• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଳଖିଆ ଦୋକାନୀଙ୍କ ଝିଅ ପାଇଲେ ଓଜେଏସ । ଖୁସିରେ ଆତ୍ମହରା ବାପା ଆଖିରୁ ଗଡି ଆସୁଛି ଆନନ୍ଦର ଲୁହ । ବହୁ ଦିନର ପରିଶ୍ରମକୁ ଝିଅ ଏବେ ସାର୍ଥକ କରିଛି । କାହିଁକି ନା ଓଜେଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛି ଝିଅ ଏବେ ବିଚାରପତି ହେବ । ମୟୂରଭଞ୍ଜ ବାରିପଦା ସହରର ଫୁଟପାଥରେ ଜଳଖିଆ ବିକ୍ରି କରୁଥିବା ନଗେନ୍ଦ୍ର ଜେନାଙ୍କ ଝିଅ ଅନୁଶ୍ରୀ ଓଜେଏସ୍ ପରୀକ୍ଷାରେ ୧୪ତମ ସ୍ଥାନ ଅଧିକାର କରିଛନ୍ତି । ବହୁ ଦୁଃଖ କଷ୍ଟରେ ପାଠ ପଢ଼ିଛନ୍ତି ଅନୁଶ୍ରୀ । ଘରେ ଛଅ ଝିଅ ମଧ୍ୟରୁ ଅନୁଶ୍ରୀ ଜଣେ । ଦୁଇ ବର୍ଷ ହେଲାଣି ପାରାଲିସିସ ରୋଗରେ ପୀଡିତ, ତେଣୁ ବ୍ୟବସାୟ ବି ଠପ୍ । ତଥାପି ସବୁ ଦୁଃଖ କଷ୍ଟ ସହି ଆଜି ସଫଳତାର ପାହଚ ଚଢିପାରିଛନ୍ତି ଅନୁଶ୍ରୀ ।

ମୟୂରଭଞ୍ଜ ବାରିପଦା ସହରରେ ରହୁଥିବା ନଗେନ୍ଦ୍ର ଜେନା । ଘର ବୋଲି କହିଲେ ଏକ ଛୋଟିଆ ଆଜବେଷ୍ଟସ ଘର । ଏହି ଘରେ ଦୁଃଖକଷ୍ଟରେ ପଢି ନଗେନ୍ଦ୍ରଙ୍କ ଝିଅ ଅନୁଶ୍ରୀ ଓଜେଏସ୍ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ । ୧୪ତମ ସ୍ଥାନରେ ରହିଛନ୍ତି ଅନୁଶ୍ରୀ । ଅନୁଶ୍ରୀଙ୍କ ବାପା ଫୁଟପାଥରେ ଜଳଖିଆ ଦୋକାନ କରି ଝିଅକୁ ବଡମଣିଷ କରିପାରିଛନ୍ତି । ଛୋଟ ବେଳୁ ଅନୁଶ୍ରୀ ଭଲ ପାଠ ପଢି ଆସୁଛନ୍ତି । ଏମିତିକି ବିଶ୍ୱବିଦ୍ୟାଳୟରୁ ଗୋଲ୍ଡ ମେଡାଲ ବି ହାସଲ କରିଛନ୍ତି ଅନୁଶ୍ରୀ ।

ଏବେ ବାରିପଦା ଏଡିଜେଏମ୍ କୋର୍ଟରେ ସରକାରୀ ଓକିଲ ଭାବେ ସେ କାର୍ଯ୍ୟରତ । ଆଉ ଏବେ ଝିଅ ବିଚାରପତି ହେବା ଶୁଣି ପରିବାର ଲୋକଙ୍କ ମଧ୍ୟରେ ଖୁସି କହିଲେ ନସରେ । ଖାଲି ବାପ ଘର କାହିଁକି, ଅନୁଶ୍ରୀଙ୍କ ଶ୍ୱଶୁର ଘର ଲୋକେ ମଧ୍ୟ ବେଶ ଖୁସି । ଓଜେଏସରେ କୃତକାର୍ଯ୍ୟ ହେବା ପରେ ସାହିପଡିଶାରୁ ମଧ୍ୟ ଛୁଟିଛି ଶୁଭେଚ୍ଛାର ସୁଅ ।

ସେହିପରି ଆଉ ଜଣେ ଯୁବକ ହେଉଛନ୍ତି ଗଜପତି ଜିଲ୍ଲା ଗୋଲି ଗାଁର ସାଧକ କାର୍ଜି । ଓଜେଏସ୍ ପରୀକ୍ଷାରେ ୪୫ ନମ୍ବର ସ୍ଥାନରେ ରହିଛନ୍ତି ସାଧକ । ସାଧକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ସାଧକଙ୍କ ବାପାଙ୍କର ଦେହାନ୍ତ ପରେ ମାଆ ଚାଷବାସ କରି ପାଠ ପଢାଇଥିଲେ , ଆଉ ପରିବାର ଲୋକଙ୍କ ଆଶାକୁ ଧୂଳିସାତ କରିବାକୁ ଦେଇନାହାନ୍ତି ସାଧକ । ସାଧକ ଶିଖରରେ ପହଞ୍ଚିବା ସହ ପରିବାର ଲୋକଙ୍କ ମନରେ ଖୁସି ଆଣିଦେଇଛନ୍ତି ।