Criticism
"ଆଗକୁ ଅଫିସରେ କଥାବାର୍ତ୍ତା କରିବା ବେଳେ ଟିକେ ଭାବିଚିନ୍ତି ଉତ୍ତର ଦେବ।" ସୋନିର ମ୍ୟାନେଜର କହିଲେ । ଏମିତି କହିବାଟା ତାଙ୍କର ଢଙ୍ଗ। କିଛି ମତାମତ ଦେବାର ଥିଲେ ସେ ଏମିତି ହିଁ କୁହନ୍ତି। କିନ୍ତୁ ଏତିକିରେ ସୋନୀ ହଠାତ୍ ଠପ୍ ହୋଇ ରହିଗଲା । ତାପରେ ବିକଳିଆ ଜବରଦସ୍ତିଆ ହସଟେ ହସି ନିଜ ଡେସ୍କ ପାଖକୁ ଫେରିଗଲା। ସେଠି ଟିକିଏ ବସି ଗଲା । ପରେ ୱାଶରୁମକୁ ଯାଇ ନୀରବରେ ଧକେଇ ଧକେଇ କାନ୍ଦିଲା କେତେ ସମୟ ଧରି। ଏହି ଘଟଣାଟି ସୋନୀ ହିଁ ମୋତେ କହିଲା କାଉନସିଲିଂ ବେଳେ। ପରଥର କଥା ହେବା ବେଳକୁ ସୋନି କହୁଥାଏ, ମୁଁ ଜାଣିଛି ଏଇଟା କେବଳ ଗୋଟିଏ ଫିଡବ୍ୟାକ୍ ଥିଲା, ତଥାପି କାହିଁକି କେଜାଣି ମୋତେ କେହି ମାଡ଼ି ମକଚି ଦବେଇ ଦେଉଛି ବୋଲି ଅନୁଭବ କଲି ଜାଣିପାରୁନି ।
ମୁଁ ମୁଣ୍ଡ ଟୁଙ୍ଗାରିଲି, କାରଣ ମୁଁ ଜାଣି ପାରୁଥିଲି ଏହା କେବଳ ସେହି ଦିନର ଘଟଣା ନଥିଲା, ସେଇ ଗୋଟିଏ ବାକ୍ୟ ପାଇଁ ନଥିଲା, ଏହା ବର୍ଷ ବର୍ଷ ଧରି ସେ "ଯଥେଷ୍ଟ ଭଲ ନୁହେଁ" ଶୁଣିଆସିବା ବିଷୟରେ ଥିଲା।
ଆମ ଭିତରୁ ଅନେକ ପିଲାଦିନର ଏମିତି ଗୋଟିଏ ଗୋଟିଏ ଘଟଣାକୁ, କ୍ଷତକୁ ବଢ଼ିଲା ବୟସର ପରସ୍ତ ପରସ୍ତ ତଳେ ଲୁଚେଇରଖି ବୋହି ଚାଲିଥାନ୍ତି ମୁଣ୍ଡରେ । ଏବଂ ଏହାର ଏକ ସ୍ପଷ୍ଟ ଲକ୍ଷଣ ହେଉଛି; ଛୋଟ ଛୋଟ ସମାଲୋଚନା ଏବଂ ଉପଦେଶ ପ୍ରତି ଅତ୍ୟଧିକ ପ୍ରତିକ୍ରିୟା ଦେଖାଇବା ।
ବର୍ତ୍ତମାନର ଲକ୍ଷଣ :
ଆପଣ ହୁଏତ ପିଲାଦିନର ଘଟଣା ପାଇଁ ଆଜି ବି ଦେଖାଯାଉଥିବା ଲକ୍ଷଣ ସବୁକୁ ଜାଣିପାରନ୍ତି ନାହିଁ। କିନ୍ତୁ ଯଦି ଆପଣ ପ୍ରାୟତଃ ନିମ୍ନଲିଖିତ କଥା ସବୁ ଅନୁଭବ କରୁଥାଆନ୍ତି, ତେବେ ଆପଣଙ୍କ ଇନର୍ ଚାଇଲ୍ଡ ପିଲାଦିନର ସେଇ କଷ୍ଟକୁ ଏବେବି ବୋହି ଚାଲିଛି ।
୧- ଛୋଟ ଛୋଟ ବା ଗଠନମୂଳକ ମତାମତ ଦ୍ଵାରା ବି ଆପଣ ଗଭୀର ଆଘାତ ଅନୁଭବ କରୁଛନ୍ତି କି ?
୨- ଆପଣଙ୍କ କଥାକୁ କେହି ଠିକ୍ କରିବା ପରେ ଆପଣ ତୁରନ୍ତ ଆତ୍ମରକ୍ଷା ମୂଳକ ପଦକ୍ଷେପ ନେଉଛନ୍ତି କିମ୍ବା ଚୁପ୍ ରହୁଛନ୍ତି କି?
୩- ଜଣଙ୍କ କଥାରୁ ସିଧାସିଧା ସେ କ'ଣ କହୁଛନ୍ତି ନ ବୁଝି, ତାଙ୍କ ସ୍ୱରରୁ କି ଢଙ୍ଗରୁ ତାଙ୍କ କଥା ପଛରେ କ'ଣ ଉଦ୍ଦେଶ୍ୟ ଥାଇପାରେ ତାହା ଅନୁମାନ କରି ଅତିରିକ୍ତ ଚିନ୍ତା କରୁଛନ୍ତି କି ?
୪- ସାଧାରଣ ଭୁଲଟିଏ ବି ଯଦି ଆପଣଙ୍କ ଦ୍ଵାରା ହେଇଯାଉଛି ତେବେ ଖାଲି ଦୋଷ ନୁହେଁ ଆପଣ ଲଜ୍ଜା ଅନୁଭବ କରୁଛନ୍ତି କି ?
୫-ସମାଲୋଚନା ଦ୍ଵାରା ଆପଣ ଗଭୀର ଆଘାତ ନହେଲେ ନିଜକୁ ହୀନ ଅବା ତୁଚ୍ଛ ଅନୁଭବ କରୁଛନ୍ତି କି ?
ଆପଣଙ୍କ ବର୍ତ୍ତମାନର ପ୍ରତିକ୍ରିୟା ସବୁ ଏବେକାର ପରିସ୍ଥିତି ବିଷୟରେ ହୋଇନଥାଇପାରେ, ଏହା ହୁଏତ ଆପଣଙ୍କ ଅତୀତର ବ୍ୟକ୍ତିତ୍ଵ ଠୁ ଆସିଥାଇପାରେ.... ଏହା ଆପଣଙ୍କ ଇନର୍ ଚାଇଲ୍ଡର ହୋଇପାରେ ଯିଏ କେବେ ବି ଭୁଲ କରିବାକୁ ନିରାପଦ ମନେ କରୁନଥିଲା, ଡରୁଥିଲା। ଏଠି ଭୁଲ୍ ର ଅର୍ଥ ଭାତ ଥାଳିରେ ପାଣି ଢାଳିବା, ପାଣି ବାଲତିରେ ଅଧିକ ସମୟ ଖେଳିବା, ଡ୍ରେସରେ କାଦୁଅ ଲାଗିଯିବା ପରି ଛୋଟ ଛୋଟ ଘଟଣା ବି ହୋଇପାରେ ।
ଅଧିକ ପଢ଼ନ୍ତୁ: ଇନର୍ ଚାଇଲ୍ଡ ଅତୀତର ବର୍ତ୍ତମାନକୁ ପ୍ରଭାବିତ କରେ କାହିଁକି?
ଏହା ପଛରେ ପିଲାଦିନର କେଉଁ ଘଟଣା ଥାଇପାରେ ?
ମୁଁ ଦେଖିଥିବା ଅଧିକାଂଶ ଘଟଣାରେ ନିମ୍ନ କଥା ଗୁଡ଼ିକ ଲକ୍ଷ୍ୟ କରିଛି ।
-ଛୋଟ ଛୋଟ ଭୁଲ ପାଇଁ କଠୋର ଭାଷାରେ ତିରସ୍କାର କରିବା ।
-ଇମୋସନାଲ୍ ସମର୍ଥନ ନଦେଇ ସମାଲୋଚନା କରାଯିବା। ଯଥା; "ଧୀରେ ଧୀରେ ଶିଖିଲେ ଚଳିବ" ପରି ଆଶ୍ୱାସନାମୂଳକ କଥା ନକହି "ତୁମେ ଭଲରେ ଜାଣିନ କାହିଁକି" ତାଗିଦ କରିବା।
-ଚେଷ୍ଟା କରିବା ପାଇଁ ନୁହେଁ କେବଳ ସଫଳତା ପାଇଁ ବା ପୂରା ଠିକ୍ କରିବା ପାଇଁ ପ୍ରଶଂସା କରିବା ।
-ଅନ୍ୟମାନଙ୍କ ଆଗରେ ଅପମାନିତ କରିବା ।
-ଶିକ୍ଷକ ବା ବାପା ମା ଶୃଙ୍ଖଳିତ କରିବା ପାଇଁ ଲଜ୍ଜା ଦେବାକୁ ଉପାୟ ଭାବରେ ଗ୍ରହଣ କରିବା ।
-ଭାଇ ଭଉଣୀ କିମ୍ବା ଅନ୍ୟ ସହପାଠୀମାନଙ୍କ ସହିତ ସବୁବେଳେ ତୁଳନା କରିବା ।
ପିଲା ଭାବରେ ଏସବୁ କଥାଗୁଡ଼ିକ ଆମକୁ ଭୀଷଣ ଆଘାତ ଦେଇଥାଏ, ଏସବୁକୁ ନଭୁଲି ଆମେ ଅନେକ ଦିନ ଯାଏ ନିଜ ଭିତରେ ବୋହିଚାଲିଥାଉ । ଆମ ଭିତରେ ଥାଏ ମୁଁ ଯଦି ଭୁଲ କରେ ତେବେ ମୋତେ ବାହାର କରିଦିଆଯିବ । ମୁଁ ପ୍ରତିଥର ଠିକ୍ ହିଁ କରିବା ଦରକାର ଏବଂ ପରଫେକ୍ଟ ଭାବେ କରିବା ଦରକାର । ଖାଲି ମୋ କାମ ନୁହେଁ ମୁଁ ବି ଖରାପ । ଏସବୁ ନିଜର ଏକ ଭଙ୍ଗୁର ଆତ୍ମ ଛବି ତିଆରି କରିଥାଏ, ଯାହା ଦଶନ୍ଧି ଦଶନ୍ଧି ପରେ ମଧ୍ୟ ଟିକିଏ କଥା କି ସମାଲୋଚନା ଦ୍ଵାରା ସହଜରେ ଭାଙ୍ଗି ଯାଏ ।
ସମାଲୋଚନା/ମତାମତ ଅସୁରକ୍ଷିତ ଲାଗେ କାହିଁକି?
ସମାଲୋଚନା ଓ ମତାମତ ଯେତେ ଛୋଟ ହେଉନା କାହିଁକି, ଆପଣଙ୍କ ଇନର ଚାଇଲ୍ଡର ସ୍ନାୟୁତନ୍ତ୍ରକୁ ସକ୍ରିୟ କରାଇଦିଏ। ଆପଣଙ୍କ ବର୍ତ୍ତମାନର ମସ୍ତିଷ୍କ "ଆପଣ ଗୋଟିଏ ଶବ୍ଦ ଛାଡ଼ି ଯାଇଛନ୍ତି" ଶୁଣିବା ବେଳେ ଆପଣଙ୍କ ଇନର ଚାଇଲ୍ଡକୁ ଶୁଭୁଥାଏ "ତୁମେ ପୁଣି ବିଫଳ ହୋଇଛ। ତୁମେ ଯଥେଷ୍ଟ ଭଲ ନୁହେଁ । ସେମାନେ ତୁମକୁ ଭଲପାଇବେ ନାହିଁ ଆଉ। ସେଇଥିପାଇଁ ଛୋଟ ଛୋଟ ସାଧାରଣ ମତାମତ, ଆଲୋଚନା ବି ଆପଣଙ୍କ ଭିତରେ ତୀବ୍ର ଭାବାବେଗ ସବୁ ଟ୍ରିଗର କରେ । କେତେବେଳେ ଲୁହ ତ କେତେବେଳେ ଏଞ୍ଜାଇଟି, କ୍ରୋଧ ଅବା କେବେ ଓହରିଯିବା। ମନେରଖିବାକୁ ହେବ ଯେ, ଏହା ଏକ ଦୁର୍ବଳତା ନୁହେଁ ଟ୍ରମା ରେସପନ୍ସ। ଏଥିରୁ ଆପଣ ମୁକୁଳି ଯାଇପାରିବେ ।
ସୁସ୍ଥ ହେବାର ଉପାୟ :
୧- ଟ୍ରିଗର୍ କୁ ଲକ୍ଷ୍ୟ କରନ୍ତୁ
ସମାଲୋଚନା କି ମତାମତ ପ୍ରତି ଯେତେବେଳେ ତୀବ୍ର ପ୍ରତିକ୍ରିୟା ଆସୁଛି ତାହା ଲକ୍ଷ୍ୟ କରନ୍ତୁ। ନିଜକୁ ପଚାରନ୍ତୁ, "ଏହା ମୋର ଏବେକାର ପ୍ରତିକ୍ରିୟା ନା ପୂର୍ବର ?"
୨- ଇନର ଚାଇଲ୍ଡ ସହ କଥା ହୁଅନ୍ତୁ
ଯେତେବେଳ ପ୍ରତିକ୍ରିୟା ଆସୁଛି ସେତେବେଳେ ଟିକେ ଅଟକିଯାଇ ଭିତରେ କୁହନ୍ତୁ, "ମୁଁ ଜାଣେ ତୁମେ ଡରିଯାଇଛ। ଠିକ୍ ଅଛି। ଆମେ କିନ୍ତୁ ଆଉ ବିପଦରେ ନାହାନ୍ତି । ଆମେ ଏବେ ନିରାପଦ ଜାଗାରେ ଅଛନ୍ତି ।
୩- ଭୁଲ୍ କୁ ନୂଆ ଭାବରେ ଦେଖନ୍ତୁ
"ଭୁଲ୍ ଗୁଡ଼ିକ ବିଫଳତା ନୁହେଁ। ଏହା ଦର୍ଶାଉଛି ଯେ ମୁଁ ଶିଖୁଛି ଓ ଆଗଉଛି।" ଏଇ ଲେଖାଟିକୁ ଏମିତି ଏକ ଜାଗାରେ ରଖନ୍ତୁ ଯେଉଁଠି ଆପଣ ଦେଖିପାରିବେ। ଏହି ନୂଆ ଚିନ୍ତାଧାରା ଉପରେ ବିଶ୍ୱାସ କରିବା ପର୍ଯ୍ୟନ୍ତ ଏହାକୁ ରଖନ୍ତୁ ଓ ବାର ବାର ପଢନ୍ତୁ ।
୪- ସୁରକ୍ଷିତ ମତାମତ ଶୁଣିବା ବ୍ୟବସ୍ଥା କରନ୍ତୁ
ଜଣେ ବିଶ୍ଵସ୍ଥ ବନ୍ଧୁଙ୍କୁ ଆପଣଙ୍କୁ ହାଲକା ମତାମତ ସବୁ ଦେବାକୁ କୁହନ୍ତୁ । ଏବଂ ଲଜ୍ଜାର ସହ ନୁହେଁ ବରଂ କୌତୁହଳର ସହିତ ନିଜର ପ୍ରତିକ୍ରିୟା ଦିଅନ୍ତୁ। ଏହା ଧୀରେ ଧୀରେ ଆପଣଙ୍କ ସ୍ନାୟୁ ବ୍ୟବସ୍ଥାକୁ ପୁଣି ଯୋଡିବା ଆରମ୍ଭ କରିବ।
୫- ପ୍ରଥମେ ନିଜକୁ ମାନ୍ୟତା ଦିଅନ୍ତୁ
ବାହାରୁ କାହାଠୁ ଅନୁମୋଦନ ପାଇବା ପୂର୍ବରୁ ନିଜକୁ ପଚାରନ୍ତୁ, "ମୁଁ ଭାବୁଛି କି ମୁଁ ଠିକ୍ କରିଛି ?" ଏହା ଧୀରେ ଧୀରେ ଆପଣଙ୍କ ଭିତରେ ଆତ୍ମବିଶ୍ବାସ ତିଆରି କରିବ ।
ଅନେକ ସମୟରେ ନିଜକୁ ନିଜେ କେତେକ ସହଜ ସରଳ ଶବ୍ଦ କହିବା ଆପଣଙ୍କୁ ସୁସ୍ଥ କରିବାକୁ ବେଶୀ ସାହାଯ୍ୟ କରେ । ତଳେ ଦିଆଯାଇଥିବା ସେମିତି କିଛି ବାକ୍ୟ ଆପଣ ଆପଣଙ୍କ ଇନର୍ ଚାଇଲ୍ଡକୁ କହିପାରିବେ।
-ତୁମେ ଭୁଲ୍ କରିପାରିବ ।
-ଭୁଲ୍ କଲେ ମଧ୍ୟ ତୁମେ ଭଲ ପାଇବାର ଯୋଗ୍ୟ।
-ସୁରକ୍ଷିତ ରହିବା ପାଇଁ ତୁମକୁ ପରଫେକୁ ହେବା ଦରକାର ନାହିଁ ।
-ତୁମେ ଭୁଲ୍ କଲେ ମଧ୍ୟ ମୁଁ ତୁମକୁ ପରିତ୍ୟାଗ କରିବିନାହିଁ।
ଆଗକୁ ଯେବେବି ଆପଣ କୌଣସି ଛୋଟ ମତାମତ ଦ୍ଵାରା ଆହତ ହେବେ, ସେତେବେଳେ ନିଜକୁ ବିଚାର କରନ୍ତୁ ନାହିଁ । ବରଂ କୌତୁହଳୀ ହୁଅନ୍ତୁ ଏବଂ ପଚାରନ୍ତୁ, " ମୋ ଇନର ଚାଇଲ୍ଡ ଏବେ କ'ଣ ଶୁଣିବାକୁ ଚାହୁଁଛି ?" କାରଣ ସୁସ୍ଥ ହେବାର ଅର୍ଥ ନୁହେଁ ଯେ ଆପଣ ଏସବୁ ଆଉ ଅନୁଭବ କରିବେ ନାହିଁ, ଏହାର ଅର୍ଥ ଆପଣ ବୁଝିପାରିବେ ଯେ ଏହା କେଉଁଠାରୁ ଆସୁଛି । ଆଉ ଜାଣିବା ପରେ ଲଜ୍ଜିତ ହୋଇ ନୁହେଁ ବରଂ ସମ୍ବେଦନଶୀଳ ହୋଇ ପ୍ରତିକ୍ରିୟା ଦେଖାଇପାରିବେ। ପିଲାବେଳେ ଆପଣ ଯେମିତି ପ୍ରତିକ୍ରିୟା ଆପଣଙ୍କୁ ଦେଖାଯାଉ ବୋଲି ଚାହୁଁଥିଲେ ଠିକ୍ ସେମିତି ପ୍ରତିକ୍ରିୟା। ତେବେ ଯାଇ ସବୁକିଛି ଆପେ ଆପେ ବଦଳିଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Criticism_1748181020.jpg)