• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କୋଭିଡ କଟକଣା ହଟିଛି। କିନ୍ତୁ ବଦଳିନି କୋଭିଡ ସମୟର ସେଇ ଜୀବନଶୈଳୀ। ବିଶେଷକରି କୋଭିଡ କଟକଣା ପିଲାଙ୍କ ଜୀବନକୁ ବେଶି ପ୍ରଭାବିତ କରିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦ ରହିବା ଯୋଗୁ ପିଲାମାନେ ଅନଲାଇନରେ ପଢିବାକୁ ବାଧ୍ୟ ହୋଇଥିଲେ। ଦୁଇବର୍ଷର ଏଇ ଅନଲାଇନ ପାଠପଢା ପିଲାଙ୍କର ୧୦ ବର୍ଷର ଅଭ୍ୟାସକୁ ବଦଳେଇ ଦେଇଛି। ଏବେ କଟକଣା ହଟିଛି। ସ୍କୁଲ ଖୋଲିଛି। ହେଲେ ପିଲାଙ୍କ ହାତରୁ ଖସିନି ମୋବାଇଲ। ଏକ ସର୍ବେକ୍ଷଣରୁ ଜଣାଯାଇଛି, ସ୍କୁଲ ଯାଉଥିବା ପିଲାଙ୍କ ହାତରେ ୮୦ ମିନିଟ୍‌ରୁ ଅଧିକ ସମୟ ମୋବାଇଲ ରହୁଛି। ବିଶେଷକରି ୬ରୁ ୧୦ ବର୍ଷ ପିଲା ବେଶି ମୋବାଇଲ ପ୍ରତି ଆକର୍ଷିତ ହେଉଛନ୍ତି। ପିଲାଙ୍କ ହାତରେ ସ୍ମାର୍ଟଫୋନ ଏବେ ଘରେ ଘରେ ହୋଇଛି ବଡ ସମସ୍ୟା। କିନ୍ତୁ ଏ ସମସ୍ୟାର ସମାଧାନ କେମିତି ସେ ବାଟ ଦିଶୁନି। ମୋବାଇଲ ନ ଦେବାରୁ ଅଭିଭାବକଙ୍କ ସହ ରାଗରୁଷା, ଝଗଡା ଏପରିକ ଆତ୍ମହତ୍ୟା ପରି ଘଟଣା ଘଟୁଛି।  

ହାତ ମୁଠାରେ ସ୍ମାର୍ଟଫୋନ ମାନେ ସାରା ଦୁନିଆ ମୁଠିରେ। ଏହାର ଆକର୍ଷଣ ବଡ ଲୋକଙ୍କୁ ନିଶାଗ୍ରସ୍ତ କରିଦେଉଛି । ତେଣୁ ଛୋଟ ପିଲାଙ୍କ ହାତରୁ ମୋବାଇଲ ଛଡାଇବା ଏତେ ସହଜ କଥା ନୁହେଁ। ତଥାପି ବାପା-ମା’ଙ୍କର ଛୋଟ ଛୋଟ ଉଦ୍ୟମ ନିଶ୍ଚିତ ଭାବେ ପିଲାଙ୍କୁ ମୋବାଇଲ, ଟାବଲଏଟ, ଲାପଟପ, କମ୍ପ୍ୟୁଟରଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିବ। ଏକାଡେମୀ ଅଫ ପେଡିଆଟ୍ରିକ୍‌ସର କହିବା ଅନୁଯାୟୀ, ୨ ବର୍ଷରୁ ଛୋଟ ପିଲାମାନେ ଆଦୌ ମୋବାଇଲ ବା ଲାପଟପ୍‌ର ସ୍କ୍ରିନ ସାମ୍ନାକୁ ଆସିବା ଉଚିତ ନୁହେଁ। ତେଣୁ ସାଙ୍ଗ ଓ ବନ୍ଧୁବାନ୍ଧବଙ୍କ ସହ ଭିଡିଓ କଲା ବେଳେ ପିଲାଙ୍କୁ ସାମ୍ନାକୁ ଆଣିବା ଉଚିତ ନୁହେଁ। ସେହିପରି ୨ରୁ ୫ବର୍ଷ ପିଲା ଦିନକେ ଘଣ୍ଟାଏରୁ ଅଧିକ ସମୟ ସ୍କ୍ରିନ ସାମ୍ନାକୁ ଆସିବା ଉଚିତ ନୁହେଁ। ବଡ ପିଲାମାନେ ଅନଲାଇନ କ୍ଲାସ ବାଦ୍ ୨ ଘଣ୍ଟାରୁ ଅଧିକ ସମୟ ସ୍କ୍ରିନ ସାମ୍ନାକୁ ଆସିବା ଉଚିତ ନୁହେଁ। ସ୍କ୍ରିନର କୁପ୍ରଭାବ ଶାରୀରିକ ଏବଂ ମାନସିକ ଭାବେ ପିଲାଙ୍କୁ ପ୍ରଭାବିତ କରିଥାଏ। ତେଣୁ ସ୍ମ୍ରିନଠାରୁ ପିଲାଙ୍କୁ କିପରି ଦୂରେଇ ରଖିବେ ?

ଆପଣଙ୍କ ପାଇଁ ୧୧ଟି ଟିପ୍‌ସ:

୧- ପିଲାଙ୍କୁ ବୁଝେଇ ସୁଝେଇ ଶୋଇବାର ୨ ଘଣ୍ଟା ପୂର୍ବରୁ ମୋବାଇଲଠାରୁ ଦୂରେଇ ରଖନ୍ତୁ। ଏହି ସମୟରେ ପିଲାଙ୍କୁ ତାଙ୍କ ମନପସନ୍ଦର ଗପବହି ପଢିବାକୁ ଦିଅନ୍ତୁ। ଏହାଦ୍ୱାରା ପିଲାଙ୍କ ନିଦ ଭଲ ହେବ।

୨-ଦିନରେ ପିଲାଙ୍କ ଖେଳିବା ସମୟ ଧାର୍ଯ୍ୟ କରନ୍ତୁ। ଏହି ସମୟରେ ପିଲାଙ୍କୁ ନିଶ୍ଚିତ ଭାବେ ଖେଳିବାକୁ ଛାଡ଼ନ୍ତୁ। ଇଂରାଜୀରେ ଗୋଟିଏ ପ୍ରବାଦ ରହିଛି All work and no play make Jack a dull boy। ପିଲାଙ୍କ ମୁଣ୍ଡ ଶକ୍ତିର ଭଣ୍ଡାର। ତାଙ୍କ ମନରେ ସବୁବେଳେ ଉତ୍କଣ୍ଠା ଥାଏ ସବୁକିଛି ଜାଣିବା ପାଇଁ। ଦୈନିକ ଘଣ୍ଟାଏ ବା ଦୁଇଘଣ୍ଟା ବାହାରେ ଖେଳିବା ଦ୍ୱାରା ଦେହ, ମନ ଫୂର୍ତ୍ତି ରହିବା ସହ ପିଲାଙ୍କର ଭାଷା, ସାମାଜିକ ଦକ୍ଷତା ସହ ସାଧାରଣ ଜ୍ଞାନର ପରିସୀମା ବି ବୃଦ୍ଧି ପାଇବ।

୩-ପିଲାଙ୍କୁ ସୋଶିଆଲ ମିଡିଆରୁ ଦୂରେଇ ରଖନ୍ତୁ। ଇଣ୍ଟରନେଟ ବ୍ୟବହାର କରି ଡକ୍ୟୁମେଣ୍ଟାରୀ, ଫନ କ୍ୱିଜ ଇତ୍ୟାଦି ଦେଖିବା ପାଇଁ ପିଲାଙ୍କୁ ବାରଣ କରନ୍ତୁ ନାହିଁ। ତେବେ ଅଭିଭାବକ ସବୁବେଳେ ସତର୍କ ରହିବା ଉଚିତ ଯେ, ପିଲା ଯେପରି ଡିଭାଇସର ଅପବ୍ୟହାର ନ କରନ୍ତି ।

୪-ଖାଇବା ସମୟରେ ଡିଭାଇସ ବ୍ୟବହାର ନ କରିବା ଉପରେ ଗୁରୁତ୍ୱ ଦିଅନ୍ତୁ। ଫୋନକୁ ରଖିଦିଅନ୍ତୁ ଏବଂ ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ। ଖାଇବା ସମୟକୁ ଚାମଚ ଆଉ ମୋବାଇଲ ଭିତରେ ସୀମିତ ରଖନ୍ତୁ ନାହିଁ।

୫-ସାଙ୍ଗମାନଙ୍କ ସହ ମିଶିବା, ଆଲୋଚନା କରିବା ପାଇଁ ପିଲାଙ୍କୁ ଉତ୍ସାହିତ କରନ୍ତୁ। ଚାଟିଂ କରବା ବଦଳରେ ସାଙ୍ଗକୁ ମୁହାଁମୁହିଁ ଭେଟିବା, ମଜାମସ୍ତି କରିବା ପାଇଁ ପିଲାଙ୍କୁ ଛାଡ଼ନ୍ତୁ ।

୬- ପିଲାଙ୍କ ଭିତରେ ଆର୍ଟ, ଖେଳ, ଗୀତ ଏପରିକି ଗାର୍ଡନିଂ ଏବଂ କୁକିଂ ପ୍ରତି ହବି ବଢାଇବାର ଚେଷ୍ଟା କରନ୍ତୁ। ହୁଏତ ଏସବୁଥିରେ ବ୍ୟସ୍ତ ରହିଲେ ପିଲା ମୋବାଇଲ ସ୍କ୍ରିନଠାରୁ କିଛି ସମୟ ଦୂରେଇ ରହିପାରିବେ। ଏହାବ୍ୟତୀତ ଏସବୁ ଅଭ୍ୟାସ ପିଲାଙ୍କ ଭତରେ ଏକ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରିଥାଏ। ପିଲାଙ୍କ ଭିତରେ ସାମାଜିକ ଚେତନାବୋଧ ସୃଷ୍ଟି ହୋଇଥାଏ।

୭-ସବୁବେଳେ ନିଜ ଚାରିପାଖରୁ ଦୂରରେ ମୋବାଇଲକୁ ରଖିବାକ ଚେଷ୍ଟା କରନ୍ତୁ। ଅର୍ଥାତ୍‌ ଫୋନକୁ ଆଣିବା ପାଇଁ ଯେମିତି ଆପଣଙ୍କୁ ବିରକ୍ତ ଲାଗୁଥିବ । ହାତ ପାହାନ୍ତାରେ ପାଇଲେ ଆବଶ୍ୟକ ନ ଥିଲେ ବି ସ୍କ୍ରିନ ଅନ କରି ଦେଖିବାକୁ ଇଚ୍ଛା ହୋଇପାରେ। ବରଂ ତା ବଦଳରେ ହାତ ପାଖରେ କମିକ୍ସ ବହି, ଖବରକାଗଜ ବା ଅନ୍ୟକିଛି ଖେଳ ପାଖରେ ରଖନ୍ତୁ । ସୃଜନଶୀଳତା ତଥା ଜ୍ଞାନ ବୃଦ୍ଧି ପାଇଁ ବହିଠାରୁ ଭଲ ଜିନିଷ ଆଉ କିଛି ନାହିଁ। ତେଣୁ ସବୁବେଳେ ପିଲାଙ୍କୁ ବହି ପଢିବାକୁ ଉତ୍ସାହିତ କରନ୍ତୁ।

୮- ବେଳେବେଳେ  ବୋର ଲାଗିବା ଏକ ସ୍ୱାଭାବିକ ପ୍ରକ୍ରିୟା। ସେତେବେଳେ ନିଜ ବେଡ ରୁମ୍‌ରେ ଏହାର ସମାଧାନ କରିବା ପାଇଁ ପିଲାଙ୍କୁ ମୋବାଇଲ ଦିଅନ୍ତୁ। ପିଲାଙ୍କ କଳ୍ପନା ଶକ୍ତି ବୃଦ୍ଧି କରିବାରେ ଏହା ସାହାଯ୍ୟ କରିବ। ତେବେ ପିଲା କ’ଣ ମୋବାଇଲରେ ଦେଖୁଛନ୍ତି ସେଥିପ୍ରତି ନଜର ରଖିବା ଅଭିଭାବକଙ୍କ କର୍ତ୍ତବ୍ୟ।

୯-ପିଲାଙ୍କ ସାମ୍ନାରେ ପିତା-ମାତା ଜ୍ୱଳନ୍ତ ଉଦାହରଣ ହୋଇ ରହିବା ଉଚିତ୍। ଯେଉଁ ନିୟମ ଘରେ ଲାଗୁ କରୁଛନ୍ତି ସମସ୍ତେ ଏହାକୁ ମାନିବା ଉଚିତ। ବାପା-ମା ଏବଂ ଘରର ଅନ୍ୟ ସଦସ୍ୟମାନେ ବି ଏହାକୁ ମାନିବା ଉଚିତ। ମୋବାଇଲ ବ୍ୟବହାର କ୍ଷେତ୍ରରେ ମଧ୍ୟ ଠିକ ସେମିତି ହେବା ଉଚିତ।

୧୦-ମୋବାଇଲ ଉପରେ ବାପା-ମା’ଙ୍କର ନିୟନ୍ତ୍ରଣ ରହିବା ଉଚତ। ଇଣ୍ଟରନେଟ୍‌ର ଚାକଚକ୍ୟ ଦୁନିଆ ଭିତରେ ପିଲାଙ୍କ ଗୋଡ ଖସିଯିବାର ବହୁତ ସମ୍ଭାବନା ରହିଛି। ତେଣୁ ଯେତିକି ଜିନିଷ ଦେଖିବା ଆବଶ୍ୟକ ବା ପାଠ ସମ୍ପର୍କିତ ତଥ୍ୟ ଖୋଜିବା ପାଇଁ ଯେତିକି ଦରକାର ସେତିକି  ପାଇଁ ଅନୁମତି ଦିଅନ୍ତୁ

୧୧-ପିଲାମାନେ ଯେପରି ବିଭିନ୍ନ ସକାରାତ୍ମକ ସାମାଜିକ କାର୍ଯ୍ୟରେ ନିୟୋଜିତ ରହିବେ ସେଥିପ୍ରତି ଗୁରୁତ୍ୱ ଦିଅନ୍ତୁ। ଯେମିତିକି ବୃଦ୍ଧାଶ୍ରମ ବୁଲିବାକୁ ଯିବା, ଆନିମଲ ସେଲ୍‌ଟରକୁ ଯବା ଇତ୍ୟାଦି। ଏପରିକି ସରକାରଙ୍କ ‘ଗୋଟିଏ ମଣିଷ ଗୋଟିଏ ଶିକ୍ଷକ’ ସ୍ଲୋଗାନ ଅନୁସାରେ କାମ କରିବା ପାଇଁ ପିଲାଙ୍କୁ ଉତ୍ସାହିତ କରନ୍ତୁ।