୨୦୨୯ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବ ସାଢେ ତିନି ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ। ଆସନ୍ତା ୨ ବର୍ଷ ମଧ୍ୟରେ ପୂରଣ ହେବ ୬୫ ହଜାର ସରକାରୀ ପଦବି। ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଆ ଲୋକେ ହେବେ ଉପକୃତ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଓଡ଼ିଆ ଅସ୍ମିତାର ସଂରକ୍ଷଣକୁ ମିଳିବ ଗୁରୁତ୍ବ। ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନରେ କିଛି ଏହି ଭଳି ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେଉ ହେଉ ବିରୋଧୀ କକ୍ଷତ୍ୟାଗ କରିଥିଲେ। ଯାହା ସୂଚାଉଛି ବଜେଟ୍ ଅଧିବେଶନ ବେଶ୍ ସରଗରମ ରହିବ।
ବିଧାନସଭା ପରିସରରେ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର୍। ପରେ ପରେ ଆରମ୍ଭ ହୋଇଥିଲା ସପ୍ତଦଶ ବିଧାନସଭାର ପ୍ରଥମ ତଥା ବଜେଟ୍ ଅଧିବେଶନ। ପ୍ରଥମ ଦିନରେ ରାଜ୍ୟପାଳ ରଖିଛନ୍ତି ଅଭିଭାଷଣ। କହିଛନ୍ତି, କୃଷି ଓ କୃଷକଙ୍କ ବିକାଶ ତଥା ଆୟବୃଦ୍ଧି ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର। ନିଯୁକ୍ତି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ଭିତ୍ତିଭୂମି କ୍ଷେତ୍ରକୁ ଦିଆଯାଉଛି ପ୍ରାଥମିକତା। ସରକାରଙ୍କ ଭିଜନକୁ ବିଧାନସଭାରେ ପ୍ରତିପାଦିତ କରି ରାଜ୍ୟପାଳ କହିଛନ୍ତି, ୨୦୨୯ ସୁଦ୍ଧା ରାଜ୍ୟରେ ସାଢ଼େ ୩ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆସନ୍ତା ୨ ବର୍ଷ ମଧ୍ୟରେ ପୂରଣ ହେବ ୬୫ ହଜାର ସରକାରୀ ପଦବି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ନିର୍ମାଣ ହେବ ୧୦ ଲକ୍ଷ ଘର ।
Also Read
ଓଡ଼ିଶାରେ ଖୁବ୍ ଶୀଘ୍ର ଲାଗୁ କରାଯିବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ତାଛଡ଼ା ସାରା ରାଜ୍ୟରେ ୩ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଜିଲ୍ଲା ମେଡିକାଲରେ ପ୍ରସୂତୀ, ଶିଶୁରୋଗ ବିଶେଷଜ୍ଞ ନିଶ୍ଚିତ ରହିବେ। ଉପକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ। ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସେହିପରି ଜାତୀୟ ଶିକ୍ଷାନୀତି ଲାଗୁ କରାଯାଇ ଶିକ୍ଷାର ମାନବୃଦ୍ଧି ଉଦେଶ୍ୟରେ ରାଜ୍ୟସ୍ତରୀୟ ଶିକ୍ଷାନୀତି ପାଇଁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ରାଜ୍ୟପାଳ। ସେହିପରି କୃଷକଙ୍କୁ ସଶକ୍ତ କରିବା ପାଇଁ ବଂଚିତ ହିତାଧିକାରୀଙ୍କୁ ପିଏମ୍-କିଷାନ ଯୋଜନାରେ ସାମିଲ କରାଯିବ। ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ଦିଆଯିବ। ସେହିପରି ଶୀତଳ ଭଣ୍ଡାର ସୁବିଧା, ପ୍ରକ୍ରିୟାକରଣ ୟୁନିଟ୍, ଯୋଗାଣ ଶୃଙ୍ଖଳିତ ହେବ।ମଣ୍ଡିରେ ଶସ୍ୟ ଭଣ୍ଡାର ଓ କୃଷକ ବିଶ୍ରାମ ଗୃହ ରହିବ। ଶିକ୍ଷକ ପ୍ରଶିକ୍ଷଣ, ଗ୍ରାମାଞ୍ଚଳରେ ଡିଜିଟାଲ ଭିତ୍ତିଭୂମି ସମ୍ପ୍ରସାରଣ ହେବ। ଓଡ଼ିଆ ଅସ୍ମିତା ଭବନ, ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତାପାଇଁ କାମକରିବେ ବୋଲିକହିଛନ୍ତି ରାଜ୍ୟପାଳ ରଘୁବର ଦାସ।
ସେପଟେ ପ୍ରଥମ ଥର ଲାଗି ବିରୋଧୀ ଆସନରେ ବସିଥିବା ବିଜେଡି ଆଜି କିନ୍ତୁ ପ୍ରଥମରୁ ଆକ୍ରମଣାତ୍ମକ ମୁଦ୍ରାରେ ରହିଥିଲା। ଓଡିଆ ଅସ୍ମିତା ତଥା ଆଇନ୍ ଶୃଙ୍ଖଳା କଥା କହି ପ୍ରଥମରୁ ହିଁ ପ୍ରତିବାଦ କରିଥିଲା ଦଳ। ସେହିପରି ବିଜେଡି ସହ ସ୍ବର ମିଳାଇ କଂଗ୍ରେସ ବି ଗୃହ ମଧ୍ୟ ଭାଗକୁ ଆସି ହଟ୍ଟ ଗୋଳ କରିଥିଲା। ଶେଷରେ ଉଭୟ ବିରୋଧୀ ରାଜ୍ୟପାଳଙ୍କ ଅଭିଭାଷଣକୁ ଆଦୌ ନଶୁଣି କକ୍ଷତ୍ୟାଗ କରିଥିଲେ। ବିଧାନସଭା ଆରମ୍ଭରୁ ଆଟାକିଂ ଖେଳିଛନ୍ତି ବିରୋଧୀ। ଏବେ ଦେଖିବାର କଥା ହେଉଛି ନୂଆ ସରକାର ବଜେଟ୍ ଅଧିବେଶନକୁ କିପରି ସୁପରିଚାଳନା କରୁଛନ୍ତି। କାରଣ ସାମ୍ନାରେ ଅଛନ୍ତି ସଶକ୍ତ ବିରୋଧୀ।
- Reported by:
- JAGDISH DAS , SOUMYA RANJAN SAHOO