କୁହାଯାଏ ବିବାହ ସ୍ୱର୍ଗରେ ଠିକ୍ ହୋଇଥାଏ ଆଉ ଏହା ମର୍ତ୍ତ୍ୟରେ ପାଳନ କରାଯାଏ। ବ୍ରାହ୍ମଣର ମନ୍ତ୍ରପାଠରେ ଦୁଇଟି ଅଜଣାମନ ବେଦୀରେ ବସିବା ପରେ କେଉଁ ଏକ ଅଜଣା ପୁଲକରେ ଏକ ସୁନ୍ଦର ପୃଥିବୀ ତିଆରି କରିବା ପାଇଁ ସ୍ୱପ୍ନ ଦେଖିବା ଆରମ୍ଭ କରନ୍ତି। ବର କନ୍ୟାକୁ ବେଦୀରେ ସିନ୍ଦୁର ଶଙ୍ଖା ପିନ୍ଧେଇ ସାତଜନ୍ମ ପାଇଁ ସୁଖରେ ଦୁଃଖରେ ରହିବାକୁ ପ୍ରତିଜ୍ଞା କରେ ଆଉ କନ୍ୟା ମଧ୍ୟ ବରର ସିନ୍ଦୁର ନାଇଁବା ପରେ ବାପାଘରର ସମସ୍ତ ସମ୍ପର୍କକୁ ଛିନ୍ନ କରି ଅଜଣା ସମ୍ପର୍କରେ ସାରା ଜୀବନ ବାନ୍ଧିହୋଇ ନିଜର ହେବାକୁ ଦୃଢ଼ ପ୍ରତିଜ୍ଞା କରିବା ସହିତ ମଥାରେ ସ୍ୱାମୀର ସବୁ ସମୟରେ ମଙ୍ଗଳ କରିବା ପାଇଁ ସିନ୍ଦୁର ଅତି ଭକ୍ତିର ସହିତ ପିନ୍ଧିଥାଏ। ନାରୀର ସିନ୍ଦୁରରେ ପୁରୁଷର ଭାଗ୍ୟ ରହିଛି। ଭାରତୀୟ ସଂସ୍କୃତିର ନୀତି ନୀୟମରେ ଦୁଇଟି ଅଜଣା ଆତ୍ମା ଗୋଟିଏ ହେବାର ପ୍ରଥାର ନାମ ହେଉଛି ବିବାହ। ବିବାହ ହେଉଛି ସାମାଜିକ ସ୍ୱୀକୃତି। ବିବାହ ପୁରୁଷକୁ ପରିପକ୍ୱ କରାଏ ଆଉ ନାରୀକୁ ପୂର୍ଣ୍ଣତା ଦିଏ। ଦୁହିଁଙ୍କୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ।
ବିବାହ ହେଉଛି ସୃଷ୍ଟିର ନିୟମ। ନୀଡ଼ ରଚନାର ଆଦିପର୍ବ ହେଉଛି ବିବାହ। ଦୁଇ ମନ ଦୁଇ ଦେହ ଏକାଠି ହେବାର ଏକ ଦୁର୍ବାର ପ୍ରତିଜ୍ଞା ହେଉଛି ବିବାହ। ସାତଜନ୍ମ ପାଇଁ କେହି କାହା ଠାରୁ ଅଲଗା ନ ହେବା ପାଇଁ ବନ୍ଧନର ନାମ ହେଉଛି ବିବାହ। ସାହାନାଇ, ଶୁଭଶଙ୍ଖର ଧ୍ୱନି, ବ୍ରହ୍ମରେ ମନ୍ତ୍ରପାଠ, ତେତ୍ରିଶକୋଟି ଦେବାଦେବୀଙ୍କୁ ସାକ୍ଷୀ ରଖି ପୁଅଟିଏ ଝିଅକୁ ବରଣ କରିନିଏ ସାତଜନ୍ମ ପାଇଁ। ସଂସାର ପଥରେ ପଥିକ ସାଜନ୍ତି ଉଭୟେ। ଉଭୟଙ୍କୁ କେତୋଟି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼େ। ସେଗୁଡ଼ିକ ହେଉଛି ଦାୟିତ୍ୱବୋଧ ଆଉ କର୍ତ୍ତବ୍ୟ। ଉଭୟ ଶ୍ରମ ସ୍ୱେଦ ଆଉ ସହଯୋଗ ଓ ବୁଝାମଣାରେ ଏହି ବିବାହ ନାମକୁ ନୀଡ଼କୁ ବଞ୍ଚାଇ ରଖନ୍ତି ତମାମ ଜୀବନ। ଯେଉଁ ଜୀବନରେ ପର ମୂହୁର୍ତ୍ତରେ କୁନି କୁନି ଜହ୍ନ ତାରା ଜନ୍ମ ନିଅନ୍ତି। ସେମାନଙ୍କୁ ସମାଜରେ ଉଡ଼ାଇ ଶିଖାଇବା ପାଇଁ ସ୍ୱାମୀ ସ୍ତ୍ରୀ ତିଳ ତିଳ ଜଳନ୍ତି। ସେମାନଙ୍କ ଠାରୁ ବହୁତ କିଛି ଆଶା କରନ୍ତି। ତେବେ କୁହାଯାଏ ଯେଉଁଠି ରାଗ ଅଭିମାନ ଯେତେ ଥାଏ, ସେଇଠି ଦାମ୍ପତ୍ୟ ଜୀବନ ସେତିକି ଦୃଢ଼ ଥାଏ।
କିନ୍ତୁ ଏବେ ଦେଖାଯାଉଛି ଯେ ଛୋଟ ଛୋଟ କଥାକୁ ନେଇ ଏବେ କାର ସଂସାର ଭାଙ୍ଗି ଯାଉଛି। କେହି କାହାକୁ ବୁଝିବା ଆଗରୁ ଉଭୟ ସାରା ଜୀବନ ଖାଲି ଜଳନ୍ତି ସିନା, ମାତ୍ର ପ୍ରକୃତ ଶାନ୍ତି କାହାକୁ ମିଳେନି। ଝିଅଟିଏ ଶାଶୁ ଘରେ ପାଦ ଦେଇଥାଏ ଭାବିଥାଏ ତା ସ୍ୱାମୀର ସ୍ନେହ ଆଉ ପ୍ରେମରେ ଭୁଲିଯିବ ସବୁକିଛି। ମାତ୍ର ସମୟେ ସମୟେ ଦେଖାଯାଉଛି ସ୍ୱାମୀର ପରକିୟା ପ୍ରୀତି ପାଇଁ ଗଢ଼ି ହେବାକୁ ଯାଉଥିବା ଏକ ସୁନ୍ଦର ସ୍ୱର୍ଗ ହଠାତ ଭୁଷୁଡ଼ି ପଡ଼େ। ଯିଏ କଥା ଦେଇଥାଏ ବିବାହ ବେଦୀରେ ହୋମ ନିଆଁକୁ ସାକ୍ଷୀ ରଖି ତା ହାତ କେବେ ଛାଡ଼ିବନି। ସେଇ ହିଁ ପ୍ରଥମେ ଭାଙ୍ଗିଦିଏ ସମ୍ପର୍କର ପବିତ୍ର ବନ୍ଧନକୁ। ଏଣୁ ଗଢ଼ିହେବାକୁ ଯାଉଥିବା ନୀଡ଼କୁ ସ୍ୱର୍ଗଠୁ ସୁନ୍ଦର କରିବା ପାଇଁ ହେଲେ ପରସ୍ପର ମଧ୍ୟରେ ତ୍ୟାଗ, ବୁଝାମଣା ଓ ସହଯୋଗ ରହିବା ଦରକାର। ଏଥିପାଇଁ ଉଭୟଙ୍କୁ ସମାନ ଭାବେ ତ୍ୟାଗ କରିବାକୁ ପଡ଼ିବ। ହୋଇପାରେ ଝିଅଟିଏ ଅଧିକ ତ୍ୟାଗ କରିବ।
ସମୟ ବଦଳିଛି। ତା’ ସହିତ ବଦଳି ଯାଉଛି ସମ୍ପର୍କର ସଂଜ୍ଞା। ଦିନଥିଲା ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଏକାଠି ବିତାଇବାର ସଂକଳ୍ପ ନେଉଥିବା ପତିପତ୍ନୀଙ୍କ ମୁହଁରୁ ଭୁଲ୍ରେ ବି ବିବାହ ବିଚ୍ଛେଦର କଥା ବାହାରୁନଥିଲା। ମାତ୍ର ଆଜି କେବଳ ମହାନଗର ନୁହେଁ, ଛୋଟ ଛୋଟ ଗାଁରେ ବି ଛାଡ଼ପତ୍ର ସଂଖ୍ୟା ବଢ଼ିଚାଲିଛି। ପାରିବାରିକ ସମ୍ପର୍କର ପରିଭାଷା ବଦଳି ଯାଉଛି ଯେମିତି। ଟିକେ ଟିକେ କଥାରେ ଭାଙ୍ଗି ଯାଉଛି ସଂସାର। ଯୌନକ୍ଷୁଧାକୁ ମେଣ୍ଟାଇବା ପାଇଁ ନାରୀ ଓ ପୁରୁଷ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତି। ବିବାହ ପୂର୍ବର ସମ୍ପର୍କକୁ ଆମ ସମାଜ ସ୍ୱୀକୃତି ଦିଏନାହିଁ। ଏହା ବାଦ ସମାଜରେ ବାସ କରୁଥିବାରୁ ଉଭୟ ପତିପତ୍ନୀ ଭାବେ କେତେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ତୁଲାଇଥାନ୍ତି। ସେଥିପାଇଁ ବେଦୀରେ ଯେଉଁ ବାହାଘର ହୋଇଥାଏ, ସେଥିରେ ଅନେକ ନୀତି ନିୟମ ରହିଥାଏ। ସାତଫେରା ଦାୟିତ୍ୱ ଉଭୟ ସ୍ୱାମୀ-ସ୍ତ୍ରୀ ନିଭାଇବା ପାଇଁ ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଥାଏ। ବିବାହ ଦୁଇ ଉଭୟ ପୁରୁଷ ଓ ନାରୀର ସମ୍ପର୍କକୁ ଦୃଢ଼ କରିଥାଏ।
ହୋମନିଆଁ, ବାହାବେଦୀ, ତେତିଶକୋଟି ଦେବାଦେବୀଙ୍କୁ ସାକ୍ଷୀ ରଖି ବିବାହ ବେଦୀରେ କନ୍ୟା ମଥାରେ ସିନ୍ଦୁର ପିନ୍ଧାଏ ବର। କଥାଦେଇଥାଏ ସାତ ଜନ୍ମ ପାଇଁ ତା’ର ହୋଇରହିବ। ସ୍ତ୍ରୀଟି ସ୍ୱାମୀର ଭଲପାଇବାର ଶାଢ଼ୀରେ ସବୁ ଜନ୍ମ ବାନ୍ଧି ହୋଇଯାଏ ସାରାଜୀବନ ପାଇଁ। ସେହିପରି ସ୍ୱାମୀର ପ୍ରେମରେ ଭୁଲିଯାଏ ପିଲାଦିନ ଧୂଳଘର, କୁଆଁରପୁନେଇଁ, ରଜ ଆଉ ସାଙ୍ଗସାଥୀ ଯେତେ। ପ୍ରତିଜ୍ଞା କରେ ସ୍ୱାମୀର ସହଯୋଗରେ ସେ ହେବ ପୃଥିବୀର ସବୁଠାରୁ ଶକ୍ତିଶାଳୀ ନାରୀ। ପୃଥିବୀର କୌଣସି ଝଡ଼ ସେମାନଙ୍କୁ ଛୁଇଁପାରିବନି। ଉଭୟ ବାହାବେଦୀରେ ଶପଥ କରିଥାନ୍ତି କୌଣସି ପରିସ୍ଥିତିରେ କେହି କାହା ଜୀବନ ସହିତ ଖେଳ ଖେଳିବନି। ସ୍ୱାମୀ ଯଦିବା କିଛି ଅତୀତରେ ଭୁଲ କରିଥିବେ ସେସବୁ ସେଇ ହୋମ ନିଆଁରେ ପୋଡ଼ିଯାଏ ଆଉ ସେଇଠୁ ଆରମ୍ଭ ହୁଏ ଆଉ ଗୋଟେ ନୂଆ ଜୀବନ।
ସମୟ ସହିତ ଏବେ ସବୁଥିରେ ପରିବର୍ତ୍ତନ ଆସିଛି। ଏବେ ଦେଖାଯାଉଛି ଯେ କେତେକ ସ୍ଥାନରେ ନାରୀକୁ ସ୍ୱାମୀମାନେ ପଣ୍ୟଦ୍ରବ୍ୟ ଭାବେ ବ୍ୟବହାର କରୁଛନ୍ତି। କିନ୍ତୁ ଏବେ ପୁଅଝିଅମାନେ ନିଜ ଇଚ୍ଛାରେ ବିବାହ କରୁଛନ୍ତି। କ୍ଷଣିକ କାମନାର ବଶବର୍ତ୍ତୀ ହୋଇ ଭୁଲ କରି ବସୁଛନ୍ତି। ଯେଉଁ ଭୁଲ ପାଇଁ ସେମାନଙ୍କୁ ସାରା ଜୀବନ ପସ୍ତେଇବାକୁ ପଡ଼ୁଛି। କିନ୍ତୁ ଯେଉଁଠି ପରିବାର ସହମତିରେ ବିବାହ ହୋଇଥାଏ, ସେଠାରେ ଉଭୟଙ୍କ ପାଇଁ ଥାଏ ଅଜାତିତ ଆର୍ଶିବାଦ। ଥାଏ ଗୋଟେ ଖୁସିର ମାହୋଲ। ବାହାଘର ଆଗରୁ ଉଭୟ ଉଭୟଙ୍କ ପାଇଁ କେତେ ଶପଥ, କେତେ ପ୍ରତିଜ୍ଞା କରିଥାନ୍ତି। ଏବେକାର ସମାଜରେ ସେସବୁର ମାନେ କିଛି ନାହିଁ। ତେବେ ଏତେ ସଂକଳ୍ପ, ଏତେ ପ୍ରତିଜ୍ଞା, ସତ୍ୟପାଠ, ହୃଦୟର ମିଳନ, ସାମାଜିକ ସାକ୍ଷୀ ଓ ସ୍ୱୀକୃତି ରହିଥାଏ। ମାତ୍ର ବାହାଘର କିଛି ଦିନ ପରେ ହୋଇପଡ଼ୁଛି ବିପର୍ଯ୍ୟସ୍ତ। ହତାଶା, ଅବିଶ୍ୱାସ ଆଉ ଦୁଃଖ ଭିତରେ କଟୁଛି ତମାମ ଜୀବନ। କେହି କାହାରିକୁ ବୁଝିପାରୁନାହାନ୍ତି। ଅନେକ ଲୋକ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବାକୁ ବି ପଛାଉନାହାନ୍ତି।
ଆମେ ସମସ୍ତେ ଘରେ ହେଉ, ଅଫିସରେ ହେଉ କିମ୍ବା ସ୍ବାମୀଙ୍କ ପରକିୟା ପ୍ରୀତିରେ ମାନସିକ ସନ୍ତୁଳନ ହରାନ୍ତି। ସେଇ ସମୟରେ ଆମର ଅନୁଭବ ହୁଏ- ଆଉ ବଞ୍ଚିକି ଲାଭ ନାହିଁ। କିନ୍ତୁ ସବୁବେଳେ ଜଣେ କିମ୍ବା ଦୁଇ ଜଣ ବିଶ୍ବସ୍ତ ଲୋକଙ୍କୁ ଈଶ୍ବର ପରି ବିଶ୍ବାସ କରିବାକୁ ପଡ଼ିବ। ସେ ଈଶ୍ବରଙ୍କୁ ଆପଣ ହିଁ ବାଛିବେ, ନିଜର ପ୍ରିୟ ପରିଜନ ଏବଂ ସାଙ୍ଗମାନଙ୍କୁ ମଧ୍ୟରୁ ଜଣଙ୍କୁ ଖୁବ୍ ନିଜର ବୋଲି ଭାବିବେ। ନିଜର ଦୁଃଖକାହାଣୀ କହିବେ। ଦେଖିବେ ଖୁବ୍ ହାଲ୍କା ଲାଗିବ।
ଏଇ ନିକଟରେ ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କ ପରକୀୟା ପ୍ରୀତି ନେଇ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଏଥିପାଇଁ ସେ ମାନସିକ ଚାପରେ ବି ରହୁଥିଲେ। ସବୁଠାରୁ ବଡ଼ କଥା ହେଉଛି ସାମ୍ବାଦିକା ଆତ୍ମହତ୍ୟା ପଛରେ ଖଳନାୟିକା ସାଜିଥିଲେ ତାଙ୍କ ସାଙ୍ଗ। ଯେଉଁ ସାଙ୍ଗ ସହ ଛୋଟରୁ ବଡ଼ ହୋଇଥିଲେ ସେ ସାଙ୍ଗ ଶେଷରେ ସିନ୍ଦୁର ଉପରେ ଲୋଭ କଲେ । ସେ ସାଙ୍ଗ ତା’ ସ୍ୱାମୀ ପ୍ରେମରେ ପଡିଯାଇଛି ବୋଲି ଏହି ମହିଳା ସାମ୍ବାଦିକା ଜଣକ ଜାଣିବା ପରେ ମଧୁମିତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଆଉ ସେଇଠୁ ଆରମ୍ଭ ହୋଇଥିଲା ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ। ଯେଉଁଥି ପାଇଁ ସେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଗଲେ।
ଅଳ୍ପ ବୟସର ଝିଅଟିଏ ମଧୁମିତା। ଦୀର୍ଘ ୫ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ବିବାହ ବନ୍ଧନରେ ଆବଦ୍ଧ ହେଲେ। ସ୍ବପ୍ନ ଥିଲା, ଆଶା ଥିଲା ଆଗକୁ ବଢ଼ିବାର। କିନ୍ତୁ ସ୍ବାମୀର ପରକିୟା ପ୍ରୀତିରେ ବ୍ୟଥିତ ଥିଲେ ମଧୁସ୍ମିତା। ଏକା ଏକା ବୁଝାଇବା ପାଇଁ ଚେଷ୍ଟା ବି କରିଛନ୍ତି। ରାତି ୧ଟାରେ କୌଣସି ସ୍ବାମୀ ଫୋନ୍ରେ ଦୀର୍ଘ ସମୟ କଥା ହେଲେ, ସ୍ତ୍ରୀଟିଏ ସନ୍ଦେହ କରିବା ସ୍ବାଭାବିକ୍। ଏଥିରୁ ବିରତ ରହିବାକୁ ଅନେକ ବୁଝାଇଛନ୍ତି ନିଶ୍ଚୟ। ହେଲେ ସ୍ବାମୀ ତାଙ୍କର ଯେତେବେଳେ କହିଛନ୍ତି ତମକୁ ଡିଭର୍ସ ଦେଇଦେବି, ସେଇଠୁ ମଧୁସ୍ମିତାକୁ ଅବସାଦ ମାଡ଼ି ବସିଛି। ଏହି ଅବସାଦରୁ ସେ ନିଶ୍ଚୟ ମୁକୁଳି ପାରିଥାନ୍ତେ।
-ମଧୁମିତା ବୈବାହିକ ଜୀବନର କିଛି ଅକୁହା କଥାକୁ ନିଜର ଘନିଷ୍ଠ ସାଙ୍ଗ କିମ୍ବା ଘରଲୋକଙ୍କୁ କହିପାରିଥାନ୍ତେ। ମରିଗଲେ ତ କଥା ସରିଗଲା। ମରିଗଲେ ଯୁଦ୍ଧ ସେଇଠି ଶେଷ ହୁଏ।
- ନୂଆ ନୂଆ ବାହାଘର ପରେ ଝିଅଟିଏ ସ୍ବାମୀ ସହିତ ସମୟ ବିତାଇବା ପାଇଁ ଚାହେଁ, ସମସ୍ତଙ୍କୁ ନେଇ ହସଖୁସିର ଦୁନିଆ କରିବାକୁ ସ୍ବପ୍ନ ଦେଖେ। ନୂଆ ନୂଆ ବାହାଘରକୁ ନେଇ ପୁଅଟିଏ ସେତେ ଭାବପ୍ରବଣ ହୁଏନି, ଝିଅଟିଏ ଅଧିକ ହୁଏ।
-ଯେଉଁ ସମୟରେ ତାଙ୍କ ସ୍ବାମୀ ଅନ୍ୟ ଝିଅଙ୍କ ସହିତ ଗପନ୍ତି ବୋଲି ତାଙ୍କର ସନ୍ଦେହ ହେଉଥିଲା, ସେଇ ସମୟରେ ମଧୁମିତା ନିଜର କାହାଣୀ ଗୋଟିଏ ଡାଇରୀ ଲେଖି ହାଲ୍କା କରିପାରିଥାନ୍ତେ।
-ଅଫିସ୍ରୁ ଛୁଟି ନେବା ଦରକାର ନ ଥିଲା, ବରଂ ଅଫିସରେ ଅଧିକ ସମୟ ବିତାଇବାର ଥିଲା।
-ମଧୁମିତା ଭାବିବାର ଥିଲା- ଏ ସମୟ ରହିବ ନାହିଁ। ଏଇ ସମୟକୁ ଅତିକ୍ରମ କରିବାକୁ ପଡ଼ିବ। ରାତିର ଯେମିତି ସକାଳ ରହିଛି, ସେମିତି ଯାତନାର ବି ଶେଷ ରହିଛି।
କିନ୍ତୁ ମଧୁମିତା ସ୍ବାମୀଙ୍କ କଥାକୁ ଘନିଷ୍ଠ ସାଙ୍ଗକୁ କହିବାକୁ ଉଚିତ୍ ମଣିନାହାନ୍ତି। ସେ ଭାବିଛନ୍ତି, ତାଙ୍କ ସ୍ବାମୀ ବଦଳିଯିବେ। ଘର କଥା କହିଲେ ଅନ୍ୟମାନେ ଥଟ୍ଟା ମଜା କରିବେ। ଝିଅମାନେ ବିବାହ ପରେ ପରିବାରର ପଦପର୍ଯ୍ୟାଦାକୁ ବେଶ୍ ଜଗିଥାନ୍ତି। ସ୍ବାମୀ ଆଉ ସଂସାରକୁ ନେଇ ସେମାନେ ଖୁବ୍ ଗର୍ବ କରନ୍ତି। କିନ୍ତୁ ପତ୍ନୀଟିଏ ସଂସାରକୁ ସଜାଡ଼ିବାକୁ ଯେତିକି ଯତ୍ନଶୀଳ ହୋଇଥାଏ, ସ୍ବାମୀଟିଏ ସେତିକି ହୋଇନଥାଏ। ବୋଧହୁଏ ସେହି କାରଣ ପାଇଁ ଏବେକାର ପାରିବାରିକ ସଂସାରରେ ଝଡ଼ ସୃଷ୍ଟି ହେଉଛି।
ଦାମ୍ପତ୍ୟ ଜୀବନରେ ଯଦି ତୃତୀୟ ମହିଳାର ପ୍ରବେଶ ହୁଏ ତେବେ ସଂସାରିକ ଜୀବନ ଜଳିବା ଆରମ୍ଭ ହୁଏ। କିନ୍ତୁ ପୁରୁଷ ଯଦି ସ୍ତ୍ରୀକୁ ସରଳ ଭାବେ ବୁଝାଇ ଅଧିକ ପ୍ରେମ ଦେଇ ପରିସ୍ଥିତି ସମ୍ଭାଳି ନିଏ, ସେଠି ଝଡ଼ର ପ୍ରଶ୍ନ ନାହିଁ। ଯଦି ସ୍ତ୍ରୀର ଅଜଣାରେ ଏସବୁ ସେ କରେ ଆଉ ଏହାକୁ ପରେ ଦେବତା ଠାରୁ ଆହୁରି ଭଲପାଉଥିବା ସ୍ୱାମୀର ପାପର ଫର୍ଦ୍ଦ ସବୁ ପଢ଼଼ିପାରେ ସ୍ତ୍ରୀ। ସେଠି କଥା ସରିଲା। ବାରମ୍ବାର ସେଇ ଭୁଲ କଲେ ପୃଥିବୀର କୌଣସି ସ୍ତ୍ରୀ ସହିପାରିବେ ନାହିଁ। ସାମାନ୍ୟ ଝଗଡ଼ାରୁ କଥା ବିରାଟ ରୂପ ନିଏ। ପରକିୟା ପ୍ରୀତି ପାଇଁ ସ୍ୱାମୀ ଦେବୀ ପରି ସ୍ତ୍ରୀକୁ ମାରିବାକୁ ପଛାଏ ନାହିଁ। ଅନ୍ୟପକ୍ଷରେ ସ୍ତ୍ରୀଟି ତାର କର୍ତ୍ତବ୍ୟ କରିଚାଲିଥାଏ। ଆଖି ଲୁହ ଓଠରେ ପିଇ ନୀରବରେ ସହିଯାଏ ସବୁକିଛି। ଭାବେ ଦିନେ ସମୟ ଆସିବ ସ୍ୱାମୀ ଅନୁତାପ କରିବେ ଆଉ ବସାକୁ ଫେରିବେ। ଚଢ଼େଇ ଉଡ଼ି ଉଡ଼ି ଥକି ଗଲେ ବସାକୁ ହିଁ ଫେରିବେ। ଆଉ ପୂର୍ବପରି ସେଇ ପ୍ରେମ ସେଇ ଭଲପାଇବାରେ ଆଉ ଗୋଟେ ସ୍ୱର୍ଗ ଗଢ଼ିବାକୁ ସଂକଳ୍ପ କରିବେ।
କିନ୍ତୁ ଦାମ୍ପତ୍ୟଜୀବନକୁ ସୂଚାରୂରୂପେ ଆଗେଇ ନେବା ପାଇଁ ଖାଲି ସ୍ତ୍ରୀଟି ଚାହିଁଲେ ହେବ ନାହିଁ, ଏଥିପାଇଁ ସ୍ୱାମୀ ବି ସେତିକି ପରିମାଣରେ ଚାହିଁବା ଆବଶ୍ୟକ। କିନ୍ତୁ ପରକିୟା ପ୍ରୀତିରେ ସ୍ୱାମୀଟି ସ୍ତ୍ରୀ ପ୍ରତି କର୍ତ୍ତବ୍ୟ କରିବାକୁ ଭୁଲିଯାଏ। ସ୍ତ୍ରୀଟି ସ୍ୱାମୀ ବହୁତ ବୁଝାଏ, କହେ ଏସବୁ ଆଗାମୀ ଜୀବନ ପାଇଁ ବିଲକୁଲ ଭଲ ନୁହେଁ। ଏହା ଜୀବନକୁ ଜାଳିପୋଡ଼ି ନଷ୍ଟ କରିଦିଏ। ସାରାଜୀବନ ସେଇ ନିଅାଁରେ ଜଳୁଥାଏ। ସ୍ତ୍ରୀଠାରୁ ସିନା ଅଲଗା ହୋଇଯାଏ କିନ୍ତୁ ଯେଉଁ ପରକ୍ରିୟା ପ୍ରୀତି ପାଇଁ ସ୍ତ୍ରୀକୁ ହତାଦର କରିଥାଏ ତା ସହ ବି ଖୁସିରେ ରହିପାରେନା। ଗୋଟେ ପତିବ୍ରତା ସ୍ତ୍ରୀର ଆଖି ଲୁହ ଏତେ ଶସ୍ତା ନୁହେଁ। ପ୍ରତି ମୂହୁର୍ତ୍ତରେ ପ୍ରଥମ ସ୍ତ୍ରୀ ପ୍ରତି କରିଥିବା ଅନ୍ୟାୟ ପାଇଁ ସ୍ୱାମୀଟି କଷ୍ଟ ଅନୁଭବ କରୁଥାଏ। ଏଇ କଷ୍ଟ ସେ କହିପାରେନା କାହାକୁ। ଏପଟେ ସ୍ତ୍ରୀ କିନ୍ତୁ ପୂର୍ବବତ ସ୍ୱାମୀର ମଙ୍ଗଳ କାମନା କରେ। ଯେଉଁଠି ଅଛ ଖୁସିରେ ଥାଅ। ସେଥିପାଇଁ କୁହାଯାଏ ପୁରୁଷ ଯୌନ ସମ୍ପର୍କ ରଖିବା ପାଇଁ ପ୍ରେମ କରେ ଆଉ ନାରୀ ପ୍ରେମ ପାଇବା ପାଇଁ ଯୌନ ସମ୍ପର୍କ ରଖେ।
ଆମ ଦେଶରେ ବହୁତ ଆଇନ୍ କାନୁନ୍ ରହିଛି। କିନ୍ତୁ ସେସବୁ ଖାଲି କାଗଜ କଲମରେ। ଆମ ଆଇନ୍ରେ ବି ରହିଛି -କିଛି ଟଙ୍କା ଦେଲେ ଜଣେ ସୁସ୍ଥ ମହିଳା ପାଗିଳୀ ହୋଇଯିବାର ନଜିର୍। ମହିଳା କମିଶନ୍, ମହିଳା ଥାନା, ଆଇନ୍ ଅଦାଲତରେ ଏସବୁର ସମାଧାନ ହୋଇପାରେନା। ସମ୍ପୂର୍ଣ୍ଣ ଭାବେ ସମର୍ପିତ ସ୍ୱାମୀ-ସ୍ତ୍ରୀଙ୍କୁ ପୃଥିବୀର କୌଣସି ଆଇନ୍ କାନୁନ୍ ମଧ୍ୟ ଅଲଗା କରିପାରେନାହିଁ। ଜୀବନ ତମାମ ପତିବ୍ରତା ପତ୍ନୀ ଜଳି ଜଳି ଜୀବନ ସାରିଦିଏ, କଷ୍ଟ ପାଏ କିନ୍ତୁ ପାପ ଆଡ଼କୁ ପାଦେ ବି ଆଗେଇ ପାରେ ନାହିଁ। ସେପଟେ ପରକିୟା ପ୍ରୀତିରେ ଜଡ଼ିତ ଥିବା ପୁରୁଷ କିନ୍ତୁ ପ୍ରେମିକାର କଥା ପଡ଼ି ମୋଟା ଅଙ୍କର ଟଙ୍କା ପଇସା ଦେଇ ସରକାର ଆଉ ପୋଲିସ୍ ଅଫିସରଙ୍କ ମୁହଁ ବନ୍ଦ କରିଦେଇ ଆଇନ୍କୁ ହାତକୁ ନେଇ ଯାଆନ୍ତି।
କିନ୍ତୁ ଭଗବାନ କେବେ ଲାଞ୍ଚ ନିଅନ୍ତି ନାହିଁ। ସେଠି ନିଶ୍ଚିତ ଭାବେ ଦଣ୍ଡ ଭୋଗିବାକୁ ପଡ଼ିବ। ଏକଥା ସେମାନଙ୍କୁ ମାଲୁମ୍ ନ ଥାଏ। ସେମାନେ ଭୁଲିଯାଇଛନ୍ତି ଯେ ଏମିତି କରିବା ପାପ ନୁହେଁ, ମହାପାପ। ବିବାହ ଜୀବନରେ ଥରେ ହୁଏ, ବାରମ୍ବାର ନୁହେଁ। ସ୍ତ୍ରୀ ସେମାନଙ୍କ ପାଇଁ ସମ୍ବଲପୁରୀ ଶାଢ଼ୀ ନୁହେଁ। ଆଜି ଇଚ୍ଛା ହେଲେ ରଖିବେ, ଇଚ୍ଛାହେଲେ ମାରିବେ ପିଟିବେ ଆଉ ଫିଙ୍ଗିଦେବେ। ତେବେ ସବୁଠାରୁ ପରିତାପର ବିଷୟ ଯେ ଝିଅମାନେ ବିବାହିତ ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖି କି ଲାଭ ପାଉଛନ୍ତି। ଟଙ୍କା କେଇଟା ପାଇଁ ନିଜ ଇଜ୍ଜତକୁ ବିକିଦେଉଛନ୍ତି। ସେମାନେ ଭାବିବା ଉଚିତ୍ ଯେ, ଏଇଟା ଆମେରିକା ନୁହେଁ, ଭାରତ। ଏଠି କିଛିଟା ନୀତିନିୟମ ରହିଛି।
ଗୋଟେ ବିବାହିତ ପୁରୁଷ ସହିତ ସମ୍ପର୍କ ରଖିବା ଠାରୁ ପାପ ଦୁନିଆରେ କିଛି ନାହିଁ। ବ୍ୟକ୍ତିଗତ ଫାଇଦା ହାସଲ ପାଇଁ ଭୁଲିଯାଉଛନ୍ତି ଭାରତୀୟ ସଂସ୍କୃତି ଆଉ ନୀତି ନିୟମକୁ। ସେମାନେ ଭୁଲିଯାଇଛନ୍ତି ଯେ ଏହି କାର୍ଯ୍ୟ ପାଇଁ ସେମାନଙ୍କୁ କେବେ ନା କେବେ ଦଣ୍ଡ ଭୋଗିବାକୁ ପଡ଼ିବ। ପରିବାର ଭାଙ୍ଗିବା ହେଉଛି ହତ୍ୟା ଠାରୁ ଅଧିକ ଘୃଣ୍ୟ ଅପରାଧ। କାରଣ ହତ୍ୟା ଦ୍ୱାରା ଜଣେ ବ୍ୟକ୍ତିଙ୍କର ମୃତ୍ୟୁହୋଇଥାଏ ଓ ସେ କିଛି ସମୟ ପାଇଁ କଷ୍ଟ ପାଏ। କିନ୍ତୁ ଗୋଟିଏ ପରିବାର ଭାଙ୍ଗିବା ଦ୍ୱାରା ଅନେକଙ୍କୁ ମୃତ୍ୟୁ ଯନ୍ତ୍ରଣା ଭୋଗିବାକୁ ପଡ଼େ। ମୃତ୍ୟୁ ଯାଏ ସେ କଷ୍ଟ ପାଉଥାଏ। ଯେ ପର୍ଯ୍ୟନ୍ତ ଆମ ସମାଜ ଏ ନେଇ ନ ହେଜିଛି ସେ ପର୍ଯ୍ୟନ୍ତ ପରକିୟା ପ୍ରୀତିରେ ମାତିଥିବ ପୁରୁଷ।
ବାହାଘର ଏକ ପବିତ୍ର ଶଦ୍ଦ। କୋଟି ଜନ୍ମର ପୂଣ୍ୟରେ ଏପରି ଗୋଟେ ଭଲ ସମ୍ପର୍କର ଜନ୍ମ ନେଇଥାଏ। ଏହାକୁ ସୂଚାରୁରୂପେ ତୁଲାଇବାକୁ ସାରା ଜୀବନ ତ୍ୟାଗ ଆଉ ସମର୍ପଣରେ ବଞ୍ଚିବାକୁ ପଡ଼ିଥାଏ। ବେଳେବେଳେ ଛୋଟ ଛୋଟ କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଡ଼ ସୃଷ୍ଟି ହୁଏ। କେହି କାହା ସହିତ ସାଲିସ୍ କରିବାକୁ ଚାହାନ୍ତିନି। ତେଣୁ ଗଢ଼ିହେବାକୁ ଯାଉଥିବା ସୁନ୍ଦର ଘର ନଷ୍ଟ ହୋଇଯାଏ। କେହି କାହାରିକୁ ଭଲଭାବେ ବୁଝିବା ଆଗରୁ ନଷ୍ଟ ହୋଇଯାଏ ଦୁଇଟି ଜୀବନ। କୁହାଯାଏ ରାଗ ରୁଷା ଆଉ ଅଭିମାନରେ ସମ୍ପର୍କ ଦୃଢ଼ ହୁଏ। ମାତ୍ର ଏସବୁ ଏବେ କାର ଦୁନିଆରେ ଚାଲୁନି। କେତେ ସ୍ୱପ୍ନ ନେଇ ଝିଅଟିଏ ବାପାଘର କରି ଆସେ। କିନ୍ତୁ ସ୍ୱପ୍ନ ବେଳେବେଳେ ସତର ରୂପ ନେବା ଆଗରୁ ମଉଳି ଯାଏ ଆଉ ଦୁନିଆରୁ ସବୁଦିନ ପାଇଁ ତାର ନାଁ ବି ଲିଭି ଯାଏ।
ଏବେ ଦେଖାଦେଉଛି କେହି କାହା ପାଇଁ ସମୟ ଦେବାକୁ ପ୍ରସ୍ତୁତ ନୁହଁନ୍ତି। ସେଥିପାଇଁ ଏପରି ସମସ୍ୟା ଦେଖାଦେଉଛି। ତେବେ ଏସବୁ ଦୃଷ୍ଟିରେ ରଖି ସବୁକିଛି ମାନିନେଉଛି ଆମ ସମାଜ। ଆମ ଶୃଙ୍ଖଳିତ ସମାଜ ଏବେ ହୋଇପଡ଼ିଛି ଅବ୍ୟବସ୍ଥିତ। ଝିଅଟିଏ ବାପଘରକୁ ପର କରି ଆସିଥାଏ। ଭାବିଥାଏ-ତାକୁ ତା ବାପା ଯେମିତି ଭଲପାଉଥିଲେ କେହି ତାକୁ ଶାଶୁଘରେ ସେପରି ଭଲପାଇବା ଦେଉ। ଭାଇ ପରି ସ୍ନେହ ସୋହାଗ ତାକୁ ମିଳୁ। ତାକୁ ଖୁସି ବଦଳରେ ଖୁସି ମିଳୁ। ସେଥିପାଇଁ ଝିଅଟିକୁ କିପରି ଶାଶୁଘର ଲୋକ ଭଲପାଇବେ ସେଥିପାଇଁ ଯାନିଯୌତୁକ ଦେଇ ବିଦାକରନ୍ତି। ସବୁରି ମୂଳରେ ଥାଏ ଝିଅଟି ତାଙ୍କର ଖୁସିରେ ରହିବ। ତଥାପି ଏବେ ଦେଖାଯାଉଛି ନବବଧୂକୁ ଯୌତୁକ ଯୁଇରେ ଜଳିବାକୁ ପଡ଼େ। ହାତକୁ ମେହେନ୍ଦି ଛାଡ଼ି ନ ଥାଏ, ନବବଧୂ ଯୌତୁକ ଯୁଇରେ ଜଳିଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ନିଜ ସ୍ୱାମୀ ବି ସାମିଲ୍ ଥାଏ। ନାରୀ ବିନା ପୃଥିବୀ କଳ୍ପନା ବି କରାଯାଇପାରେନା।
ଆତ୍ମହତ୍ୟା ଏକ ରୁଗ୍ଣ ମାନସିକତା। ସମୟେ ସମୟେ ଦୁଃଖରେ ଏକାକୀ ଅଧିକ ସମୟ କାଟିଲେ ମନକୁ ଆତ୍ମହତ୍ୟା ପରି ଶଦ୍ଦ ପଶିଆସେ। ଯାହା ଆମ ଭାବନାର ବାହାରେ। ସବୁଠାରୁ କ୍ଷୋଭର ଆଉ ପରିତାପର ବିଷୟ ଏହି ଯେ ଅତ୍ୟନ୍ତ ପ୍ରେମ କରୁଥିବା ପତିବ୍ରତା ପତ୍ନୀଟି ଭାବେ ଦିନେ ତା’ର ସ୍ୱାମୀ ବଦଳିଯିବ ଆଉ ନିଶ୍ଚିତ ଗୋଟେ ଘର ହେବ ଆଉ ଈଶ୍ୱର ସୃଷ୍ଟି କରିଥିବା ବନ୍ଧନ କେବେ ତୁଟି ପାରିବନି। ଅପେକ୍ଷାରେ ଲୁହକୁ ମହୁ କରି ପିଇ ପିଇ ଜୀବନ ଅତିବାହିତ କରେ। ତେଣୁ ପ୍ରତିଟି ପୁରୁଷର ସମାଜ ଓ ନାରୀକୁ ସମ୍ମାନ ଦେଇ ଏସବୁ ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାର ସମୟ ଆସିଛି। ସାମାନ୍ୟ ଗୋଟେ ଝିଅ ପାଇଁ ପବିତ୍ର ବନ୍ଧନ ଯେମିତି ତୁଟି ନ ଯାଏ, ସେ ପ୍ରତି ସଚେତନ ହେଲେ ସତରେ କେତେ ସୁଧୁରି ଯାଆନ୍ତାନି ଆମ ସମାଜ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
E-mail id: serveforthenation@gmail.com