Advertisment

ଚୁକ୍ତିଭିତ୍ତିକ କର୍ମଚାରୀ ମହଲରେ ଖୁସି, ହେଲେ ନିରାଶ ଅସ୍ଥାୟୀ କର୍ମଚାରୀ

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦକୁ ନେଇ ରାଜନୀତି ବି ସରଗରମ। ବିରୋଧୀଙ୍କ ଯୁକ୍ତି ଶାସକ ବିଜେଡ଼ିର ଇଏ ଆଉ ଏକ ଧୂଆଁବାଣ।

author-image
Chandan Shishu
temporary employee disappoint

temporary employee disappoint

ଠିକା ନିଯୁକ୍ତିର ଯୁଗ ଶେଷ। ଗଲାକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ବାହାରିଲା ସରକାରୀ ବିଜ୍ଞପ୍ତି। ୨୦୧୩ରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀ ଏବେ ଖୁସିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କେକକୁ କାଟି ଗ୍ରାଣ୍ଡ ସେଲିବ୍ରେସନ୍ କରିଛନ୍ତି। ରବିବାର ଛୁଟି ଦିନରେ ବି ନାଚ ଗୀତରେ କମ୍ପିଛି ଭୁବନେଶ୍ୱର ନଅ ତାଲା ଅଞ୍ଚଳ। ଏପଟେ ଇଏ ଭିନ୍ନ ଏକ ଦୃଶ୍ୟ ସମସ୍ତଙ୍କ ମୁହଁରେ ନିରାଶା ଓ ହତାଶାର ଛାଇ। ଏମାନେ ଦୀର୍ଘ ତିନି ଦଶନ୍ଧି ଧରି ଡିଏଲଆର ଓ ଏନ୍ଏମଆର୍ ଭାବେ ବିଭିନ୍ନ ପୌର ସଂସ୍ଥାରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀ ପରିଣତ ବୟସରେ ପହଞ୍ଚିଥିଲେ ବି ଚାକିରି ସ୍ଥାୟୀ ହୋଇନି। ୧୯୯୩ ପରଠୁ ଏମାନଙ୍କୁ ସ୍ଥାୟୀ କରିନାହାଁନ୍ତି ସରକାର।

Advertisment

ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୫-୫-୧୯୯୯ରେ ପୌର ସଂସ୍ଥାଗୁଡିକୁ ଚିଠି ହୋଇଛି କି, ଯେଉଁମାନେ ଦଶବର୍ଷ ପୂରଣ କରିବେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ। ସ୍ଥାୟୀ ଚାକିରିକୁ ଚାହିଁ ଚାହିଁ ଆଖିରୁ ପାଣି ମରିଗଲାଣି। ଏବେ ଯେତେବେଳେ ସେମାନଙ୍କଠୁ ବହୁ ପରେ ଆସିଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସରକାର ସ୍ଥାୟୀ ଘୋଷଣା କରିଛନ୍ତି, ଏମାନଙ୍କ ଦୁଃଖ ଆହୁରି ବଢିଯାଇଛି। କେବଳ ଏମାନେ ନୁହନ୍ତି ଆଡହକ୍, ଆଉଟସୋର୍ସିଂ, ଗ୍ରାମରକ୍ଷୀ, ହୋମ୍ ଗାର୍ଡ, ଅଙ୍ଗନଓ୍ୱାଡି, ଗାଁ ସାଥୀ, ବ୍ଲକ୍ ଗ୍ରାଣ୍ଟ ଶିକ୍ଷକମାନେ ବି ନିରାଶ ହୋଇଛନ୍ତି।

ସେପଟେ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦକୁ ନେଇ ରାଜନୀତି ବି ସରଗରମ। ବିରୋଧୀଙ୍କ ଯୁକ୍ତି ଶାସକ ବିଜେଡ଼ିର ଇଏ ଆଉ ଏକ ଧୂଆଁବାଣ। ୨୦୧୩ରେ କରିଥିବା ଭୁଲ୍ ସୁଧାରିବାର ପ୍ରୟାସ। ସେମାନଙ୍କ ଅଭିଯୋଗ ସରକାରଙ୍କ ପକ୍ଷରୁ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ରାଜ୍ୟରେ ୮ଲକ୍ଷ ୮୦ ହଜାର ପଞ୍ଜିକୃତ ଚାକିରି ଆଶାୟୀ ଅଛନ୍ତି। ବିଭିନ୍ନ ବିଭାଗରେ ୨ ଲକ୍ଷ ୨୬ ହଜାର ପଦବି ଖାଲି ପଡିଛି। ଖାଲି ସେତିକି ନୁହେଁ ପ୍ରାୟ ୪୫ ହଜାର ମୂଳ ପଦବୀକୁ ସରକାର ଉଚ୍ଛେଦ କରିଛନ୍ତି। ଏଭଳି ସ୍ଥଳେ ରାଜ୍ୟରେ ୭୦ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ଥିବାବେଳେ ସେମାନଙ୍କ ଭିତରୁ ୫୭ ହଜାରଙ୍କୁ ନିୟମିତ କରି ନିର୍ବାଚନୀ ଚାଲ୍ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ।

Advertisment

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଚୁକ୍ତିଭିତ୍ତିକ ଗ୍ରୁପ ବି, ସି, ଡି ନିଯୁକ୍ତି ଉଚ୍ଛେଦ ହୋଇ ସେମାନଙ୍କୁ ନିୟମିତ କରାଯାଇଛି। ତେବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିନ ଠାରୁ ନୋସନାଲ ଇନକ୍ରିମେଣ୍ଟ ଲାଗୁ ହେବ। ଯେଉଁମାନେ ୬ ବର୍ଷ ପୂରଣ କରି ରେଗୁଲାର ହୋଇଛନ୍ତିି, ତାକୁ ବି ଗଣନା କରାଯିବ। ବରିଷ୍ଠତା ଭିତ୍ତିରେ ସେମାନଙ୍କୁ ପଦନ୍ନୋତି ସହ ସରକାରୀ ଚାକିରିର ସବୁ ସୁବିଧା ମିଳିବ। ତେବେ ଯେଉଁମାନେ ଏଥିରୁ ବଞ୍ଚିତ ହେଲେ ସେମାନଙ୍କ ଅସନ୍ତୋଷକୁ ସରକାର ଆଗକୁ କିଭଳି ସାମ୍ନା କରୁଛନ୍ତି ତା ଉପରେ ନଜର।

(ରିପୋର୍ଟ: ଭୁବନେଶ୍ୱରରୁ ନିରଞ୍ଜନ ରେଡି, ହରିହର ଚାନ୍ଦ ଓ ଜଗଦୀଶ ଦାସ)

Employment Contractual
Advertisment
Advertisment