• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବର୍ତ୍ତମାନ ଆଇଫୋନ୍ ଧରିବା ଏକ ପ୍ରକାର ଷ୍ଟାଟସ୍ ପାଲଟି ଗଲାଣି । ଆଇଫୋନ୍ ଥିଲେ ଲୋକେ ଆଜିକାଲି ସମ୍ମାନ ଦେଉଛନ୍ତି । ସମାଜରେ ଗୋଟେ ଅଲଗା ମର୍ଯ୍ୟାଦା ମିଳୁଛି । ଏଣୁ ପ୍ରାୟ ଯୁବପିଢ଼ିଙ୍କ ମଧ୍ୟରେ ଏହି ଆଇଫୋନ୍ ପାଇବା ପାଇଁ ଯେମିତି ଏକ ପ୍ରକାର ପ୍ରତିଯୋଗିତା ଲାଗିଯାଇଛି । ଆଇଫୋନ୍ ପାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି ।

ଏହାର ପ୍ରିମିୟମ୍ ମୂଲ୍ୟ, ବ୍ରାଣ୍ଡ, ନୂଆ ବୈଶିଷ୍ଟ୍ୟ, ଉପଭୋକ୍ତା-ଅନୁକୂଳ ଡିଜାଇନ୍ ତଥା ଆପଲ୍ ର ବ୍ୟାପକ ମାର୍କେଟିଂ ହେଉଛି ଲୋକପ୍ରିୟତା ପଛରେ ଅନ୍ୟ କାରଣ । ତେବେ ଚାଇନାରେ ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ । ଆଇଫୋନ୍ କିଣି ନଦେଇ ପାରିବାରୁ ଜଣେ ପିତାଙ୍କୁ ନିଜ ଝିଅ ସାମ୍ନାରେ ଆଣ୍ଠୁ ମାଡ଼ି କ୍ଷମା ମାଗିବାକୁ ପଡ଼ିଛି ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ସାଉଥ୍ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଭିଡିଓଟି ମେ ୪ ରେ ତାଇୟୁଆନରେ ଜଣେ ଯାତ୍ରୀଙ୍କ ଦ୍ୱାରା କଏଦ ହୋଇଥିଲା । ଉକ୍ତ କ୍ଲିପ୍‌ରେ ଜଣେ ନାବାଳିକାଙ୍କୁ ତାଙ୍କ ପିତା ଆଇଫୋନ୍ କିଣି ନଦେଇ ପାରିବାରୁ ତାଙ୍କ ଝିଅ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା ।

ଅନ୍ୟ ପିତାମାତାମାନେ ନିଜ ପିଲାମାନଙ୍କୁ ଆଇଫୋନ୍ କିଣି ଦେଉଛନ୍ତି । ତୁମର ପାଖରେ ହିଁ ଟଙ୍କା ନାହିଁ ବୋଲି ଝିଅଟି ବାପାକୁ କହୁଥିବାର ଶୁଣିବାକୁ ମିଳୁଛି । ନିଜ ଝିଅଠାରୁ ଏପରି ପ୍ରଶ୍ନ ଶୁଣିବା ପରେ ବାପାଙ୍କର ମୁଣ୍ତ ଲଜ୍ୟାରେ ତଳକୁ ନଇଁ ଯାଇଥିଲା । ଫଳରେ ସମସ୍ତଙ୍କ ସାମ୍ନାରେ ନିଜ ଝିଅ ପାଖେ ଆଣ୍ଠୁ ମାଡ଼ି କ୍ଷମା ମାଗିଥିଲେ । ନିଜର ଆର୍ଥିକ ଅକ୍ଷମତା ପାଇଁ ବାପା ମଧ୍ୟ ଅବଶ ହୋଇଯାଇଥିଲେ ।

ଠିକ୍ ଏପରି ଅବସ୍ଥାରେ ଝିଅ ନିଜର କାର୍ଯ୍ୟରେ ଲଜ୍ଜିତ ଅନୁଭବ କରି ବାପାଙ୍କୁ ଶୀଘ୍ର ଉଠିବାକୁ କହିଥିଲା ବୋଲି ଜଣା ପଡ଼ିଛି । ତେବେ ଏହି ଭିଡିଓର ସୁଟିଂ କରିଥିବା ବ୍ୟକ୍ତି କହିଛନ୍ତି ଯେ, ସେ ଉକ୍ତ ବ୍ୟକ୍ତିଙ୍କ ପାଇଁ ଦୁଃଖିତ ଓ ଝିଅର ବ୍ୟବହାର ତାଙ୍କୁ ଖରାପ ଲାଗିଛି । ଚୀନ୍‌ର ଅନେକ ସ୍ୱତନ୍ତ୍ର ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିବା ଏହି ଭିଡିଓ ବର୍ତ୍ତମାନ ଅଭିଭାବକ ଏବଂ ପିଲାଙ୍କ ଆଚରଣ ଉପରେ ଆଲୋଚନା ପାଇଁ ପ୍ରେରଣା ଦେଇଛି ।

ଅନେକ ୟୁଜର୍ସ ସେ ଝିଅକୁ ଭର୍ତ୍ସନା କରିଥିବା ବେଳେ ଅନ୍ୟ କେତେଜଣ ଏଥିପାଇଁ ପିତାଙ୍କୁ ଦାୟୀ କରିଥିଲେ ଏବଂ କହିଥିଲେ ଯେ ସେ ତାଙ୍କୁ ଭଲ ଶିକ୍ଷା ଦେବା ଉଚିତ୍ । ଜଣେ ୟୁଜର୍ସ କହିଛନ୍ତି ଯେ, ଆଜିକାଲିର ପିଲାମାନେ ଏତେ ଆତ୍ମକୈନ୍ଦ୍ରିକ ହୋଇଯାଉଛନ୍ତି ଯେ, ସେମାନେ ଅଭିଭାବକମାନଙ୍କର କଷ୍ଟକୁ ମଧ୍ୟ ଅଣଦେଖା କରିଦେଉଛନ୍ତି ।

ଏହା ସାମାଜିକ ଭାବେ ଏକ ନିହାତି ଦୁଃଖଦ ଘଟଣା । ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ଯେ, ବାପାଙ୍କର ଏପରି ଆଚରଣ ଭବିଷ୍ୟତରେ ପିଲାକୁ ଅଧିକ ଜିଦିଆ କରିବ । ଅନ୍ୟ ଜଣେ କହିଛନ୍ତି, ଦୁହିଁଙ୍କ ପାଇଁ ଦୁଃଖ ଅନୁଭବ କରୁଛି । ତେବେ ନିକଟ ଅତୀତରେ ବ୍ରାଜିଲରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ସ୍ୱଳ୍ପ ଆୟକାରୀ ବା ମଧ୍ୟମ ବର୍ଗୀୟ ଅନୁଭବ କରନ୍ତି ଯେ, ଆଇଫୋନ୍ ବ୍ୟବହାର କରିବା ଦ୍ୱାରା ସମାଜରେ ସେମାନଙ୍କର ପ୍ରତିଷ୍ଠା ବଢ଼ାଇଥାଏ ।

OTV is now on Whatsapp

Join and get latest news update delivered to you via whatsapp

Join Now