afgan women protesting against taliban
କାବୁଲ: ତାଲିବାନଙ୍କ କବ୍ଜାକୁ ଚାଲି ଯାଇଛି ଆଫଗାନିସ୍ତାନ। ଭୟ ଓ ଆତଙ୍କରେ ଥରି ଉଠୁଛି ସାରା ରାଜ୍ୟ। ଆଫଗାନିସ୍ତାନର ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ତାଲିବାନୀ ଶାସନକୁ ନେଇ ଭୟଭୀତ ହୋଇ ପଡ଼ିଥିବା ଆଫଗାନ ମହିଳାମାନେ ଏବେ ଭୟ ଛାଡ଼ି ରାସ୍ତାକୁ ଓହ୍ଲାଇଛନ୍ତି। କାବୁଲ ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ମହିଳା। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ମହିଳା ଅଧିକାର ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି କିଛି ମହିଳା । ବୁର୍ଖା ପିନ୍ଧି ମହିଳାଙ୍କ ଅଧିକାର ପାଇଁ ହାତରେ ପ୍ଲାକାର୍ଡ ଧରି ଏମାନେ ଦାବି କରିଛନ୍ତି। ଗତ ୨୦ ବର୍ଷ ଧରି ମହିଳା ମାନେ ଦେଶରେ ଯେଉଁ ଅଧିକାର ପାଇଥିଲେ ସେହି ଅଧିକାର ଏବେ ସେମାନଙ୍କୁ ମିଳୁ ବୋଲି ଦାବି ଉଠାଇଛନ୍ତି ।
ଶିକ୍ଷା ଅଧିକାର, କାମ କରିବାକୁ ଅଧିକାର, ରାଜନୈତିକ କ୍ଷେତ୍ରରେ ଭାଗିଦାରୀ, ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି। ବର୍ତ୍ତମାନ ଦେଶରେ ପ୍ରଚଳିତ ସମ୍ବିଧାନ ଅନୁଯାୟୀ ଏହି ସମସ୍ତ ସୁବିଧା ପ୍ରଦାନ କରିବା ପାଇଁ ମହିଳାମାନେ ସ୍ୱର ଉଠାଇଛନ୍ତି ।
Also Read
ଏସବୁ ସେମାନଙ୍କର ମୌଳିକ ଅଧିକାର । ଏହି ଅଧିକାର ସେମାନେ ୨୦ ବର୍ଷ ହେଲା ପାଇ ଆସୁଛନ୍ତି। ତେଣୁ ତାଙ୍କୁ ଏହି ସୁବିଧା ତାଲିବାନୀ ଶାସନରେ ବି ଯୋଗାଇ ଦିଆଯାଉ ବୋଲି ଦାବି କରି ଆଫଗାନ ମହିଳାମାନେ କାବୁଲ ରାଜରାସ୍ତାରେ ଦାବି ଉଠାଇଛନ୍ତି । ଏହାଛଡ଼ା କୌଣସି ଶକ୍ତି ଆଫଗାନୀ ମହିଳାଙ୍କୁ ଚୁପ୍ କରିପାରିବ ନାହିଁ ବୋଲି କହିଛନ୍ତି । ବିଗତ ୨୦ ବର୍ଷରେ ମହିଳାଙ୍କ ସଫଳତାଙ୍କୁ ନଜରଅନ୍ଦାଜ କରାଯାଇପାରିବ ନାହିଁ ବୋଲି କହି ଆନ୍ଦୋଳନକାରୀମାନେ ପ୍ଲାକାର୍ଡ ଦେଖାଇ ନିଜର ଦାବି ଉଠାଇଛନ୍ତି।
ମହିଳାଙ୍କର ଏହି ନିର୍ଭୀକ ପ୍ରତିବଦାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି, ମହିଳାମାନେ ତାଲିବାନୀ ସେନାଙ୍କ ସାମ୍ନାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ଭିଡିଓକୁ ବଲିଉଡ ଡାଇରେକ୍ଟର ଓନିର ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓ ଉପରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି ୟୁଜର୍ସମାନେ। ଏପରିକି ନିଜେ ଡାଇରେକ୍ଟର ଓନିର ଏକ ଟୁଇଟ୍କୁ ରିଟ୍ୱିଟ କରି ପ୍ରତିକ୍ରିୟା ଦେଇ ଲେଖିଛନ୍ତି-‘ଆଫଗାନ ମହିଳା...ଆପଣଙ୍କର ଈଶ୍ୱର ଶକ୍ତି ଦିଅନ୍ତୁ। ଆଶା କରୁଛୁ, ଆପଣଙ୍କ ଅଧିକାର ଫେରାଇ ଦେବା ପାଇଁ ଦୁନିଆ ଆଗକୁ ଆସିବ। ’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
