ସାଥୀ ବିନା ଜୀବନ ବାସହୀନ ଫୁଲ ପରି..ଜଳଶୂନ୍ୟ ନଦୀ ପରି । ଜୀବନର ଚଲାପଥରେ ଉତ୍ତମ ସାଥୀଟିଏ ମିଳିଗଲେ ସବୁ କିଛି ନୂଆ ନୂଆ ଲାଗେ । ସମସ୍ତେ ଚାହାନ୍ତି ସାଥୀ ସହ ଏକ ସୁନ୍ଦର ଓ ଦୀର୍ଘସ୍ଥାୟୀ ସମ୍ପର୍କ । ନିଜ ପସନ୍ଦର ପୁରୁଷ କିମ୍ବା ମହିଳାଙ୍କ ସହ ସମ୍ପର୍କ ଗଢ଼ିବା ଯେତିକି ସହଜ, ତା’ଠାରୁ ଢେର କଷ୍ଟକର, ସେହି ସମ୍ପର୍କରେ ଘନିଷ୍ଠତା ଓ ମଧୁରତା ବଜାୟ ରଖିବା । ହେଲେ ଆଜିକାଲି ସମ୍ପର୍କର ପରିଭାଷା ବଦଳିଛି, ଯୁଗୋପଯୋଗୀ ହେବା ପାଇଁ ସମସ୍ତେ ଏକପ୍ରକାର ରେସରେ ଦୌଡ଼ୁଛନ୍ତି । ଏ ପରିସ୍ଥିତିରେ ପ୍ରେମ, ବିବାହ ଓ ସମ୍ପର୍କର ନୂଆ ଟ୍ରେଣ୍ଡ ଦେଖିବା ପାଇଁ ମିଳୁଛି ।
ବର୍ତ୍ତମାନ ସମୟରେ ଅନେକ ଲୋକଙ୍କ ଗୋଟିଏ ଅଭିଯୋଗ ସାଥୀ ପାଖରେ ଆମ ପାଇଁ ସମୟ ନାହିଁ । ଆଉ ସେ ସମୟକୁ ସେମାନେ କୌଣସି ନୂଆ ବନ୍ଧୁ କିମ୍ବା ବାନ୍ଧବୀଙ୍କ ସହ ନୁହେଁ ବରଂ ମୋବାଇଲରେ କଟାଇବା ପାଇଁ ପସନ୍ଦ କରୁଛନ୍ତି । ଫଳରେ ସାଥୀ ସହ କଥା କହିବା ସମୟରେ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହଁ, ବରଂ ଅନବରତ ଫୋନରେ ବ୍ୟସ୍ତ ରୁହନ୍ତି । ଆଉ ସମ୍ପର୍କର ଏହି ନୂଆ ଟ୍ରେଣ୍ଡକୁ ବର୍ତ୍ତମାନ Phubbing (ଫବିଂ) କହୁଛନ୍ତି । ଆଉ ଏବେ ଏହି ଫବିଂ ସମ୍ପର୍କରେ ବଡ଼ ପ୍ରତିବନ୍ଧକ ସାଜିଛି, ଯେଉଁଠାରେ ପ୍ରେମର ଜାଗା ନେଇଛି ସ୍କ୍ରୋଲିଂ ଏବଂ ଚାଟିଂ ।
ଫବିଂ କ’ଣ ?
Phone ଓ Snubbing କୁ ମିଶାଇ ହୋଇଛି Phubbing (ଫବିଂ) ଶବ୍ଦ । ଏହାର ଅର୍ଥ ପାଖରେ ଥିଲେ ସୁଦ୍ଧା ସାଥୀ ଉପରେ ଧ୍ୟାନ ନଦେଇ ଫୋନକୁ ପ୍ରାଥମିକତା ଦେବା । ଏପରି ବ୍ୟକ୍ତି ସବୁବେଳେ ଫୋନରେ ବ୍ୟସ୍ତ ରହି ସ୍କ୍ରୋଲ୍ କରି ସୋସିଆଲ୍ ମିଡିଆରେ ବ୍ୟସ୍ତ ଅଛନ୍ତି । ଫୋନ ଚଳାଇବା ସମୟରେ ସେ ନିଜ ସାଥୀକୁ ପ୍ରାୟ ଭୁଲିଯାଆନ୍ତି । କେବଳ ପାଖରେ ବସି ରୁହନ୍ତି ସିନା, ସାଥୀ ପାଇଁ ଉପଲବ୍ଧ ରୁହନ୍ତି ନାହିଁ ।
କିପରି ସମ୍ପର୍କରେ ଭଟ୍ଟା ସୃଷ୍ଟିକରେ ଫବିଂ ?
କୌଣସି ବି ସମ୍ପର୍କ ବିଶ୍ୱାସ ଓ ଆପୋଷ ବୁଝାମଣାରେ ଚାଲିଥାଏ । କିନ୍ତୁ ଆପଣଙ୍କ ସାଥୀ ବାରମ୍ବାର ମୋବାଇଲ ଉପରେ ଅଧିକ ଧ୍ୟାନ ଦେଲେ,ଆପଣଙ୍କୁ କିପରି ଲାଗିବ ? ଯେପରି ଗୋଟିଏ ଛୋଟ ଯନ୍ତ୍ର ସାମ୍ନାରେ ମଣିଷର କୌଣସି ମୂଲ୍ୟ ନାହିଁ । ଜଣେ ସବୁବେଳେ ଫୋନରେ ବ୍ୟସ୍ତ ରହିଲେ ଅନ୍ୟ ଜଣକ ନିଜକୁ ଗୁରୁତ୍ୱହୀନ ମନେକରେ । ଆଉ ଏହିଠାରୁ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ଅଧ୍ୟୟନ ଅନୁସାରେ, ଫବିଂ କରୁଥିବା ଲୋକଙ୍କ ସମ୍ପର୍କରେ ବାରମ୍ବାର ଝଗଡ଼ା ହୁଏ, ଭାବପ୍ରବଣ ବନ୍ଧନ ଦୁର୍ବଳ ହୋଇଯାଏ ଓ କଥା ସମ୍ପର୍କ ଭାଙ୍ଗିବା ପର୍ଯ୍ୟନ୍ତ ପହଞ୍ଚିଯାଏ ।
ଫବିଂକୁ ନୂଆ ଡେଟିଂ ଟ୍ରେଣ୍ଡ କୁହାଯାଇପାରେ କି?
ଆଜିର ଡିଜିଟାଲ ଦୁନିଆରେ ଡେଟିଂ ମଧ୍ୟ ମୋବାଇଲ ସ୍କ୍ରିନର ଏପଟସେପଟ ଘୂରି ବୁଲୁଛି । ଅନେକ ଦମ୍ପତି ଏକାଠି ରହିବା ସତ୍ତ୍ୱେ ଅନଲାଇନ୍ ଦୁନିଆରେ ଏତେ ବ୍ୟସ୍ତ ରୁହନ୍ତି ଯେ ସେମାନେ ପରସ୍ପରକୁ ସମୟ ଦେବାକୁ ଭୁଲିଯାଆନ୍ତି । କିନ୍ତୁ ଏହା କ’ଣ ଡେଟିଂର ସଠିକ ଉପାୟ ? ପ୍ରକୃତ ପ୍ରେମ ସେତେବେଳେ ହୁଏ, ଯେତେବେଳେ ତୁମେ ମୁହାଁମୁହିଁ ବସି ପରସ୍ପରକୁ ଶୁଣ, କିଛି ନକହିଲେ ସୁଦ୍ଧା ହୃଦୟର ଭାଷା ବୁଝ । ହେଲେ ଏସବୁ ଛାଡ଼ି ମୋବାଇଲ୍ ହିଁ ଜୀବନର ମୁଖ୍ୟ ଚରିତ୍ର ହୋଇଗଲେ, ସମ୍ପର୍କକୁ କେହି ବି ବଞ୍ଚାଇ ପାରିବେ ନାହିଁ ।
ଫବିଂରୁ ବଞ୍ଚିବା ପାଇଁ କ’ଣ କରିପାରିବେ ?
ନୋ ଫୋନ ରୁଲ୍ସ : ରାତ୍ରୀ ଭୋଜନ କିମ୍ବା ଡେଟ ନାଇଟରେ ଫୋନକୁ ଦୂରରେ ରଖନ୍ତୁ ଏବଂ କେବଳ ପରସ୍ପର ଉପରେ ଧ୍ୟାନ ଦିଅନ୍ତୁ ।
ଡିଜିଟାଲ୍ ଡିଟକ୍ସ: ସପ୍ତାହରେ ଗୋଟିଏ ଦିନ ମୋବାଇଲ୍ ମୁକ୍ତ ରଖନ୍ତୁ ଏବଂ ଏଥର କେବଳ ଆପଣଙ୍କ ସମ୍ପର୍କ ଉପରେ ଧ୍ୟାନ ଦିଅନ୍ତୁ ।
ଆପଣଙ୍କ ଫୋନ୍ ବ୍ୟବହାରକୁ ସର୍ବନିମ୍ନ ସ୍ତରରେ ସୀମିତ କରନ୍ତୁ । ଅନାବଶ୍ୟକ ଭାବରେ ସୋସିଆଲ୍ ମିଡିଆ ସ୍କ୍ରୋଲ୍ କରିବା ପରିବର୍ତ୍ତେ, ଆପଣଙ୍କର ସମ୍ପର୍କ ଉପରେ ଧ୍ୟାନ ଦିଅନ୍ତୁ ।