ବେଙ୍ଗାଲୁରର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ସମସ୍ତଙ୍କ ହୃଦୟକୁ ଓଦା କରିଦେଇଛି । ଆମର ସାମାଜିକ ବ୍ୟବସ୍ଥା, ନ୍ୟାୟ ବ୍ୟବସ୍ଥା ପ୍ରତି ଏକ ବଡ ପ୍ରଶ୍ନ ଛିଡା କରିଛି । ପଇସା ଥିଲା, ପ୍ରତିଷ୍ଠା ବି ଥିଲା । ହେଲେ କାହିଁକି ଉଜୁଡି ଗଲା ସମ୍ପର୍କ ? କାହିଁକି ଅତୁଲଙ୍କ ପରି ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଏମିତି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ? ଅତୁଲ ତାଙ୍କ ମୃତ୍ୟୁ ପାଇଁ ପତ୍ନୀ ନିକିତା ସିଂଘାଣିଆ, ଶାଶୂ ନିଶା ସିଘାଂନିଆ, ଭାଇ ଅନୁରାମ ଓ ଚାଚା ସୁଶୀଲଙ୍କୁ ଦାୟୀ କରିଛନ୍ତି । ତାଙ୍କର ଅଭିଯୋଗ ଥିଲା, ବିବାହ ପରେ କୌଣସି ନା କୌଣସି ବାହାନାରେ ଶାଶୂଘର ଲୋକେ ଟଙ୍କା ମାଗୁଛନ୍ତି । ନିର୍ଯାତନା ଦେଉଛନ୍ତି ।
ଅତୁଲଙ୍କର ବିବାହ ୨୦୧୯ରେ ହୋଇଥିଲା । ଅତୁଲ ଓ ନିକିତାଙ୍କର ଏକ ପୁଅ ମଧ୍ୟ ଅଛି । ତେବେ ସେମାନେ ଅଲଗା ରହୁଛନ୍ତି । ମୃତ୍ୟୁ ପୂର୍ବରୁ ଅତୁଲ ଦେଢ ଘଣ୍ଟାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ କହି ଯାଇଛନ୍ତି ତାଙ୍କ ନିର୍ଯାତନା କଥା । ଉଭୟଙ୍କ ମଧ୍ୟରେ ଡିଭୋର୍ସ ପାଇଁ ପ୍ରକ୍ରିୟା ଜୋନପୁର ଫ୍ୟାମିଲି କୋର୍ଟରେ ଚାଲିଥିଲା । ହେଲେ ତା’ ପୂର୍ବରୁ ସେ ଚରମ ନିଷ୍ପତ୍ତି ନେଇଥିଲେ । ହୁଏତ ବିବାହ ବିଚ୍ଛେଦ ହୋଇ ନ ଥିଲେ ଅତୁଲ ଏତେ ବଡ ନିଷ୍ପତ୍ତି ନେଇ ନ ଥାନ୍ତେ ।
Also Read
କ’ଣ କହେ ହିନ୍ଦୁ ବିବାହ କୋଡ ?
ଭାରତରେ ବିବାହ ଏକ ବନ୍ଧନ । ବିବାହବନ୍ଧନର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ତେଣୁ ଏହି ବନ୍ଧନରୁ ବାହାରିବାକୁ କେହି ସହଜରେ ଚାହାନ୍ତି ନାହିଁ । ତେଣୁ ଭାରତୀୟ ସମାଜରେ ତଲାକକୁ ଭଲ ଦୃଷ୍ଟିରେ ଦେଖା ଯାଇ ନ ଥାଏ । ତଥାପି ଭାରତରେ ପ୍ରତି ବର୍ଷ ଲକ୍ଷଲକ୍ଷ ବିବାହ ବିଚ୍ଛେଦ ମାମଲା କୋର୍ଟକୁ ଆସୁଛି । ସ୍ୱାଧୀନତା ପରେ ୫୦ ଦଶକରେ ହିନ୍ଦୁ ମ୍ୟାରେଜ କୋଡ ବିଲ ଆସିଥିଲା । ଏଥିରେ ମହିଳାଙ୍କୁ ତଲାକ ପାଇଁ ଆଇନଗତ ଅଧିକାର ମିଳିଥିଲା । ୧୯୭୬ରେ ଏହାକୁ ସଂଶୋଧନ କରାଯାଇଥିଲା ଏବଂ ସ୍ୱାମୀ-ସ୍ତ୍ରୀ ସହମତିରେ ତଲାକ ପାଇଁ ଅନୁମତି ମିଳିଥିଲା ।
ଅଧିକ ପଢ଼ନ୍ତୁ:କାହିଁକି ବଢୁଛି ବିବାହ ବିଚ୍ଛେଦ, କ’ଣ ଏହା ପଛର କାରଣ....
ବଢି ବଢି ଚାଲିଛି ବିବାହ ବିଚ୍ଛେଦ ମାମଲା
୨୦୧୧ ଜନଗଣନା ରିପୋର୍ଟ ଅନୁସାରେ, ଭାରତରେ ୧୩.୬୨ ଲକ୍ଷ ଲୋକଙ୍କର ବିବାହ ବିଚ୍ଛେଦ ଘଟିଛି । ଏହି ସଂଖ୍ୟା ମୋଟ ଜନସଂଖ୍ୟାର ୦.୧୧ ପ୍ରତିଶତ । ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ପାଖାପାଖି ୨ ଗୁଣ ଅଧିକ । ଜନଗଣନା ରିପୋର୍ଟ ଅନୁସାରେ ତଲାକ ନେଇଥିବା ପୁରୁଷଙ୍କ ସଂଖ୍ୟା ୪.୫୨ ଲକ୍ଷ ଥିବାବେଳେ ମହିଳାଙ୍କ ସଂଖ୍ୟା ୯.୦୯ ଲକ୍ଷରୁ ଅଧିକ ।
ସେତିକି ନୁହେଁ, ବିବାହ ବିଚ୍ଛେଦ ସଂଖ୍ୟାଠାରୁ ଅଧିକ ଥିଲା ବିବାହ ପରେ ଅଲଗା ରହୁଥିବା ଲୋକଙ୍କ ସଂଖ୍ୟା । ଅର୍ଥାତ ବିବାହବିଚ୍ଛେଦ ନ ହେଲେ ବି ଉଭୟେ ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ରହୁଛନ୍ତି । ଏପରି ଲୋକଙ୍କ ସଂଖ୍ୟା ୩୫.୩୫ ଲକ୍ଷରୁ ଅଧିକ । ଏଥିରେ ମଧ୍ୟ ମହିଳା ଅଧିକ ଅଛନ୍ତି । ପ୍ରାୟ ୨୪ ଲକ୍ଷ ମହିଳା ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇ ରହୁଛନ୍ତି ।
ଗାଁରେ ହେଉଛି ଅଧିକ ବିବାହ ବିଚ୍ଛେଦ
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି, ସହର ତୁଳନାରେ ଗାଁରେ ବିବାହବିଚ୍ଛେଦ ହୋଇଥିବା ଲୋକଙ୍କ ସଂଖ୍ୟା ଅଧିକ । ସହରରେ ଏହି ସଂଖ୍ୟା ୫.୦୪ ଲକ୍ଷ ଥିବାବେଳେ ଗାଁରେ ଏହାର ସଂଖ୍ୟା ୮.୫୮ ଲକ୍ଷ । ଗାଁରେ ୨୪ ଲକ୍ଷ ଲୋକ ଏମିତି ଥିଲେ ଯେଉଁମାନେ ପତି ବା ପତ୍ନୀଙ୍କଠାରୁ ଅଲଗା ହୋଇ ରହୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ୨୦୦୧ ଜନ ଗଣନା ଅନୁସାରେ ବିବାହ ବିଚ୍ଛେଦ ନେଇଥିବା ଏବଂ ଅଲଗା ରହୁଥିବା ଲୋକଙ୍କ ସଂଖ୍ୟା ୩୩.୩୧ ଲକ୍ଷ ଥିଲା । ହେଲେ ୨୦୧୧ରେ ଏହି ସଂଖ୍ୟା ବୃଦ୍ଧି ପାଇଁ ୫୦ ଲକ୍ଷ ଟପି ଯାଇଛି । ୨୦୨୪ରେ ସେହି ଅନୁସାରେ କେତେ ବଢିଥିବ ଅନୁମାନ କରିହେଉଛି ।
ଫ୍ୟାମିଲି କୋର୍ଟରେ ବିବାହ
ବିଚ୍ଛେଦ ମାମଲା ଆମ ଦେଶରେ ବିବାହ ବିଚ୍ଛେଦ ବା ସେପାରେଶନ ସହ ସମ୍ପର୍କିତ ଫ୍ୟାମିଲି କୋର୍ଟରେ ହୋଇଥାଏ । ଏଥିପାଇଁ ଦେଶରେ ୮୦୦ରୁ ଅଧିକ କୋର୍ଟ ରହିଛି । ଫ୍ୟାମିଲି କୋର୍ଟରେ ଏହି ମାମଲା ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳିଛି । ୨୦୨୩ରେ ଫ୍ୟାମିଲି କୋର୍ଟରେ ୧୧ ଲକ୍ଷ ମାମଲା ପେଣ୍ଡିଂ ପଡିଛି । ଚଳିତବର୍ଷ ଫେବୃଆରୀରେ ଲୋକସଭାରେ ସରକାର ଫ୍ୟମିଲି କୋର୍ଟରେ ଦାଏର ହୋଇଥିବା ମାମଲା ଏବଂ ସମାଧାନ କରାଯାଇଥିବା ମାମଲାର ଏକ ସଂଖ୍ୟା ଉପସ୍ଥାପନ କରିଥିଲେ । ସେହି ଅନୁସାରେ, ୨୦୨୩ରେ ସାରା ଦେଶରେ ଥିବା ଫ୍ୟାମିଲି କୋର୍ଟରେ ୮.୨୬ ପ୍ରତିଶତ ମାମଲାର ସମାଧାନ ହୋଇଛି । ଅର୍ଥାତ ପ୍ରତିଦିନ ପାଖାପାଖି ୨,୨୬୫ ମାମଲାର ସମାଧାନ ହେଉଛି । ୨୦୨୨ରେ ୭.୪୪ ଲକ୍ଷ ମାମଲାର ସମାଧାନ ହୋଇଥିଲା ।
କାହିଁକି ଭାଙ୍ଗିଯାଉଛି ଘର ସଂସାର ?
ଭାରତର ୭୦ ପ୍ରତିଶତ ଲୋକ ଗାଁରେ ରୁହନ୍ତି । ଗାଁ ପରିବେଶରେ ସାଧାରଣତଃ ବିବାହ ପରେ ଅଲଗା ରହିବା, ଦ୍ୱିତୀୟ ବିବାହ କରିବା, ତଲାକ ନେବା ଇତ୍ୟାଦିକୁ ଭଲ ଦୃଷ୍ଟିରେ ଦେଖା ଯାଇ ନ ଥାଏ । ହେଲେ ଭାରତରେ ବୈବାହିକ ଜୀବନରେ ଫାଟ ଦେଖା ଦେଇଛି । ଲୋକ ଏମିତି ସମ୍ପର୍କରେ ବେଶି ଦିନ ରହିବାକୁ ଚାହୁଁ ନାହାନ୍ତି ଯେଉଁଠି ସେମାନଙ୍କୁ ବୁଝାମଣା କରିବାକୁ ପଡିବ । ଏହି ମାନସିକତା ସହରରୁ ଗାଁ ସବୁଠି ଦେଖିବାକୁ ମିଳୁଛି । ପିରିୟଡିକ ଲେବର ଫୋର୍ସ ସର୍ଭେ ଅନୁସାରେ, ୨୦୧୯ରେ ମହିଳାଙ୍କ ତଲାକ ହାର ୦.୪% ଥିବାବେଳେ ୨୦୨୩-୨୪ରେ ଏହା ବୃଦ୍ଧି ପାଇ ୦.୫%ରେ ପହଞ୍ଚିଛି । ୨୦୨୩-୨୪ରେ ସହରରେ ୦.୭% ମହିଳାଙ୍କର ବିବାହ ବିଚ୍ଛେଦ ଘଟିଥିବାବେଳେ ୫% ପୁରୁଷଙ୍କର ବିବାହ ବିଚ୍ଛେଦ ଘଟିଛି ।
ଏହି ଦେଶରେ ୯୨% ଦମ୍ପତିଙ୍କର ବିବାହ ବିଚ୍ଛେଦ ହୋଇଥାଏ
ଭାରତର ବିବାହ ବିଚ୍ଛେଦ ମାମଲା ବଢିବାରେ ଲାଗିଛି । ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର-ମନାନ୍ତର ବଢିଛି । ହେଲେ ଭାରତରେ ବିବାହ ବିଚ୍ଛେଦ ହାର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ । ଏଠାରେ ତଲାକ ହାର ୧ ପ୍ରତିଶତ ମଧ୍ୟରେ ସୀମିତ ରହିଛି । ୱାର୍ଲଡ ବ୍ୟାଙ୍କ ଏବଂ ଓଇସିଡି ରିପୋର୍ଟ ଅନୁସାରେ, ବିଶ୍ୱର ସବୁଠାରୁ ବେଶି ବିବାହବିଚ୍ଛେଦ ପର୍ତ୍ତୁଗାଲରେ ହୋଇଥାଏ । ଏଠାରେ ବିବାହ ବିଚ୍ଛେଦ ହାର ୯୨ ପ୍ରତିଶତ । ପର୍ତ୍ତୁଗାଲ ବ୍ୟତୀତ ଅନ୍ୟ ୟୁରୋପୀୟ ଦେଶରେ ବି ବିବାହ ବିଚ୍ଛେଦ ହାର ବହୁତ ଅଧିକ । ଶୀର୍ଷ ତାଲିକାର ୧୯ ନମ୍ବରରେ ରହିଛି ଆମେରିକା । ଏଠାରେ ବିବାହ ବିଚ୍ଛେଦ ହାର ୪୫% ରହିଛି ।
ବିବାହବିଚ୍ଛେଦକୁ ନେଇ କ’ଣ ରହିଛି ଆଇନ ?
ହିନ୍ଦୁ, ଶିଖ, ଜୈନ, ବୌଦ୍ଧମାନଙ୍କ ଉପରେ ହିନ୍ଦୁ ମ୍ୟାରେଜ କୋଡ ଲାଗୁ ହୋଇଥାଏ । ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା ୧୩ରେ ତଲାକର ପ୍ରାବଧାନ ରହିଛି । ଧାରା ୧୩ ବି ଅନୁସାରେ ପରସ୍ପର ସହମତିରେ ତଲାକ ପାଇଁ ଆବେଦନ କରିବାର ପ୍ରାବଧାନ ରହିଛି । ଏହି ଧାରାରେ ଆଉ ଏକ ପ୍ରାବଧାନ ବି ରହଛି । ଫ୍ୟାମିଲି କୋର୍ଟ ଉଭୟ ପକ୍ଷଙ୍କୁ ବୁଝାମଣା କରିବା ପାଇଁ ୬ ମାସ ସମୟ ଦେଇଥାନ୍ତି । ଯଦି ଏହି ସମୟରେ କିଛି ସମାଧାନ ନ ହେଲା ତା ପରେ ବିବାହ ବିଚ୍ଛେଦ ହୋଇଥାଏ । ଗତବର୍ଷ ମେ’ ମାସରେ ସୁପ୍ରିମ କୋର୍ଟ ଏକ ନିଷ୍ପତ୍ତିରେ ଦେଇଥିଲେ । ଏଥିରେ କୁହାଯାଇଥିଲା, ଯଦି ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଛିଣ୍ଡି ଯାଇଛି ଏବଂ ଯୋଡି ହେବାର କୌଣସି ସମ୍ଭାବନା ନାହିଁ ଏବଂ ସେମାନେ ସହମତି ଭିତ୍ତିରେ ଅଲଗା ହେବାକୁ ଚାହୁଁଛନ୍ତି ସେ କ୍ଷେତ୍ରରେ ୬ମାସର ୱେଟିଂ ପିରିଅଡ ଦେବାର ଆବଶ୍ୟକତା ନାହିଁ ।