• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରବଳ ବର୍ଷାରେ ବିଶାଳ ଆନ୍ଦୋଳନ ଧାରଣା ପରେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ । ଦଶହରା ପୂର୍ବରୁ କିଛି ଭଲ ଖବର ମିଳିପାରେ ବୋଲି ଆଶା କରାଯାଉଛି । ୧୫ ଦିନ ଭିତରେ ସରକାର ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ତେବେ ସରକାର ଯଦି ନିଜ ପ୍ରତିଶ୍ରୁତି ପାଳନ ନକରନ୍ତି ,ତାହେଲେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଗତକାଲି ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ବିଭାଗ ସମେତ ୪୨ଟି ବିଭାଗର ୭୦ ହଜାର ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦାବି ନେଇ ରାଜରାସ୍ତାରେ ବସିଥିଲେ । ଶହ ଶହ ସଂଖ୍ୟାରେ ଚୁକ୍ତି ଭିତ୍ତିକ କର୍ମଚାରୀ ଲୋୟର ପିଏମଜିରେ ବର୍ଷାରେ ଭିଜି ଭିଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁହାକୁ ତୁହା ବର୍ଷାକୁ ଖାତିର ନକରି ନିଜ ଦାବିକୁ ଜୋରଦାର ଢଙ୍ଗରେ ଜାହିର କରିଥିଲେ ।

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସଂଘର ଅଭିଯୋଗ ଅନୁସାରେ ରାଜ୍ୟର ଆର୍ଥିକ ଦୁରବସ୍ଥା ବେଳେ ସରକାର ଠିକା ନିୟମ ପ୍ରଚଳନ କରିଥିଲେ । ଚାକିରି ଆଶାରେ ସେମାନେ ବାଧ୍ୟବାଧକତାରେ ଗ୍ରହଣ କରିଥିଲେ । ଏବେ ଆର୍ଥିକ ସ୍ଥିତିରେ ଉନ୍ନତି ସତ୍ତ୍ୱେ ସେମାନଙ୍କ ପ୍ରତି ଅବିଚାର କାହିଁକି ? ଗୋଟିଏ ବିଭାଗରେ ସମାନ କାମ କରି ସ୍ଥାୟୀ କର୍ମଚାରୀ ସପ୍ତମ ବେତନ କମିଶନର ସୁବିଧା ପାଉଥିବା ବେଳେ ଆଜିର ମହଙ୍ଗା ଯୁଗରେ ମାତ୍ର ୮ରୁ ୧୩ ହଜାର ଟଙ୍କାରେ ସେମାନେ ପରିବାର ଚଳାଇବେ କେମିତି ?

ପୂର୍ବରୁ ୨୦୧୮ ଓ ୨୦୨୧ରେ ନିଜ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ । ସେମାନଙ୍କ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ସମ୍ପୂର୍ଣ୍ଣ ଦାବି ପୂରଣ ହୋଇନଥିଲା । ତେଣୁ ଏଥର ମାସେ ଭିତରେ ଦାବି ପୂରଣ ନହେଲେ, ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛି ସଂଘ ।