Advertisment

Bonus Mother: ଯୁରୋପ ଓ ଆମେରିକାରେ ‘ବୋନସ ମଦର’... ଯିଏ ଜନ୍ମ ନ ଦେଇ ବି ପିଲାଙ୍କୁ ମା’ ପରି ପାଳୁଥାଏ

ଏହି ଲେଖାରେ ଯୁରୋପ ଓ ଆମେରିକାରେ ବୋନସ ମଦରର ଧାରାକୁ ବ୍ୟାଖ୍ୟା କରାଯାଇଛି । କିଏ ଏହାର ଉପଯୋଗ କରୁଛନ୍ତି, ବୋନସ ମଦର ଓ ଷ୍ଟେପ ମଦର ମଧ୍ୟରେ ପାର୍ଥକ୍ୟ କ’ଣ, କେବେ ଏହି ପ୍ରବୃତ୍ତି ଆରମ୍ଭ ହେଲା, କେଉଁଠି ଏଭଳି ପରିବାର ଦେଖାଯାଉଛି– ଏ ସମସ୍ତ ପ୍ରଶ୍ନର ଉତ୍ତର ଏହି ଲେଖାରେ ରହିଛି।

author-image
Minati Mishra
ଅଦ୍ୟତନ ହୋଇଛି
ବୋନସ ମଦର

ବୋନସ ମଦର

ମା’.. । କେତେ ତାର ନାଁ । କେଉଁଠି ବୋଉ, କେଉଁଠି ମାମା.. କେଉଠି ମମ୍ ପୁଣି କେଉଁଠି ମଦର ।  ଏସବୁ ଶବ୍ଦ ବ୍ୟତୀତ ଆଉ ଏକ ଶବ୍ଦ ବି ଆପଣ ଶୁଣିଥିବେ  । ଷ୍ଟେପ ମଦର ବା ସାବତ ମା‘ । ଯଦିଓ ଏହି ଶବ୍ଦ ପ୍ରତି ଏକ ନକାରାତ୍ମକ ମାନସିକତା ରହିଛି ତଥାପି ମା’ର ଏହା ଏକ ରୂପ । ଏତେ ସବୁ ଶବ୍ଦ ପରେ ମା’ ପାଇଁ ଆଉ ଏକ ନୂଆ ଶବ୍ଦ ଆସିଛି । ସେ ହେଉଛି ‘ବୋନସ ମଦର’ ବା ଅତିରିକ୍ତ ମା’ ।

Advertisment

ଶବ୍ଦଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । କାରଣ ଏମିତି ଏକ ମା’ ବିଷୟରେ ଆପଣ କେବେ ଶୁଣି ନ ଥିବେ ।  ତେବେ କ’ଣ ଏଇ ବୋନସ ମା’ର ସଂଜ୍ଞା ? କେମିତି ତା’ର  ରୂପ ? ମା’ ପାଇଁ କାହିଁକି ଏହି ଶବ୍ଦ ବ୍ୟବହାର କରାଯାଉଛି ?

ୟୁରୋପ ଓ ଆମେରିକାରେ ଗତ କିଛି ବର୍ଷ ହେଲା ମା’ ପାଇଁ ଏହି ‘ବୋନସ ମଦର’ ଶବ୍ଦର ବ୍ୟବହାର କରାଯାଉଛି । ବିଶେଷ କରି ଆମେରିକାରେ ଏହି ଶବ୍ଦର ବ୍ୟବହାର ପ୍ରଥମେ କିଛି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଏବେ ଏହାର ପ୍ରଚଳନ ଖୁବ ବେଶି ହେଉଥିବା ଦେଖିବାକୁ ମିଳିଛି ।

Advertisment

ବୋନସ ମଦର ଏମିତି ଏକ ଶବ୍ଦ ଯାହା  ସାବତ ମା’ ବା ଷ୍ଟେପ ମଦରର ପାଖାପାଖି । ଏମିତି ଜଣେ ମହିଳା ଯିଏ କି ନିଜ ସ୍ୱାମୀଙ୍କର ପ୍ରଥମ ପତ୍ନୀଙ୍କ ସନ୍ତାନର ଦେଖାରଖା କରିଥାନ୍ତି । ଏହା ବ୍ୟତୀତ ଏହି ଶବ୍ଦ ଆଉ ଏକ ଅର୍ଥରେ ମଧ୍ୟ ଉପଯୋଗ କରାଯାଇ ପାରିବ । ଯେଉଁ ମହିଳା ନିଜର ପାର୍ଟନରଙ୍କର ପ୍ରଥମ ପତ୍ନୀଙ୍କ ସନ୍ତାନ ସହ ରହୁଥିବେ, ସେମାନଙ୍କର ଯତ୍ନ ନେଉଥିବେ କିନ୍ତୁ ତାଙ୍କ ପାର୍ଟନରଙ୍କୁ ବିବାହ କରି ନ ଥିବେ ।

ବୋନସ ମଦର ଏବଂ ଷ୍ଟେପ ମଦର ଭିତରେ କ‘ଣ ରହିଛି ପାର୍ଥକ୍ୟ

ବୋନସ ମଦର ଏବଂ ଷ୍ଟେପ ମଦର ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି । ବୋନସ ମଦର ଶବ୍ଦରେ ଏକ ସକାରାତ୍ମକ ଭାବ ରହିଛି ଯାହା ଷ୍ଟେପ ବା ସାବତ ମା’ରେ ନାହିଁ । ସାବତ ମା’ କହିଲେ ହଠାତ ମା’କୁ ନେଇ ଏକ ନକାରାତ୍ମକ ଚିତ୍ର ଆଖି ଆଗରେ ଭାସିଯାଏ ଯିଏ ସ୍ୱାମୀଙ୍କ ପ୍ରଥମ ପତ୍ନୀଙ୍କ ସନ୍ତାନକୁ ପାଖରେ ରଖିଥାଏ ସତ କିନ୍ତୁ ଅହରହ ନିର୍ଯାତନା ଦେଉଥାଏ ।

ବୋନସ ମଦର ହେବା ପଛରେ ଅନେକ କାରଣ ରହିଥାଏ । କିଛି ମହିଳା ତାଙ୍କ ସାଥୀର ପ୍ରଥମ ପତ୍ନୀଙ୍କ ସନ୍ତାନକୁ ଭଲ ପାଆନ୍ତି, ସେମାନଙ୍କର ଦେଖାରଖା କରିବାକୁ ଚାହାନ୍ତି । କିଛି ମହିଳା ଅଛନ୍ତି ଯିଏ କି ନିଜ ସାଥୀଙ୍କ ପ୍ରଥମ ପତ୍ନୀଙ୍କ ସନ୍ତାନ ସହ ଏକ ମଜବୁତ ସମ୍ପର୍କ ରଖିବାକୁ ଚାହାଁନ୍ତି । ଏହି ମହିଳାମାନେ ସ୍ୱେଚ୍ଛାକୃତ ଭାବେ ଆସି ପିଲାମାନଙ୍କୁ ଆପଣେଇ ଥାନ୍ତି । ସେମାନଙ୍କୁ ବୋନସ ମଦର କୁହାଯାଏ ।

ସହଜ ନୁହେଁ ‘ବୋନସ ମଦର‘ଙ୍କ ଦାୟିତ୍ୱ

ବୋନସ ମଦର ହେବା ଏକ ଚାଲେଞ୍ଜଠାରୁ କମ ନୁହେଁ । ନିଜ ସାଥୀଙ୍କ ପ୍ରଥମ ପତ୍ନୀଙ୍କ ସନ୍ତାନ ସହ ଏକ ଭଲ ସମ୍ପର୍କ ତିଆରି କରିବା ପାଇଁ ବୋନସ ମଦରଙ୍କୁ ଖୁବ କଷ୍ଟ କିରବାକୁ ପଡିଥାଏ । ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା, ପିଲାମାନଙ୍କର ଅନ୍ୟ ସମ୍ପର୍କକୁ ନିଜର କରିବା ପରି ଅନେକ କିଛି ସମସ୍ୟା ଆସିଥାଏ ।

ୟୁରୋପ, ଆମେରିକାରେ ବେଶି ପ୍ରଚଳିତ

ୟୁରୋପ ଏବଂ ଆମେରକାରେ ମା’ ଶବ୍ଦ ପାଇଁ ଅଲଗା ଅଲଗା ଶବ୍ଦ ଏବଂ ବାକ୍ୟାଂଶ ପ୍ରଚଳିତ ରହିଛି ଯାହା ବିଭିନ୍ନ ପ୍ରକାର ପରିବାର ଗଠନ ଏବଂ ସାଂସ୍କୃତିକ ପ୍ରସଙ୍ଗକୁ ପ୍ରତିଫଳିତ କରେ। ତେବେ ଏହି ବୋନସ ମଦର ଶବ୍ଦ ଆମେରିକା ଓ ୟୁରୋପରେ ବେଶି ପ୍ରଚଳିତ  ।

କ’ଣ ଏହି ଶବ୍ଦର ଇତିହାସ

କହିବାକୁ ଗଲେ ‘ବୋନସ ମଦର’ ଶବ୍ଦର ଇତିହାସ ବେଶି ଦିନର ନୁହେଁ । ତଥାପି ଏହାର ସଠିକ ଇତିହାସ କହିବା କଷ୍ଟକର । ଯାହାବି ହେଉ, ଗତ ଦୁଇ ଦଶକରୁ ଆମେରିକା ଏବଂ ୟୁରୋପରେ ଏହି ଶବ୍ଦ ବେଶ ଲୋକପ୍ରିୟତା ହାସଲ କରିଛି । ଆମେରିକା, ୟୁରୋପରେ ୧୯୯୦ ଦଶକ ପରେ ଏହାର ବ୍ୟବହାର ବୃଦ୍ଧି ପାଇଥିବା ଦେଖା ଯାଇଛି । ଦେଶରେ ବିବାହ ବିଚ୍ଛେଦ ଏବଂ ଦ୍ୱିତୀୟ ବିବାହ ବଢୁଥିବାରୁ ତଥା ଲିଭିଙ୍ଗ ପାର୍ଟନର ପ୍ରଚଳନ ବଢୁଛି । ତା ସହିତ ଏହି ଶବ୍ଦ ତଥା ସମ୍ପର୍କର ଗୁରୁତ୍ୱ ବି ବଢୁଥିବା ଲକ୍ଷ୍ୟ କରା ଯାଉଛି । ତେବେ ଏସୀୟ ଦେଶମାନଙ୍କରେ ଏହି ଶବ୍ଦର ପ୍ରଚଳନ ପ୍ରାୟତଃ ନାହିଁ ।

କ‘ଣ ଏହି ଶବ୍ଦର ଅର୍ଥ ?

‘ବୋନସ ମଦର’ ଶବ୍ଦର ଉପଯୋଗ ସାଧାରଣତଃ ଏପରି ମହାଳାଙ୍କ ପାଇଁ କରାଯାଇଥାଏ ଯିଏ କି ଜନ୍ମଦାତ୍ରୀ ନ ହେଲେ ବି କୌଣସି ବ୍ୟକ୍ତିଙ୍କ ଜୀବନରେ ମା‘ର ଭୂମିକା ନିଭାଇଥାନ୍ତି ।  ବୋନସ ମଦର ଏକ ଇଂରାଜୀ ଶବ୍ଦ । ବୋନସ ଶବ୍ଦର ଅର୍ଥ ଅତିରିକ୍ତ ବା ଅଧିକ । ସେହିପରି ମଦର ଶବ୍ଦର ଅର୍ଥ ମା’ ।

ଏସୀୟ ଦେଶରେ ନାହାନ୍ତି ‘ବୋନସ ମଦର’

ଏସୀୟ ଦେଶମାନଙ୍କରେ ଏବେ ଏହି ଶବ୍ଦର ପ୍ରଚଳନ ନାହିଁ କହିଲେ ଚଳେ । ଏସୀୟ ସଂସ୍କୃତିରେ ପରିବାର ତଥା ସମ୍ପର୍କକୁ ପରିପ୍ରକାଶ କରିବା ପାଇଁ ପାରମ୍ପରିକ ଶବ୍ଦାବଳୀର ଅଧିକ ପ୍ରଚଳନ ରହିଛି । ଯେମିତି, ଭାରତ ପରି ଦେଶରେ ସାବତ ମା‘, ପାଳିତା ମା’, ପୋଷିଆ ମା‘ ଇତ୍ୟାଦି । ଏହା ବ୍ୟତୀତ ଏଠାରେ ଅନ୍ୟ ମହିଳାଙ୍କୁ ମା’ର ଦୃଷ୍ଟିରେ ହିଁ ଦେଖାଯାଇଥାଏ । ହେଲେ ଏଠି ବୋନସ ମଦର ପରି ଆଧୁନିକ ଶବ୍ଦରେ ସମ୍ବୋଧନ କରିବାର ପରମ୍ପରା ନାହିଁ ।  

ତା ଛଡା ଏସୀୟ ଦେଶରେ ପରିବାରର ସଂରଚନା ପ୍ରାୟତଃ ସଂଯୁକ୍ତ ପରିବାର ପ୍ରଣାଳି ଉପରେ ଆଧାରିତ ହୋଇଥାଏ । ଏଠାରେ ଏକାଧିକ ପିଢି ଗୋଟିଏ ଘରେ ରୁହନ୍ତି । ତେଣୁ ବୋନସ ମଦରର ଆବଶ୍ୟକତା ଖୁବ କମ ଥାଏ ।

‘ବୋନସ ମଦର’ ଶବ୍ଦର ଜନ୍ମଦାତା କିଏ ?

‘ବୋନସ ମଦର’ ଶବ୍ଦର ଜନ୍ମଦାତା କିଏ  ବା ଏହାର ଉତ୍ପତି କେମିତି ହେଲା ତାହା କହବା କଷ୍ଟ । ତେବେ ଏହି ଶବ୍ଦ ଆଧୁନିକ ସମୟରେ ପାଶ୍ଚାତ୍ୟ ସଂସ୍କୃତିରୁ ଯେ ଆସିଛି ଏହା କହିହେବ ନିଶ୍ଚୟ ।

ଆସନ୍ତୁ ଜାଣିବା ‘ବୋନସ ମଦର’ଙ୍କ ସମ୍ପର୍କରେ କିଛି-

ପ୍ରଥମତଃ ସାବତ ମା’ ବା ଷ୍ଟେପ ମଦର ପ୍ରତି ସମସ୍ତଙ୍କର ଏକ ନକାରାତ୍ମକ ଚିନ୍ତାଧାରା ରହିଛି । ଏହି ଭାବକୁ ଦୂର କରି ଷ୍ଟେପ ମଦରଙ୍କ ପ୍ରତି ଏକ ସକରାତ୍ମକ ଚିନ୍ତାଧାରା ବ୍ୟକ୍ତି କରିବା ପାଇଁ ଏହି ଶବ୍ଦର ସୃଷ୍ଟି । ଏକଥା ସତ ଯେ, ଏହି ଶବ୍ଦ ଆଧୁନିକ ପାରିବାରିକ ସଂରଚନାକୁ ପ୍ରତିଫଳିତ କରିଥାଏ ଯେଉଁଠି ବିବାହ ବିଚ୍ଛେଦ, ପୁନଃବିବାହ ଏକ ସାଧାରଣ ଘଟଣା ଭାବେ ବିବେଚନା କରାଯାଇଥାଏ ।  ତା ଛଡ଼ା ଯେଉଁମାନେ ସ୍ୱାମୀଙ୍କ ପ୍ରଥମ ପତ୍ନୀଙ୍କ ସନ୍ତାନଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି ସେହି ମହିଳାଙ୍କୁ ସମ୍ମାନିତ କରିବାର ଏକ ମାଧ୍ୟମ ହେଉଛି ଏହି ଶବ୍ଦ ‘ବୋନସ ମଦର’ ।

ମା’ କିନ୍ତୁ ଭିନ୍ନ ଭିନ୍ନ ନାଁ

ଷ୍ଟେପ ମଦର ବା ସାବତ ମା’: ଏହି ଶବ୍ଦ ଏମିତି ମହିଳାଙ୍କ ପାଇଁ ବ୍ୟବହାର କରାଯାଇଥାଏ ଯେଉଁଠି ସେ ସନ୍ତାନକୁ ଜନ୍ମ ଦେଇ ନ ଥାଏ କିନ୍ତୁ ସନ୍ତାନର ବାପାଙ୍କୁ ବିବାହ କରିଥାନ୍ତି ।

ପାଳିତ ମା’: ଏହି ଶବ୍ଦ ଏମିତି ମହିଳାଙ୍କ ପାଇଁ ବ୍ୟବହାର କରାଯାଇଥାଏ ଯେଉଁମାନେ ଜନ୍ମଦାତ୍ରୀ ନ ହୋଇ ବି  ଆଇନଗତ ଭାବେ କିମ୍ବା ଅନୌପଚାରିକ ଭାବେ କୌଣସି ପିଲାର ଦେଖାରଖା କରନ୍ତି  ।

ପୋଷ୍ୟ ମା‘ ବା ଆଡପଟିଭ ମଦର: ସେହି ମହିଳାଙ୍କ ପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଥାଏ ଯେଉଁମାନେ ଆଇନସମ୍ମତ ଭାବେ କୌଣସି ପିଲାଙ୍କୁ ନିଜ କୋଳକୁ ନେଇଥାନ୍ତି ।

ସହ ମାତା ବା କୋ-ମଦର: ଏହି ମହିଳାମାନେ ପିଲାମାନଙ୍କ ପାଖରେ ଏକାଠି ରହି ସେମାନଙ୍କର ଲାଳନ ପାଳନ କରିଥାନ୍ତି । କିନ୍ତୁ ପାରମ୍ପରିକ ରୀତି ଅନୁସାରେ ବିବାହ କରି ନ ଥାନ୍ତି ।

ସମ୍ପର୍କ ପାଇଁ ଅନେକ ନୂଆ ଶବ୍ଦ

ସମ୍ପର୍କକୁ ନେଇ ଅନେକ ନୂଆ ଶବ୍ଦ ଆମେରିକା ଏବଂ ୟୁରୋପରେ ବହୁଳ ପ୍ରଚଳିତ ହେଉଛି ।

ବୋନସ ଫାଦର: ସାବତ ମା’ ପରି ସାବତ ବାପାଙ୍କ ଉଦ୍ଦେଶ୍ୟରେ ଏହି ଶବ୍ଦ ବ୍ୟବହାର କରାଯାଏ । ଏହି ଶବ୍ଦ ସାବତ ବାପାଙ୍କ ପ୍ରତି ଏକ ସ୍ନେହପୂର୍ଣ୍ଣ ଏବଂ ସକାରାତ୍ମକ  ଭାବ ସୃଷ୍ଟି କରିଥାଏ ।

ବୋନସ ଚାଇଲ୍ଡ: ଜନ୍ମ ନ ଦେଲେ ମଧ୍ୟ ଯେଉଁ ସନ୍ତାନଙ୍କର ଲାଳନପାଳନ କରିବାକୁ ପଡିଥାଏ  ସେହି ସନ୍ତାମାନଙ୍କୁ ସାବତ ସନ୍ତାନ କୁହାଯାଇଥାଏ । ହେଲେ ଏହି ଶବ୍ଦ ପଛରେ ଥିବା ନକରାତ୍ମକ ଭାବକୁ ଦୂର କରିବା ପାଇଁ ଆଜିକାଲି ବ୍ୟବହାର ହେଉଛି ବୋନସ ଚାଇଲ୍ଡ ।

ୱର୍କ ସ୍ପାଉସ: ଅଫିସରେ କୌଣସି ନିକଟତର ସହକର୍ମୀ ଯାହା ସହ ଆପଣଙ୍କର ବହୁତ ଭଲ ବନ୍ଧୁତା ଥିବା । ତା ସହ ଭାବନାତ୍ମକ ବନ୍ଧନ ଥିବ କିନ୍ତୁ ରୋମାଣ୍ଟିକ ସମ୍ପର୍କ ନ ଥିବ । ଏପରି ସମ୍ପର୍କକୁ ୱର୍କ ସ୍ପାଉସ କୁହାଯାଇ ପାରିବ । ଏହି ଶବ୍ଦ ଆମେରିକାରେ ୨୦୦୦ ମସିହାରୁ ବେଶ ଲୋକପ୍ରିୟ ହୋଇଛି ।

ଟ୍ରାଇବ: ଏହାର ଅର୍ଥ ଏଠାରେ ଜନଜାତି ନୁହେଁ । ବରଂ ଅତି ନିକଟତର ବନ୍ଧୁ, ସମର୍ଥକମାନଙ୍କୁ ବୁଝାଇଥାଏ ଯେଉଁମାନଙ୍କ ପାଖରେ ପରିବାରିକ ସମ୍ପର୍କର ଭାବକୁ ଅନୁଭବ କରିହୁଏ ।

European Nations Mother United States Of America Surrogate Mother
Advertisment
Advertisment