• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଛଅ ବର୍ଷ ଚୁକ୍ତିରେ କାମ କରିବୁ । ଆମ ସହିତ ସମାନ ଶିକ୍ଷାଗତ ଯୋଗ୍ୟତା ଥାଇ ପିଲାମାନେ ରେଗୁଲାର ଚାକିରି କରୁଛନ୍ତି । ଆମେ ଖଟିଥିବା ୬ ବର୍ଷକୁ ମଧ୍ୟ ସର୍ଭିସ୍‌ ପିରିୟଡରେ ନିଆଯାଉନି । ଆମ ଯେଉଁ ୬ ବର୍ଷ କାମ କରୁଛୁ, ତା’ର କୌଣସି ଲାଗ ରହୁନି । ଏଥିପାଇଁ ଆମର ଦାବି ଠିକା ବ୍ୟବସ୍ଥା ଉଠିଯାଉ । ସବୁ ପ୍ରକାର ସିଲେକ୍ସନ୍‌ ପ୍ରକ୍ରିୟା ପରେ ଆମକୁ ଚାକିରି ମିଳୁଛି । ଏତେ କମ୍‌ ଦରମାରେ ଆମେ କେମିତି ଚଳିବୁ ? ଆମେ କ’ଣ ଏଠି ଗୋତି ଖଟିବୁ କି ’ବୋଲି ଲୋୟର ପିଏଜିରେ ଆନ୍ଦୋଳନ କରୁଥିବା ଜଣେ କର୍ମଚାରୀ କହିଛନ୍ତି ।

ସେହିପରି ଆଉ ଜଣେ ଠିକା କର୍ମଚାରୀ କହିଛନ୍ତି“ଆମେ ଦିନ ରାତି କାମ କରିବା ପରେ ହିଁ ସରକାରଙ୍କ ସବୁ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ସରକାର କ’ଣ କରୁଛନ୍ତି ? କର୍ମଚାରୀ ମାନଙ୍କୁ ଗୋତି ଖଟାଇବା ପରି ଖଟଉଛନ୍ତି । ଯେଉଁ ଛଅ ବର୍ଷ ପାଇଁ ଆମେ କାମ କରୁଛୁ, ତାହା ଚାକିରି ସମୟରେ ଗଣତି କରାଯାଉ ନାହିଁ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ, ଠିକା ପ୍ରକ୍ରିୟାକୁ ଉଚ୍ଛଦ କରାଯାଉ । ଆମେ ଏମିତି ବର୍ଷାରେ ଭିଜି ଭିଜି କେତେ ଦିନ ଆନ୍ଦୋଳନ କରିବୁ । ଏଠି ବାହାରେ ସିନା ବର୍ଷା କିନ୍ତୁ କର୍ମଚାରୀଙ୍କ ମନରେ ନିଆଁ ଜଳୁଛି ।’

ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମାବଳୀ ବିରୋଧରେ ଆଜି ଠିକା କର୍ମଚାରୀ ସଂଘ ବଡ଼ ଧରଣର ଆନ୍ଦୋଳନ କରୁଛନ୍ତି । ପ୍ରାୟ ୧୦ ହଜାର ଠିକା କର୍ମଚାରୀ ପ୍ରବଳ ବର୍ଷା ସତ୍ତ୍ୱେ ଭୁବନେଶ୍ୱରର ଲୋୟର ପିଏମଜିରେ ବିକ୍ଷୋଭ କରୁଛନ୍ତି । ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ସହିତ ସମାନ କାମକୁ ସମାନ ଦରମା ଦାବିରେ ଏହି ଆନ୍ଦୋଳନ ଚାଲିଛି । ରାଜ୍ୟ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ଭଳି ବିଭିନ୍ନ ବିଭାଗର ଠିକା କର୍ମଚାରୀ ଏହି ଆନ୍ଦୋଳନରେ ବସିଛନ୍ତି ।

ଅଭିଯୋଗ କରିଛନ୍ତି ଯେ, ୨୦୧୩ରେ ରାଜ୍ୟ ସରକାରଙ୍କ ନୂଆ ଠିକା ନିଯୁକ୍ତି ଆଇନ ପ୍ରଚଳନ କରିଥିଲେ । ଏହି ଆଇନରେ ବ୍ୟବସ୍ଥା ଥିଲା ଯେ, ନିୟମିତ କର୍ମଚାରୀଙ୍କ ଭଳି ଚାକିରୀ ଆଶାୟୀ ଓପିଏସପି ପରୀକ୍ଷା ଦେବେ, ସାକ୍ଷାତକାରର ସାମନା କରିବେ ଆଉ ତା ପରେ ଯାଇ ୬ ବର୍ଷିୟ ଠିକାରେ ନିଯୁକ୍ତି ପାଇବେ । ସେମାନଙ୍କର ଦରମା ୨୩ ହଜାର, ୧୩ ହଜାର ଓ ୧୨ ହଜାର ରଖାଯାଇଥିଲା । ଏହାପରେ ସେମାନଙ୍କୁ ନିୟମିତ କରାଗଲେ, ଠିକା ସମୟର ୬ ବର୍ଷକୁ ସେଥିରେ ମିଶାଯିବାର ବ୍ୟବସ୍ଥା ନଥିଲା । ଏହି ପଦ୍ଧତିରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ପଦୋନ୍ନତିରେ ସମସ୍ୟା ଭୋଗିଛନ୍ତି ।

ସେହିପରି ଅବସରକାଳୀନ ସୁବିଧା, ମହଙ୍ଗା ଭତ୍ତା, ଘରଭଡ଼ା ଆଦି ପାଇବାର ବ୍ୟବସ୍ଥା ନଥିଲା । ଏଣୁ ଏହାକୁ ବିରୋଧ କରି ଆଜି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଏନେଇ ରାଜ୍ୟ ସରକାରଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।