ପ୍ରାୟତଃ ଦେଖାଯାଏ । କିନ୍ତୁ ଆମେ ଭାବିନେବାନି ଯେ କେବଳ ଏହା ହିଁ ଆଗ୍ରହ ମାପିବାର ମାପକାଠି; ଏଥିରୁ ଟିକେ ଏପଟ୍ ସେପଟ୍ ହେଲେ ଚଳିବନି । ଆପଣ ଲକ୍ଷ୍ୟ କଲେ ଜାଣିପାରିବେ ଅନେକ କ୍ଷେତ୍ରରେ ସମାନ ଲକ୍ଷଣ ମଧ୍ୟ ଗୋଟିଏ ଦୁଇଟି ଜାଗାରେ ଦେଖାଯାଇଛି । ସେ ସ୍ଥାନରେ ଅନ୍ୟ କଥାଗୁଡ଼ିକୁ ଧ୍ୟାନ ଦେବାକୁ ହୁଏ । କିନ୍ତୁ ଆମେ ଏହି ଉପାୟଟିରୁ ପିଲାକୁ ଜାଣିବାର ପ୍ରୟାସ ଆରମ୍ଭ କରିପାରିବା । ପରେ ତା’ର ପ୍ରତିିଟି କାର୍ଯ୍ୟକଳାପକୁ ବୁଝିବାର ଚେଷ୍ଟା କରିବା ସହ ଲେଖି ରଖିପାରିବା ମଧ୍ୟ । ଏ ସମ୍ପର୍କରେ ଆଖପାଖରେ ଥିବା ଓ ବ୍ୟବହାରକୁ ବିଶ୍ଳେଷଣ କରିବାର ଦକ୍ଷତା ଥିବା କାହାଠୁ ବି ମତାମତ ନେଇ ପାରିବା । ମୁଁ ଏହି ସବୁ କଥା ସହ ପିଲାଙ୍କର ଶୋଇବାର ଢଙ୍ଗ, ଅକ୍ଷର ଲେଖିବା ଶୈଳୀ, ସ୍ୱପ୍ନ ଓ ବିିଭିନ୍ନ କାର୍ଯ୍ୟକୁ ବିଶ୍ଲେଷଣ କରିଥିଲି ସଠିକ୍ ନିର୍ଣ୍ଣୟଟେ ନେବା ପାଇଁ । କିନ୍ତୁ ପିଲାଟି ପ୍ରକାଶ କରୁଥିବା ଆଗ୍ରହଟିକୁ ହିଁ ପ୍ରାଥମିକତା ଦେଇଥିଲି । ମନୋବିଜ୍ଞାନୀ ସିଲଭାନ ଥମସ୍କିନଙ୍କ ମତରେ; ‘ଆଗ୍ରହ ହିଁ ପ୍ରାଥମିକ କଥା । ଜୀବନ ପାଇଁ କ’ଣ ଆବଶ୍ୟକ ଓ କ’ଣ କରିବା ସମ୍ଭବ ଏ ଉଭୟ କଥାକୁ ଆଗ୍ରହ ହିଁ ବାଟ କଢେଇନିଏ ।’
ବିକଳ୍ପ ଶିକ୍ଷା କ୍ଷେତ୍ରରେ ଅନେକ ଦିନ କାମ କରିବା ପରେ ମୁଁ ବିଶ୍ୱାସ କରେ ଯେ, କେବଳ ଆଗ୍ରହଟି ହିଁ ଆମର ଶିଖିବା ଲାଗି, ଆବିଷ୍କାର କରିବା ଲାଗି ଓ ସୃଜନଶୀଳତା ପାଇଁ ବାଟ ଖୋଲିପାରେ ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)