ସତର ବର୍ଷୀୟ ମାହୀ ପାଞ୍ଚ ମିନିଟ୍ ପାଇଁ ନିଜର ଫିଲ୍ଟର୍ ହୋଇନଥିବା ସେଲ୍ଫିକୁ ଚାହିଁଲା ଓ ତା’ପରେ ତାକୁ ଡିଲିଟ୍ କରିଦେଲା। "ମୋତେ ଆଉ ନିଜ ମୁହଁ ଭଲ ଦେଖାଯାଉନାହିଁ। ଫିଲ୍ଟର ବିନା, ମୁଁ ଅସୁନ୍ଦର ଦିଶେ।" ସେ ଧୀରେ ଧୀରେ କହୁଥାଏ। ତା' ଫୋନରେ ହଜାରେ ସରିକି ଫଟୋ ଥିଲା - କିନ୍ତୁ ସେଥିରୁ ସେ କେଉଁଟିକୁ ବି ପୋଷ୍ଟ କରିବାକୁ ଚାହୁଁ ନଥିଲା। ଅନଲାଇନରେ ଲୋକମାନେ ତା'ର ଯେଉଁ ରୂପକୁ ପସନ୍ଦ କରୁଥିଲେ ତାହା ତାକୁ ରିଏଲ୍ ମନେ ହେଉନଥିଲା। ଏବଂ ଦର୍ପଣରେ ଦେଖାଯାଉଥିବା ରୂପଟି? ସେଇଟି ତା' ପାଖରେ ଅଚିହ୍ନା ହୋଇସାରିଥିଲା । ତାକୁ ଆଉ ସେ ଚିହ୍ନିପାରୁ ନଥିଲା।
ଏହା ଦେଖେଇହେବା ନୁହେଁ। ଏହା ହେଉଛି ଡିଜିଟାଲ୍ ଡିସମୋର୍ଫିଆ, ଯାହା ଚକମକ ପରଦା ପଛରେ ନୀରବରେ ବଢ଼ୁଥିବା ଏକ ଭୟଙ୍କର ମାନସିକ ସ୍ୱାସ୍ଥ୍ୟ ସଙ୍କଟ। ଆମେ ଏପରି ଏକ ଦୁନିଆରେ ଆଜି ରହୁଛୁ ଯେଉଁଠାରେ ଶରୀରର ପ୍ରକୃତ ରୂପ ଆଉ ରିଏଲ୍ ନୁହେଁ । ନୂଆ ରୂପ ଗଢ଼ା ହେଉଛି କୁତ୍ରିମ ଏଡିଟ୍ କରାଯାଇଥିବା ନୂଆ ମାଧ୍ୟମ ସବୁ ଦ୍ୱାରା। ନିଖୁଣ ତ୍ୱଚା, ଖୋଦେଇ ହୋଇଥିବା ପରି ଥୋମଣି, କାଚ ଭଳି ସ୍ୱଛ ଆଖି, ସୁସଜ୍ଜିତ ଶରୀର ଏବଂ ଏୟାରବ୍ରଶ୍ ହୋଇ ଆମର ସବୁ ଅପୂର୍ଣ୍ଣତା ପୂର୍ଣ୍ଣ ହୋଇ ଆମ ସୋସିଆଲ ମିଡିଆ ଫିଡ୍ କୁ ପୂରଣ କରୁଚି । ଆମେ ଆଉ ନିଜକୁ ଅନ୍ଯମାନଙ୍କ ସହ ତୁଳନା କରୁନାହୁଁ, ଆମେ ନିଜକୁ ନିଜର ଫିଲ୍ଟର ହୋଇଥିବା ଅବତାର ସହିତ ତୁଳନା କରୁଛୁ। ଏବଂ ଏହି ପ୍ରକ୍ରିୟାରେ ଆମେ ଆମ ଅଜାଣତରେ ଧୀରେ ଧୀରେ ନିଜ ଶରୀର ସହିତ ସମ୍ପର୍କ ହରାଇ ଦେଉଛୁ।
Also Read
ଏହି ସଙ୍କଟର ଚାରୋଟି ପ୍ରମୂଖ ଧାରଣା ରହିଛି।
୧. ଡିଜିଟାଲ୍ ଡିସମୋର୍ଫିଆ
ଏହା ବିୟୁଟି ଫିଲ୍ଟରଗୁଡ଼ିକର ନିରନ୍ତର ବ୍ୟବହାର କରିବା ଦ୍ୱାରା ନିଜ ପ୍ରତି ତିଆରି ହୋଇଥିବା ବିକୃତ ଧାରଣାକୁ ବୁଝାଏ। ଅଧ୍ୟୟନରୁ ଜଣାପଡିଛି ଯେ, ଯୁବପିଢ଼ି ଫିଲ୍ଟର କରି ଉଠେଇଥିବା ନିଜ ସେଲଫି ପରି ଦେଖାଯିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ଚେଷ୍ଟା କରୁଛନ୍ତି - ସେଲିବ୍ରିଟିମାନଙ୍କ ପରି ନୁହେଁ, ବରଂ ନିଜେ ଏଡିଟ୍ କରିଥିବା ଡିଜିଟାଲ୍ ସେଲ୍ଫି ପରି। ସେମାନେ କହନ୍ତି, "ମୁଁ କେବଳ ଚାହୁଁଛି ଯେ ମୋର ରିଏଲ୍ ଚେହେରା ମୋର ଫିଲ୍ଟର ହୋଇଥିବା ଚେହେରା ପରି ଦେଖାଯାଉ।"
୨.ବଡି ନ୍ୟୁଟ୍ରାଲିଟି ବା ଶାରୀରିକ ନିରପେକ୍ଷତା
ଶରୀରର ଛବି (ସକାରାତ୍ମକ କିମ୍ବା ନକାରାତ୍ମକ) ପ୍ରତି ଅତିଶୟ ଆକର୍ଷିତ ହେବା ପରିବର୍ତ୍ତେ, କେବଳ ଆପଣଙ୍କ ଶରୀରକୁ ଯେପରି ଅଛି ସେହିପରି ଗ୍ରହଣ କରନ୍ତୁ। "ମୁଁ ମୋ ଶରୀରକୁ ଭଲ ପାଏ" ନୁହେଁ, ବରଂ "ମୋ ଶରୀର ମୋତେ ବଞ୍ଚିବାକୁ, ଚାଲବୁଲ କରିବାକୁ, ଅନୁଭବ କରିବାକୁ ଅନୁମତି ଦିଏ - ଏବଂ ଏତିକି ଯଥେଷ୍ଟ।" ବୋଲି ଗ୍ରହଣ କରନ୍ତୁ।
୩. ମେନ୍ କେରେକ୍ଟର୍ ସିଣ୍ଡ୍ରୋମ
ସୋସିଆଲ ମିଡିଆ ଆମ ବିଶ୍ୱାସକୁ ଗୋଟେ ଆଧାର ଦେଇଛି ଯେ, 'ଆମକୁ ସବୁବେଳେ ଅଭିନୟ କରିବାକୁ ହେବ, ପରଫେକ୍ଟ ହେବାକୁ ହେବ, ସୌନ୍ଦର୍ଯ୍ୟପୂର୍ଣ୍ଣ ହେବାକୁ ପଡିବ' । ସତେଯେମିତି ଆମେ ଆମ ଜୀବନ ଚଳଚ୍ଚିତ୍ରର ଏକ ମୁଖ୍ୟ ଚରିତ୍ର। ଏହା ସବୁବେଳେ ଭଲ ଦେଖାଯିବା, ଆକର୍ଷଣୀୟ ହେବା ଏବଂ କେବେ ଭାଙ୍ଗି ନ ପଡ଼ିବା ପାଇଁ ମାନସିକ ଚାପ ସୃଷ୍ଟି କରେ।
୪. FOMO ବନାମ JOMO
"ଫିୟର୍ ଅଫ୍ ମିସିଂ ଆଉଟ୍" ବା କିଛି ହରାଇବାର ଭୟ ଆମକୁ ପୋଷ୍ଟ କରିବାକୁ, ସବୁ ଜାଗାରେ ଉପସ୍ଥିତ ରହିବାକୁ କିମ୍ବା ଆମେ "ଆମର ସର୍ବୋତ୍ତମ ଜୀବନଯାପନ କରୁଛୁ" ବୋଲି ଅଭିନୟ କରିବାକୁ ବାଧ୍ୟ କରେ।
"ଜୟ ଅଫ୍ ମିସିଂ ଆଉଟ୍" ହେଉଛି ଏହାର ବିରୋଧ କରି ବଢୁଥିବା ଏକ ଆନ୍ଦୋଳନ, ଯେଉଁଥିରେ ବ୍ୟକ୍ତି ଦୋଷୀ ଅନୁଭବ ନକରି କାହାକୁ ଭୁଲ୍ ନମାଗି ଅଫଲାଇନ୍ ରହେ। ଶାନ୍ତିରେ ଓ ଏକୁଟିଆ ରହିବାକୁ ପସନ୍ଦ କରେ। ଦେଖିବାକୁ ଗଲେ, ସବୁକିଛି ସେୟାର ନକରି କେବଳ ଜୀବନ ବଞ୍ଚିବାକୁ ଚାହିଁବାରେ କିଛି ଅସୁବିଧା ନାହିଁ।
ସୋସିଆଲ ମିଡିଆ ଶରୀରକୁ ନେଇ କିପରି ଚାପ ସୃଷ୍ଟି କରେ?
• ଆପ୍ ସବୁ ସୌନ୍ଦର୍ଯ୍ୟ ଏବଂ ଟ୍ରେଣ୍ଡିନେସକୁ ପୁରସ୍କୃତ କରନ୍ତି, ଅରିଜିନାଲ୍ କଣ୍ଟେଣ୍ଟକୁ ନୁହେଁ।
• ଆଲଗୋରିଦମ-ଚାଳିତ ଲାଇକ୍ ଗୁଡ଼ିକ ବିଶେଷକରି ଯୁବପିଢ଼ିଙ୍କ ଆତ୍ମସମ୍ମାନକୁ ପ୍ରଭାବିତ କରେ।
• ଇନଫ୍ଲୁଏନ୍ସର କଲଚର୍ ସାଧାରଣ ଭାବରେ ପରଫେକସନ୍ କୁ ପ୍ରୋତ୍ସାହିତ କରେ।
• ଏଡିଟିଙ୍ଗ ଟୁଲ୍ ଗୁଡ଼ିକ ଯାହା ନୁହେଁ ତାହା ବଢ଼େଇ ଚଢ଼େଇ ଦେଖେଇବା ଏବଂ ଯାହା ଦେଖେଇବାକୁ ଚାହୁଁନାହଁ ତାକୁ ଉଡ଼େଇଦେବା ଭିତରେ ଥିବା ବ୍ୟବଧାନକୁ ଝାପ୍ସା କରିଦିଏ।
ଫିଲଟର୍ ବ୍ୟବହାର କରିବାର ଅଭ୍ୟାସରେ ପଡ଼ି ସାଧାରଣ ମୁହଁ, ସାଧାରଣ ଶରୀର ଏବଂ ରିଏଲ୍ ମୁହୂର୍ତ୍ତ ସବୁ କିପରି ଦେଖାଯାଆନ୍ତି ଆମେ ଭୁଲିଯାଉ।
ଆପଣ ବି ଫିଲଟର୍ ଦ୍ୱାରା ପ୍ରଭାବିତ କି?
• ଫିଲ୍ଟର ନ ହୋଇଥିବା ଫଟୋ ପୋଷ୍ଟ କରିବାକୁ ଗଲାବେଳେ ଉଦବିଗ୍ନ ଅନୁଭବ କରୁଛନ୍ତି କି?
• ଅନଲାଇନରେ ନିରନ୍ତର ଅନ୍ୟମାନଙ୍କ ସହ ନିଜ ଚେହେରାର ତୁଳନା କରୁଛନ୍ତି କି?
• ପ୍ରକୃତ ଲୋକଙ୍କ ପ୍ରଶଂସା ସତ୍ତ୍ୱେ ବି ଆତ୍ମସମ୍ମାନ କମିଯିବା ପରି ଲାଗୁଛି କି?
• ସେଭ୍ କିମ୍ବା ସେୟାର କରିବା ପୂର୍ବରୁ ପ୍ରତ୍ୟେକ ଫଟୋକୁ ଏଡିଟ୍ କରୁଛନ୍ତି କି?
• ଦର୍ପଣ କିମ୍ବା ଫଟୋକୁ ସମ୍ପୂର୍ଣ୍ଣ ଭାବରେ ଏଡାଇ ଯାଉଛନ୍ତି କି?
ବାସ୍ତବତା ସହିତ ପୁନରାୟ ଯୋଡ଼ିହେବେ କିପରି?
୧. ଶାରୀରିକ ନିରପେକ୍ଷତା ଅଭ୍ୟାସ କରନ୍ତୁ।
ଆପଣ ସବୁକିଛିକୁ ଭଲ ପାଇବା ଦରକାର ନାହିଁ। କେବଳ ଗ୍ରହଣ କରନ୍ତୁ ଯେ, ଆପଣଙ୍କ ଶରୀର କାର୍ଯ୍ୟକ୍ଷମ, ଜୀବନ୍ତ ଏବଂ ସମ୍ମାନର ଯୋଗ୍ୟ। ଭାବନ୍ତୁ, "ମୋର ଗୋଡ଼ ଅଛି ଯିଏ ଚାଲେ, ଆଖି ଅଛି ଯିଏ ଦେଖେ, ହୃଦୟ ଅଛି ଯାହା ସ୍ପନ୍ଦିତ ହୁଏ - ଏବଂ ଆଜି ପାଇଁ ଏତିକି ଯଥେଷ୍ଟ।"
2. ଆପଣଙ୍କ ଫିଡ୍କୁ ଧୀରେ ଧୀରେ ବ୍ୟବସ୍ଥିତ କରନ୍ତୁ।
• ତୁଳନାକୁ ପ୍ରୋତ୍ସାହନ ଦେଉଥିବା ଆକାଉଣ୍ଟଗୁଡ଼ିକୁ ଅନଫଲୋ କରନ୍ତୁ।
• ଫିଲ୍ଟର ନକରି ବିବିଧ ଓ ରିଏଲ୍ ଜୀବନ ଦେଖାଉଥିବା କ୍ରିଏଟରମାନଙ୍କୁ ଅନୁସରଣ କରନ୍ତୁ।
• ମନେରଖନ୍ତୁ: ଆପଣ ଯାହା ଦେଖନ୍ତି, ଶୁଣନ୍ତି, ଜାଣନ୍ତି, ତାହା ଆପଣ ନିଜକୁ କିପରି ଦେଖନ୍ତି ତାହା ନିର୍ଣ୍ଣୟ କରେ ।
3. ଇଚ୍ଛାକୃତ ଭାବେ ଫିଲ୍ଟର ବ୍ୟବହାର କରିବା କମାନ୍ତୁ।
ମନୋରଞ୍ଜନ ପାଇଁ ଫିଲ୍ଟର ବ୍ୟବହାର କରିବାରେ ଅସୁବିଧା ନାହିଁ। କିନ୍ତୁ ଅନ୍ୟମାନଙ୍କ ଠାରୁ ମାନ୍ୟତା କି ସମ୍ମାନ ପାଇବା ପାଇଁ ନୁହେଁ। ଏହି ସପ୍ତାହରେ କୌଣସି ଏଡିଟ୍ ନକରି ପ୍ରାଇଭେଟ୍ ରଖି ହେଉ ପଛେ ଗୋଟିଏ ଫଟୋ ପୋଷ୍ଟ କରିବାକୁ ଚେଷ୍ଟା କରନ୍ତୁ। ଏହା ଆମ ଫିଲଟରମୟ ଜୀବନ ବିରୋଧରେ ଏକ ନୀରବ ବିଦ୍ରୋହର ଆରମ୍ଭ।
4. JOMO ଜୀବନକୁ ଗ୍ରହଣ କରନ୍ତୁ।
ଅଫଲାଇନ୍ ବିରତି ନିଅନ୍ତୁ। ସବୁବେଳେ ଫଟୋ ଭିଡିଓ ଉଠେଇବା ଛାଡ଼ି ସତସତିଆ ପରିବେଶ ଓ ଅସଲ ମୁହୂର୍ତ୍ତଗୁଡ଼ିକୁ ଉପଭୋଗ କରନ୍ତୁ। ନୀରବତା, ସରଳତା ଏବଂ ବାସ୍ତବତାର ଗୋଳିଆମିଶା ରିଏଲ୍ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଶିଖନ୍ତୁ। ଆପଣ ଗୋଟେ ଉତ୍ପାଦ ନୁହେଁ, ଜଣେ ବ୍ୟକ୍ତି ବୋଲି ମନେରଖନ୍ତୁ।
ଆଜିଠୁ କ'ଣ କରିବେ?
• ଏଇ କେଇଦିନ ଭିତରେ ଆପଣଙ୍କ ଶରୀର ଆପଣଙ୍କୁ କେଉଁ ତିନୋଟି ଜିନିଷ କରିବାରେ ସାହାଯ୍ୟ କରିଛି ଲେଖନ୍ତୁ।
• ଆଇନା ନଦେଖି ଗୋଟିଏ ଦିନ ବିତାନ୍ତୁ।
• କାହାର ଜଣଙ୍କର ଉର୍ଜା, ଚିନ୍ତାଧାରା କିମ୍ବା ସମ୍ବେଦନଶୀଳତା ଆଦି ଗୁଣକୁ ପ୍ରଶଂସା କରନ୍ତୁ, ରୂପକୁ ନୁହେଁ।
• ଆପଣଙ୍କୁ "ଛୋଟ" ଅନୁଭବ କରାଉଥିବା ପାଞ୍ଚୋଟି ଆକାଉଣ୍ଟକୁ ଅନଫଲୋ କରନ୍ତୁ ।
ଫିଲ୍ଟର ବିନା ମଧ୍ୟ ଆପଣ ଯଥେଷ୍ଟ ।
କ୍ୟୁରେସନରେ ଆଛନ୍ନ ଏହି ଦୁନିଆରେ ଆପଣ ଯେମିତି, ସେମିତି ରିଏଲ୍ ବା ବାସ୍ତବ ରହିବା ହିଁ ସବୁଠାରୁ ସାହସିକ ପଦକ୍ଷେପ। ଶକ୍ତିଶାଳୀ ହେବା ପାଇଁ ପରଫେକ୍ଟ ହେବା ଦରକାର ନାହିଁ, କି ପରିଚୟ ତିଆରି କରିବା ପାଇଁ ନିଜକୁ ସଙ୍କୁଚିତ କରିବା ଦରକାର ନାହିଁ। ଆସନ୍ତୁ ଷ୍ଟ୍ରେଚ୍ ମାର୍କ ହେଉ କି କ୍ଷତଚିହ୍ନ, କଳା ହେଉ କି ଶ୍ୟାମଳ ଅବା ଧଳା; ଖାଲି ମୁହଁ, ପ୍ରକୃତ ହସ ଏବଂ ଶାନ୍ତ ଦିନ ସବୁ ପାଇଁ ଜାଗା ତିଆରି କରିବା । କାରଣ ବାସ୍ତବତାରୁ ହିଁ ପ୍ରକୃତ ସୌନ୍ଦର୍ଯ୍ୟ ଆରମ୍ଭ ହୁଏ।
ଏହା ଆମକୁ ନିଜକୁ ସାମ୍ନା କରିବା ଶିଖେଇବ, ହୀନମନ୍ୟତାରୁ ମୁକୁଳେଇ ନିଜକୁ ଭଲପାଇବା ଶିଖେଇବ ଓ ଚାରି ପାଖର ବାସ୍ତବ ସୌନ୍ଦର୍ଯ୍ୟକୁ ଦେଖି ଉଚ୍ଛ୍ବସିତ ହେବା ଶିଖେଇବ। ସର୍ବୋପରି ଜୀବନ, ଜଗତ ଓ ସମ୍ପର୍କକୁ ବାସ୍ତବ କରିବ ଓ ବାସ୍ତବ ପ୍ରୟାସ ସବୁ କରିବାକୁ ପ୍ରୋସାହିତ କରିବ।